- ବିମଳ ପାଣ୍ଡିଆ, ସନ୍ଦୀପ କୁମାର ପଟ୍ଟନାୟକ
ପିନିଙ୍କ ଯନ୍ତ୍ରଣାଯୁକ୍ତ ଜୀବନ ବିଶେଷ ଭାବରେ ଦୁର୍ବଳ ମାଙ୍କଡ଼ିଆ ଆଦିବାସୀଙ୍କ ବିକଳ ସ୍ଥିତି ଓ ପ୍ରଶାସନିକ ଅବହେଳାର ବେଦନାର ଏକ ନୈରାଶ୍ୟଜନକ ପ୍ରତିଫଳନ…
ଛୁଆ ଜନ୍ମ କରି ପାରୁନୁ କହି ପୂର୍ବ ସ୍ୱାମୀ ତଡ଼ିଦେଲେ, ଗର୍ଭବତୀ ଥିବା ବେଳେ ଦ୍ଵିତୀୟ ସ୍ୱାମୀ ମରିଗଲେ
ବୟସ ତୁଳନାରେ ଅଧିକ ବୟସ୍କା ଦିଶିଗଲେଣି ପିନି ମାଙ୍କଡ଼ିଆ। ଦିଶିବେନି ବା କେମିତି? ସାରା ଆକାଶଟା ଯେମିତି ଛିଣ୍ଡି ପଡ଼ିଛି ତାଙ୍କ ଉପରେ। ସେ ଯେତେବେଳେ ୮ ମାସର ଗର୍ଭବତୀ ଥିଲେ ଟ୍ରାକ୍ଟରରେ ମୂଲ କାମ କରୁଥିବା ତାଙ୍କ ସ୍ୱାମୀ ମିଟୁ ମାଙ୍କଡ଼ିଆ ସେହି ଟ୍ରାକ୍ଟର ଦୁର୍ଘଟଣାରେ ଆରପାରିକି ଚାଲିଗଲେ। ଟ୍ରାକ୍ଟରର ବୀମା ନ ଥିଲା। ଟ୍ରାକ୍ଟର ମାଲିକ ପିନିଙ୍କୁ ୩୦,୦୦୦ ଟଙ୍କା ଦେଲେ। ଯେମିତି ସେଇ ମଣିଷର ମୂଲ୍ୟ ସେତିକି ହିଁ ଥିଲା! ଅବଶ୍ୟ ସେତିକି ବି ଟଙ୍କା କେବେ ପିନି ଦେଖି ନ ଥିଲେ। କିନ୍ତୁ ମାସ କେଇଟା ଓ ସ୍ୱାମୀଙ୍କ ଶୁଦ୍ଧିରେ ସେଇଟା ସରିଗଲା। ସ୍ୱାମୀ ମରିବାର ମାସେ ପରେ ଝିଅ ଜନ୍ମ ହେଲା। ହାତରେ ଗଉଣିଏ ନଥିଲା। ପିନି ଆଗରୁ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ବାଲ୍ୟାବସ୍ଥାରୁ ତାଙ୍କର ବିବାହ ହୋଇଥିଲା କେନ୍ଦୁମୁଣ୍ଡି ଗାଁର ଜଣଙ୍କ ସହିତ। କିନ୍ତୁ ଛୁଆପିଲା ହେଉ ନଥିବାର ଦୋଷ ପିନିଙ୍କ ଉପରେ ଲଦି ତାଙ୍କୁ ଘରୁ ତଡ଼ି ଦେଇଥିଲା ତାଙ୍କର ସ୍ୱାମୀ। ପରେ ପିନି ମିଟୁଙ୍କୁ ବିବାହ କରିଥିଲେ। ସ୍ୱାମୀ ମିଟୁ ବଞ୍ଚିଥିବାବେଳେ ବି ସୁଖରେ ନ ଥିଲେ ଦମ୍ପତି। ଜୀବନଟା ଚଳି ଯାଉଥିଲା ଯାହାତାହା ହୋଇ। କିନ୍ତୁ ମିଟୁ ମରିଯିବା ପରେ ସବୁ ଯନ୍ତ୍ରଣା ପିନିଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା ଯେମିତି।
ନିଜର ଘର ନାହିଁ, ଯୋଉଠି ଅଛନ୍ତି ତାହାର ଚାଳ ଉଠିଯିବ ଆଉ କିଛି ଦିନରେ
ପ୍ରାକୃତିକ ପରିବେଶର ଗନ୍ତାଘର ବିଶାଳ ଶିମିଳିପାଳ ଜୈବ କ୍ଷେତ୍ରର ସୀମାରେ ଥିବା ବାଲିପୋସି ଗାଁରେ ରହନ୍ତି ପିନି। ସରକାରୀ ଭାବରେ ଗାଁର ନାଁ 'ହିଲ ବ୍ଲକ ୧୭୩'। ଲୋକେ ବାଲିପୋସି ବୋଲି ଜାଣନ୍ତି। ଶିମିଳିପାଳ ଅଭୟାରଣ୍ୟ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କୁ ଆଶ୍ରା ଦେଇଛି। କିନ୍ତୁ ପିନିଙ୍କ ଆଶ୍ରା ନାହିଁ। ଯେଉଁ ଘରଟିରେ ପିନି ଓ ତାଙ୍କ ତିନି ବର୍ଷର ଝିଅ ରହୁଛନ୍ତି ତାହା ତାଙ୍କର ନୁହଁ। ଘରଟି ପରଦେଶୀ ମାଙ୍କଡ଼ିଆଙ୍କର। ସେ ଏବେ ବାଲିପୋସିରେ ନ ରହି ଅନ୍ୟ ଏକ ଗାଁରେ ରହୁଛନ୍ତି। ମୁଣ୍ଡ ଗୁଞ୍ଜିଥିବା ସେଇ ଘରେ କବାଟଟିଏ ନାହିଁ। ଯାହାର ଘର ସିଏ ଏବେ ସେଇ ଘରର ଆଜବେଷ୍ଟସକୁ ବିକି ଦେଇଛନ୍ତି ତାଙ୍କ ଗାଁର ଆଉ ଜଣଙ୍କୁ। କିଣିଥିବା ଲୋକ ଆଜବେଷ୍ଟସ କାଢ଼ି ନେବେ ଆଉ କିଛି ଦିନରେ। ପିନି ଓ ତାଙ୍କ କୁନି ଝିଅଙ୍କ ମୁଣ୍ଡ ଉପରୁ ଆଉ କିଛି ଦିନରେ ସେଇ ଛାତ ଟିକକ ବି ପଳାଇବ।
ମାଙ୍କଡ଼ିଆଙ୍କଠାରୁ ତାଙ୍କର ପୂର୍ବ ଆବାସ ଓ କୌଳିକ ବେଉସା ଛଡ଼ାଇ ନିଆଯାଇ ସାରିଛି
ମାଙ୍କଡ଼ିଆ ଆଦିବାସୀ ଆଗରୁ ବି ଚାଷ କରୁ ନ ଥିଲେ କି ଏବେ ବି ପ୍ରାୟ କରୁନାହାନ୍ତି। କାହାରି ନାଁରେ ଜମି ମାଣେ ନଥିବ। ପିନି କି ତାଙ୍କ ସ୍ୱାମୀଙ୍କ ନାଁରେ ବି ଜମି ନାହିଁ କି ସେମାନେ କେବେ ଚାଷ କରି ନଥିଲେ। ମାଙ୍କଡ଼ିଆ ଆଦିବାସୀଙ୍କ ବୃତ୍ତି ଥିଲା ଜଙ୍ଗଲରୁ ଶିଆଳି ଲତା ଆଣି ସେଥିରେ ଦଉଡ଼ି ତଥା ଚାଷ କାର୍ଯ୍ୟରେ ବା ଘରେ ବ୍ୟବହାର ହେଉଥିବା ପଘା, ଶିକା ଆଦି ତିଆରି କରି ତାହାକୁ ବିକ୍ରି କରିବା। ସେମାନେ ଆଗରୁ ଶିମିଳିପାଳ ଜଙ୍ଗଲରେ ରହୁଥିଲେ। ସେଠାରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ପ୍ରସ୍ତୁତ କରୁଥିବା ପଘା ଦଉଡ଼ି ଆଦିକୁ ଗାଁଗାଁ ବୁଲି ବିକ୍ରି କରୁଥିଲେ। ତାହା ହିଁ ଥିଲା ତାଙ୍କର ରୋଜଗାର ଉତ୍ସ। ଏହା ସହ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ସେଥିରୁ ଖାଉଥିଲେ ଓ ପ୍ରକୃତିର ସନ୍ତାନ ଭାବରେ ଚଳୁଥିଲେ। କ୍ରମେକ୍ରମେ ତାଙ୍କୁ ଶିମିଳିପାଳ ଜୈବ କ୍ଷେତ୍ରରୁ ବାହାର କରିଦିଆଗଲା। ସେମାନେ ଜଙ୍ଗଲରୁ ଶିଆଳି ଲତା ବି ଆଣି ପାରିଲେ ନାହିଁ। ତାହିଁକୁ ଜଙ୍ଗଲ ବିଭାଗର ଶକ୍ତ ମନା ରହିଲା। ତାଙ୍କର ମୁଳ ବେଉସା ଉଜୁଡ଼ିଗଲା। ମୟୂରଭଞ୍ଜ ଜିଲ୍ଲାରେ ଯେତିକି ମାଙ୍କଡ଼ିଆ ଆଦିବାସୀ ଅଛନ୍ତି ତାଙ୍କ ମଧ୍ୟରେ ବାସ୍ କେଇ ଜଣ ହିଁ କଲେଜ ଦୁଆର ମାଡ଼ିଛନ୍ତି। ପ୍ରାୟ ସମସ୍ତେ ଅପାଠୁଆ। ଜଙ୍ଗଲ ବନ୍ଦ ହେଲା ପରେ କିଛି ପରିବାର ବଜାରରେ ମିଳୁଥିବା ପ୍ଲାଷ୍ଟିକ ବସ୍ତା କିଣି ତହିଁରୁ ଦଉଡ଼ି ଆଦି ତିଆରି କରିବା ଆରମ୍ଭ କଲେ। ଯୁବକ ଶ୍ରେଣୀର ଲୋକେ ମୁଲିଆ କାମ କରିବା ଆରମ୍ଭ କଲେ। ପିନିଙ୍କ ସ୍ୱାମୀ ସେମିତି ମୂଲିଆ କାମ କରୁଥିଲେ, ଟ୍ରାକ୍ଟରରେ।
'ଆଧାର' ନାହିଁ ବୋଲି ସରକାରୀ ଦୁଆର ମନା
ସ୍ୱାମୀ ଗଲା ପରେ ଖାଇବା ଟିକେ ଖୋଜିବା ବି ଦୁରୁହ ହୋଇ ପଡ଼ିଛି ପିନିଙ୍କ ପାଇଁ। ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ମାସରେ ୧୦ କିଲୋଗ୍ରାମ ଚାଉଳ କିଲୋ ପ୍ରତି ଟଙ୍କାଏ ଦରରେ ପାଉଛନ୍ତି ପିନି। ସେତିକି ହିଁ ମିଳେ ସରକାରଙ୍କ ତରଫରୁ। ତାଙ୍କର 'ଆଧାର' ଏଯାଏ ପ୍ରସ୍ତୁତ ହୋଇପାରିନି। ଆଧାର ନଥିବା କାରଣରୁ ତାଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇ ପାରୁନାହିଁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହନ୍ତି। ସେଇଥି ପାଇଁ ହିଁ ସେ 'ବିଧବା ଭତ୍ତା' ତଥା ଆବାସ ଯୋଜନା ପାଇଁ ଅଯୋଗ୍ୟ ହୋଇ ରହିଛନ୍ତି ଏଯାଏ। ଅନେକ ଥର ସେ ଆଧାର ପ୍ରସ୍ତୁତ ପାଇଁ ଥିବା କେନ୍ଦ୍ରକୁ ଯାଇଛନ୍ତି। ସେଇଠି ତାଙ୍କର ଫୋଟୋ ଉଠା ହୋଉଛି, ଯନ୍ତ୍ରରେ ତାଙ୍କର ପାପୁଲିର ଚିହ୍ନ ନିଆ ଯାଇଛି, ଆଖିରେ ଯନ୍ତ୍ର ପଡ଼ିଛି। କିନ୍ତୁ ଆଧାର ଆସିନାହିଁ। ଖାଲି ପିନିଙ୍କର ନୁହଁ, ତାଙ୍କ ବାଲିପୋସି ଗାଁରେ ଅନେକ ଲୋକଙ୍କର ଆଧାର ନାହିଁ। ସେମାନେ ବି ଆଧାର କେନ୍ଦ୍ରକୁ ଅନେକ ଥର ଯାଇଛନ୍ତି। ଆଧାରର ଅପେକ୍ଷାରେ ହିଁ ରହିଛନ୍ତି। ପିନିଙ୍କୁ ସରକାରୀ ଲୋକେ କହିଛନ୍ତି 'ଆଧାର' ପାଇଲା ପରେ ହିଁ ତାଙ୍କ ପାଇଁ କିଛି ହୋଇପାରିବ। ସେଇ ଆଶାରେ ପିନି ଏବେ ବି ସାଇତି ରଖିଛନ୍ତି ବର୍ଷକ ତଳେ ଆଧାର କେନ୍ଦ୍ରରୁ ପାଇଥିବା ରସିଦ ଖଣ୍ଡିକୁ। ରସିଦରେ ଯେମିତି କଣା ପଡ଼ିଲାଣି ସେଇ ପାଉତିରେ ବି ସେମିତି କଣା ସବୁ ହେଲାଣି। କିନ୍ତୁ ଆଧାର କାହିଁକି ଆସୁନି ତାହା ପିନି ବା ତାଙ୍କ ଗାଁର ଅନ୍ୟ କେହି ଜାଣି ନାହାନ୍ତି। ଏହି ଲେଖକ ପିନିଙ୍କ ଆଧାର ଦରଖାସ୍ତର ସ୍ଥିତି ଜାଣିବା ପାଇଁ ସମ୍ପୃକ୍ତ ସରକାରୀ ଦପ୍ତରକୁ ଯୋଗାଯୋଗ କରିବାରୁ ଜଣା ପଡ଼ିଲା ଯେ ତାଙ୍କର ଦରଖାସ୍ତ କେବେଠୁ ନାକଚ ହୋଇସାରିଛି। କାହାରିକୁ ଜଣା ନାହିଁ ବା କେହି ତାଙ୍କୁ ଜଣାଇବାର ଆବଶ୍ୟକତା ଅଛି ବୋଲି ଚିନ୍ତା ମନକୁ ଆଣି ନାହାନ୍ତି। ମାଙ୍କଡ଼ିଆ ଆଦିବାସୀଙ୍କର କ'ଣ ବା ମୂଲ୍ୟ ଅଛି ଯେ! 'ଆଧାର'ଟେ ନାହିଁ ବୋଲି ନିରାଧାର ହୋଇଯାଇଛି ପିନିଙ୍କ ଜୀବନ।
ଭିକ ହିଁ ସମ୍ବଳ
ଦଶ କିଲୋ ଚାଉଳରେ ବା ଚଳିବେ କେମିତ ଯେ! କିଣିବା ପାଇଁ ଆବଶ୍ୟକ ହେଉଥିବା ୧୦ ଟଙ୍କା ବି ଅଧିକାଂଶ ସମୟରେ ଟଙ୍କା ଅଣ୍ଟିରେ ନଥାଏ। ସାହା ଓ ସାହାରା ହରାଇ ନିଜ ଓ ଝିଅର ଖାଦ୍ୟ ଟିକିଏ ପାଇଁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ପିନି। ଏବେ ତାହା ହିଁ ତାଙ୍କର ରୋଜଗାର। କାଖରେ କୁନି ଝିଅକୁ ବୋହି ସକାଳ ୯ଟାରୁ ଘରୁ ବାହାରନ୍ତି। ଦୁଇ ତିନିଟି ଗାଁରେ ଭିକ ମାଗି ଅପରାହ୍ନ ପ୍ରାୟ ୩ଟା ବେଳକୁ ଘରକୁ ଫେରନ୍ତି। ଏବେ କୁନି ଝିଅ ବେଳେବେଳେ ଚାଲୁଛି। ସବୁବେଳେ ବୋହିବାକୁ ପଡ଼ୁନି। ଆଗରୁ ପୂରା ବୋହି ରହୁଥିଲେ। ଦିନଟି ଭଲ ଗଲେ ପିନିଙ୍କୁ ପାଞ୍ଚ ଛ କିଲୋ ଚାଉଳ ମିଳିଯାଏ। କେବେ କେମିତି କିଏ ଫଳ ଓ ପରିବା ଦି’ଟା ବି ଦେଇ ଦିଅନ୍ତି। ଘରକୁ ଫେରି ପୁଣି ବାହାରି ଯାଆନ୍ତି ନିକଟବର୍ତ୍ତୀ ଜଙ୍ଗଲକୁ। ରୋଷେଇ ପାଇଁ କାଠ ଦରକାର। ପୁଣି ଶାଗ ଛତୁ ଆଦି କିଛି କାଳେ ମିଳିଯିବ! କିଛି ଦିନ ମିଳି ବି ଯାଏ, କିଛି ଦିନ ମିଳେ ନାହିଁ। ସେତିକି ହିଁ ପିନି ଓ ତାଙ୍କ ଝିଅଙ୍କୁ ପୋଷଣ ଓ ପୌଷ୍ଟିକ ତତ୍ତ୍ୱ ଦିଏ।
'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ'ର ଏହି ମାଙ୍କଡ଼ିଆଙ୍କ ପାଇଁ ବିଶେଷ ଯୋଜନା ଅପହଞ୍ଚ
'ମାଙ୍କଡ଼ିଆ' ଆଦିବାସୀଙ୍କୁ 'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ' ଭାବରେ ବିବେଚିତ କରାଯାଇଛି। ଆଦିବାସୀମାନେ ସେମିତି ଦୁର୍ବଳ। ଆଦିବାସୀମାନଙ୍କ ଭିତରେ ସେମାନେ ଆହୁରି ଅଧିକ ଦୁର୍ବଳ। ଇଂରାଜୀରେ 'ପାର୍ଟିକୁଲାରଲି ଭଲନରେବଲ ଟ୍ରାଇବାଲ ଗ୍ରୁପ' (Particularly Vulnerable Tribal Group) ବୋଲି କୁହାଯାଏ। ମାଙ୍କଡ଼ିଆଙ୍କ ଉନ୍ନତି ପାଇଁ ସରକାର ଅନେକ ଦଶନ୍ଧି ତଳୁ 'ହିଲ ଖଡ଼ିଆ ଓ ମାଙ୍କଡ଼ିଆ ଡେଭେଲପମେଣ୍ଟ ଏଜେନ୍ସି' ଆରମ୍ଭ କରିଥିଲେ। କିନ୍ତୁ ସେହି ଏଜେନ୍ସି ମୟୂରଭଞ୍ଜର କେବଳ ଦୁଇଟି ବ୍ଲକରେ କାମ କରେ। ପିନିଙ୍କ ଗାଁ ସେହି ଯୋଜନାରେ ସାମିଲ ହୋଇ ନାହିଁ। ତେଣୁ ପିନି ଏବଂ ତାଙ୍କ ଭଳି ତାଙ୍କ ଗାଁର ବିଶେଷ ଦୁର୍ବଳ ବା କହିବାକୁ ଗଲେ ଅତ୍ୟଧିକ ଦୁର୍ବଳ ମାଙ୍କଡ଼ିଆଙ୍କ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ନାହିଁ। ମୟୂରଭଞ୍ଜର ବିଭିନ୍ନ ବ୍ଲକର ୯ଟି ଗାଁରେ ମାଙ୍କଡ଼ିଆ ଆଦିବାସୀ ରହନ୍ତି। ସେହି ଏଜେନ୍ସିର କେବଳ ଦୁଇଟି ମାଙ୍କଡ଼ିଆ ବସତି ହିଁ ସାମିଲ ହୋଇଛି। ପିନି ଓ ଅନ୍ୟ ମାଙ୍କଡ଼ିଆ ପରିବାର ଆଗରୁ ଶିମିଳିପାଳ ଜଙ୍ଗଲ ଭିତରେ ରହି ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ଦଉଡ଼ି, ଶିକା, ପଘା ଆଦି ତିଆରି କରି ଗାଁଗାଁରେ ବିକ୍ରି କରୁଥିଲେ। ତାହା ଥିଲା ତାଙ୍କର ପ୍ରମୁଖ ଜୀବିକା। ପରେ ବ୍ୟାଘ୍ର ପ୍ରକଳ୍ପ, ଅଭୟାରଣ୍ୟ ତଥା ଜୈବ-ମଣ୍ଡଳ ପାଇଁ ଧୀରେଧୀରେ ଜଙ୍ଗଲରୁ ତଡ଼ା ଖାଇଲେ। ଏବେ ସବୁ ମାଙ୍କଡ଼ିଆ ବସତି ଶିମିଳିପାଳ ଜଙ୍ଗଲର ବାହାରେ। ଜଙ୍ଗଲରୁ ଶିଆଳି ଆଣିବା ତ' ଅପରାଧ ହୋଇସାରିଛି। ଅନେକ ପରିବାର ଜଙ୍ଗଲ ବିଭାଗର ଲାଠି ବି ଖାଇସାରିଛନ୍ତି। ଏବେ ତାଙ୍କ ପାଇଁ ଶିଆଳି ସଂଗ୍ରହ କରିବା ସ୍ୱପ୍ନ। କିଛି ମାଙ୍କଡ଼ିଆ ପରିବାର ବସ୍ତା ସଂଗ୍ରହ କରି ତାହାର ସୂତାରେ ଦଉଡ଼ି, ପଘା ଆଦି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ତାହା ସମ୍ଭବ ହେଉନାହିଁ। ତାହା କରିବା ପାଇଁ ମାଙ୍କଡ଼ିଆ ଆଦିବାସୀଙ୍କୁ ବସ୍ତା କିଣିବାକୁ ପଡ଼ିବ। ତାହା କିଣିବା ପାଇଁ ଅଧିକାଂଶ ମାଙ୍କଡ଼ିଆଙ୍କ ସମ୍ବଳ ନାହିଁ। ପିନିର ବି ସମ୍ବଳ ନ ଥିଲା। ଏବେ ପାଖ ଗାଁର ଜଣେ ବେପାରୀ ପିନିକୁ କିଛି ବସ୍ତା ଦେଇଛନ୍ତି। ସେଥିରୁ ଦଉଡ଼ି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି ପିନି। ପ୍ରସ୍ତୁତ କରିସାରି ସେହି ବେପାରୀକୁ ହିଁ ଦେବେ। ବେପାରୀ ତାକୁ କିଛି ମୁଲ ପଇସା ଦେବ। କେତେ ଦେବ ତାହା ବି ପିନି ଜାଣି ନାହାନ୍ତି। ବସ୍ତାରେ ତିଆରି ଦଉଡ଼ିର ବିଶେଷ ଆଦର ଓ ବ୍ୟବହାର ନାହିଁ ବେପାରୀ କହୁଛନ୍ତି। ତଥାପି ବି ଝିଅ ପାଇଁ ଆଉ ଟିକେ ପଇସା ମିଳିଯିବ ବୋଲି ସେ ଆଶା କରିଛି। ଅନେକ ସରକାରୀ ଯୋଜନା ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। କିନ୍ତୁ ପିନିର ଗାଁ କପ୍ତିପଦା ବ୍ଲକର ବାଲିପୋସିରେ ଗୋଟିଏ ବି ସ୍ୱୟଂ ସହାୟକ ଗୋଷ୍ଠୀ ନାହିଁ କି ସେଇ ଗାଁର ଜଣେ ବି କୌଣସି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ନୁହନ୍ତି। ମାଙ୍କଡ଼ିଆମାନେ ସାଧାରଣତଃ ଋଣ କରନ୍ତି ନାହିଁ। ତେଣୁ କୌଣସି ସୂତ୍ରରୁ ବି ଅର୍ଥ ପାଇବା ପିନିଙ୍କ ପାଇଁ ସମ୍ଭବ ନୁହେଁ।
କୁନି ଝିଅ ଆଖିରେ ସ୍ୱପ୍ନ ଦେଖୁଛନ୍ତି ପିନି
ପିନିଙ୍କ ଜୀବନଟା ଯନ୍ତ୍ରଣା ଜର୍ଜରିତ ରହିଛି। ପିନିଙ୍କ ସ୍ଥିତି ଜଣେ ବିଧବା ମାଙ୍କଡ଼ିଆ ଆଦିବାସୀଙ୍କ ଭୟଙ୍କର ଦୁରାବସ୍ଥାକୁ ଦର୍ଶାଏ। ଆଦିବାସୀ ଓ ମହିଳାମାନେ ସାଧାରଣତଃ ସାମାଜିକ ଓ ଆର୍ଥିକ ଭାବରେ ଦୁର୍ବଳ। ତହିଁରେ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗର ବିଧବା ମହିଳା ହେବା ପିନିଙ୍କ ଜୀବନକୁ ଆହୁରି ଯନ୍ତ୍ରଣାମୟ କରିଦେଇଛି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ପାଖରେ ସରକାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ତଥା ବେସରକାରୀ ସହାୟତା ପହଞ୍ଚି ନ ପାରିବା ଚଳନ୍ତି ବ୍ୟବସ୍ଥାର ଏକ ବେଦନାଦାୟକ ସ୍ଥିତି ବ୍ୟକ୍ତ କରେ। ଏହି ଆଶା କରିବା କଥା ଯେ ସରକାରୀ ବିଭାଗ ଓ ସଂସ୍ଥା ତଥା ବେସରକାରୀ ଅନୁଷ୍ଠାନ ତୁରନ୍ତ ପିନି ଓ ତାଙ୍କ ଭଳି ଦୁର୍ଦ୍ଦଶାଗ୍ରସ୍ତ ମାଙ୍କଡ଼ିଆଙ୍କ ଆଦିବାସୀଙ୍କ ପାଖରେ ପହଞ୍ଚିବେ। ପିନି ତାଙ୍କ ବୟସଠାରୁ ଅଧିକ ବୟସ୍କା ଅବଶ୍ୟ ଦିଶୁଛନ୍ତି କିନ୍ତୁ କୁନି ଝିଅର ଆଖିରେ ସରଗେ ସପନ ଦେଖୁଛନ୍ତି। ସେ ନିଜେ ଅପାଠୁଆ କିନ୍ତୁ ଝିଅ ପଢ଼ିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ। ଝିଅ ପାଇଁ ଜୀଉଁଛନ୍ତି ସେ, ସେଇଥିରୁ ବଳ ପାଉଛନ୍ତି।
ବିମଳ ପାଣ୍ଡିଆ, Email: bimalpandia@gmail.com
ସନ୍ଦୀପ କୁମାର ପଟ୍ଟନାୟକ, Email: sandeepkumar.pattnaik@gmail.com