ତଥାକଥିତ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ୨୦୦୬ ମସିହାରେ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷର କରି ଯେଉଁଭଳି ଭାବରେ ପ୍ରଥମେ ୧୩,୦୦୦ ଏକର ଓ ପରେ ୬,୦୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଚଳେଇଥିଲେ ସେଗୁଡ଼ିକ ସଂପୂର୍ଣ୍ଣ ବେଆଇନ୍, ଉଦ୍ଦେଶ୍ୟ ପ୍ରଣୋଦିତ, ଅନୁଗ୍ରହ ଭିତ୍ତିକ ଏବଂ ସେଥିରେ ସରକାର ବାସ୍ତବତା, ଆଇନ୍, ନିୟମ ଓ ସମ୍ବିଧାନ ପ୍ରତି ଧ୍ୟାନ ନଦେଇ କାର୍ଯ୍ୟ କରିଥିବାରୁ ଓଡ଼ିଶା ହାଇକୋର୍ଟ ୨୦୧୦ ମସିହାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅବୈଧ ଘୋଷଣା କରିଥିଲେ। ହାଇକୋର୍ଟର ଏହି ଆଦେଶ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଯାହାଙ୍କ ସହିତ ବିଶ୍ୱବିଦ୍ୟାଳୟ ପାଇଁ ଏମ୍ଓୟୁ ହୋଇଥିଲା, ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପରେ ଗତକାଲି ଅର୍ଥାତ୍ ୨୦୨୩ ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟର ଖଣ୍ଡପୀଠ ହାଇକୋର୍ଟ ରାୟକୁ କାଏମ ରଖିବା ସହିତ ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି।
ହାଇକୋର୍ଟ ରାୟରେ ଯାହା କୁହାଯାଇଥିଲା ତାହାକୁ ସୁପ୍ରିମକୋର୍ଟ ଅଧିକ ବିସ୍ତୃତ ଭାବରେ ବର୍ଣ୍ଣନା କରି ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସଂପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ କରିବା, ସଂରକ୍ଷଣ ନିୟମର ଫାଇଦା ଯୋଗାଇଦେବା, ୟୁଜିସି ଏବଂ ଏଆଇସିଟିରୁ ସମସ୍ତ ନିୟାମକ ଅନୁମୋଦନର ସହାୟତା ପ୍ରଦାନ କରିବା, ଭୁବନେଶ୍ୱରରୁ ପ୍ରସ୍ତାବିତ ପ୍ରକଳ୍ପ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା, ସମସ୍ତ କର ଛାଡ଼ ପାଇଁ ପ୍ରତିଶ୍ରୁତି, ପ୍ରକଳ୍ପ ପାଇଁ ବିଦ୍ୟୁତ ଓ ଜଳଯୋଗାଣ ଉପଲବ୍ଧ କରାଇବା ଭଳି ସରକାର ଯେଉଁ ଅହେତୁକ ଫାଇଦା ଦେବାକୁ ନିଷ୍ପତ୍ତି ନେଇଥିଲେ, ସେଥିରେ ଅଦାଲତ ବିସ୍ମୟ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଜମି ଅଧିଗ୍ରହଣର ପ୍ରକ୍ରିୟା ଓ ସୁବିଧା ସଂପର୍କିତ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପକ୍ଷପାତ ପ୍ରେରିତ। ଏହା ସମ୍ବିଧାନର ୧୪ ଧାରାର ସ୍ପଷ୍ଟ ଉଲ୍ଲଂଘନ କରିଛି। ସେହିଭଳି ଜମି ଅଧିଗ୍ରହଣ କରାଯାଉଥିବା ଚାଷ ଜମିଗୁଡ଼ିକ ନିକଟରେ ଦୁଇଟି ନଦୀ ନୂଆନଈ ଓ ନାଳର ପ୍ରବାହକୁ ନେଇ ରାଜ୍ୟ ସରକାର ପରିବେଶ ଦିଗ ଉପରେ ବିବେକ ଖଟାଇ କାମ ନକରି ଦୁଇଟି ନଦୀର ରକ୍ଷଣାବେକ୍ଷଣ କିପରି ଭାବରେ କମ୍ପାନୀକୁ ଦେବା ପାଇଁ ବ୍ୟବସ୍ଥା କରାଯାଉଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନଦୀ ପରି ସର୍ବସାଧାରଣଙ୍କ ସଂପତ୍ତିକୁ ନିୟନ୍ତ୍ରଣ ପାଇଁ ଘରୋଇ କମ୍ପାନୀକୁ ଚାଲିଯିବା ଲୋକମାନଙ୍କ ବିଶ୍ୱାସ ପ୍ରତି କୁଠାରଘାତ।
ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଓଡ଼ିଶଶ ସରକାର କେବଳ ଗୋଟିଏ କମ୍ପାନୀ ବା ଟ୍ରଷ୍ଟ ସ୍ୱାର୍ଥରେ ବିଚାର କରି ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ସୁପ୍ରିମକୋର୍ଟ ରାୟରେ ଯେଉଁସବୁ ବିଷୟ ଉଲ୍ଲେଖ କରାଯାଇଛି, ସେଥିରୁ ଅଧିକାଂଶ ହାଇକୋର୍ଟ ରାୟରେ କୁହାଯାଇଥିଲା। ୨୦୦୬ ମସିହାରେ ଏହି କଥାକଥିତ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକ୍ଷଣି ସ୍ଥାନୀୟ ଚାଷୀ ଓ ଜନସାଧାରଣ ତା’ ବିରୋଧରେ ତୀବ୍ର ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ଯେଉଁସବୁ ବିଷୟ ଉଠାଇଥିଲେ ଓ ସରକାରଙ୍କ ମନୋମୁଖି ଓ ବେଆଇନ କାର୍ଯ୍ୟ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅନୁଗ୍ରହ ପ୍ରଦର୍ଶନ କରିବା ଓ ତା’ ଜରିଆରେ ସରକାରୀ କର୍ତ୍ତୃପକ୍ଷ ଫାଇଦା ହାସଲ କରିବା ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଥିଲେ।
ଏହାଛଡ଼ା ପୁରୀ-କୋଣାର୍କ ବେଳାଭୂମି ଅଞ୍ଚଳରେ ରହିଥିବା ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ସଂପୃକ୍ତ କମ୍ପାନୀର ଦୃଷ୍ଟି ଥିବା ଅଭିଯୋଗ କରାଯାଇଥିଲା। ଭାରତର ଓ ବିଶେଷଭାବେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟରେ ଏତେ ପରିମାଣର ଜମି କେବେ କୌଣସି ବିଶ୍ୱବିଦ୍ୟାଳୟ ପାଇଁ ଦିଆଯାଇନଥିବା ସମୟରେ ଏକ ଘରୋଇ ସଂସ୍ଥାକୁ କାହିଁକି ଏ ଅନୁଗ୍ରହ ଦେଖାଯାଉଛି, ତାହା ପ୍ରଶ୍ନ କରାଯାଇଥିଲା। ସରକାରଙ୍କ ଘରୋଇ କମ୍ପାନୀକୁ ଅହେତୁକ ଅନୁଗ୍ରହ ଓ ବେଆଇନ୍ କାର୍ଯ୍ୟ ବିରୋଧରେ ସେତେବେଳେ ଥିବା ଲୋକପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଲୋକପାଳ ଏହାର ଅନୁସନ୍ଧାନ କରି କେତେଦୂର ବେଆଇନ୍ କାର୍ଯ୍ୟ ଓ ଅହେତୁକ ଅନୁଗ୍ରହ ପ୍ରଦର୍ଶନ କରାଯାଇଛି ଓ ସେଥିରେ କେଉଁ ସରକାରୀ ଅଧିକାରୀମାନେ ଜଡ଼ିତ ତାହା ଲେଖି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଅଫିସରମାନଙ୍କ ବିଷୟରେ ଉଲ୍ଲେଖ ଥିଲା, ସେଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିଜୟ ପଟ୍ଟନାୟକ, ଯିଏକି ପରେ ମୁଖ୍ୟ ଶାସନ ସଚିବ ହେଲେ ଓ ଅବସର ଗ୍ରହଣ ପରେ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରେ ମୁଖ୍ୟ ଭାବେ ଯୋଗଦେଲେ ତାଙ୍କ ସଂପର୍କରେ ଉଲ୍ଲେଖ ରହିଥିଲା। କିନ୍ତୁ ରାଜ୍ୟ ସରକାର ଲୋକପାଳ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ।
ଏବେ ବିଜୟ ପଟ୍ଟନାୟକ କଂଗ୍ରେସ ଦଳର ନେତା ଭାବରେ ଯୋଗ ଦେଇଛନ୍ତି। ଯଦିଓ ବିଶ୍ୱବିଦ୍ୟାଳୟ ବିରୋଧରେ ସେହି ଅଞ୍ଚଳର ଯେଉଁ ଚାଷୀ ଓ ଲୋକମାନେ ଆନ୍ଦୋଳନ କରୁଥିଲେ, ତାହାର ମୁଖ୍ୟ ନେତା ଥିଲେ ଉମାବଲ୍ଲଭ ରଥ। ଅବଶ୍ୟ ଚାଷୀମାନଙ୍କ ପକ୍ଷରୁ ବେଣୁଧର ପ୍ରଧାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ଯାହାଙ୍କର ଇତିମଧ୍ୟରେ ନିଧନ ହୋଇଛି। ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ଅନେକ ମାମଲା ଓ ଅତ୍ୟାଚାର କରିଛି। ହାଇକୋର୍ଟରେ ଏହି ମାମଲାକୁ ଲଢ଼ିଥିବା ଖ୍ୟାତାନାମା ଆଇନଜୀବୀ ଜୟନ୍ତ ଦାସ ଯିଏକି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂପର୍କୀୟ ସେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାଜ୍ୟର ଅଧିକାଂଶ ବିରୋଧୀ ଦଳ ଓ ଗଣସଂଗଠନଗୁଡ଼ିକ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏହି ଲେଖକ ମଧ୍ୟ ଆନ୍ଦୋଳନ ସହିତ ପ୍ରଥମରୁ ଜଡ଼ିତ ହୋଇ ରହିଥିଲେ। ଦୁଃଖର କଥା, ଆନ୍ଦୋଳନର ନେତୃତ୍ୱ ନେଇଥିବା ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଦଳ ପୁରୀ ବିଧାନସଭା ଆସନରୁ ୨୦୦୯ ମସିହାରେ ଟିକେଟ୍ ମଧ୍ୟ ଦେଲାନାହିଁ। ହେଲେ ସେ ଆନ୍ଦୋଦାଳନରୁ ଓହରିନଥିଲେ।
୨୦୦୬ ମସିହାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହୋଇ ଜମି ଅଧିଗ୍ରହଣ କରାଯିବା ସମୟରେ ରାଜ୍ୟରେ ବିଜେପି-ବିଜେଡି ମିଳିତ ସରକାର ଥିଲା ଓ ବିଜେପି ନେତା ମନମୋହନ ସାମଲ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଓ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ। ସୁପ୍ରିମକୋର୍ଟଙ୍କ ରାୟରେ ରାଜ୍ୟ ସରକାରଙ୍କୁ ଯେପରି କଟୁ ସମାଲୋଚନା କରାଯାଇଛି ଏବଂ ସରକାର ବିବେକହୀନ ଓ ଉଦ୍ଦେଦଶ୍ୟ ପ୍ରଣୋଦିତ ଭାବେ କାର୍ଯ୍ୟ କରିଛନ୍ତି, ଯେଉଁଥିରେ କି ଜମି ଅଧିଗ୍ରହଣ ଆଇନ୍ ଓ ପରିବେଶ ଆଇନକୁ ଜଳାଞ୍ଜଳି ଦିଆଯାଇଛି ତାହା ଉପରେ ରାଜ୍ୟ ସରକାର ଆଉ ଉତ୍ତର ନଦେଇ ନିରବ ରହିପାରିବେ ନାହିଁ। ସାଧାରଣତଃ ପୂର୍ବରୁ ଅଦାଲତ ଏହିପରି ରାୟ ପ୍ରକାଶ କଲେ ସଂପୃକ୍ତ ସରକାରଙ୍କ ମୁଖ୍ୟଙ୍କୁ ଇସ୍ତଫା ଦେବା ପାଇଁ ଦାବି କରାଯାଏ। କାରଣ ଏଥିରେ ଯାହାସବୁ କରାଯାଇଛି ସେଗୁଡ଼ିକ କଦାପି ସର୍ବୋଚ୍ଚ ମୁଖ୍ୟଙ୍କ ଇଙ୍ଗିତ ବିନା କରାଯିବା ସମ୍ଭବ ନୁହେଁ। ଯେହେତୁ ମନମୋହନ ସାମଲ ସେତେବେଳେ ରାଜସ୍ୱ ମନ୍ତ୍ରୀ ଥିଲେ ଓ ଏହା ଜମି ଅଧିଗ୍ରହଣର ଏକ ମାମଲା, ସେହେତୁ ଏହି ଅଧିଗ୍ରହଣ ବିଷୟରେ ସେତେବେଳେ ତାଙ୍କର ଦୃଷ୍ଟିଭଙ୍ଗୀ କ’ଣ ଥିଲା ଓ ସେ ଫାଇଲରେ କ’ଣ ଲେଖିଥିଲେ ଓ କେଉଁ ମହଲରୁ ଏହି ଅହେତୁକ ଅନୁଗ୍ରହ ଦେଖାଇବା ପାଇଁ ନିର୍ଦ୍ଦେଶ ଆସୁଥିଲା ତାହା ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। କାରଣ ସେ ଏବେ ରାଜ୍ୟ ବିଜେପିର ସଭାପତି ଓ ବିକଳ୍ପ ନେତା ଭାବେ ତାଙ୍କର ନାମକୁ ବିଚାର କରାଯାଉଛି।
ସେହିପରି ଏହି ମାମଲାରେ ଲୋକପାଳ ଦ୍ୱାରା ତିରସ୍କୃତ ହୋଇଥିବା ବିଜୟ ପଟ୍ଟନାୟକ ଏବେ ରାଜନୀତିକୁ ଆସି କଂଗ୍ରେସ ଦଳରେ ଥିବାରୁ ତାଙ୍କୁ ନିଜର ସେତେବେଳର ଆଚରଣ ପାଇଁ କ୍ଷମା ମାଗିବା ସହିତ କେଉଁ ଚାପ ବା ନିର୍ଦ୍ଦେଶରେ ସେ ସଂପୃକ୍ତ ଘରୋଇ ସଂସ୍ଥାକୁ ଅତ୍ୟଧିକ ଅନୁଗ୍ରହ ପ୍ରକାଶ କରିଥିଲେ, ତାହା ସ୍ପଷ୍ଟ କରିବା ଉଚିତ୍। ରାଜନୀତିରେ ଓ ସାଧାରଣ ଜୀବନରେ ଉତ୍ତରଦାୟିତ୍ୱ ଏକ ଧାରା, ଯାହାକୁ ଯିଏ ଗ୍ରହଣ ନକରିବ ସେ ରାଜନୀତି ପାଇଁ ଅଯୋଗ୍ୟ ବୋଲି ବିବେଚିତ ହେବ। କିନ୍ତୁ ଅସଲ କଥା ହେଉଛି, ସୁପ୍ରିମକୋର୍ଟ ରାୟ ପରେ ରାଜ୍ୟ ସରକାର ପ୍ରଥମେ ସର୍ବସାଧାରଣରେ କ୍ଷମା ମାଗିବା ସହିତ କେଉଁ କାରଣରୁ ଏକ ଘରୋଇ ସଂସ୍ଥାକୁ ଅହେତୁକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅନୁଗ୍ରହ ପ୍ରଦର୍ଶନ କଲେ, ତାହା ରାଜ୍ୟବାସୀଙ୍କୁ ଯଦି ସ୍ପଷ୍ଟ ନକରିବେ, ତେବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିବା ଆଦୌ ଅଯୌକ୍ତିକ ହେବ ନାହିଁ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫