- ଭାଲଚନ୍ଦ୍ର ଷଡ଼ଙ୍ଗୀ
ଆଜିକୁ ୧୧୩ ବର୍ଷ ତଳେ ପ୍ରଥମ ଥର ପାଇଁ ‘ଦୈନିକ ଆଠ ଘଣ୍ଟାର ଶ୍ରମ ଦିବସ’ ଓ ‘ପୁରୁଷମାନଙ୍କ ଭଳି ଭୋଟଦାନର ଅଧିକାର’ ଦାବିରେ ଆମେରିକାରେ ବିଭିନ୍ନ କାରଖାନାରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କ ବଡ଼ ବଡ଼ ବିକ୍ଷୋଭର ଆୟୋଜନ ହୋଇଥିଲା। ତା’ ପର ବର୍ଷ ଅର୍ଥାତ୍ ୧୯୧୦ ମସିହାରେ କୋପନହେଗନ୍ ଠାରେ ଆୟୋଜିତ ଶ୍ରମଜୀବୀ ମହିଳାଙ୍କ ଅନ୍ତର୍ଜାତୀୟ ସମ୍ମିଳନୀରେ ଜର୍ମାନୀର କମ୍ୟୁନିଷ୍ଟ ନେତ୍ରୀ କାର୍ଲା ଜେଟକିନ୍ଙ୍କ ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ୱରେ ମହିଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଦିନଠାରୁ ମହିଳାଙ୍କ ସଂଘର୍ଷର ପ୍ରତୀକ ଭାବେ ପ୍ରତିବର୍ଷ ମହିଳା ଦିବସ ଅର୍ନ୍ତଜାତୀୟ ସ୍ତରରେ ପାଳନ ହେବା ସହ ତା’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି।
ଆଜି ବିଶ୍ୱରେ ଶିକ୍ଷା, ବିଜ୍ଞାନ ଓ ଗଣତାନ୍ତ୍ରିକ ବିଚାରଧାରାର ବ୍ୟାପକ ପ୍ରସାର ସତ୍ତ୍ୱେ ବି ସମାଜରେ ମହିଳାମାନେ ବିଦ୍ୱେଷ ଓ ହିଂସାର ଶୀକାର ହେବା ଅବ୍ୟାହତ ରହିଛି। ଭାରତ ଭଳି ମାନବ ବିକାଶ ଦୃଷ୍ଟିରୁ ପଛରେ ଥିବା ଦେଶମାନଙ୍କରେ ଏଯାଏଁ ମହିଳାଙ୍କ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ସମାଜର ସବୁଠାରୁ ଛୋଟ ଅଂଶ ଭାବେ ପରିଚିତ ଖୋଦ ଆମର ପରିବାରଟି ଏକ ମହିଳା ବିଦ୍ୱେଷୀ ବିଚାରର ଭିତ୍ତି ଉପରେ ଠିଆ ହୋଇଛି। ଏହି ପୁରୁଷ ପ୍ରଧାନ ମାନସିକତାଟି ତ ପୁରୁଷଙ୍କ ମଧ୍ୟରେ ରହିଛି, କିନ୍ତୁ ସଂଖ୍ୟାଗରିଷ୍ଠ ମହିଳା ବି ଏହାର ଶିକାର ହୁଅନ୍ତି। ପରିବାରରେ ଝିଅ ତୁଳନାରେ ପୁଅକୁ ପସନ୍ଦ କରିବାର ମାନସିକତାରୁ ଜନ୍ମ ପୂର୍ବରୁ ଗର୍ଭାବସ୍ଥାରେ ତାର ଲିଙ୍ଗ ନିରୂପଣ କରି ତାକୁ ହତ୍ୟା କରାଯାଉଥିବା ବେଳେ ସନ୍ତାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟପେୟ ତଥା ଲାଳନ ପାଳନରେ ବି ଏହି ବାଛ ବିଚାର ଦେଖିବାକୁ ମିଳୁଛି। “ଝିଅ ଜନମ ପରଘରକୁ”ର ପୁରୁଷବାଦୀ ମାନସିକତା ଆମ ଅଭିଭାବକମାନଙ୍କୁ ପୁଅ ତୁଳନାରେ ଝିଅଙ୍କ ଶିକ୍ଷା ଓ ନିଯୁକ୍ତି ବାବଦରେ ଅଧିକ ଖର୍ଚ୍ଚ ନକରିବାକୁ ପ୍ରଚୋଦିତ କରୁଛି। ଝିଅଟି ଜନ୍ମ ହେବା ପରେ କେତେ ପାଠ ପଢ଼ିବ, କାହାକୁ ବାହା ହେବ ଏପରିକି ବାହାହେବା ପରେ ରୋଜଗାର କରିବ ନା ନାହିଁ, କେବେ ଓ କେତୋଟି ସନ୍ତାନ ଜନ୍ମ ଦେବ ଉପରୋକ୍ତ ସବୁଥିରେ ତା’ର ଭୂମିକାଟି ଗୌଣ ହୋଇଥାଏ।
ଆମ ଜନସଂଖ୍ୟାର ଅର୍ଦ୍ଧେକ ହେଲେ ବି ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା ଆଦି ସମସ୍ତ ସାମାଜିକ ସୂଚକାଙ୍କରେ ମହିଳାମାନେ ପୁରୁଷଙ୍କଠାରୁ ଅନେକ ପଛରେ ରହିଛନ୍ତି। ଅପପୁଷ୍ଟି, ରକ୍ତହୀନତାଠାରୁ ଆରମ୍ଭ କରି ନିରକ୍ଷରତା, ଅଧାରୁ ପାଠ ଛାଡ଼ିବା ଆଦି ସମସ୍ତ କ୍ଷେତ୍ରରେ ମହିଳାଙ୍କ ସ୍ଥିତି ପୁରୁଷଙ୍କ ତୁଳନାରେ ଖରାପ ରହିଛି। ଦେଶରେ ଶିଶୁ ମୃତ୍ୟୁ କ୍ଷେତ୍ରରେ ପୁଅ ତୁଳନାରେ ଝିଅଙ୍କ ଅଧିକ ସଂଖ୍ୟାଟି କେବଳ ସଂଯୋଗ ନୁହେଁ ବରଂ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରହିଥିବା ପାତର ଅନ୍ତରର ପରିଣାମ ବୋଲି ହିଁ କୁହାଯାଇପାରେ। ଦେଶରେ ମାତୃ ମୃତ୍ୟୁସଂଖ୍ୟାର ଭୟାନକ ଚିତ୍ର ପଛରେ ମହିଳାମାନେ ପୁଷ୍ଟିଜାତ ଖାଦ୍ୟରୁ ବଂଚିତ ହୋଇ ରକ୍ତହୀନତା ଓ ହାଡ଼ ଦୁର୍ବଳର ଶିକାର ହେବା ତଥା ସେମାନଙ୍କୁ ଠିକ୍ ସମୟରେ ହସ୍ପିଟାଲକୁ ନେବାରେ ଅବହେଳା କରାଯିବାକୁ ଦାୟୀ କରାଯାଇପାରେ।
ସରକାରଙ୍କ ମହିଳା ବିରୋଧୀ ନୀତି ବି ଆମ ଦେଶରେ ମହିଳାମାନଙ୍କ ସ୍ଥିତିକୁ ଆହୁରି ଖରାପ କରିଛି। ୨୦୨୧ରେ ପ୍ରକାଶିତ ବିଶ୍ୱ ଲିଙ୍ଗ ବ୍ୟବଧାନ ସୂଚକାଙ୍କରେ ଭାରତ ପୂର୍ବାପେକ୍ଷା ୨୮ ସ୍ଥାନ ତଳକୁ ଖସି ବିଶ୍ୱର ୧୫୬ଟି ଦେଶ ମଧ୍ୟରେ ୧୪୦ତମ ସ୍ଥାନରେ ରହିଛି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଓ ତା’ର ମୁକାବିଲା ନାଁରେ ହୋଇଥିବା ଲକ୍ଡ଼ାଉନ୍ ଯୋଗୁଁ ମହିଳାମାନେ ହିଁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ନିଜର ଜୀବନ, ରୋଜଗାର, ସଞ୍ଚୟ ହରାଇବା ସହିତ ଘର ଭିତରେ ଘରୋଇ ହିଂସାର ମଧ୍ୟ ଶିକାର ହୋଇଛନ୍ତି। ଅର୍ଥନୈତିକ ପରିସ୍ଥିତି ସୁଧୁରିବା ନେଇ ସରକାରଙ୍କ ବଡ଼ ବଡ଼ ପ୍ରଚାର ସତ୍ତ୍ୱେ ମହାମାରୀରେ ରୋଜଗାର ହରାଇଥିବା ଅଧିକାଂଶ ମହିଳା ଏଯାଏଁ ନିଜର ଚାକିରୀ ଫେରିପାଇ ନାହାନ୍ତି। ଅଜୀମ୍ ପ୍ରେମଜୀ ବିଶ୍ୱବିଦ୍ୟଳାୟ ପକ୍ଷରୁ ହୋଇଥିବା ଏକ ସର୍ଭେ ଅନୁସାରେ ଚାକିରୀ ହରାଇଥିବା ଯୁବକମାନଙ୍କ ମଧ୍ୟରେ ମାତ୍ର ୭% ସ୍ଥାୟୀ ଭାବେ ନିଜର ଚାକିରୀ ହରାଇଥିବା ବେଳେ ଯୁବତୀମାନଙ୍କ ୪୭% ସମ୍ପୂର୍ଣ୍ଣ ଭାବେ ନିଜର ଚାକିରୀ ହରାଇଛନ୍ତି।
କୋଭିଡ଼ ମହାମାରୀର ମୁକାବିଲାରେ ଦେଶର କୋଟି କୋଟି ଆଶା, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀଠାରୁ ଆରମ୍ଭ କରି ନର୍ସ ଓ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତ ଫ୍ରଣ୍ଟଲାଇନ୍ କର୍ମୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏମାନଙ୍କ ମଧ୍ୟରେ ସିଂହଭାଗଟି ମହିଳା ରହିଥିଲେ ମଧ୍ୟ ସରକାର ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇ ସେମାନଙ୍କୁ କର୍ମଚାରୀର ମାନ୍ୟତା ଦେବା ସହ ପାରିଶ୍ରମିକକୁ ବୃଦ୍ଧି କରିବା ତଥା ଏସବୁ ଯୋଜନାକୁ ଅଧିକ ଶକ୍ତିଶାଳୀ କରିବା ପରିବର୍ତ୍ତେ ଆଇସିଡ଼ିଏସ୍, ମାଧ୍ୟାହ୍ନ ଭୋଜନ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆଦି ବାବଦରେ ବଜେଟ୍ରେ ବ୍ୟାପକ ବ୍ୟୟହ୍ରାସ କରିବା ଦୁର୍ଭାଗ୍ୟଜନକ।
ସମାଜରେ ଲିଙ୍ଗ ବିଭେଦର ଅନ୍ୟତମ ପ୍ରମାଣ ହେଲା ସମାଜର ଅନେକ କ୍ଷେତ୍ରରେ ମହିଳାମାନଙ୍କ ଅନୁପସ୍ଥିତି କିମ୍ବା ନଗନ୍ୟ ଉପସ୍ଥିତି। ପୁରୁଷ ପ୍ରଧାନ ସମାଜରେ ରୋଷେଇ, ଗୃହକାର୍ଯ୍ୟ ତଥା ସନ୍ତାନ ପାଳନ ପରି ମଜୁରୀ ବିହୀନ କାମକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ସେମାନଙ୍କୁ ରାଜନୈତିକ କ୍ଷମତାରେ ଅଂଶୀଦାର ହେବାକୁ ଦିଆଯାଉନି। ଲଗାତାର ଦାବୀ ସତ୍ତ୍ୱେ ଦେଶର ସଂସଦ ଓ ବିଧାନସଭାରେ ସେମାନଙ୍କୁ ୩୩% ସଂରକ୍ଷଣ ବି ଦେବାକୁ ଆମର ରାଜନୈତିକ ନେତୃତ୍ୱ ନାରାଜ। ଦେଶର ବିଚାର ବିଭାଗ, ପୋଲିସ ଓ ସାମରିକ ବାହିନୀର ଉଚ୍ଚ ପଦ ପଦବୀରେ ମଧ୍ୟ ମହିଳାମାନଙ୍କ ନଗନ୍ୟ ଉପସ୍ଥିତି ପୁରୁଷବାଦୀ ମାନସିକତାର ହିଁ ପରିଣାମ। ଶ୍ରମ ଓ ନିଯୁକ୍ତିର ବଜାରରେ ବି ମହିଳାମାନଙ୍କ ସ୍ଥିତି ଅପେକ୍ଷାକୃତ ତଳିଆ ଓ ଅସ୍ଥାୟୀ ଅଟେ। କୃଷିକ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ମହିଳା ପୁରୁଷଙ୍କ ସମାନ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନା କୃଷକ କୁହାଯାଉଛି ନା ପୁରୁଷଙ୍କ ପରି ସେମାନଙ୍କ ଜମି ଉପରେ ଅଧିକାର ରହିଛି। କଳ କାରଖାନାରେ ଏପରିକି ନିର୍ମାଣ କ୍ଷେତ୍ରରେ କୁଶଳୀ ତଥା ଅତି କୁଶଳୀ କାମରେ ପୁରୁଷମାନଙ୍କୁ ହିଁ ସୁଯୋଗ ଦିଆଯାଉଥିବା ବେଳେ ମହିଳା ଶ୍ରମିକମାନେ ସାଧାରଣତଃ ଅଧିକ ଶ୍ରମ ଦରକାର ପଡ଼ୁଥିବା ଅଣ କୁଶଳୀ କାମରେ ହିଁ ନିଯୁକ୍ତ ହୋଇଥାନ୍ତି। ଏସବୁ କ୍ଷେତ୍ରରେ ସେମାନେ ପୁରୁଷ ଶ୍ରମିକଙ୍କଠାରୁ କମ୍ ମଜୁରୀ ପାଇବା ସହିତ ଠିକାଦାର ଓ ମାଲିକଙ୍କ ଦ୍ୱାରା ଯୌନ ଶୋଷଣର ମଧ୍ୟ ଶିକାର ହୋଇଥାନ୍ତି।
ସମାଜରେ ମହିଳାମାନଙ୍କୁ ଶୋଷଣ ତଥା ଦବେଇ ରଖିବାର ପୁରୁଷବାଦୀ ମାନସିକତାର ଭୟଙ୍କର ପରିଣାମ ହେଉଛି ମହିଳାଙ୍କ ବିରୁଦ୍ଧରେ ହିଂସା। ମହିଳାମାନେ ଉଭୟ ଘରର ଚାରିକାନ୍ଥ ମଧ୍ୟରେ ଓ ବାହାରେ ଏହି ହିଂସାର ସମ୍ମୁଖୀନ ହୋଇଥାନ୍ତି। ଗର୍ଭାବସ୍ଥାରେ କନ୍ୟାଭୃଣ ହତ୍ୟାଠାରୁ ଆରମ୍ଭ କରି ଯୌତୁକ ଜନିତ ନିର୍ଯ୍ୟାତନା, ହତ୍ୟା ଏପରିକି ଅନର କିଲିଂ ପର୍ଯ୍ୟନ୍ତ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅଧିକାଂଶ ହିଂସା ଘରେ ପରିବାରର ଲୋକେ ହିଁ କରିଥାନ୍ତି। ପରିବାରରେ ରହିଥିବା ଏହି ମହିଳା ବିରୋଧୀ ମାନସିକତା କାରଣରୁ ହିଁ ସମାଜରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି।
ଦେଶର ସମ୍ବିଧାନରେ ମହିଳାଙ୍କୁ ଅନେକ ଅଧିକାର ଦିଆଯାଇଥିବା ବେଳେ ତଥା ଅପରାଧରୁ ସୁରକ୍ଷା ଦେବା ପାଇଁ ଅନେକ ଆଇନ ରହିଥିଲେ ବି ତାର କାର୍ଯ୍ୟକାରିତା କ୍ଷେତ୍ରରେ ଆମ ଶାସନ ବ୍ୟବସ୍ଥାର ପୁରୁଷବାଦୀ ମାନସିକତା ପ୍ରଧାନ ଅନ୍ତରାୟ ହୋଇଛି। ସରକାରୀ ସହାୟତାରେ ସମାଜରେ ବଢ଼ି ଚାଲିଥିବା ନିଶାଖୋରୀ ଓ ଅଶ୍ଳୀଳତା ମହିଳା ବିରୋଧୀ ହିଂସାକୁ ପ୍ରୋତ୍ସାହିତ କରୁଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ଗତ ଏକ ଦଶକ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ବଳାତ୍କାର, ଅସଦାଚରଣ, ବଳତ୍କାର ଉଦ୍ୟମ, ଯୌତୁକ, ଅନର କିଲିଂ ଭଳି ୨.୨୪ ନିୟୁତ ଲିଙ୍ଗଗତ ହିଂସାର ଘଟଣା ଅର୍ଥାତ୍ ପ୍ରତି ଘଣ୍ଟାରେ ୨୬ଟି ଅପରାଧ ସଙ୍ଗଠିତ ହୋଇଛି। ଦେଶରେ ପ୍ରତି ୬୨ ମିନିଟ୍ରେ ଜଣେ ମହିଳା ଯୌତୁକ ନିର୍ଯ୍ୟାତନାର ଶୀକାର ହେଉଥିବା ବେଳେ ଆମ ରାଜ୍ୟରେ ଦୈନିକ ହାରାହାରି ତିନି ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି। ଏପରିକି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ କାର୍ଯ୍ୟରତ ଶିକ୍ଷିତ ମହିଳାଙ୍କ ମଧ୍ୟରୁ ୩୪% କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯ୍ୟାତନାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ମହିଳାଙ୍କ ଉପରେ ହିଂସା ବଢ଼ି ଚାଲିଥିବା ବେଳେ ସବୁ ଘଟଣା ଥାନାରେ ପଞ୍ଜିକୃତ ନହେବା ଏବଂ ଦଣ୍ଡ ବିଧାନର ହାର କମିବା ତଥା ଖୋଦ୍ ପୋଲିସ ଓ ସଶସ୍ତ୍ର ବାହିନୀ ଦ୍ୱାରା ମହିଳାମାନେ ହିଂସାର ଶୀକାର ହେବା ପଛରେ ମୁଖ୍ୟତଃ ସରକାର ଓ ତାଙ୍କ ପୋଲିସ ବିଭାଗ ଏପରିକି ବିଚାର ବିଭାଗର ମହିଳାଙ୍କ ପ୍ରତି ରହିଥିବା ସମ୍ବେଦନଶୀଳତାର ଅଭାବକୁ ପ୍ରମାଣିତ କରୁଛି।
ସରକାରଙ୍କ ବହୁ ପ୍ରଚାରିତ ‘ବେଟୀ ପଢ଼ାଓ, ବେଟୀ ବଚାଓ’ର ସ୍ଳୋଗାନ୍ ପ୍ରହସନରେ ପରିଣତ ହୋଇଛି। ସରକାରରେ ଥିବା ଲୋକଙ୍କ ମହିଳା ବିରୋଧୀ ମାନସିକତାର ପରିଣାମ ସ୍ୱରୂପ ଦେଶରେ ମହିଳାଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। “ବେଟି ବଚାଓ, ବେଟି ପଢ଼ାଓ” ଅଭିଯାନ ପାଇଁ ଉଦ୍ଦିଷ୍ଟ ଅର୍ଥର ଅଧିକାଂଶ ଭାଗ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ବେଳେ ବହୁ ଚର୍ଚ୍ଚିତ ନିର୍ଭୟା ପାଣ୍ଠିକୁ ବର୍ଷ ବର୍ଷ ଧରି ଖର୍ଚ୍ଚ କରି ନପାରିବା ଏନେଇ ସରକାରଙ୍କ ଆନ୍ତରିକତାକୁ ହିଁ ଉଜାଗର କରୁଛି। ଭାରତୀୟ ସଂସ୍କୃତିର ସୁରକ୍ଷା ନାଁରେ ସାମ୍ପ୍ରଦାୟିକ ସଙ୍ଗଠନମାନଙ୍କ ପକ୍ଷରୁ ସବୁବେଳେ ମହିଳାମାନଙ୍କ ପୋଷାକ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ ହୋଇଆସିଛି। ପୂର୍ବରୁ ହିନ୍ଦୁ ଝିଅମାନଙ୍କ ଜିନ୍ ପିନ୍ଧିବାକୁ ବିରୋଧ କରାଯାଉଥିବା ବେଳେ ଏବେ ସ୍କୁଲ କଲେଜରେ ମୁସଲମାନ ଝିଅମାନଙ୍କ ହିଜାବ୍ ପିନ୍ଧିବାକୁ ବିରୋଧ କରାଯାଇଛି। ସେମାନେ ହିଜାବ୍ର ବାହାନାରେ ମୁସଲମାନ୍ ଝିଅମାନଙ୍କୁ ପାଠ ଶିକ୍ଷାରୁ ବଂଚିତ କରିବାକୁ ଚେଷ୍ଟା କରୁଛନ୍ତି। ଏପରିକି ମୁସଲମାନ୍ ସମ୍ପ୍ରଦାୟର ଶିକ୍ଷିତ ତଥା ପ୍ରତିଷ୍ଠିତ ମହିଳାମାନଙ୍କୁ ସୋସିଆଲ ମିଡ଼ିଆରେ ଲାଞ୍ଛିତ ଓ ଅପମାନିତ କରିବା ଉଦ୍ଦେଶ୍ୟରେ ‘ବୁଲିବାଇ’ ଓ ‘ସୁଲିଡ଼ିଲ୍ସ୍’ ନାଁରେ ଆପ୍ ଖୋଲି ଖୋଲାଖୋଲି ଭାବେ ନିଲାମ୍ ଡ଼ାକିବାର ଘୃଣ୍ୟ କାମ କରିବାକୁ ବି ପଛେଇ ନାହାନ୍ତି।
ଧାର୍ମିକ ଓ ଲିଙ୍ଗଗତ ଘୃଣାରେ ବିଶ୍ୱାସ କରୁଥିବା ଦେଶର ସାମ୍ପ୍ରଦାୟିକ ଶକ୍ତିମାନେ ସର୍ବଦା ପୁଅ ଝିଅଙ୍କ ପ୍ରେମ ଉପରେ ପହରା ଦେବାକୁ ଚେଷ୍ଟା କରିଛନ୍ତି। ଭାଲେଣ୍ଟାଇନ୍ ଦିବସରେ ସେମାନଙ୍କ ଗୁଣ୍ଡାମାନେ ପାର୍କ ଓ ହୋଟେଲ୍ରେ ପଶି ପ୍ରେମୀମାନଙ୍କୁ ଆକ୍ରମଣ ଓ ନିର୍ଯ୍ୟାତିତ କରିଥାନ୍ତି। ଝିଅମାନେ ନିଜ ଇଛା ମୁତାବକ ଜଣକୁ ଯେପରି ଭଲ ନପାଇବେ ଏବଂ ସ୍ୱଇଛାରେ ନିଜର ଜୀବନସାଥୀ ବାଛି ନପାରିବେ ସେଥିପାଇଁ ସେମାନେ ନିଜର ଶାସନରେ ଆଣ୍ଟି ରୋମିଓ ସ୍କ୍ୱାଡ଼ ଠାରୁ ଆରମ୍ଭ କରି ଲଭଜେହାଦ୍ ଆଇନ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଷଡ଼ଯନ୍ତ୍ର କରିଛନ୍ତି।
ବଜାରରେ ଦରଦାମ୍ ବୃଦ୍ଧି ମହିଳାଙ୍କ ଜୀବନକୁ ସବୁବେଳେ ଦୁର୍ବିସହ କରିଆସିଛି। ବର୍ତ୍ତମାନ ଖାଇବା ତେଲଠାରୁ ରୋଷେଇ ଗ୍ୟାସ୍ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ମହିଳାଙ୍କ ରୋଷେଇଘର ପରିଚାଳନାକୁ କଷ୍ଟକର କରିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ସବୁ ପରିବାରକୁ ରାସନ ନ ମିଳିବା ଏବଂ ରାସନରେ ଖାଦ୍ୟଶସ୍ୟ ବଦଳରେ ନଗଦ ଟଙ୍କା ଦେବାର ସରକାରୀ ଯୋଜନା ମଧ୍ୟ ମହିଳାଙ୍କ ଖାଦ୍ୟସୁରକ୍ଷାକୁ ହିଁ ପ୍ରଭାବିତ କରୁଛି।
ଚଳିତ ବର୍ଷର ମହିଳା ଦିବସ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ବିଶ୍ୱରେ ପୁଣି ଥରେ ଯୁଦ୍ଧର ବିଭୀଷିକା ଦେଖାଦେଇଛି। ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ପ୍ରତିଯୋଗୀତାର ଫଳସ୍ୱରୂପ ଆଜି ୟୁକ୍ରେନ୍ ଉପରେ ରୁଷ ସାମରିକ ଆକ୍ରମଣ କରିଛି। ଏଥିରେ ସାଧାରଣ ଜନତା ବିଶେଷ କରି ମହିଳାଙ୍କ ସମେତ ଶ୍ରମଜୀବୀ ମଣିଷମାନେ ସବୁଠାରୁ ବେଶୀ ଦୁର୍ଦ୍ଦଶାର ଶିକାର ହେବାକୁ ଯାଉଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଆମକୁ ଆମର ଅଧିକାର, ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ହେବ। ଆମକୁ ତିନି କଳା କୃଷି ଆଇନ ବିରୁଦ୍ଧରେ ବୀରତ୍ୱପୂର୍ଣ୍ଣ ଲଢ଼େଇ କରି ବିଜୟୀ ହୋଇଥିବା ମହିଳା କୃଷକମାନଙ୍କ ଲଢ଼େଇରୁ ପ୍ରେରଣା ନେବାକୁ ହେବ। ଘୃଣା ଓ ଭେଦଭାବର ରାଜନୀତି ବିରୁଦ୍ଧରେ ଏକାଠି ହୋଇ ଲଢ଼ିବାକୁ ହେବ। ସାମ୍ରାଜ୍ୟବାଦୀ ଯୁଦ୍ଧ ଓ ବର୍ବରତା ବିରୁଦ୍ଧରେ ଶାନ୍ତି ପାଇଁ ୟୁକ୍ରେନର ମହିଳାମାନଙ୍କ ଲଢ଼େଇ ସହିତ ସାରା ବିଶ୍ୱର ମହିଳାଙ୍କୁ ଠିଆ ହେବାକୁ ପଡ଼ିବ। ବିଶ୍ୱକୁ ଯୁଦ୍ଧ ଓ ଅସ୍ଥିରତା ଭିତରକୁ ଠେଲୁଥିବା ଆମେରିକା ଓ ରୁଷ ସାମ୍ରାଜ୍ୟବାଦ ବିରୁଦ୍ଧରେ ବିଶ୍ୱର ସବୁ ମହିଳାଙ୍କ ଲଢ଼େଇରେ ଆମକୁ ସାମିଲ କରିବାକୁ ହେବ।
ଫୋନ ନଂ : ୯୪୩୭୧୬୬୩୯୧