ସଫଳ ହେବ କି ବିଜେପି ବିରୋଧରେ ଟିଏମସିର ବିସ୍ତାର ଯୋଜନା?

ସରଳ କୁମାର ଦାସ

ଜଣେ ମହିଳା ହୋଇ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିର୍ବାଚନୀ ମେସିନ କୁହାଯାଉଥିବା ମୋଦୀ-ସାହାଙ୍କ ଅପରାଜେୟ ଯୋଡ଼ିକୁ ମାତ୍ ଦେଇ ବିଜେପିର ନିର୍ବାଚନୀ ଅଶ୍ୱମେଧର ଅଶ୍ୱକୁ ଆଗେଇବାକୁ ନ ଦେଇ ଦଳର ପୂର୍ବୋଦୟର ସ୍ୱପ୍ନକୁ ଆପାତତଃ ଧୂଳିସାତ କରିଥିବା ଯୋଗୁଁ ଜାତୀୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉଚ୍ଚତା ହଠାତ୍ ଅଧିକ ହୋଇଯାଇଛି। ଏଥି ସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପ୍ରତିହତ କରିବାରେ ସେ ଯେ ଏକ ବଡ଼ ଭୂମିକା ନିର୍ବାହ କରି ପାରିବେ ତାହା ଅନେକଙ୍କର ବିଶ୍ୱାସ। ଟିଏମସିର ଏହି ଅପୂର୍ବ ନିର୍ବାଚନୀ ସଫଳତା ମଧ୍ୟ ମମତାଙ୍କଠାରେ ଯଥେଷ୍ଟ ଆତ୍ମବିଶ୍ୱାସ ଜନ୍ମାଇଛି, ଯାହା ଜାତୀୟ ସ୍ତରରେ ଦଳର ବିସ୍ତାର ପାଇଁ ତାଙ୍କୁ ଅନୁପ୍ରେରିତ କରିଛି। ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ସେଠାରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାଇକରେ ପ୍ରଚାର କରି, ଅନଶନ କରି, ଲଣ୍ଡା ହୋଇ ତୃଣମୂଳ କଂଗ୍ରେସରେ ମିଶିବାର ଖବର ମିଳୁଛି। ଏହାର କାରଣ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇପାରେ ବା ନିଜ ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ହୋଇପାରେ। ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଳ ରାୟଙ୍କ ତୃଣମୂଳରେ ଯୋଗଦାନ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ସେଠାରେ ବିଜେପି ଦୁର୍ବଳ ହେଉଥିବାର ସୂଚନା ମିଳୁଛି। ବିଜେପିକୁ ପଶ୍ଚିମବଙ୍ଗରେ ଦୁର୍ବଳ କରିବା ସହ ଅନ୍ୟତ୍ର ତାକୁ ପ୍ରତିରକ୍ଷାତ୍ମକ କରି ପାରିଲେ ବିଜେପି ଆଉ କେବେ ପଶ୍ଚିମବଙ୍ଗ ବିଜୟର ସ୍ୱପ୍ନ ଦେଖିବ ନାହିଁ ବୋଲି ଦଳର ବିଶ୍ୱାସ। ତେବେ ପ୍ରଶ୍ନ ହେଉଛି, ଟିଏମସିର ପ୍ରସ୍ତାବିତ ବିସ୍ତାର ଯୋଜନା କଣ ଆଗାମୀ ନିର୍ବାଚନରେ ବିଜେପିକୁ ପରାହତ କରିବାକୁ ସକ୍ଷମ ହେବ।

ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଯେଉଁ ୬ଟି ରାଜନୈତିକ ଦଳ ଜାତୀୟ ଦଳର ମାନ୍ୟତା ପାଇଛନ୍ତି। ସେଗୁଡିକ ମଧ୍ୟରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିଏମସି) ଅନ୍ୟତମ। ୨୦୧୪ ମସିହା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦଳ ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ଝାରଖଣ୍ଡ ଭଳି ୫ଟି ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ ପାଇଥିବାରୁ ଓ ପଶ୍ଚିମବଙ୍ଗ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ମଣିପୁର ଭଳି ୪ଟି ରାଜ୍ୟରେ ରାଜ୍ୟ ଦଳର ମାନ୍ୟତା ପାଇଥିବାରୁ ତାକୁ ୨୦୧୬ ମସିହାରେ ଜାତୀୟ ଦଳର ମାନ୍ୟତା ପ୍ରଦାନ କରା ଯାଇଥିଲା। ତେବେ ଏହି ରାଜ୍ୟଗୁଡିକରେ ଦୁର୍ବଳ ସଂଗଠନ ଯୋଗୁ ୨୦୧୯ ନିର୍ବାଚନରେ ଟିଏମସି ଦଳ ପୂର୍ବ ପ୍ରଦର୍ଶନକୁ ଦୋହରାଇ ପାରି ନ ଥିଲା। ଏକ ଜାତୀୟ ଦଳ ଭାବେ ପୁନଃ ଆବିର୍ଭାବ ହେବାର ସ୍ୱପ୍ନକୁ ଦଳ ଏକ ପ୍ରକାର ତ୍ୟାଗ କରି ସାରିଥିଲା, ଯାହା ପଶ୍ଚିମବଙ୍ଗରେ ମିଳିଥିବା ଅପୂର୍ବ ସଫଳତା ପରେ ପୁନରୁଜ୍ଜୀବିତ ହୋଇଛି। ଅବଶ୍ୟ ଏ କ୍ଷେତ୍ରରେ ମମତା ବାନାର୍ଜୀଙ୍କ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ଥିବା ଉତ୍ତମ ସମ୍ପର୍କ ସହାୟକ ହେବ ବୋଲି ଦଳର ବିଶ୍ୱାସ। ଉତ୍ତର-ପୂର୍ବ ଭାରତ ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ, କେରଳ, ଓଡିଶା ଆଦି କେତେକ ରାଜ୍ୟରେ ଦଳର ସଂଗଠନ ରହିଛି ଓ ତନ୍ମଧ୍ୟରୁ କେତେକ ରାଜ୍ୟରେ ଦଳ ଅତୀତରେ ନିର୍ବାଚନ ଲଢ଼ି ସାରିଛି।

ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ମାତ୍ ଦେବା ଲାଗି ମମତା ବାନାର୍ଜୀ ଦୁଇଟି ସ୍ତରରେ ଉଦ୍ୟମ କରୁଥିଲା ପରି ମନେ ହୁଏ। ପ୍ରଥମ, ତୃଣମୂଳ କଂଗ୍ରେସ ଦଳର ଅନ୍ୟ ରାଜ୍ୟକୁ ବିସ୍ତାର ମାଧ୍ୟମରେ ଓ ଦ୍ୱିତୀୟ, ଟିଏମସି ଶକ୍ତିଶାଳୀ ନ ଥିବା ରାଜ୍ୟଗୁଡ଼ିକରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସେମାନଙ୍କୁ ବିଜେପି ବିପକ୍ଷରେ ଗୋଟିଏ ମଞ୍ଚକୁ ଆଣିବା ମାଧ୍ୟମରେ। ବିଭିନ୍ନ ରାଜ୍ୟରେ ବଙ୍ଗଭାଷୀ ଅଧ୍ୟୁଷିତ ଆସନଗୁଡିକୁ ଦୃଷ୍ଟିରେ ରଖି ଟିଏମସି ତା’ର ବିସ୍ତାର ଯୋଜନା ପ୍ରସ୍ତୁତ କରୁଛି। ଏହି କ୍ରମରେ ସର୍ବାଧିକ ବଙ୍ଗଭାଷୀ ଥିବା ତ୍ରିପୁରା ରାଜ୍ୟରେ ବିସ୍ତାର ଉପରେ ଦଳ ସର୍ବାଧିକ ଗୁରୁତ୍ୱ ଦେଉଛି। ଏହି ଲକ୍ଷ୍ୟ ହାସଲ ପାଇଁ ଅଭିଷେକ ବାନାର୍ଜୀଙ୍କୁ ଦଳର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ପଦରେ ନିଯୁକ୍ତି ପରେ ଟିଏମସିର ସର୍ବ ଭାରତୀୟ ବିସ୍ତାର ପାଇଁ ଦଳ ଯୋଜନାବଦ୍ଧ ଢଙ୍ଗରେ ଆଗେଇବେ ବୋଲି କହିଥିଲେ। ତଦନୁଯାୟୀ ଦଳ କେବଳ ଅଳ୍ପ କେତାଟି ଆସନ ପାଇବା ପାଇଁ ନିର୍ବାଚନ ନ ଲଢ଼ି ସରକାର ଗଠନ କରିବାକୁ ଲଢ଼ିବ ବୋଲି ସ୍ପଷ୍ଟ କରିଥିଲେ। ଏହି ବିସ୍ତାର ପାଇଁ ଟିଏମସିରେ ମୁକୁଳ ରାୟଙ୍କ ଆବଶ୍ୟକତା ଅନୁଭୂତ ହେବାରୁ ବିଜେପିର ଏହି ରାଷ୍ଟ୍ରୀୟ ଉପସଭାପତିଙ୍କୁ ବିଜେପି ତ୍ୟାଗ କରାଇ ଟିଏମସିରେ ଯୋଗ ଦେବା ପାଇଁ ପ୍ରରୋଚିତ କରି ସଫଳ ହୋଇଥିଲେ ଅଭିଷେକ।

ଟିଏମସି ଛାଡ଼ି ୨୦୧୭ ମସିହାରେ ମୁକୁଳ ରାୟ ବିଜେପିରେ ଯୋଗ ଦେଇଥିଲେ। ବସ୍ତୁତଃ, ବିଜେପିରେ ତାଙ୍କ ଯୋଗଦାନ ପରେ ପଶ୍ଚିମବଙ୍ଗରେ ବିଜେପି ଶକ୍ତିଶାଳୀ ହୋଇ ପାରିଥିଲା। ତେବେ ଏଥି ସହିତ ଟିଏମସି ଦଳର ସର୍ବ ଭାରତୀୟ ଉପସ୍ଥିତି ହ୍ରାସ ପାଇ ତାହା କେବଳ ପଶ୍ଚିମବଙ୍ଗ ମଧ୍ୟରେ ସୀମିତ ହୋଇ ଯାଇଥିଲା। ପଶ୍ଚିମବଙ୍ଗରେ ୨୦୧୬ ମସିହା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଦଳ ବାମପନ୍ଥୀ ଦଳଙ୍କ ସହ ମେଣ୍ଟ କରିଥିବାର ସୁଯୋଗ ନେଇ ମୁକୁଳ ରାୟ ତ୍ରିପୁରାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଟିଏମସିକୁ ଆଣି ପାରିଥିଲେ। ମୁକୁଳ ରାୟ ବିଜେପିରେ ଯୋଗ ଦେବା ପରେ ସେହି ବିଧାୟକମାନେ ବି ବିଜେପିରେ ଯୋଗ ଦେଇଥିଲେ ଓ ୨୦୧୮ରେ ହୋଇଥିବା ନିର୍ବାଚନରେ ବିଜେପି ଟିକେଟରେ ଲଢି ଜିତିଥିଲେ। ଏମାନଙ୍କ ମଧ୍ୟରୁ ସୁଦୀପ ରାୟ ବର୍ମନ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ବି ୨୦୧୯ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆ ଯିବା ପରେ ସେ ଓ ତାଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧ କରି ଆସୁଛନ୍ତି। ତ୍ରିପୁରାରେ ବିଜେପିର ଶକ୍ତି ବୃଦ୍ଧିରେ ବି ମୁକୁଳ ରାୟଙ୍କର ଭଲ ଅବଦାନ ଥିଲା। ବର୍ତ୍ତମାନ ସେଠାରେ ବିଜେପି ସ୍ଥାନୀୟ ଆଇପିଏଫଟି ସହ ମିଶି ସରକାର ଗଠନ କରିଛି ଯେଉଁଥିରେ ବିଜେପିର ୩୬ ଜଣ ବିଧାୟକ ଥିଲା ବେଳେ ଆଇପିଏଫଟିର ୮ ଜଣ ଅଛନ୍ତି। ତ୍ରିପୁରାରେ ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ସୁଦୀପ ରାୟ ବର୍ମନ ଓ ତାଙ୍କ ପଛରେ ୧୫ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରୁଛନ୍ତି। ସୁଦୀପଙ୍କର ମୁକୁଳଙ୍କ ପ୍ରତି ଆନୁଗତ୍ୟ ଥିବାରୁ ଟିଏମସି ଯଦି ଏହି ଅସନ୍ତୁଷ୍ଟ ଗୋଷ୍ଠୀଟିକୁ ନିଜ ପକ୍ଷକୁ ଆଣି ପାରିବ ତେବେ ସେଠାରେ ବିଜେପି ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଆଶଙ୍କା ଦେଖା ଦେଇପାରେ, କାରଣ ଅପ୍ରେଲ ୨୦୨୧ରେ ଅନୁଷ୍ଠିତ ହୋଇଥିବା ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ ନିର୍ବାଚନରେ ଆଇପିଏଫଟିର ଶୋଚନୀୟ ପ୍ରଦର୍ଶନ ପରେ ଉଭୟ ବିଜେପି ଓ ଆଇପିଏଫଟି ଦଳ ମଧ୍ୟରେ ସମ୍ପର୍କ ଆଉ ସେତେଟା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିନାହିଁ। ଏହି ନିର୍ବାଚନରେ ତିପ୍ରା ମୋଥା ଦଳର ଉଲ୍ଲେଖନୀୟ ସଫଳତା ପରେ ରାଜ୍ୟ ରାଜନୀତିରେ ଏହାର ନେତା ପ୍ରଦ୍ୟୋତ ଦେବ ବର୍ମନଙ୍କର ଗୁରୁତ୍ୱ ଯଥେଷ୍ଟ ବଢ଼ିଛି। ସେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି। ତ୍ରିପୁରାରେ ବଙ୍ଗଭାଷୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେଠାରେ ନିଜ ଶକ୍ତି ବଢାଇବାକୁ ଟିଏମସି ପ୍ରାଥମିକତା ଦେଇ କାମ ଆରମ୍ଭ କରି ସାରିଲାଣି। ଏଥିପାଇଁ ମୁକୁଳ ରାୟଙ୍କୁ ବିଶେଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ବୋଲି ଶୁଣାଯାଏ। ଇତିମଧ୍ୟରେ ତ୍ରିପୁରା ପାଇଁ ଦଳ ପକ୍ଷରୁ ‘ଖେଲା ହବେ, ତ୍ରିପୁରା ତେ ଖେଲା ହବେ’ ନାମକ ଏକ ନୂଆ ପ୍ରଚାର ଭିଡିଓ ରିଲିଜ ହୋଇଛି। ପ୍ରଦ୍ୟୋତ ଦେବ ବର୍ମନଙ୍କ ସହ ସମନ୍ୱୟ ରକ୍ଷା କରି ଦଳ ତ୍ରିପୁରାରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ଆଶାୟୀ। ଏଥି ସହିତ ଉତ୍ତର-ପୂର୍ବାଞ୍ଚଳରେ ଦଳର ସଂଗଠନ ଥିବା ଅରୁଣାଚଳ ପ୍ରଦେଶ, ମଣିପୁର, ଆସାମ ଆଦି ରାଜ୍ୟଗୁଡିକରେ ମଧ୍ୟ ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ ହୋଇପାରେ। ଉଲ୍ଲେଖଯୋଗ୍ୟ ଏ ସବୁ ରାଜ୍ୟରେ ଦଳ ପୂର୍ବରୁ ନିର୍ବାଚନ ଲଢ଼ି ବିଧାନସଭାକୁ ବିଧାୟକ ପଠାଇସାରିଛି।

ପଶ୍ଚିମବଙ୍ଗର ୨୦୨୧ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦଳର ସଫଳତା ପଛରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଓ ତାଙ୍କ ଇଣ୍ଡିଆନ ପଲିଟିକାଲ ଆକସନ କମିଟି (ଆଇ-ପାକ) ସଂସ୍ଥାର ଅବଦାନ ଅନସ୍ୱୀକାର୍ଯ୍ୟ। ଆଗାମୀ ଦିନଗୁଡିକରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ସେହି ପିକେ ମ୍ୟାଜିକର ଲାଭ ଉଠାଇବା ପାଇଁ ତୃଣମୂଳ କଂଗ୍ରେସ ୨୦୨୬ ପର୍ଯ୍ୟନ୍ତ ପୁଣି ପାଞ୍ଚ ବର୍ଷ ଲାଗି ଆଇ-ପାକ ସଂସ୍ଥା ସହ ଅନୁବନ୍ଧିତ ହୋଇଛି। ଅବଶ୍ୟ ପିକେ ଆଇ-ପାକରୁ ଓହରି ଯାଇଥିବାରୁ ସେ ସଂସ୍ଥାର ଦୈନନ୍ଦିନ କାର୍ଯ୍ୟରେ ସାମିଲ ନ ରହିଲେ ବି ସଂସ୍ଥାର ଚାଳିକା ଶକ୍ତି ରୂପେ କାମ କରିବେ ବୋଲି ଜଣା ପଡୁଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକର ନିର୍ବାଚନରୁ ଆରମ୍ଭ କରି ୨୦୨୪ର ଲୋକସଭା ନିର୍ବାଚନ ଓ ୨୦୨୬6ର ବିଧାନସଭା ନିର୍ବାଚନ ଯାଏଁ ଆଇ-ପାକ ସହ ଚୁକ୍ତି ବଳବତ୍ତର ରହିବ। ଟିଏମସିର ବିସ୍ତାର ଯୋଜନାରେ ପିକେ ଏକ ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଥିବାର ସୂଚନା ମିଳି ସାରିଥିଲା ନିର୍ବାଚନ ପରେ ତାଙ୍କୁ ଦଳ ତରଫରୁ ଦିଆ ଯାଉଥିବା ଗୁରୁତ୍ୱ ଓ ସମ୍ମାନରୁ। ପିକେଙ୍କ ଆଇ-ପାକ୍ ସଂସ୍ଥା ସାରା ଭାରତରେ ବିଭିନ୍ନ ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ହୋଇ ସାରିଛି। ସେହି ସୂତ୍ରରେ ପିକେଙ୍କ ସମ୍ପର୍କ ବିରୋଧୀ ଦଳରେ ଥିବା ବିଭିନ୍ନ ନେତା ଯଥା ପଞ୍ଜାବରେ ଅମରିନ୍ଦର ସିଂହ, ଆମ ଆଦମୀ ପାର୍ଚିର କେଜରିୱାଲ, ୱାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡି, ଡିଏମକେର ଷ୍ଟାଲିନ ଆଦିଙ୍କ ସହ ଘନିଷ୍ଠ। ସେ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ କାର୍ଯ୍ୟ କରି ସାରିଥିବାରୁ ଉଭୟ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ କିଛି ମନ୍ଦ ନୁହେଁ। ସେ ବିଜେପି ପାଇଁ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନରେ ରଣନୀତି ପ୍ରସ୍ତୁତ କରିଥିଲେ। ଅମିତ ଶାହାଙ୍କ ସହ ତାଙ୍କ ସମୀକରଣ ସ୍ୱଚ୍ଛନ୍ଦ ନ ରହିବାରୁ ତାଙ୍କୁ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ପଡିଥିଲା ବୋଲି କୁହାଯାଏ। ଜାତିବାଦରେ ବିଶ୍ୱାସ କରୁ ନ ଥିଲେ ବି ଚାଣକ୍ୟଙ୍କ ପରି ମଗଧର ଏହି ଚୂଟିହୀନ ବ୍ରାହ୍ମଣ ତାଙ୍କ ଅପମାନର ପ୍ରତିଶୋଧ ନେବାକୁ ସତେ ଯେମିତି ଆତୁର। ବିଜେପି ସହ ଅତି ନିକଟରୁ କାର୍ଯ୍ୟ କରିଥିବାରୁ ସେ ସେହି ଦଳର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ। ବିଜେପିକୁ ନିର୍ବାଚନରେ ପ୍ରତିହତ କରିବା ଆଦୌ କଷ୍ଟସାଧ୍ୟ ନୁହେଁ ବୋଲି ତାଙ୍କର ବିଶ୍ୱାସ ଓ ତାହା ସେ ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ନିର୍ବାଚନ ଜିତି ପ୍ରମାଣ କରି ସାରିଛନ୍ତି। ଜାତୀୟ ସ୍ତରରେ ତାହା କରିବାକୁ ହେଲେ ବିରୋଧୀ ଦଳଗୁଡିକୁ ଗୋଟିଏ ମଞ୍ଚକୁ ଆଣିବାକୁ ହେବ। କୌଣସି ଦଳରେ ନ ଥିବା ପିକେଙ୍କ ବିଭିନ୍ନ ରାଜନେତାଙ୍କ ସହ ସମ୍ପର୍କକୁ ପୁଞ୍ଜି କରି ବିରୋଧୀ ଦଳଗୁଡିକୁ ଯୋଡିବା ପାଇଁ ପିକେଙ୍କୁ ଯଥାସମ୍ଭବ ଅଠା ଭଳି ଉପଯୋଗ କରା ଯାଇପାରିବ ବୋଲି ମମତାଙ୍କ ବିଶ୍ୱାସ। ସମ୍ଭବତଃ, ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି କାର୍ଯ୍ୟଟି ପିକେ ବେଶ ଭଲ ଭାବେ କରି ପାରିଲା ଭଳି ମନେ ହୁଏ। ଏହି ପରିପ୍ରେକ୍ଷୀରେ ପିକେଙ୍କ ଏନସିପି ନେତା ଶରଦ ପାୱାରଙ୍କ ସହ ଲାଗ ଲାଗ ଦୁଇ ଥର ସାକ୍ଷାତ ଆଲୋଚନା ପରେ ଶରଦ ପାୱାର କଂଗ୍ରେସ ଭିନ୍ନ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଡାକି ବୈଠକର ଆୟୋଜନ କରିବାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହା ଏକ ବିଜେପି ବିରୋଧୀ ତୃତୀୟ ଫ୍ରଣ୍ଟ ଗଠନର ଇଙ୍ଗିତ ଦେଉଛି। ଏ ସବୁ ସତ୍ତ୍ୱେ କଂଗ୍ରେସ ଦଳ ୨୦୧୯ ସାଧାରଣ ନିର୍ବାଚନରେ ୫୨ଟି ଆସନରେ ଜିତିଥିବା ଓ ପ୍ରାୟ ୧୬୦ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସେହି ଦଳ ସହ ସମନ୍ୱୟ ରକ୍ଷା ନ କରି ବିଜେପିକୁ ପ୍ରତିହତ କରିବା ମେଣ୍ଟ ପକ୍ଷରେ ହୁଏତ ସମ୍ଭବ ହୋଇ ନ ପାରେ। ତା’ ଛଡା ଉଭୟ ଶରଦ ପାୱାର ଓ ମମତା ବାନାର୍ଜୀଙ୍କ କଂଗ୍ରେସ ପୃଷ୍ଠଭୂମିରୁ ଆସିଥିବାରୁ କଂଗ୍ରେସ ସହ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରିପାରନ୍ତି। ଭବିଷ୍ୟତରେ ଜାତୀୟ ସ୍ତରରେ ଅନ୍ୟ ଦଳର ନେତାମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ ମମତା ବାନାର୍ଜୀ ପିକେଙ୍କୁ ଉପଯୋଗ କରି ପାରନ୍ତି। ଅବଶ୍ୟ ଏ ଦିଗରେ ଟିଏମସିର ଜାତୀୟ ଉପ ସଭାପତି ତଥା ପୂର୍ବତନ ବରିଷ୍ଠ ବିଜେପି ନେତା ଯଶୱନ୍ତ ସିହ୍ନାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।

ପଶ୍ଚିମବଙ୍ଗ ନିର୍ବାଚନ ବେଳେ ଶରଦ ପାୱାର ମମତା ବାନାର୍ଜୀଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ। ସେହିପରି ମମତାଙ୍କ ସପକ୍ଷରେ ବାହାରିଥିବା ଅନ୍ୟାନ୍ୟ ଦଳ ଓ ନେତାମାନେ ଥିଲେ ଶିବସେନା, ଆମ ଆଦମୀ ପାର୍ଟିର ଅରବିନ୍ଦ କେଜରିୱାଲ, ଆରଜେଡିର ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଜେଏମଏମର ହେମନ୍ତ ସୋରେନ, ନ୍ୟାସନାଲ କନଫରେନ୍ସର ଓମର ଅବଦୁଲ୍ଲା ଇତ୍ୟାଦି। ଦଳ ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ ଓ ଝାରଖଣ୍ଡରେ ବିସ୍ତାର ଯୋଜନାକୁ ରୂପାୟିତ କରିବାକୁ ଅଗ୍ରସର ହେଲେ ଏମାନଙ୍କ ମଧ୍ୟରୁ ଆପ୍, ଆରଜେଡି, ଏସପି ଓ ଜେଏମଏମ ସହ ସ୍ୱାର୍ଥଦ୍ୱନ୍ଦ୍ୱ ହୋଇପାରେ। ବିଜେପିକୁ ରୋକିବା ମମତାଙ୍କର ମୂଳ ଲକ୍ଷ୍ୟ ହୋଇଥିବାରୁ ଯେଉଁଠାରେ ଦଳର ବିସ୍ତାର ବିଜେପିକୁ ଦୁର୍ବଳ କରିବାର ସମ୍ଭାବନା ଅଧିକ ଥିବ କେବଳ ସେହି ସ୍ଥାନମାନଙ୍କରେ ଦଳୀୟ ବିସ୍ତାରକୁ ତ୍ୱରାନ୍ୱିତ କରା ଯାଇପାରେ। ତେଣୁ ତାଙ୍କ ବିସ୍ତାର ଯୋଜନାର ବିଜେପି ଉପରେ କିଛିଟା ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଅନୁଭୂତ ହୋଇପାରେ। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପି ବିରୁଦ୍ଧରେ ଟିଏମସି ‘ବହିରାଗତ’ ପ୍ରସଙ୍ଗଟିକୁ ଗୁରୁତ୍ୱର ସହ ଉଠାଇଥିବାରୁ ତାହା ହିଁ ଦଳ ପାଇଁ ଅନ୍ୟ ରାଜ୍ୟରେ ବିସ୍ତାର କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରିପାରେ। ଟିଏମସି ଦଳର ସାଂଗଠନିକ ବିସ୍ତାର ଓ ରଣନୀତି ବିଜେପିର ଅନ୍ୟ ରାଜ୍ୟଗୁଡିକରେ ଅଗ୍ରଗତିକୁ ପ୍ରତିହତ କରିବାରେ କେତେ ଦୂର ଫଳପ୍ରଦ ହେବ, ତାହା ସମୟ କହିବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।