ଗଣମାଧ୍ୟମର ସ୍ୱର ବଦଳିବ?

  • ରବି ଦାସ

ଭାରତୀୟ ଗଣମାଧ୍ୟମ ଓ ବିଶେଷ ଭାବରେ ଟେଲିଭିଜନ ମାଧ୍ୟମଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ବିତର୍କ ସମୟରେ ଧ୍ରୁବୀକରଣ ଭିତ୍ତିକ ଘୃଣା ଭାବନା ପ୍ରଚାର ଓ ପ୍ରସାର ପାଇଁ ଯେପରି ସୁଯୋଗ ସୃଷ୍ଟି କରୁଛନ୍ତି ସେଗୁଡ଼ିକ ବନ୍ଦ କରାଯିବାର ଆବଶ୍ୟକତା ରହିଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ସିଧାସଳଖ ଭାବରେ ଏହିପରି ବିତର୍କକୁ ପ୍ରଚାର ଓ ପ୍ରସାର କରୁଥିବା ଟେଲିଭିଜନ ଆଙ୍କରମାନଙ୍କୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ଭାରତୀୟ ଗଣମାଧ୍ୟମରେ ଘୃଣା ବାତାବରଣ ସୃଷ୍ଟିକାରୀ ଯେଉଁସବୁ ପ୍ରଚାର ଓ ପ୍ରସାର ଟେଲିଭିଜନ, ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚାଲିଛି ତାହା ଉପରେ ଦାୟର କରାଯାଇଥିବା କେତେଗୁଡ଼ିଏ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିନ ଶୁଣାଣି କରି ସରକାର ଘୃଣା ସୃଷ୍ଟିକାରୀ ବକ୍ତବ୍ୟ ଦେଉଥିବାର ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନକରି ନିରବ ରହିବାକୁ ଅଦାଲତ ନାପସନ୍ଦ କରିଛନ୍ତି। ଏ ସଂକ୍ରାନ୍ତରେ ଆଇନର ପରିବର୍ତ୍ତନ ପାଇଁ ଆଇନ କମିଶନ ସୁପାରିଶ କରିଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକାରୀ ହୋଇପାରିନାହିଁ। ଟେଲିଭିଜନ ଆଙ୍କରମାନେ ଘୃଣାର ବାର୍ତ୍ତା ପ୍ରଦାନ କରୁଥିବା ଆଲୋଚକମାନଙ୍କୁ ବନ୍ଦ କରିବା ପରିବର୍ତ୍ତେ ସେମାନଙ୍କୁ ଉତ୍ସାହିତ କରୁଥିବା ଲକ୍ଷ୍ୟ କରାଯାଉଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି।

ଏହି ମାମଲାରେ ଶୁଣାଣି ଅବ୍ୟାହତ ରହିଥିଲେ ମଧ୍ୟ ଘୃଣାଭାବ ପ୍ରଚାର ଓ ପ୍ରସାର ଦିଗରେ ଗଣମାଧ୍ୟମର ଭୂମିକା ବିଷୟରେ ସୁପ୍ରିମକୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯଥାର୍ଥ ବୋଲି ଅନେକ ଅନୁଭବ କରୁଛନ୍ତି। ଏପରିକି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏସିଆ ପାସେଫିକ ଇନିଷ୍ଟିଚ୍ୟୁଟ୍ ଫର ବ୍ରଡକାଷ୍ଟିଂ ଡେଭଲପମେଂଟର ବିଂଶତମ ଅଧିବେଶନରେ ଉଦବୋଧନ ଦେଇ ଏହି ମର୍ମରେ ଏକ ବାର୍ତ୍ତ ପ୍ରଦାନ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, ଗଣମାଧ୍ୟମମାନେ ମୂଲ୍ୟବୋଧକୁ ପାଶୋରୀ କେବଳ ପ୍ରତିଦ୍ୱନ୍ଦ୍ୱିତା ଆଳରେ ବୃତ୍ତିଗତ ଦକ୍ଷତାକୁ ଭୁଲିଯାଇ ଯେପରି କାର୍ଯ୍ୟ କରୁଛନ୍ତି ସେଥିରେ ଗଣମାଧ୍ୟମର ପତିଆରା ନଷ୍ଟ ହେଉଛି। ନ୍ୟୁଜ ଚ୍ୟାନେଲଗୁଡ଼ିକରେ ବିତର୍କ ସମୟରେ ଯେପରି ଭାବରେ ଲଢ଼େଇ କଲାଭଳି ପରିବେଶ ସୃଷ୍ଟି ହେଉଛି ସେଥିରେ ସାମ୍ବାଦିକତାରେ ସତ୍ୟ ଓ ବାସ୍ତବ ତଥ୍ୟ ପ୍ରଦାନ କରିବାର ଯେଉଁ ମୂଳ ଲକ୍ଷ୍ୟ ତାହା ନଷ୍ଟ ହୋଇଯାଉଛି। ତଥ୍ୟକୁ ଠିକ୍ ଭାବରେ ଉପସ୍ଥାପିତ କରିବା ଏବଂ ପ୍ରତ୍ୟକ୍ଷ ପକ୍ଷକୁ ସେମାନଙ୍କ ମତାମତ ଦେବା ପାଇଁ ସୁଯୋଗ ସୃଷ୍ଟି କରିବା ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ। ଯେଉଁ ବିତର୍କକାରୀ ଅତିଥିମାନେ ମିଥ୍ୟା ପରିବେଷଣ କରି ବଡ଼ ପାଟିରେ କଥା କହି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ଅଟକାଇବା ଦାୟିତ୍ୱ ମଧ୍ୟ ଗଣମାଧ୍ୟମର ରହିଛି। କାରଣ ଦେଶରେ ଯେପରି ଭାବରେ ଗଣମାଧ୍ୟମ ହିଂସା ଓ ଘୃଣାର ବାତାବରଣ ସୃଷ୍ଟିର ବାହକ ଭାବରେ କାର୍ଯ୍ୟ କରୁଛନ୍ତି ସେଥିରେ ଗଣମାଧ୍ୟମର ପତିଆରା ନଷ୍ଟହେଉଛି।

ବାସ୍ତବରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଭାଷଣକୁ ଦେଖିଲେ ଭାରତୀୟ ଗଣମାଧ୍ୟମର ପ୍ରକୃତ ଅବସ୍ଥା ଜାଣିହେଉଛି। ସେଥିପାଇଁ ବିଶ୍ୱସ୍ତରରେ ଭାରତୀୟ ଗଣମାଧ୍ୟମର ନିରପେକ୍ଷତା ସୂଚକାଙ୍କ ନିମ୍ନଗାମୀ ହୋଇଛି। ବିଶ୍ୱର ୧୮୦ଟି ଦେଶ ମଧ୍ୟରେ  ଭାରତ ସ୍ୱାଧୀନ ଗଣମାଧ୍ୟମ ତାଲିକାରେ ଏବେ ୧୫୦ ସ୍ଥାନରେ ରହିଛି। ଆଶ୍ଚର୍ଯ୍ୟର କଥା କେବଳ ଗଣମାଧ୍ୟମ ନୁହେଁ, ନିର୍ବାଚନ ସମୟରେ ଯେଉଁ ଦଳମାନେ ଓ ନେତାମାନେ ଘୃଣା ଆଉ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁନାହାନ୍ତି। କମିଶନ କହିଛନ୍ତି ଯେ, ସେମାନଙ୍କ ନିକଟରେ ଏଥିପାଇଁ ସଂପୃକ୍ତ ଦଳଗୁଡ଼ିକର ସ୍ୱୀକୃତି ପ୍ରତ୍ୟାହାର କରିନେବା ପାଇଁ ସେମାନଙ୍କ ନିକଟରେ କୌଣସି ଆଇନ ନାହିଁ। ଭାରତୀୟ ଆଇନରେ ଯେଉଁମାନେ ଘୃଣାର ବାତାବରଣ ବା ବକ୍ତବ୍ୟ ପ୍ରଦାନ କରୁଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ୧୫୩ (କ)ରେ ମାମଲା କରାଯାଉଛି। କିନ୍ତୁ ଗଣମାଧ୍ୟମମାନେ ଏହିସବୁ ଘୃଣାଭାବକୁ ପ୍ରଚାର ଓ ପ୍ରସାର କରୁଥିବାରୁ କୋଟି କୋଟି ଜନସାଧାରଣ ଏଥିରେ ପ୍ରଭାବିତ ହୋଇ ଧ୍ରୁବୀକରଣ ରାଜନୀତିର ଯେଉଁ ପରିବେଶ ସୃଷ୍ଟି କରୁଛନ୍ତି ସେଥିରେ ଭାରତୀୟ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି।

ଯଦିଓ ବ୍ୟକ୍ତି ସ୍ୱାଧୀନତା ବା ମତପ୍ରକାଶ କରିବାର ସ୍ୱାଧୀନତା ଭାରତୀୟ ସମ୍ବିଧାନରେ ନାଗରିକମାନଙ୍କର ଏକ ମୌଳିକ ଅଧିକାର। କିନ୍ତୁ ଯେଉଁ ଧରଣର ଅଭିବ୍ୟକ୍ତି ପ୍ରଦାନ ଦ୍ୱାରା ଦେଶର ସମାଜ ଓ ଗଣତନ୍ତ୍ର ଦୁର୍ବଳ ହୋଇ ଦଙ୍ଗା ପରିବେଶ ସୃଷ୍ଟି ହେଉଛି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ। କିନ୍ତୁ ଏହିପରି ଭାବନା ଓ ମତପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କୁ ଗଣମାଧ୍ୟମମାନେ ବିତର୍କ ଆଳରେ ପ୍ରଚାର ଓ ପ୍ରସାର କରିବା ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ସେଥିପାଇଁ ଗଣମାଧ୍ୟମଗୁଡ଼ିକ ଉପରେ ଏକ ଅଙ୍କୁଶର ଆବଶ୍ୟକତା ରହିଛି। ଅଭିବ୍ୟକ୍ତିର ସ୍ୱାଧୀନତା ନାଁରେ ଘୃଣା ଓ ବିଭିନ୍ନ ଗୋଷ୍ଠୀ ଭିତରେ ବିବାଦ ସୃଷ୍ଟି ପାଇଁ ଗଣମାଧ୍ୟମ କାର୍ଯ୍ୟକଲେ ତାହାକୁ ସରକାର କିପରି ରୋକିପାରିବେ ସେଥିପାଇଁ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ଅବଶ୍ୟ ସବୁଠାରୁ ବଡ଼କଥା ହେଉଛି ସାମ୍ବାଦିକମାନେ ଓ ବିତର୍କ ପରିଚାଳନା କରୁଥିବା ଆଙ୍କରମାନେ ସାମ୍ବାଦିକତାର ବୃତ୍ତିଗତ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଏପରି ମନ୍ତବ୍ୟ ଓ ଭାବନା ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ବିତର୍କରୁ ବାଦ୍ ଦେବା ବା ସେମାନଙ୍କର ସ୍ୱରକୁ ବନ୍ଦ କରିଦେବା ଏକ ଦାୟିତ୍ୱ ବୋଲି ବିଚାର କରିବା ଉଚିତ।

ସୁପ୍ରିମକୋର୍ଟ ବୁଧବାର ଦିନ ନ୍ୟୁଜ୍ ଚ୍ୟାନେଲମାନଙ୍କରେ ଘୃଣାର ବାତାବରଣ ସୃଷ୍ଟି ପାଇଁ ଚାଲିଥିବା ବିତର୍କକୁ ନିନ୍ଦା କରିବା ସହିତ ସରକାର ଏଥିରେ ନୀରବଦ୍ରଷ୍ଟା ସାଜିପାରିବେ ନାହିଁ ବୋଲି ଯାହା କହିଛନ୍ତି ତାହାକୁ ଉଭୟ ଗଣମାଧ୍ୟମ ଓ ସରକାର ଗୁରୁତ୍ୱର ସହିତ ବିଚାର କରିବା ଉଚିତ। ଯେହେତୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ଏହି ଢଙ୍ଗରେ ଏକ ବକ୍ତବ୍ୟ ଦେଇଛନ୍ତି, ଯଦିଓ ଅତୀତରେ ଏକ ନିର୍ବାଚନ ପ୍ରଚାରରେ ତାଙ୍କ ବିରୋଧରେ ମଧ୍ୟ ବିରୋଧୀମାନେ ସେ ଘୃଣାର ବାତାବରଣ ସୃଷ୍ଟି ପାଇଁ ସ୍ଲୋଗାନ ଦେଇଥିବାର ଅଭିଯୋଗ କରିଥିଲେ। କିନ୍ତୁ ସାରା ବିଶ୍ୱରେ ବିଶେଷ ଭାବରେ ଗଣତାନ୍ତ୍ରିକ ଦେଶମାନଙ୍କ ଭିତରେ ଭାରତର ଗଣମାଧ୍ୟମର ମର୍ଯ୍ୟାଦା ଯେପରି ହ୍ରାସ ପାଉଛି ସେହି ପରିପ୍ରେକ୍ଷୀରେ ଗଣମାଧ୍ୟମ ସଂକ୍ରାନ୍ତରେ ଏକ ଜାତୀୟ ନୀତିର ଆବଶ୍ୟକତା ରହିଛି। ରାଜନୈତିକ ଦଳମାନଙ୍କ ଭିତରେ ଏ ସଂକ୍ରାନ୍ତରେ ଆଲୋଚନା ଓ ଏକ ସର୍ବସମ୍ମତ ନିଷ୍ପତି ପହଁଚିବା ଦିଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଭାଷଣ ସହାୟକ ହେବ ବୋଲି ଆଶା କରାଯାଉଛି। ଘୃଣା ସଂକ୍ରାନ୍ତୀୟ ଆଇନ ବ୍ୟବସ୍ଥାକୁ କଠୋର କରିବା ପାଇଁ ନିର୍ବାଚନ କମିଶନ ଆଇପିସିରେ ଯେଉଁ ତିନୋଟି ସଂଶୋଧନ ଚାହିଁଛନ୍ତି ସେଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ଆସନ୍ତା ଅଧିଶେବରେ ପ୍ରସ୍ତାବ ଆସିବା ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।