ପଞ୍ଚାନନ କାନୁନ୍ଗୋ
ଗତ କିଛି ବର୍ଷ ଧରି ଓଡ଼ିଶାର ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚାର ବଡ଼ କେନ୍ଦ୍ରବିନ୍ଦୁ ଥିଲା ‘ନବୀନଙ୍କ ବିକଳ୍ପ ନାହିଁ’। ବଡ଼ ବଡ଼ ଚିନ୍ତକ ଓ ରାଜନୈତିକ ସମୀକ୍ଷକଙ୍କର ସେଇ ଗୋଟିଏ ପ୍ରଶ୍ନ ଥିଲା। ଯାହାର ଉତ୍ତରରେ ‘ନବୀନଙ୍କ ବିକଳ୍ପ’ ଖୋଜିବା ଆଦୌ ସମ୍ଭବପର ନଥିଲା ବୋଲି ଧାରଣା ଦୃଢ଼ ହୋଇଥିଲା। କାରଣ ସେ ଥିଲେ ଏ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପୁତ୍ର। ବିଜୁବାବୁ କଂଗ୍ରେସରେ ଥାଇ ଓ କଂଗ୍ରେସରୁ ଅଲଗା ହୋଇ ନିଜର ନେତୃତ୍ୱ ପ୍ରତିଷ୍ଠା କରିଥିଲେ। ନବୀନ ବାବୁ ଦିଲ୍ଲୀରେ ବହୁ ବଡ଼ ବଡ଼ ସାମ୍ବାଦିକ, ରାଜନେତାଙ୍କ ସଂପର୍କରେ କେବଳ ଆସି ନଥିଲେ, ଦେଶ ବାହାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଜ୍ୟାକ୍ଲିନ୍ କେନେଡ଼ି, ମିକ୍ ଜ୍ୟାଗରଙ୍କ ସଂପର୍କରେ ମଧ୍ୟ ଆସିଥିଲେ। ପ୍ରସିଦ୍ଧ ଡୁନ୍ ସ୍କୁଲାର ଛାତ୍ର ଥିଲେ। ବହୁ ଦେଶ ଭ୍ରମଣରେ ସମୟ ବିତାଇଛନ୍ତି ଓ ଅନେକ ଅଭିଜ୍ଞତାର ଅଧିକାରୀ ଥିବାର ଲୋକେ ଜାଣିଥିଲେ।
ରାଣୀହଂସପୁରୀ ସୌନ୍ଦର୍ଯ୍ୟର ଚିତ୍ର ବର୍ଣ୍ଣନା ଓ ଔଷଧୀୟ ବୃକ୍ଷର ଉପକାରୀତା ବିଷୟରେ କିଛି ତଥ୍ୟ ଥିବା ‘ଦ ସେକେଣ୍ଡ୍ ପାରାଡାଇଜ୍’ ଓ ‘ଲାଇଫ୍ ଇନ୍ ଗାର୍ଡ଼େନ୍’ ପରି ଇଂରାଜୀ ପୁସ୍ତକ ଲେଖିଥିବାର ପରିଚୟ ଥିଲା। ତାଙ୍କର ବହି କେହି ପଢ଼ିଥା’ନ୍ତୁ ବା ନଥାନ୍ତୁ ସେ ଯେ ଆନ୍ତର୍ଜାତିକ ସ୍ତରର ଲେଖିକା ଭଉଣୀ ଗୀତା ମେହେଟାଙ୍କ ସମକକ୍ଷ ବୋଲି ପ୍ରଚାର ହୋଇଥିଲା। ଯେହେତୁ ସେ ଦୂରରେ ଥିଲେ, ତାଙ୍କ ସଂପର୍କରେ ଅନେକ କାହାଣୀମାନ ଲୋକମଣ୍ଡଳରେ ଘୂରି ବୁଲୁଥିଲା। ସେ ବିଜୁବାବୁଙ୍କ ପରେ ରାଜ୍ୟର ଅନ୍ୟତମ ମୁଖ୍ୟ ରାଜନୈତିକ ଦଳ ଜନତା ଦଳରେ ପ୍ରବେଶ କରି ପାର୍ଲାମେଣ୍ଟର ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଯାଇଥିଲେ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଗୋଟିଏ ଭଲ ବିଭାଗର ଅଧିକାରୀ ହୋଇଯାଇଥିଲେ।
ବିଜୁବାବୁଙ୍କ ପୁଅ ହିସାବରେ ସେ ଏକ ‘ବିକଳ୍ପ’ ଭାବେ ସାମ୍ନାକୁ ଆସିଥିଲେ ଓ ଗୃହୀତ ହୋଇଯାଇଥିଲେ। ଏପରି ଏକ ଉଚ୍ଚ ବ୍ୟକ୍ତିତ୍ୱ ତାଙ୍କୁ ନେଇ ଗଢ଼ି ଉଠିଥିଲା ଯେ ତାଙ୍କର ବିକଳ୍ପ ଖୋଜି ବାହାର କରିବା କଷ୍ଟସାଧ୍ୟ ଥିଲା। ସବୁଠାରୁ ବଡ଼କଥା ହେଲା ତାଙ୍କ ପୂର୍ବରୁ ଯେଉଁ ୧୫ ଜଣ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ସେମାନେ ସମସ୍ତେ ନିଜ ନିଜର ରାଜନୈତିକ ପରିଚୟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଜନମାନସରେ ସୃଷ୍ଟି କରିସାରିଥିଲେ ଓ ଦଳର ନେତା ଚୟନ ବେଳେ କୌଣସି ଭାବେ କେହି ତାଙ୍କର ବିକଳ୍ପ ଖୋଜି ନଥିଲେ। ବରଂ କ୍ଷମତାରେ ଥାଇ ମଧ୍ୟ ନିର୍ବାଚନରେ ଜନସାଧାରଣ ସେହି ନେତାମାନଙ୍କ ବିରୁଦ୍ଧରେ ମତଦେଇ ତାଙ୍କୁ ପରାଜିତ କରିଥିଲେ। ବିଜୁବାବୁଙ୍କୁ ହରାଇ ଯେଉଁମାନେ ବିଧାନସଭାକୁ ଆସିଥିଲେ ସେମାନେ କେହି ଜଣେ ହେଲେ ବିଜୁବାବୁଙ୍କ ସମକକ୍ଷ ଥିଲେ କି ନାହିଁ ତା’ର ତୁଳନା କେହି କେବେ ଭୋଟ ବେଳେ କରି ନଥିଲେ।
ଅଳ୍ପ କେତେଜଣ ମୁଖ୍ୟମନ୍ତ୍ରୀ, ସେମାନଙ୍କ ମଧ୍ୟରେ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନୀଳମଣି ରାଉତରାୟ, ବିଶ୍ୱନାଥ ଦାସ ଆଦି ଥିଲେ ଓ ଦଳର ନିର୍ବାଚିତ ପ୍ରତିନିଧି ଭାବେ ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ଅନେକେ ଜାତୀୟ ନେତୃତ୍ୱ (କଂଗ୍ରେସର ଦିଲ୍ଲୀ ନେତୃତ୍ୱ) ଦ୍ୱାରା ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ନନ୍ଦିନୀ ଶତପଥୀ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ, ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ। ଯଦିଓ ନନ୍ଦିନୀ ଶତପଥୀଙ୍କୁ କେନ୍ଦ୍ରୀୟ ଦଳ ପ୍ରାୟତଃ ନିର୍ବାଚିତ ବିଧାୟକମାନଙ୍କ ଉପରେ ଲଦି ଦେଇଥିଲେ ସେ କିନ୍ତୁ ପରବର୍ତ୍ତୀ କାଳରେ କଟକ ଉପନିର୍ବାଚନରେ ଜୟଲାଭ କରି ମୁଖ୍ୟମନ୍ତ୍ରୀ ଆସନରେ ବିଧିବଦ୍ଧ ଭାବେ ରହିଗଲେ।
ସମସ୍ତ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ସ୍ୱଳ୍ପ ଅବଧିର ଥିଲା। କେବଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର କାର୍ଯ୍ୟକାଳ ୩ ଥରରେ ୧୪ ବର୍ଷ ପାଖାପାଖି ଥିଲା। ୧୯୯୦ରୁ ୧୯୯୫ ମସିହା ଭିତରେ ଦଳୀୟ ଚାପରେ କିଛି କାଳ ପାଇଁ ହେମାନନ୍ଦ ବିଶ୍ୱାଳ (୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୯ ଏବଂ ୧୯୯୯, ୬ଡିସେମ୍ବରରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ) ଓ ଗିରିଧର ଗମାଙ୍ଗ (୧୯୯୯)ରେ ମୁଖ୍ୟମନ୍ତ୍ରୀ ଥିଲେ। ବିନାୟକ ଆଚାର୍ଯ୍ୟ ମଧ୍ୟ ୧୯୭୬ରୁ ୧୯୭୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ।
କିନ୍ତୁ ଚମତ୍କାରିତା ଦେଖାଇଥିଲେ ନବୀନ ବାବୁ, ୨୦୦୦ ମସିହା ମାର୍ଚ୍ଚରୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ଜନତା ଦଳ ଭାଙ୍ଗି ଏକ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଗଠନ କରି ତା’ର ସର୍ବମୟ କର୍ତ୍ତା ହୋଇ ଯାଇଥିଲେ। ପ୍ରଥମରୁ ଦଳ ଭିତରେ ଥିବା ପ୍ରମୁଖ ବ୍ୟକ୍ତିମାନଙ୍କୁ ହଟାଇବାରେ ସକ୍ଷମ ହୋଇଥିଲେ। ଯେଉଁଥିପାଇଁ ତାଙ୍କ ଦଳ ଭିତରେ ତାଙ୍କର ବିକଳ୍ପ ଭାବେ କେହି ଜଣେ ଉଠିପାରି ନଥିଲେ ଓ ତାଙ୍କ ସମୟର ବିରୋଧୀ ରାଜନୈତିକ ଦଳ ସବୁ ଦୁର୍ବଳ ଥିଲା। ଦୀର୍ଘ ୨୪ ବର୍ଷ କାଳ (୨୦୦୦-୨୦୨୪) ପର୍ଯ୍ୟନ୍ତ ପାଞ୍ଚ ପାଞ୍ଚ ଥର ତାଙ୍କୁ ସଂଖ୍ୟା ଗରିଷ୍ଠତା ଦେଇ ଜନସାଧାରଣ ନିର୍ବାଚିତ କରିଥିଲେ।
ହଠାତ୍ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ଜନତା ଅଦ୍ଭୂତ ପୂର୍ବ ଚୟନ କଲେ। ରାଜ୍ୟର ୨୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିକରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ୨୦ଟିରେ ଭାଜପା ପ୍ରାର୍ଥୀମାନେ ବିଜୟ ଲାଭ କଲେ। ନବୀନବାବୁଙ୍କ ନିଜ ଦଳ ବିଜୁ ଜନତା ଦଳ ଗୋଟିଏ ବି ଆସନ ଲାଭ କଲାନାହିଁ। ଏକ ସଂଗରେ ବିଧାନସଭା ନିର୍ବାଚନ ହୋଇଥିବାରୁ ୭୮ଟି ବିଧାନସଭା ଆସନ ଭାଜପାକୁ ଗଲା। ୫୧ଟି ଆସନ ବିଜୁ ଜନତା ଦଳକୁ ଗଲା। କଂଗ୍ରେସକୁ ମାତ୍ର ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଭାରତୀୟ ଜନତାପାର୍ଟି, ବିଜୁ ଜନତା ଦଳର ବିକଳ୍ପ ଭାବେ ସଂଖ୍ୟାଗରିଷ୍ଠତା ହାସଲ କଲା। ମୁଖ୍ୟମନ୍ତ୍ରୀ ଭାବେ ଯାହାଙ୍କୁ ଚୟନ କରାଗଲା ସେ ହେଲେ ମୋହନ ଚରଣ ମାଝୀ। ଜଣେ ଆଦିବାସୀ ସଂପ୍ରଦାୟର ସାଧାରଣ ପରିବାରରୁ ଆସି ସେ କେଉଁଝର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ପ୍ରଥମେ ଜଣେ ସ୍କୁଲ (ସରସ୍ୱତୀ ବିଦ୍ୟାମନ୍ଦିର)ର ଶିକ୍ଷକ ଥିଲେ। ପରବର୍ତ୍ତୀ କାଳରେ ସରପଞ୍ଚ ଭାବେ ସାଧାରଣ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ୨୦୦୦, ୨୦୦୪, ୨୦୧୯ରେ ବିଧାନସଭାକୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।
ଏବେ ୨୦୨୪ରେ ପୁନଶ୍ଚ ନିର୍ବାଚିତ ହୋଇ ଦଳ ଦ୍ୱାରା ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେଲେ। ସେ ହିଁ ହେଲେ ନବୀନ ବାବୁଙ୍କର ନିର୍ବାଚିତ ବିକଳ୍ପ। ତାଙ୍କ ପଛରେ କୌଣସି ରାଜନୈତିକ ବୁନିଆଦି ବା ବଂଶ ପରମ୍ପରା ନାହିଁ। ସେ ବିଦେଶ ବା ଦେଶ ଭିତରେ କେଉଁ ଖ୍ୟାତି ସମ୍ପନ୍ନ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ନଥିଲେ। ଏଥରକୁ ମିଶାଇ ୪ ଥର ନିର୍ବାଚିତ ହୋଇଥିବା ମୋହନ ମାଝୀ ହିଁ ହେଲେ ନବୀନ ବାବୁଙ୍କ ବିକଳ୍ପ । ବିକଳ୍ପ ଅନ୍ୱେଷଣର ଅନ୍ତଃ ଘଟିଲା। ସମସ୍ତଙ୍କୁ ଗତ ୨୦୨୪ର ସାଧାରଣ ନିର୍ବାଚନ ଶିକ୍ଷା ଦେଲା ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନତାର ରାୟ ହିଁ ହେଉଛି ସର୍ବୋଚ୍ଚ ଓ ସର୍ବଶ୍ରେଷ୍ଠ। ନିର୍ବାଚନ ମାଧ୍ୟମରେ ଜନସାଧାରଣ ହିଁ ଦଳ ଓ ପ୍ରାର୍ଥୀ ଚୟନ କରିଥାନ୍ତି। ତଥାକଥିତ ଶିକ୍ଷିତ ଓ ରାଜନୈତିକ ସମୀକ୍ଷକମାନେ ବିକଳ୍ପ ଅନ୍ୱେଷଣ କଥା କହି ସାଧାରଣଙ୍କୁ ଭୁଆଁ ବୁଲାଇଥାନ୍ତି ଓ ନିଜର ଅଜ୍ଞତା ପ୍ରକାଶ କରିଥାନ୍ତି। ଏହି ନିର୍ବାଚନ ହିଁ ସବୁଠାରୁ ବଡ଼ ଶିକ୍ଷା ଦେଇଛି। ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିବେ।
ସମୟ କହିବ ସେ ତାଙ୍କର ପୂର୍ବ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଲୋକପ୍ରିୟ ହେଉଛନ୍ତି କି ନାହିଁ? କିନ୍ତୁ ଏକଥା ଇତିହାସ କହିବ ଯେ ଜନତା ହିଁ ବିକଳ୍ପ ଦଳ ଓ ନେତା ସୃଷ୍ଟି କରନ୍ତି। ଅବଶ୍ୟ ଶ୍ରୀ ମାଝୀ ତାଙ୍କ ନିଜର ଭୁଲ୍ ପାଇଁ ନହେଲେ ମଧ୍ୟ ତାଙ୍କ ଦଳର ଭୁଲ୍ ପାଇଁ ପ୍ରତ୍ୟାଖ୍ୟାତ ହେବାରେ କେହି ଆଶ୍ଚର୍ଯ୍ୟ ହେବାରେ ନାହିଁ। ୨୦୨୪ର ସାଧାରଣ ନିର୍ବାଚନ ପ୍ରମାଣ କରିଛି ଯେ ଲୋକତନ୍ତ୍ରର ବିକଳ୍ପ ଅନ୍ୱେଷଣ ନକରି ବିକଳ୍ପ ବ୍ୟବସ୍ଥା ସୃଷ୍ଟି କରାଯାଇଥାଏ ବା ସୃଷ୍ଟି ହୋଇଥାଏ।
ଫୋ- ୯୪୩୮୩୬୦୮୪୯