ଦୀର୍ଘ ତିନି ମାସର ବ୍ୟବଧାନ ପରେ ଦେଶର ପ୍ରମୁଖ ମହିଳା କୁସ୍ତି ଖେଳାଳୀମାନେ ପୁଣି ଥରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଏହି ମହିଳା ଖେଳାଳୀମାନେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ଜାନୁଆରୀ ମାସରେ ଏଭଳି ଧାରଣାରେ ବସିଥିଲେ। ସେ ଶାସକ ଦଳର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ସାଂସଦ ଥିବାରୁ ଏବଂ ତାଙ୍କ ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଉତ୍ତର ପ୍ରଦେଶରେ ଦଳକୁ ରାଜନୈତିକ ଭାବେ ମହଙ୍ଗା ପଡ଼ିବାର ସମ୍ଭାବନା ଥିବାରୁ ପ୍ରଥମରୁ ହିଁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଡରୁଥିବା ଦେଖାଯାଇଛି। ତେବେ ଖେଳାଳୀମାନଙ୍କର ଲଗାତାର ପ୍ରତିବାଦ ଓ ପ୍ରତିକ୍ରିୟା ପରେ ସରକାର ଏକ କମିଟି ଗଠନ କରି ଏକ ମାସ ମଧ୍ୟରେ ତା’ର ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିବା ପରେ ସେମାନେ ନିଜର ପ୍ରତିବାଦକୁ ସ୍ଥଗିତ କରିଥିଲେ। କିନ୍ତୁ ପରିତାପର କଥା ସରକାର ନିଜର ପ୍ରତିଶୃତି ମୁତାବକ ଏକ ମାସ ମଧ୍ୟରେ ତ ସେମାନଙ୍କୁ କୌଣସି ନ୍ୟାୟ ଦେଇ ପାରିଲେନି, ବରଂ କମିଟିର କାମଟି ମହିଳା ଖେଳାଳୀଙ୍କୁ ଶୁଣିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଦେଖାଯାଇଥିଲା। ଏହି କାରଣରୁ ବାଧ୍ୟ ହୋଇ ପୀଡ଼ିତା ମହିଳା ଖେଳାଳୀମାନେ ନ୍ୟାୟ ପାଇଁ ପୁଣି ଥରେ ଧାରଣାରେ ବସିବା ସହ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଖୁସୀର କଥା, ସେମାନଙ୍କ ପିଟିସନ୍ ଉପରେ ବିଚାର କରି ସୁପ୍ରିମକୋର୍ଟ ଇତି ମଧ୍ୟରେ ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଯୌନଗତ ଅସଦାଚରଣ ଓ ପକ୍ସୋ ଆଇନରେ ମାମଲା ରୁଜ୍ଜୁ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୋର୍ଟର ନିର୍ଦ୍ଦେଶ ପରେ ଦିଲ୍ଲୀ ପୋଲିସ୍ ବାଧ୍ୟ ହୋଇ ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଦୁଇଟି ମାମଲା ରୁଜ୍ଜୁ କରିଛି।
ଯୌନ ନିର୍ଯ୍ୟତନା ନେଇ ସରକାରଙ୍କ ଆଭିମୁଖ୍ୟରେ ନିରାଶ ହୋଇଥିବା ଏହି ଖେଳାଳୀମାନେ କୌଣସି ସାଧାରଣ ମହିଳା ନୁହନ୍ତି। ଅଲମ୍ପିକ୍ ବିଜେତା ଭିନେଶ୍ ଫୋଗଟଙ୍କଠାରୁ ଆରମ୍ଭ କରି ସାକ୍ଷୀ ମଲ୍ଲିକ୍, ବଜରଙ୍ଗ ପୁନିଆଙ୍କ ପର୍ଯ୍ୟନ୍ତ ଭାରତର ସ୍ୱନାମଧନ୍ୟ କୁସ୍ତିଯୋଦ୍ଧାମାନେ ଏହି ପ୍ରତିବାଦରେ ସାମିଲ ଅଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ବ୍ରିଜଭୂଷଣ କୁଆଡ଼େ ୨୦ ଜଣ ମହିଳା ଖେଳାଳୀଙ୍କୁ ଶାରୀରିକ ଓ ମାନସିକ ଭାବେ ପ୍ରତାଡ଼ିତ କରିବା ସହ ସେମାନଙ୍କୁ ଯୌନ ନିର୍ଯ୍ୟାତନା ବି ଦେଇଛନ୍ତି। ଏପରିକି ଜଣେ ୧୬ ବର୍ଷୀୟା ନାବାଳିକା ଖେଳାଳୀ ବି ତାଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବାର ଅଭିଯୋଗ ଆସିଛି। ଏଭଳି ଏକ ସାଂଘାତିକ ଅଭିଯୋଗ କ୍ଷେତ୍ରରେ ସରକାର ଓ ତାଙ୍କ ପୋଲିସ ବାହିନୀ ତୁରନ୍ତ ମାମଲା ପଞ୍ଜୀକରଣ କରି ଅଭିଯୁକ୍ତକୁ ତୁରନ୍ତ କରିବା ଦରକାର ଥିଲା। କିନ୍ତୁ ସରକାର ସେପରି ନକରି କେବଳ ଜଣେ ଅପରାଧୀଙ୍କୁ ସହାୟତା କରି ନାହାନ୍ତି ବରଂ ଦେଶ ପାଇଁ ଖେଳରେ ଅର୍ନ୍ତଜାତୀୟ ସ୍ତରରେ ଗୌରବ ଆଣିଥିବା ଏହି ମହିଳା ଖେଳାଳୀମାନଙ୍କ ପ୍ରତି ନିଜର ସମ୍ବେଦନହୀନତାକୁ ପ୍ରଦର୍ଶନ କରିଛନ୍ତି। ବେଟି ବଚାଓ, ବେଟି ପଢ଼ାଓର ନାରା ଦେଉଥିବା ସରକାରଙ୍କ ପୋଲିସ ଦେଶର ପ୍ରମୁଖ ଖେଳାଳିମାନଙ୍କ ଏତଲାକୁ ଏତେମାସ ପରେ ଦାୟର କରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରିବା ଲଜ୍ଜାଜନକ ମନେହୁଏ।
ଧାରଣାରେ ବସି ମହିଳା ଖେଳାଳୀମାନଙ୍କୁ କୁସ୍ତି ଫେଡ଼େରେସନର ଅଧ୍ୟକ୍ଷଙ୍କ ଦ୍ୱାରା ଯୌନ ନିର୍ଯ୍ୟତନାର ଯେଉଁ ଅଭିଯୋଗ ଆଣିଲେ, ତାହା କେବଳ ସାଙ୍ଘାତିକ ନଥିଲା ବରଂ ସେମାନଙ୍କ ମନରେ ସୃଷ୍ଟି ହୋଇଥିବା ଗଭୀର କ୍ଷତ ଓ ଯନ୍ତ୍ରଣାକୁ ଉଜାଗର କରୁଥିଲା। ଯନ୍ତରମନ୍ତରରେ ମହିଳା ଖେଳାଳୀ ବିନେଶ୍ ଫୋଗଟଙ୍କ ଆଖିରୁ ଯେଉଁ ଲୁହ ବହୁଥିଲା, ତାହା ଜଣେ ମହିଳାଙ୍କ ଅସହାୟତା ଓ ଭାବନାତ୍ମକ ଲୁହ ନଥିଲା, ବରଂ ଏକ ପିତୃସତ୍ତାତ୍ମକ ସମାଜରେ ଜଣେ ଝିଅ ଘରୁ ବାହାରି ଖେଳର ମଇଦାନରେ ପହଂଚି ସଫଳତାର ଶୀର୍ଷକୁ ଯିବା କ୍ରମରେ ସାମନା କରୁଥିବା ଭେଦଭାବ ଓ ହିଂସାର ନଗ୍ନ ଅଭିବ୍ୟକ୍ତି ଥିଲା। ଖେଳାଳୀମାନଙ୍କ ଏହି ଅଭୂତପୂର୍ବ ପ୍ରତିବାଦଟି କେବଳ ଦେଶର ଖେଳପ୍ରେମୀ ହିଁ ନୁହଁନ୍ତି ବରଂ ସମଗ୍ର ଦେଶବାସୀଙ୍କୁ ଏକଦମ୍ ମର୍ମାହତ କରିଛି। କାରଣ ଏହି ଖେଳାଳୀମାନେ ହିଁ ନିଜର ପରିଶ୍ରମ, ନିଷ୍ଠା ଓ ସାଧନା ବଳରେ ଏସିଆନଠାରୁ ଆରମ୍ଭ କରି ଅଲିମ୍ପିକ୍ ପର୍ଯ୍ୟନ୍ତ ସମସ୍ତ ଅର୍ନ୍ତଜାଜୀୟ ଖେଳରେ ଭାରତର ସମ୍ମାନକୁ ଉଚ୍ଚରେ ରଖି ଆସିଛନ୍ତି।
ଦେଶରେ ଖେଳ କ୍ଷେତ୍ରରେ ଖେଳାଳୀମାନଙ୍କ ପ୍ରତି ପାତର ଅନ୍ତର ଓ ମାନସିକ ତଥା ଶାରୀରିକ ଶୋଷଣର ଅଭିଯୋଗ ଆଦୌ ନୂଆଁ ନୁହେଁ। କାରଣ ଆମ ଦେଶରେ ଗତ ୭୫ ବର୍ଷ ମଧ୍ୟରେ ଖେଳ ରାଜନୀତିର ଆଖଡ଼ାରେ ପରିଣତ ହୋଇଯାଇଛି। ରାଜନୈତିକ ଦଳର ନେତାମାନେ କ୍ରିକେଟଠାରୁ ଆରମ୍ଭ କରି କୁସ୍ତି ପର୍ଯ୍ୟନ୍ତ ସବୁ ଖେଳର ସଙ୍ଗଠନରେ ଶୀର୍ଷ ପଦପଦବୀରେ ରହି ଆସିଛନ୍ତି। କିନ୍ତୁ ସାଂସଦ ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଯେଉଁ ଯୌନ ଶୋଷଣର ଅଭିଯୋଗ ଆସିଲା, ତାହା ନିଶ୍ଚିତ ରୂପେ ଅଭୂତପୂର୍ବ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଦିକ୍ରମେ ଅନେକ ମହିଳା ଖେଳାଳୀ ଏହି ଅଭିଯୋଗ ଆଣିଛନ୍ତି। ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧାମାନେ ପ୍ରମାଣ ସହ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ସବୁଠାରୁ ଉଦବେଗର ବିଷୟ ହେଲା, ଏତେ ସଂଖ୍ୟାରେ ଖେଳାଳୀ ଖୋଲାଖୋଲି ଭାବେ ଅଭିଯୋଗ କରୁଥିଲେ ମଧ୍ୟ ସରକାର ଓ କ୍ଷମତାସୀନ ନେତାମାନେ ଏହି ସାଂଘାତିକ ଅଭିଯୋଗର ତଦନ୍ତ କରିବାକୁ ଏପରିକି ସେମାନଙ୍କ ସହ କଥାଭାଷା କରିବାକୁ ଆଗେଇ ନଆସି ନିଜର ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। କେବଳ ଖେଳାଳୀମାନଙ୍କ ପ୍ରତିବାଦ ଦୁଇ ଦିନ ପୂରିବା ପରେ ସେମାନଙ୍କ ପାଇଁ ସାରା ଦେଶରୁ ଯେଉଁ ସମର୍ଥନ ଆସିଲା, ତା’ପରେ ଯାଇ ହିଁ ସରକାର ଏହି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଲେ।
ଭାରତର ଏହି କୁସ୍ତିଯୋଦ୍ଧାମାନଙ୍କ ପାଇଁ ଆଜି ଅର୍ନ୍ତଜାତୀୟ ସ୍ତରରେ ଆମ ଦେଶକୁ ଅନେକ ସମ୍ମାନ ମିଳିଛି। ଅଲିମ୍ପିକ୍ ଓ ଏସିଆନ୍ ପରି ଅର୍ନ୍ତଜାତୀୟ ଖେଳ ମହାକୁମ୍ଭମାନଙ୍କରେ ବର୍ଷ ବର୍ଷ ଧରି ଭାରତ ପାଇଁ ପଦବୀର ଯେଉଁ ମରୁଡ଼ି ଦେଖାଦେଇଛି, ତାକୁ ଏହି ଖେଳାଳୀମାନେ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କେନ୍ଦ୍ର ଓ କିଛି ରାଜ୍ୟ ସରକାରମାନେ ବି ନିଜର ଅନେକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହି ଖେଳାଳୀମାନଙ୍କ ସହଯୋଗ ନେଇ ଆସିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଦେଶର ଛୋଟ ଛୋଟ ଗାଁ ଓ ସହରରୁ ଆସିଥିବା ଏହି ଖେଳାଳୀମାନେ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଯେତେବେଳେ ସଫଳତାର ଶିଖର ଛୁଇଁବାରେ ସଫଳ ହୋଇଛନ୍ତି, ତାହା ଦେଶର ଲକ୍ଷ ଲକ୍ଷ ତରୁଣ, ତରୁଣୀଙ୍କୁ ଖେଳକୁ ଏକ କ୍ୟାରିଅର ଭାବେ ବାଛିବାକୁ ପ୍ରୋତ୍ସାହିତ କରିଛି। ଏଭଳି ପରିସ୍ଥିତିରେ ଦେଶକୁ ନିଜର ସାହସିକତା ଓ କଠିନ ଅଧ୍ୟବସାୟ ବଳରେ ଗୌରବ ଆଣିଥିବା ଏହି ଝିଅମାନଙ୍କ ପ୍ରତି ଏଭଳି ଲଜ୍ଜାଜନକ ଆଚରଣ ଏବଂ ସେନେଇ ସରକାରଙ୍କ ଅପରାଧିକ ନୀରବତା ଅନେକ ଗୁଡ଼ିଏ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ଖେଳାଳୀମାନଙ୍କ ଦାବୀ କୌଣସିମତେ ଅଯଥାର୍ଥ ନୁହେଁ। ସେମାନେ ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କୁ କୁସ୍ତିସଂଘର ଅଧ୍ୟକ୍ଷ ପଦରୁ ହଟାଇବାକୁ ତଥା ତାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି। ଅବଶ୍ୟ ସେମାନେ ପ୍ରଥମ କରି ଏପରି ଅଭିଯୋଗ କରି ନାହାନ୍ତି। ବର୍ଷକ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବି ସେମାନେ ଏହି ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟନୁଷ୍ଠାନ ନହେବାରୁ ସେମାନେ ବାଧ୍ୟ ହୋଇ ଗଣତାନ୍ତ୍ରିକ ପ୍ରତିବାଦର ରାସ୍ତାକୁ ଆପଣେଇଥିଲେ। ତେବେ ଅର୍ନ୍ତଜାତୀୟ ସ୍ତରରେ ଦେଶ ପାଇଁ ଅନେକ ସମ୍ମାନ ଆଣିଥିବା ଶହ ଶହ ପ୍ରତିଷ୍ଠିତ ଖେଳାଳୀଙ୍କ ଇଜ୍ଜତ, ଆତ୍ମସମ୍ମାନ ଓ ମନୋବଳ ଆଗରେ ଦଳୀୟ ରାଜନୈତିକ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ବ୍ରିଜଭୂଷଣଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେ ଉତ୍ତର ପ୍ରଦେଶରେ ନିର୍ବାଚନୀ କ୍ଷତିର ସମ୍ଭାବନା ଥିବାରୁ ‘ବେଟୀ ବଚାଓ, ବେଟୀ ପଢ଼ାଓ’ର ନାରା ଦେଉଥିବା ସରକାର ଚୁପ୍ ରହିବାକୁ ଶ୍ରେୟ ମନେ କରିଛନ୍ତି।
କୁସ୍ତି ପରି ଖେଳରେ ଅଂଶଗ୍ରହଣ କରୁଥିବା ଝିଅମାନେ ସାଧାରଣତଃ ଦେଶର ଗ୍ରାମାଂଚଳର ଗରିବ ପରିବାରରୁ ଆସିଥାନ୍ତି। ସେମାନେ ଗୋଟିଏ ପଟେ ଗରିବୀ ଓ ଅନ୍ୟପଟେ ପିତୃସତ୍ତାତ୍ମକ ମୂଲ୍ୟବୋଧକୁ ମୁକାବିଲା କରି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଖେଳର ମଇଦାନକୁ ଆସିବାରେ ସମର୍ଥ ହୋଇଥାନ୍ତି। କୁସ୍ତିକୁ ନେଇ ପ୍ରସ୍ତୁତ ଅମୀର ଖାନଙ୍କ ‘ଦଙ୍ଗଲ’ ଚଳଚ୍ଚିତ୍ର ଓ ଅନ୍ୟ ଚଳଚ୍ଚିତ୍ରମାନଙ୍କରେ ଆମେ ଏହି ଝିଅମାନଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ଦେଖିବାକୁ ପାଇଛେ। ଏତେ ସବୁ ସଂଘର୍ଷ ସତ୍ତ୍ୱେ ଯେତେବେଳେ ଆମ ଦେଶର ଏହି ସାହାସୀ ଝିଅମାନେ ପୁଅ ଖେଳାଳୀଙ୍କ ତୁଳନାରେ ଅର୍ନ୍ତଜାତୀୟ ପ୍ରତିଯୋଗୀତାମାନଙ୍କରେ ଭଲ ମେଡ଼ାଲ ପାଉଛନ୍ତି, ସେମାନଙ୍କ ପ୍ରତି ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ବରଂ ଝିଅ ଖେଳାଳୀମାନଙ୍କୁ ଏଭଳି ଯୌନ ଶୋଷଣର ଘଟଣା ଖେଳ ପାଇଁ ଆଗ୍ରହ ରଖୁଥିବା ଦେଶର ଅନ୍ୟ ଝିଅମାନଙ୍କୁ ଏକଦମ୍ ନିରୁତ୍ସାହିତ ଓ ହତାଶ କରିବ। ଖେଳକୁ ଏକ କ୍ୟାରିଅର ଭାବେ ଆପଣେଇବାକୁ ନିଜ ଝିଅକୁ ବାରଣ କରୁଥିବା ଅଭିଭାବକମାନଙ୍କୁ ସୁଯୋଗ ଦେବ।
୧୪୦ କୋଟି ଲୋକଙ୍କ ଦେଶ ହେଲେ ବି ଆମେ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ କ୍ରମାଗତ ଭାବେ ବିଫଳ ହୋଇ ଆସିଛେ। ଏପରିକି ଯୁବ ସଂଖ୍ୟାରେ ଆମେ ଚୀନଠାରୁ ଆଗରେ ଥିଲେ ବି ଆମର କ୍ରୀଡ଼ା ପ୍ରଦର୍ଶନ ତା’ ତୁଳନାରେ ଅତ୍ୟନ୍ତ ନୈରାଶ୍ୟଜନକ। ଏହା ପଛରେ ଖେଳରେ ରହିଥିବା ରାଜନୈତିକ ହସ୍ତକ୍ଷେପ ସବୁଠାରୁ ବଡ଼ କାରଣ ହୋଇ ଆସିଛି। ରାଜ୍ୟ ଓ ଜାତୀୟ ସ୍ତରରେ ସବୁ ଖେଳର ସଙ୍ଗଠନରେ ଖେଳ ନେଇ କୌଣସି ଅଭିଜ୍ଞତା ଓ ଦୂରଦୃଷ୍ଟି ନଥିବା ରାଜନେତାମାନେ ହିଁ ବର୍ଷ ବର୍ଷ ଧରି କବ୍ଜା କରି ବସିଛନ୍ତି। ସେମାନଙ୍କ ପାଇଁ ଏହା ଅର୍ଥ ଓ କ୍ଷମତାର ଏକ ମାଧ୍ୟମ ମାତ୍ର। ଯଦି ସରକାର ଦେଶକୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ନେବାକୁ ସତରେ ଚାହାନ୍ତି, ତାହେଲେ ସରକାର ଅଧିକରୁ ଅଧିକ ପ୍ରତିଭାଶାଳୀ ଯୁବକ ଓ ଯୁବତୀ ଖେଳକୁ ଆସିବାକୁ ଏବଂ ତାକୁ ଏକ କ୍ୟାରିଅର୍ ଭାବେ ଆପଣେଇବାକୁ ଆଗ୍ରହୀ ହେବେ, ସେପ୍ରକାର ଏକ ପରିବେଶ ତିଆରି କରିବାକୁ ହେବ। ବିଶେଷ କରି ଯେଉଁ ଝିଅମାନେ ନିଜର ପରିବାରର ପୁରୁଷବାଦୀ ପ୍ରତିବନ୍ଧକକୁ ଅତିକ୍ରମ କରି ଖେଳିବାକୁ ଆସୁଛନ୍ତି, ସେମାନଙ୍କୁ ଏକ ସୁରକ୍ଷିତ ପରିବେଶକୁ ନିଶ୍ଚିତ କରିବାକୁ ପଡ଼ିବ। ଖେଳ ପ୍ରତିଷ୍ଠାନମାନଙ୍କରେ ଜାତି, ଧର୍ମ, ଲିଙ୍ଗ ଓ କ୍ଷେତ୍ର ପରି ସମସ୍ତ ପ୍ରକାରର ଭେଦଭାବ ଓ ହିଂସାରୁ ମୁକ୍ତ ହୋଇ ଖେଳାଳୀମାନେ ସମ୍ପୂର୍ଣ୍ଣ ପେସାଗତ ମନୋଭାବ ନେଇ ଖେଳି ପାରିବେ, ସେପରି ଏକ ଗଣତାନ୍ତ୍ରିକ ପରିବେଶକୁ ନିଶ୍ଚିତ କରିବାକୁ ହେବ। ଏକ ପାରଦର୍ଶୀ, ପ୍ରତିସ୍ପର୍ଦ୍ଧାମୂଳକ ତଥା ବିଶ୍ୱ ସ୍ତରୀୟ ଖେଳ ଢାଂଚା ତିଆରି କରିବାକୁ ଅଧିକ ବ୍ୟୟବରାଦ କରିବାକୁ ହେବ। ତାହେଲେ ଯାଇ ଜଣେ ଖେଳାଳୀ ନିଜର ଦକ୍ଷତାର ସର୍ବୋଚ୍ଚ ପ୍ରଦର୍ଶନ କରି ଦେଶର ଗୌରବ ଓ ସମ୍ମାନକୁ ବଢ଼ାଇ ପାରିବ।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ ନଂ - ୯୪୩୭୧୬୬୩୯୧