ବିଶ୍ୱବନ୍ଦିତା ସ୍ୱାଇଁ
‘Change is the law of nature’ ଅର୍ଥାତ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ଭଲ ହେଉ କିମ୍ବା ଖରାପ, ଘଟଣା ଦୁର୍ଘଟଣା ମିଶା ଜୀବନରେ ପରିବର୍ତ୍ତନ ରୂପକ ନିୟମକୁ ମାନିନେଲେ ଜୀବନ ସହଜ ହୋଇଯାଏ। ହେଲେ ସବୁ ପରିବର୍ତ୍ତନର ଅନ୍ତ ଆରାମଦାୟ ବା ଗ୍ରହଣୀୟ ହୋଇନଥାଏ। ଏଇ ଯେମିତି କରୋନା ପାଇଁ ଅନ୍ଲାଇନ୍ ଶିକ୍ଷାର ନିୟମ। ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରହିଛି। ପାଠ ପଢ଼ାଠୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସବୁ କିଛି ଅନ୍ଲାଇନ୍ ବା ଇଣ୍ଟରନେଟ୍ ସାହାଯ୍ୟରେ ହେଉଛି। ସ୍ମାର୍ଟଫୋନ୍ ଧରି ପିଲା ମାନେ ପାଠ ପଢୁଛନ୍ତି। ଆଗକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏଇ ଢଙ୍ଗରେ ପାଠ ପଢ଼ା ହେବ ବୋଲି ଅନୁମାନ କରାଯାଉଛି। ଆଉ ବିକଳ୍ପ ବା କ’ଣ ଅଛି? ସଂକ୍ରମଣ ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି ବିକଳ୍ପକୁ ଆମେ ଗ୍ରହଣ କରିବାକୁ ବାଧ୍ୟ।
ହେଲେ ଏହି ବିକଳ୍ପ ଉପାୟ କେତେଦୂର କାର୍ଯ୍ୟକାରୀ ହେଇପାରିବ? ଅନ୍ଲାଇନ୍ ଶିକ୍ଷା ପାଇଁ ପିଲାମାନଙ୍କର ଆତ୍ମହତ୍ୟା କରିବାର ଖବର ଏହି ବିକଳ୍ପର ଦୁର୍ବଳତାକୁ ଦର୍ଶାଇଲାଣି। ନିକଟରେ ଅଭିଭାବକ ଅନ୍ଲାଇନ୍ କ୍ଲାସ୍ ପାଇଁ ପିଲାଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ନପାରିବାରୁ କେରଳ ଏବଂ ପଞ୍ଜାବର ଦୁଇ ଜଣ ୧୪ ଏବଂ ୧୭ ବର୍ଷୀୟ ଝିଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଅନ୍ୟପଟେ କଣ୍ଟର୍ ଆଇଏମ୍ଆର୍ବି ରିପୋର୍ଟ ଅନୁଯାୟୀ, ୨୦୧୮ରେ ଇଣ୍ଟରନେଟ୍ ବ୍ୟବହାରକାରୀ ସଂଖ୍ୟ ୫୬୬ ମିଲିଅନ୍ ଥିଲା। ଏବେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୬୨୭ ମିଲିଅନ୍ ହୋଇଛି। ଯେଉଁଥିରୁ ୨୯୩ ମିଲିଅନ୍ ଲୋକ ସହରରେ ଦୈନିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ୨୦୦ମିଲିଅନ୍ ଲୋକ ଗାଁରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଟେଲିକମ୍ ରୋଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅନୁଯାୟୀ ଗ୍ରାମାଞ୍ଚଳରେ ଇଣ୍ଟରନେଟର ଘନତା ମାତ୍ର ୨୫.୩% ଥିବା ବେଳେ ସହରାଞ୍ଚଳର ଇଣ୍ଟରନେଟ୍ ଘନତା ୯୭.୯% ରହିଥାଏ।
ଯେଉଁଥିପାଇଁ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର କୋଟାଧର ଅଞ୍ଚଳଠାରୁ ଆରମ୍ଭ କରି ଓଡ଼ିଶାର କୋରାପୁଟ ଯାଏ ଅନ୍ଲାଇନ୍ କ୍ଲାସ୍ କରିବା ପାଇଁ ଶିକ୍ଷାର୍ଥୀ ୧୦ରୁ ୧୨କିମି ପାହାଡ଼ ଉପରକୁ ଚଢୁଛନ୍ତି। ଯେଉଁଥିପାଇଁ ଏହି ଅଞ୍ଚଳର ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିଜିଟାଲ୍ ଇଣ୍ଡିଆ ଯୁଗରେ ଦୁର୍ବଳ ନେଟୱାର୍କକୁ ନେଇ ଅଭିଯୋଗ ମଧ୍ୟ କରିଛନ୍ତି।
କୋଟାଧର ଅଞ୍ଚଳର ଶୀଲା ଏବଂ ଗାଁର ଆଉ ଜଣେ ୧୦ବର୍ଷୀୟ ବାଳିକା ଅନିଶାଙ୍କ କହିବା ଅନୁଯାୟୀ, ସେମାନେ ଦୁର୍ବଳ ନେଟୱାର୍କ ପାଇଁ କେବେକେବେ ଜଙ୍ଗଲ ମଧ୍ୟକୁ ମଧ୍ୟ ଚାଲିଯାଉଛନ୍ତି। ସେଠାରେ ନେଟୱାର୍କ ସୁବିଧା ପାଇଲେ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି। କିନ୍ତୁ ବର୍ଷା ହେଲେ ନାନା ସମସ୍ୟା ହେଉଛି। ଏତଦ୍ବ୍ୟତୀତ ଜଙ୍ଗଲ ମଧ୍ୟରେ ବନ୍ୟ ଜନ୍ତୁଙ୍କର ଭୟ ମଧ୍ୟ ଲାଗି ରହିଥାଏ।
ସେପଟେ ଉତ୍ତରାଖଣ୍ଡର ପିଠୋରଗଡ଼ ଜିଲ୍ଲାରେ ଚିଫ୍ ଏଜୁକେସନ ଅଫିସର ଏକେ ଜୁକରିୟାଙ୍କ କହିବା ଅନୁଯାୟୀ, ସେମାନେ ୨୧୪ ସେକେଣ୍ଡାରୀ ଏବଂ ହାୟର ସେକେଣ୍ଡାରୀ ସ୍କୁଲ୍ରେ ଅନଲାଇନ୍ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। କିନ୍ତୁ ଅଧାରୁ ଅଧିକ ପିଲା ଭିଡିଓ କଲ୍ର୍ ଉତ୍ତର ଦେଇପାରୁନାହାନ୍ତି। ପ୍ରାୟ ପିଲା ଦୁର୍ବଳ ନେଟୱାର୍କ ସମସ୍ୟାକୁ ସାମ୍ନା କରୁଛନ୍ତି।
ପିଠୋରଗଡ଼ ରାଜକୀୟ ଶିକ୍ଷକ ସଙ୍ଘର ସଭାପତି ଗୋବିନ୍ଦ ସିଂହ ଭଣ୍ଡାରିଙ୍କ କହିବା ଅନୁଯାୟୀ, ପିଠୋରଗଡ଼ ଏବଂ ତା’ ଆଖପାଖ ଅଞ୍ଚଳର ଯେଉଁ ଅଭିଭାବକ ମାନେ ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲକୁ ପଠାଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ପିଲାଙ୍କ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ସକ୍ଷମ ନୁହନ୍ତି।
ନିକଟରେ ଆପଣମାନେ ଏକ ଖବର ପାଇଥିବେ। ହିମାଞ୍ଚଳ ପ୍ରଦେଶର କୂଳଦୀପ କୁମାର ନାମକ ଜଣେ ବ୍ୟକ୍ତି ପିଲାଙ୍କ ଅନ୍ଲାଇନ୍ କ୍ଲାସ୍ ପାଇଁ ଆବଶ୍ୟକ ହେଉଥିବା ସ୍ମାର୍ଟଫୋନ କିଣିବାକୁ ଗୋଟେ ଗାଈ ବିକ୍ରି କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଲକ୍ଡାଉନ୍ ସମୟରେ ଏହି ଗାଈ ହିଁ ତାଙ୍କ ରୋଜଗାରର ଗୋଟେ ବଡ଼ ମାଧ୍ୟମ ଥିଲା।
ଏସବୁକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ୯ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି କେବଳ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ ସ୍ମାର୍ଟଫୋନ୍ କ’ଣ ପାଇଁ? ଅନ୍ୟ ପିଲାଙ୍କୁ କାହିଁକି ନୁହେଁ? ଯଦି ପାଠ ପଢିବା ପାଇଁ ସରକାର ବହି, ଖାତା, ଏବଂ ମଧ୍ୟାହ୍ନ ଭୋଜନ ପରି ବ୍ୟବସ୍ଥା କରୁଛନ୍ତି ତେବେ ଏ ସମୟରେ ଜରୁରୀ ହୋଇପଡ଼ିଥିବା ସ୍ମାର୍ଟଫୋନ୍ର କିଛି ସୁବିଧା କାହିଁକି କରାଯାଉନି।
ଅନ୍ୟପଟେ ସ୍ମାର୍ଟଫୋନ୍ ସୁବିଧା କରିବା ପରେ ସରକାର ଆଉ କିଛି ଦିଗକୁ ମଧ୍ୟ ସ୍ମାର୍ଟ କରିବାର ନିହାତି ଆବଶ୍ୟକ ଅଛି। ଯେମିତିକି ସ୍ମାର୍ଟ ଅଭିଭାବକ। ଏମିତି ଅନେକ ଅଭିଭାବକ ଅଛନ୍ତି ଯେଉଁମାନେ ଟେକ୍ନୋଲୋଜିର ବ୍ୟବହାରକୁ ଠିକ୍ ଭାବେ ଜାଣନ୍ତିନି। ସ୍ମାର୍ଟଫୋନର ବ୍ୟବହାରରେ ଏମାନେ ଟିକେ ଦୁର୍ବଳ। ଛୋଟ ପିଲାଙ୍କୁ ପଢ଼ାଇବା ପୂର୍ବରୁ ଅଭିଭାବକ ସ୍ମାର୍ଟଫୋନ୍ର ବ୍ୟବହାର ଜାଣିବା ଦରକାର। ଏଥିପାଇଁ ଡିଜିଟାଲ ସଚେତନତା ବ୍ୟାପକ କରିବା ଦରକାର। ଏଥିସହ ଗାଁ ଗହଳି ପିଲାଙ୍କ ପାଇଁ ମୁଖ୍ୟ ସମସ୍ୟ ପାଲଟି ଥିବା ଦୁର୍ବଳ ନେଟୱାର୍କ ଉପରେ ମଧ୍ୟ ସରକାର ଧ୍ୟାନ ଦେବେ ଉଚିତ୍। ନଚେତ ଅନ୍ଲାଇନ୍ ଶିକ୍ଷା ପ୍ରକିୟା କେଉଁଠି ନା କେଉଁଠି ଅଧା ଆଉ ଅସଫଳ ରହିଯିବ।
ଇମେଲ୍-swainbiswobandita@gmail.com
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।