ଦେବ ରଞ୍ଜନ
ଫିଲ୍ମ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ ଟିଭିରେ ଦେଖୁଥିଲି। ଏହାର କଥାବସ୍ତୁ ଅମିତାଭ ବଚନ-ହେମା ମାଳିନୀଙ୍କ ଅଭିନୀତ ‘ବାଗୱାନ’ ଓ ରାଜେଶ ଖାନ୍ନା-ଶାବନା ଆଜମିଙ୍କ ‘ଅବତାର’ ସହିତ ସମାନ ହୋଇଥିଲେ ମଧ୍ୟ ବେଶ ଉନ୍ନତ। ମହିଳାଙ୍କ ନିଷ୍ପତ୍ତିକୁ ଏହି ଫିଲ୍ମରେ ଯେତେ ଗୁରୁତ୍ଵ ଦିଆଯାଇଛି ସେଭଳି ଗୁରୁତ୍ଵ ‘ଅବତାର’ ଓ ‘ବାଗୱାନ’ରେ ନାହିଁ।
କହିବାକୁ ଗଲେ ଫିଲ୍ମ ତ୍ରୟ ‘ଅବତାର’ (୧୯୮୩), ‘ବାଗୱାନ’ (୨୦୦୩) ଓ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ (୨୦୧୯)ର କଥାବସ୍ତୁ ହେଲା ବାପା ମାଆ ବେଶ କଷ୍ଟ ସ୍ଵୀକାର କରି ନିଜର ପୁଅ ଓ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେଉଛନ୍ତି। ପିଲା ବେଳେ ବେଶ କଷ୍ଟ କରି ସେମାନଙ୍କ ଯତ୍ନ ନେଉଛନ୍ତି। ବାର୍ଦ୍ଧକ୍ୟ ସମୟରେ ପିଲାମାନେ ନିଜର ସ୍ଵାର୍ଥ ଅଧିକ ଦେଖୁଛନ୍ତି। ବାପା ମା’ଙ୍କୁ ହତାଦର କରୁଛନ୍ତି। ଏଥିରେ ଯେଉଁ ଅଳ୍ପ ପାର୍ଥକ୍ୟ ରହିଛି ତାହା ହିଁ ଓଡ଼ିଆ ଫିଲ୍ମକୁ ଉଭୟ ହିନ୍ଦୀ ଫିଲ୍ମଠାରୁ ଭିନ୍ନ ଓ ଉନ୍ନତ କରିଦେଇଛି। ମୋତେ ଖୁସି ଲାଗିଲା ଯେ ଏହାର ପ୍ରଯୋଜକ ରିସ୍କ ନେଇ ଏଭଳି ଓଡ଼ିଆ ଫିଲ୍ମ ନିର୍ମାଣ କରିପାରିଛନ୍ତି।
ରାଜେଶ ଖାନ୍ନା ‘ଅବତାର’ ଫିଲ୍ମରେ ଜଣେ ମେକାନିକ ଓ ସେ ଅତି ଧନୀ ବାପାର ଝିଅ ଶାବନା ଆଜମିଙ୍କୁ ବିବାହ କରିଛନ୍ତି। ଏହା ୧୯୮୩ ମସିହାର ଫ୍ୟାମିଲି ଡ୍ରାମା। ଗରିବ ପୁଅ ଓ ଧନୀ ଝିଅର ପ୍ରେମ କାହାଣୀରେ ବାପା ଏକ ଖଳନାୟକ ହେବା ପୁରୁଣା କାହାଣୀ ଅନେକ ଫିଲ୍ମରେ ପରେ ଦେଖାଯାଇଛି। ‘ଅବତାର’ରେ ରାଜେଶ ଖାନ୍ନାଙ୍କ ଶ୍ଵଶୁର ଖଳନାୟକ ହୋଇନାହାନ୍ତି। ଏଥିରେ ତାଙ୍କର ଦୁଇ ପୁଅ ଭଲ ଚାକିରି କରିଛନ୍ତି ଓ ଧନୀ ଝିଅଙ୍କୁ ବିବାହ ପରେ ବାପା ମା’ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ବାପା ଏକ ଦୁର୍ଘଟଣାରେ ନିଜର ହାତ ହରାଇବା ସମୟରେ ପୁଅମାନେ ବାପା ମା’ଙ୍କୁ ପଚାରୁନାହାନ୍ତି। ପରେ ବାପା ନିଜର ମେକାନିକ ଜ୍ଞାନ ନେଇ ଅତ୍ୟଧିକ ଧନୀ ହୋଇଛନ୍ତି, କିନ୍ତୁ, ପୁଅମାନଙ୍କୁ ସେଥିରୁ କୌଣସି ଅଂଶ ଦେଉନାହାନ୍ତି। ଶାବନା ଆଜମିଙ୍କ ଫିଲ୍ମ ଇତିହାସ ଦେଖିଲେ ଏହା ତାଙ୍କ ଲାଗି ଏକ ଦୁର୍ବଳ ଫିଲ୍ମ।
ସେହି ସମାନ କଥା ‘ବାଗୱାନ’ ଫିଲ୍ମରେ ରହିଛି। ବାପା ମା’ (ଅମିତାଭ ବଚନ ଓ ହେମା ମାଳିନୀ) ନିଜର ଚାରି ପୁଅଙ୍କୁ ନେଇ ଅନେକ ସ୍ଵପ୍ନ ଦେଖୁଛନ୍ତି। କିନ୍ତୁ ପୁଅମାନେ ଦେଶର ବିଭିନ୍ନ ସହରରେ ନିଯୁକ୍ତ ହେବା ପରେ ବାପା ମା’ଙ୍କୁ ନିଜର ବୋଝ ମନେକରୁଛନ୍ତି। ଛଅ ମାସିଆ ଭାଗ ବଣ୍ଟା ଭିତରେ ଉଭୟ ବାପା ଓ ମା’ ପୁଅମାନଙ୍କ ପାଖରେ ଅସମ୍ମାନିତ ହୋଇ ପୁଣି ନିଜ ପୁରୁଣା ଘରେ ନୂଆ ଜୀବନ ଆରମ୍ଭ କରୁଛନ୍ତି। ହେମା ମାଳିନୀ ସ୍ତ୍ରୀ ଭାବରେ ସ୍ଵାମୀ ଅମିତାଭଙ୍କ ସହଯୋଗୀର ଭୂମିକା ନେଉଛନ୍ତି। କିଛି ପ୍ରତିବାଦ ନାହିଁ, କିଛି ପ୍ରତିକ୍ରିୟା ନାହିଁ। କେବଳ ସ୍ୱାମୀଙ୍କ ସହଯୋଗୀ ଭାବରେ ଚାଲିଛନ୍ତି। ବାପା ଅମିତାଭ ଜଣେ ଲେଖକ ଭାବରେ ସମଗ୍ର ଘଟଣାକୁ ଉପନ୍ୟାସ ଆକାରରେ ଲେଖି ପୁଅମାନଙ୍କ ବ୍ୟବହାରର ପ୍ରତିବାଦ କରିଛନ୍ତି।
‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ରେ କିନ୍ତୁ ଭିନ୍ନତା ରହିଛି। ଏଥିରେ ମହେଶ୍ଵତା ରାୟ ଓ ଅଜିତ ଦାଶଙ୍କ ଦୁଇ ପୁଅ ଝିଅ ପରିବାର। ସମସ୍ତେ ବାହାରେ ଭଲ ଚାକିରି କରୁଛନ୍ତି। କିନ୍ତୁ ଅଜିତ ଦାଶଙ୍କ ଅସୁସ୍ଥତା ଖବର ଏପରିକି ମୃତ୍ୟୁ ଖବର ପାଇ ମଧ୍ୟ କେହି ଆସୁନାହାନ୍ତି। ମହେଶ୍ଵତା ଯେତେବେଳେ ନିଜର ପୁନଃ ବିବାହର ବାର୍ତ୍ତା ଦେଉଛନ୍ତି ସେତେବେଳେ ସମସ୍ତ ପୁଅ ବୋହୁ ଝିଅ ଜୋଇଁ ସମସ୍ତେ ଏକା ସାଥିରେ ଆସିଯାଉଛନ୍ତି। କାହାଣୀ ସହିତ ମହେଶ୍ଵତା ରାୟଙ୍କ ଭୂମିକା ବଳିଷ୍ଠ ହୋଇଛି। ନାରୀର ସ୍ଵାଧୀନତା, ପ୍ରତିବାଦ ଓ ସମ୍ମାନ ଉଭୟ ‘ଅବତାର’ ଓ ‘ବାଗୱାନ’ରେ ନାହିଁ ଯାହା ‘ଲାଲପାନ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ରେ ରହିଛି।
ପ୍ରଯୋଜକ ଓ ନିର୍ଦ୍ଦେଶକ ବଜାରର ଆଳରେ ଅନେକ ‘ମସଲା’ ଦେଇ ଫିଲ୍ମକୁ ତିଆରି କରିଥାନ୍ତି। ସେହି ମସଲାର ବସ୍ତୁ ନାରୀ ହୋଇଯାଏ। ଫିଲ୍ମରେ ଏହା ଅଧିକ ଦେଖାଯାଏ। କିନ୍ତୁ ଏହା କଣ ସତରେ ଫିଲ୍ମକୁ କଳାତ୍ମକ କରିପାରିଛି ନା ଏହାର କଥାବସ୍ତୁ ଦର୍ଶକ ମନରେ ଦୀର୍ଘ ଦିନ ବାନ୍ଧି ରଖିପାରିଛି? ‘ଲାଲପାନ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ରେ ଆଦୌ ‘ମସଲା’ ନାହିଁ। ଏହା ବେଶ ପ୍ରଭାବଶାଳୀ ଫିଲ୍ମ।
ହିନ୍ଦୀ ଫିଲ୍ମ ‘ଅବତାର’ ଓ ‘ବାଗୱାନ’ରେ ସାମଞ୍ଜସ୍ୟ ହେଲା ପୁଅ ବଦଳରେ ଚାକର ଓ ପୋଷ୍ୟ ପୁତ୍ରର ଭୂମିକା। ‘ଅବତାର’ରେ ସଚୀନ ପିଲଗାଁଓକର ଚାକର ଭାବରେ ଯେମିତି ରାଜେଶ ଖାନ୍ନା ଓ ଶାବନା ଆଜମିଙ୍କ ଯତ୍ନ ନେଉଛନ୍ତି ସେମିତି ‘ବାଗୱାନ’ରେ ଅମିତାଭ-ହେମା ମାଲିନୀଙ୍କ ଦ୍ଵାରା ଉପକୃତ ହୋଇଥିବା ସଲମନ ଖାନ ସେହି ଭୂମିକା ନେଉଛନ୍ତି। ଅବତାର’ରେ ପୁଅ ନପଚାରିଲେ ବି ଚାକର ପଚାରୁଛି। ସେ ମାଲିକ ମାଲିକାଣୀଙ୍କୁ ଛାଡ଼ି ଯାଉନାହିଁ। ‘ବାଗୱାନ’ରେ ପିତୃମାତୃହୀନ ପୁଅ ଭାବରେ ସଲମାନ ନିଜର ବାପା ମା’ ଭାବରେ ଅମିତାଭ ବଚନ ଓ ହେମା ମାଳିନୀଙ୍କୁ ଭାବିଛନ୍ତି ତାଙ୍କର ଯତ୍ନ ନେଉଛନ୍ତି। ନିଜ ପୁଅର ଅମଣିଷ ପଣିଆକୁ ଅଧିକ ଦେଖାଇବା ଲାଗି ନିର୍ଦ୍ଦେଶକ ‘ଅବତାର’ ଫିଲ୍ମରେ ସଚୀନ ପିଲଗାଁଓକର ଓ ‘ବାଗୱାନ’ରେ ଯୁବକ ସଲମନ ଖାନଙ୍କ ଭୂମିକାକୁ ଟାଣି ଆଣିଛନ୍ତି। ଏହା ଆଦୌ ସୃଜନଶୀଳତା ନୁହେଁ।
ଓଡ଼ିଆ ଫିଲ୍ମ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ର ବିଶେଷତ୍ଵ ହେଲା ଯେ ଏହାର କଥାବସ୍ତୁ ସେହି ଚାଲାକି ଠାରୁ ନିଜକୁ ଦୂରେଇ ନେଇଛି। ଏଠାରେ ଉଭୟ ମହେଶ୍ଵତା ରାୟ ଓ ଅଜିତ ଦାଶଙ୍କ ପୁରୁଣା ବନ୍ଧୁଙ୍କ ଭୂମିକା ଫିଲ୍ମର କଥାବସ୍ତୁକୁ ବଳିଷ୍ଠ କରିଛି। ଅଜିତ ଦାଶଙ୍କ ଫିଲ୍ମରେ ମୃତ୍ୟୁ ହୋଇଯାଉଛି। ମୃତ୍ୟୁର ଶେଷକ୍ରିୟାରେ ମଧ୍ୟ କୌଣସି ପୁଅ ଯୋଗ ଦେଉନାହାନ୍ତି। ମହେଶ୍ଵତା ସେହି ବନ୍ଧୁଙ୍କ ହେତୁ ଧୀରେ ଧୀରେ ନିଜକୁ ପ୍ରକୃତିସ୍ଥ କରୁଛନ୍ତି। ମହେଶ୍ଵତା କାଳେ ବାପାଙ୍କ ପୁରୁଣା ବନ୍ଧୁଙ୍କୁ ଅଥବା ଅନ୍ୟ କାହାରିକୁ ବିବାହ କରିଦେବେ ଯାହାଦ୍ୱାରା ସମସ୍ତ ସମ୍ପତ୍ତି ଉପରେ ପୁଅ ଝିଅଙ୍କ ଅଧିକାର ରହିବ ନାହିଁ ଏଥିଲାଗି ମା’ର ନିଷ୍ପତ୍ତିକୁ ପ୍ରତିବାଦ କରିବା ଲାଗି ସମସ୍ତେ ମା’ର ପୁନଃ ବିବାହର ଚିଠି ପାଇ ଘରକୁ ଆସିଛନ୍ତି। ଏହି କଥାବସ୍ତୁରେ ଚାକର କି ପୋଷ୍ୟପୁତ୍ର ନାହିଁ ଯାହା ମାଧ୍ୟମରେ ପୁଅ ଝିଅଙ୍କ ଅମଣିଷ ପଣିଆକୁ ଦେଖାଇବାର ଅଛି।
ଓଡ଼ିଆ ଫିଲ୍ମରେ ମୁଁ ମହେଶ୍ଵତାଙ୍କୁ ‘ଶେଷ ଶ୍ରାବଣ’ ଫିଲ୍ମରୁ ଦେଖିଆସୁଛି। ତାଙ୍କର ବଳିଷ୍ଠ ଅଭିନୟ ଅନନ୍ୟ। ଓଡ଼ିଆ ଫିଲ୍ମରେ ମହେଶ୍ଵତାଙ୍କ ଦୃଢ଼ ଉପସ୍ଥିତି ରହିବା ହେତୁ ପ୍ରଥମେ ‘‘ଲାଲପାନ ବିବି’ ଓ ପରେ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ ତିଆରି ହୋଇଛି। କୌଣସି ଭାଷାରେ ଫିଲ୍ମର କଥାବସ୍ତୁ ସେହି ଭାଷାରେ ଉନ୍ନତ କଳାକାର ରହିଥିଲେ ସେଭଳି ଫିଲ୍ମ ନିର୍ମାଣରେ ସହଜ ହୋଇଥାଏ। ହେଲେ ଏହା ସର୍ବଦା ସହଜ ନୁହେଁ।
ପଚାଶ ଦଶକରେ ନାର୍ଗିସ ଦତ୍ତଙ୍କ ‘ମଦର ଇଣ୍ଡିଆ’ (୧୯୫୭) ଫିଲ୍ମ ଭଳି ଶକ୍ତିଶାଳୀ ଫିଲ୍ମ ପରବର୍ତ୍ତୀ ସମୟରେ ହୋଇପାରିଲା ନାହିଁ। ପରେ ହିନ୍ଦୀ ଫିଲ୍ମକୁ ପ୍ରଯୋଜନା, ସରକାରୀ ସହଯୋଗ, ବିରାଟ ମାର୍କେଟ, ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। କିନ୍ତୁ ଆଉ ଏକ ‘ମଦର ଇଣ୍ଡିଆ’ (୧୯୫୭) ଫିଲ୍ମ ତିଆରି ହୋଇପାରିନାହିଁ। ଏପରିକି ସବୁଠାରୁ ଦକ୍ଷତାପୂର୍ଣ୍ଣ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପସ୍ଥତି ସତ୍ତ୍ୱେ ତାଙ୍କୁ ନେଇ ମହିଳାଙ୍କ ସମସ୍ୟା ସମ୍ବନ୍ଧିତ ମହିଳା କେନ୍ଦ୍ରିକ ଫିଲ୍ମ ହୋଇପାରିଲା ନାହିଁ। ‘ସୀତା ଔର ଗୀତା’ ପରେ ହେମା ମାଳିନୀଙ୍କର ନାରୀ କୈନ୍ଦ୍ରିକ ଫିଲ୍ମ କାହିଁ? ହିନ୍ଦୀ ଫିଲ୍ମ ଜଗତ ଏତେ ବେଶୀ ପୁରୁଷକୈନ୍ଦ୍ରିକ ଯେ ମିନାକ୍ଷୀ ଶେଷାଦ୍ରିଙ୍କ ‘ଦାମିନୀ’ ପରେ ବୋଧେ ଆଉ ଫିଲ୍ମ ନାହିଁ। ‘ପିଂକ’ ଏ ଦିଗରେ ଏକ ଉନ୍ନତ ଫିଲ୍ମ ହୋଇଥିଲେ ବି ଅମିତାଭଙ୍କ ଭୂମିକା ଫିଲ୍ମର କଥାବସ୍ତୁକୁ ଗୌଣ କରିଛି। ସେହି ସ୍ଥାନରେ ନିଜେ ପୀଡ଼ିତା ମହିଳା ରହିଥିଲେ ଓ ତାହାର ପ୍ରତିବାଦ ନେବାର ଢଙ୍ଗ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲେ ତାହା ଅଧିକ ଦିନ ଲୋକଙ୍କ ମନରେ ରହିପାରିଥାନ୍ତା।
ମହେଶ୍ଵତାଙ୍କ ଦ୍ଵିତୀୟ ବିବାହ ଖବର ପାଇ ସ୍ଵାର୍ଥୀ ପୁଅ ଝିଅ ସମସ୍ତେ ‘ଲାଲପାନ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ରେ ଏକାଠି ହେଉଛନ୍ତି ଓ ସମସ୍ତେ ମା’କୁ ଉପଦେଶ ଦେବା ବେଳେ ସେହି ପୁରୁଷ ବନ୍ଧୁଙ୍କୁ ଅସମ୍ମାନିତ କରିବାକୁ ପଛାଉ ନାହାନ୍ତି। ଫିଲ୍ମର ଶେଷରେ ମା’ର ଦୀର୍ଘ ଭାଷଣ, ‘ମୁଁ ଯଦି ମୋର ବିବାହ କରିବା କଥା ନକହି ଅନ୍ୟ କିଛି କହିଥାନ୍ତି ତେବେ ତୁମେମାନେ କେହି ଆସିନଥାନ୍ତ’ ତାହା ଫିଲ୍ମକୁ ନୂଆ ସ୍ଥିତିକୁ ନେଇଯାଉଛି।
ନାରୀର ଆଦୌ ପରିଚୟ ନୁହେଁ ମା’, ସ୍ତ୍ରୀ, ଭଉଣୀ ଓ ଝିଅ ଭାବରେ। ପରିବାରର ସମ୍ବନ୍ଧ ମଧ୍ୟରେ ଏହା ଗୋଟିଏ ଗୋଟିଏ ଭୂମିକା। ଯେଉଁ ନାରୀ ସ୍ତ୍ରୀ ବା ମା’ ହେଉ ନାହିଁ ସେ କ’ଣ ନାରୀ ନୁହେଁ, ନା ମଣିଷ ନୁହେଁ? ନାରୀ ପ୍ରାଥମିକ ଭାବରେ ମଣିଷ ଓ ଶେଷ ପର୍ଯ୍ୟନ୍ତ ସେ ଜଣେ ମଣିଷ। ମହେଶ୍ଵତାଙ୍କର ନିଜ ପୁଅଝିଅଙ୍କ ପ୍ରତି ଏହାପରେ ନିର୍ଦ୍ଦେଶ ହେଲା, ‘ଆଇ ସେ ୟୁ ଗେଟ ଆଉଟ’ ଅର୍ଥାତ ମୁଁ ନିର୍ଦ୍ଦେଶ ଦେଉଛି ତୁମେ ମୋର ଘରୁ ସମସ୍ତେ ବାହାରିଯାଅ। ସେ ନିଜର ପୁଅଝିଅଙ୍କୁ ଘରୁ ବାହାର କରିଦେଇଛନ୍ତି।
ଜଣେ ସ୍ୱାଭିମାନୀ ମହିଳା ଭାବରେ ପୁଅଝିଅଙ୍କ ଆଚରଣର ପ୍ରତିବାଦରେ ସେମାନଙ୍କୁ ନିଜ ଘରୁ ବିତାଡିତ କରିଦେବାର ବଳିଷ୍ଠ ନିଷ୍ପତ୍ତିକୁ ଶୁଣାଇବା ଆଶ୍ଚର୍ଯ୍ୟର ବିଷୟ। ଏହି ହେତୁ ଏହି ଫିଲ୍ମକୁ ‘ଅବତାର’ ଓ ‘ବାଗୱାନ’ଠାରୁ ଅନେକ ଭିନ୍ନ ଓ ଉନ୍ନତ କରିଦେଉଛି। ଆଜି ପର୍ଯ୍ୟନ୍ତ ଯେଉଁଠି ଫିଲ୍ମରେ ନାରୀକୁ ମା’ ଭାବରେ ତୁଠ ପଥର କରି ରଖାଯାଉଥିଲା ଏହା ତାହାର ବହୁତ ବଡ଼ ବ୍ୟତିକ୍ରମ। ଏହା କେବଳ ବ୍ୟତିକ୍ରମ ନୁହେଁ, ସକାରାତ୍ମକ ଦିଗରେ ବଡ ପରିବର୍ତ୍ତନ। ଫିଲ୍ମର ଶେଷରେ ମହେଶ୍ଵତା ନିଜର ଘରେ ବୃଦ୍ଧାଶ୍ରମ ଖୋଲିଛନ୍ତି ଓ ଶେଷ ଜୀବନର ସାଥୀ ଭାବରେ ସେହି ବୃଦ୍ଧ ବୃଦ୍ଧାମାନଙ୍କୁ ବାଛିଛନ୍ତି।
ଓଡ଼ିଆ ଓ ହିନ୍ଦୀ ଫିଲ୍ମରେ ନାରୀକୁ କ୍ଵଚିତ ସମ୍ମାନର ସହିତ ଉପସ୍ଥାପିତ କରାଯାଇଥାଏ। ବରଂ ଦର୍ଶକଙ୍କ ଆଗ୍ରହର ବାହାନାରେ ପ୍ରଯୋଜକ ଓ ନିର୍ଦ୍ଦେଶକ ନିଜର ମହିଳା ବିରୋଧୀ ନିମ୍ନମାନର ଚିନ୍ତାଧାରାକୁ ସମାଜରେ ଦର୍ଶାଇଥାନ୍ତି। ଆଜି ଫିଲ୍ମ ପ୍ରତି ଲୋକେ ବିମୁଖ ହେବାର ଅନ୍ୟତମ କାରଣ ହେଲା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଶସ୍ତା ମନୋବୃତ୍ତି। ଏହାକୁ ଅତିକ୍ରମ କରି କଳାତ୍ମକ ହେବାକୁ ହେଲେ ଫିଲ୍ମକୁ ସମାଜ ମନସ୍କ ହେବା ଆବଶ୍ୟକ। ‘ଲାଲପାନ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ ଫିଲ୍ମ ଯଦିଓ ସଫଳ ହୋଇଛି ତଥାପି ଏ ଦିଗରେ ପୁଣି ସାହସ କରାଯାଇପାରିନାହିଁ। ସକାରାତ୍ମକ ମନ ନେଇ ନୂଆ ନୂଆ ଦିଗ ପ୍ରତି ଓଡିଆ ଫିଲ୍ମ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଫିଲ୍ମ ନିଜର ଦର୍ଶକ ତିଆରି କରିପାରିବ।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।