ଦେବ ରଞ୍ଜନ
ଓଡ଼ିଶାରେ ନିର୍ଦ୍ଦଳୀୟ ମହିଳା ସଂଗଠନର ଅନୁପସ୍ଥିତି ଏବେ ବେଶ ଅନୁଭୂତ ହେଉଛି। ଦଳୀୟ ବିଚାରରୁ ଦୂରରେ ରହି କୌଣସି ମହିଳା ସଂଗଠନ ରାଜ୍ୟର ମହିଳାଙ୍କ ସମସ୍ୟା ସମ୍ପର୍କରେ ସ୍ଵର ଉତ୍ତୋଳନ କରିବା ଆଦୌ ଦେଖାଯାଉନାହିଁ। ଏପରିକି ମହିଳାଙ୍କ ଅଧିକାର ସମ୍ପର୍କରେ କହୁଥିବା ନାରୀବାଦୀଙ୍କ ଉପସ୍ଥିତି ମଧ୍ୟ ରାଜ୍ୟରେ ପ୍ରାୟତଃ ନାହିଁ।
କଂଗ୍ରେସ ସରକାରଙ୍କ ସମୟରେ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ମୁଖ୍ୟ ବିନ୍ଦୁ କରିବା ଭିତରେ ବିଜୁ ଜନତା ଦଳ ଯେଉଁଭଳି ମହିଳା ଭୋଟ ବ୍ୟାଙ୍କ ତିଆରି କରୁଛି ସେ ସମ୍ପର୍କରେ ସ୍ଵାଧୀନ ବା ନିର୍ଦ୍ଦଳୀୟ ମହିଳା ସଂଗଠନମାନେ ଉଚିତ ଭାବରେ କହିପାରିଥାନ୍ତେ ଓ ଓଡ଼ିଶାର ଜନସାଧାରଣ ତାହାକୁ ଗ୍ରହଣ କରିଥାନ୍ତେ।
ରାଜ୍ୟ ସରକାର ‘ମହିଳାଙ୍କୁ ସମ୍ମାନ’ ନାମରେ ମହିଳା ମଣ୍ଡଳଗୁଡ଼ିକ ଉପରେ ନିଜର ଭୋଟ ଲାଗି ଅଧିକ ନିର୍ଭରଶୀଳ। ସରକାର ଯାହାକୁ ‘ସଶକ୍ତିକରଣ’ କହୁଛନ୍ତି ବିରୋଧୀ ତାହାକୁ ‘ସାହୁକାରରେ ପରିଣତ’ ହୋଇଯିବା କହି ଦୋଷାରୋପ କରୁଛନ୍ତି। କିନ୍ତୁ ସରକାରଙ୍କ ସମଗ୍ର ମହିଳାଙ୍କ ପ୍ରତି ଅସମ୍ମାନ ମନୋବୃତ୍ତି ସମ୍ପର୍କରେ ଆଲୋଚନା ଆଦୌ ହେଉନାହିଁ।
ସର୍ବନିମ୍ନ ମଜୁରୀ ପାଉ ନଥିବା ମହିଳା କର୍ମଚାରୀ ମଧ୍ୟ ମହିଳା
ରାଜ୍ୟରେ ଅନ୍ୟୁନ୍ୟ ୩୫,୦୦୦ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି। ଆଶାକର୍ମୀ ମଧ୍ୟ ସେହି ସଂଖ୍ୟାରେ ରହିଛନ୍ତି। ସ୍କୁଲର ପାଚିକା, ମହିଳା ମଣ୍ଡଳ ସହାୟିକା, ଠିକା ନିଯୁକ୍ତ ସେବିକା, ମହିଳା ସ୍ୱାସ୍ଥ୍ୟକର୍ମୀ, ବ୍ୟାଙ୍କମିତ୍ର ଇତ୍ୟାଦି ଅନେକ ଠିକା ନିଯୁକ୍ତ ମହିଳା ସରକାରୀ କର୍ମଚାରୀ ରାଜ୍ୟରେ ଅଛନ୍ତି। ସେମାନଙ୍କ ସଂଖ୍ୟା ଅନ୍ୟୁନ୍ୟ ତିନି ଲକ୍ଷରୁ ଉର୍ଦ୍ଧ୍ଵ ହେବ। ସେମାନଙ୍କ ସହିତ ସେମାନଙ୍କ ପରିବାର ମଧ୍ୟ ଜଡ଼ିତ ରହିଛି।
ମାସିକ ଦରମା ୩,୦୦୦ ଟଙ୍କାରୁ ୭,୦୦୦ ଟଙ୍କା ମଧ୍ୟରେ ୬୫ ପ୍ରକାରର କାମ କରିବା କୌଣସି ବି କର୍ମଚାରୀ ଲାଗି ସମ୍ଭବ କି? କେବଳ ଚାକିରିରୁ ବହିଷ୍କାର କରିଦେବାର ଭୟ ଦେଖାଇ ଯେବେ ମନ୍ତ୍ରୀ ଓ ସଚିବମାନେ ଅତି କମ ଦରମାରେ କାମ କରିବା ଲାଗି ବାଧ୍ୟ କରୁଛନ୍ତି ତାହାକୁ ଆମେ ‘ସଶକ୍ତିକରଣ’ କହିବା କି? ସେମାନେ ସେହି ସରକାରୀ କାମ କରୁଛନ୍ତି ଯାହା ଲାଗି ବିଧାୟକମାନେ ନିର୍ବାଚିତ ହୋଇଛନ୍ତି ଓ ସଚିବମାନେ ନିଯୁକ୍ତ ହୋଇଛନ୍ତି।
ବିଧାନସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ଲକ୍ଷ ଲକ୍ଷ ମହିଳା କର୍ମଚାରୀମାନେ କେବଳ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ସର୍ବନିମ୍ନ ମଜୁରୀ ପାଇବା ଦାବିରେ ଭୁବନେଶ୍ଵର ପହଞ୍ଚିଥାନ୍ତି।
ମହିଳା ଜଣକ ସରକାରଙ୍କ କର୍ମଚାରୀ ହୋଇଗଲା ପରେ ନିଜର ସମ୍ମାନ ପୂର୍ଣ୍ଣ ଜୀବନ ବଞ୍ଚିବାର ଅଧିକାର ଯେ ହରାଇବ ଓ ସର୍ବନିମ୍ନ ମଜୁରୀ ମଧ୍ୟ ପାଇବା ଲାଗି ହକଦାର ହେବ ନାହିଁ ତାହା ସମ୍ବିଧାନର କୌଣସି ଧାରାରେ ଉଲ୍ଲେଖ ନାହିଁ। ଅଥଚ ରାଜ୍ୟ ମଧ୍ୟରେ ଏହା କେବେ ପ୍ରସଙ୍ଗ ହୋଇପାରିଲା ନାହିଁ। କାରଣ ଓଡ଼ିଶାରେ ଯିଏ ବିରୋଧୀ ଦଳ ଅନ୍ୟ ରାଜ୍ୟରେ ସେ ଶାସକ। ସମାନ ଅବିଚାର ପ୍ରତି ରାଜ୍ୟରେ ଘଟୁଛି।
କେବେ କେବେ ଦାବି କରୁଥିବା ମହିଳାଙ୍କୁ ନିଲମ୍ବନ କରି ଅନ୍ୟ ସମସ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସରକାରଙ୍କ ଉଦ୍ଦେଶ୍ୟ। ଦାବି କରୁଥିବା ମହିଳାଙ୍କ ପ୍ରତି ଆକ୍ରୋଶମୂଳକ ମନୋଭାବର ଏହା ନମୁନା। ନିଲମ୍ବନ ପ୍ରତ୍ୟାହାର ପରେ ନିଲମ୍ବନ ଲାଗି ଆଦେଶ ଦେଇଥିବା ଅଫିସର ନା ବିଭାଗୀୟ ଅନୁସନ୍ଧାନକୁ ସାମ୍ନା କରିଥାନ୍ତି ନା ମହିଳା କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟକୁ କେହି ଦୂର କରିବା ଲାଗି କୌଣସି ପଦକ୍ଷେପ ନେଇଥାନ୍ତି।
ସେହିଠାରୁ ବାହାରି ଆସିଲେ ପୁଣି ‘ମହିଳା ସଶକ୍ତିକରଣ’ର ବାର୍ତ୍ତା ସମସ୍ତେ ପାଠ କରନ୍ତି। ସ୍ଵାଧୀନ ମହିଳା ସଂଗଠନ ନଥିବା ତାଙ୍କୁ ଅଧିକ ସୁହାଇଥାଏ।
ମହିଳା ସଶକ୍ତିକରଣ : ପୁରୁଷତାନ୍ତ୍ରିକ ମନୋଭାବ
ଏହି ‘ସଶକ୍ତିକରଣ’ କରିବା ଭାବନା ପଛରେ ମଧ୍ୟ ରାଜ୍ୟ ସରକାରଙ୍କ ପୁରୁଷଗତ ମନୋଭାବ ବେଶ ସ୍ପଷ୍ଟ। ମହିଳାଙ୍କୁ ପ୍ରଥମେ ଦୁର୍ବଳ, ଅଶିକ୍ଷିତ, ଗରିବ ଓ ଅସଂଗଠିତ ଭାବିଲେ ଯାଇ କେହି ‘ସଶକ୍ତିକରଣ’ କଥା ଚିନ୍ତା କରିପାରିବ। ସରକାର ନିଜେ ଯେହେତୁ ପୁରୁଷ, ଧନୀ ଓ ଶକ୍ତିଶାଳୀ ତେଣୁ ସେ ମହିଳା ସଶକ୍ତିକରଣ କଥା କହୁଛନ୍ତି।
ରାଜ୍ୟରେ କାର୍ଯ୍ୟରତ ଅନେକ ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ‘ସଶକ୍ତିକରଣ’ କଥାକୁ ବିଶ୍ଵାସ କରନ୍ତି। ସ୍ଵେଚ୍ଛାସେବୀ ସଂଗଠନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟିରେ କୌଣସି ସଫଳ ମହିଳା ଉଦ୍ୟୋଗୀଙ୍କ ଲାଗି ‘ସଶକ୍ତିକରଣ’ ଅନାବଶ୍ୟକ। ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ, ଶିକ୍ଷିତା ଓ କ୍ଷମତାଶାଳୀ ମହିଳା କେବେ ‘ସଶକ୍ତିକରଣ’ କାର୍ଯ୍ୟକ୍ରମରେ ଅଂଶ ହୁଅନ୍ତି ନାହିଁ। ତେଣୁ ସେହି କଥା ପୁଣି ଆସୁଛି ଯେ ଦୁର୍ବଳ, ଅଶିକ୍ଷିତ, ଗରିବ ଓ ଅସଂଗଠିତ ମହିଳାଙ୍କ ଲାଗି ଏହି କାର୍ଯ୍ୟକ୍ରମ। ପୁରୁଷ ଭାବରେ ସରକାର ଯେହେତୁ ନିଜକୁ ତୁଳନାତ୍ମକ ଭାବରେ ଧନୀ ଓ ଶକ୍ତିମାନ ମନେ କରୁଛନ୍ତି ତେଣୁ ମହିଳାଙ୍କ ‘ସଶକ୍ତିକରଣ’ ସପକ୍ଷରେ ଯୁକ୍ତି କରୁଛନ୍ତି।
ଭାରତୀୟ ସମ୍ବିଧାନର କୌଣସି ସ୍ଥାନରେ ‘ସଶକ୍ତିକରଣ’ ବା ଏମ୍ପାୱାରମେଣ୍ଟ ଶବ୍ଦ ନାହିଁ। ଗଣତନ୍ତ୍ରରେ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ଲୋକଙ୍କୁ ବା ମହିଳାଙ୍କୁ ‘ସଶକ୍ତିକରଣ’ କରିବାର ଯୋଗ୍ୟତା ରଖିନଥାନ୍ତି।
କେବଳ ପୁରୁଷ ନୁହନ୍ତି ଅନେକ ମହିଳା ମଧ୍ୟ ଉକ୍ତ ‘ସଶକ୍ତିକରଣ’ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି। ସେଥିଲାଗି ନିର୍ଦ୍ଦଳୀୟ ବା ସ୍ଵାଧୀନ ମହିଳା ସଂଗଠନ ହିଁ କେବଳ ‘ସଶକ୍ତିକରଣ’ ଯେ ପୁରୁଷାତାନ୍ତ୍ରିକ ମନୋଭାବ ସେହି କଥା କହିଥିଲେ ହୁଏତ ସେମାନେ ତାହାକୁ ଗ୍ରହଣ କରିଥାନ୍ତେ।
ସଶକ୍ତିକରଣ ନୁହେଁ ନ୍ୟାୟ ଲାଗି ଲଢ଼େଇ
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ, ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାଙ୍କ ଅଧିକାର ଆନ୍ଦୋଳନ ଆଜି ବି ବେଶ ଦୃଢ଼। ଏହି ସବୁ ଅଞ୍ଚଳରେ ମହିଳାମାନେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି ଏକାଠି ହେଉଛନ୍ତି। ସୁନ୍ଦରଗଡ଼ର ସିମେଣ୍ଟ କମ୍ପାନୀ ଅଥବା ସ୍ପଞ୍ଜ ଆଇରନ କମ୍ପାନୀ ବିରୋଧୀ ଆନ୍ଦୋଳନରେ ମହିଳାମାନେ ଯେଉଁଭଳି ସକ୍ରିୟ ସେହି ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସିଜିମାଳୀ ବକ୍ସାଇଟ ଖଣି ଅଞ୍ଚଳ, ମାଳୀ ପର୍ବତ, ବାଲଦା ଅଥବା ମାଥିଲିର ସିମେଣ୍ଟ ପ୍ଳାଣ୍ଟ ଅଞ୍ଚଳରେ ମହିଳାମାନେ ହିଁ ସାମ୍ନାରେ ଅଛନ୍ତି।
ସମସ୍ତ ପ୍ରକାରର ବିସ୍ଥାପନ, ବୃହତ ପ୍ରକଳ୍ପ ଦ୍ଵାରା ପରିବେଶ ନଷ୍ଟ ହେବା ସମ୍ଭାବନା ଓ ପୁଲିସର ଦମନକୁ ବିରୋଧ କରି ଲକ୍ଷ ଲକ୍ଷ ଆଦିବାସୀ, ଦଳିତ ଓ ଚାଷୀ ବର୍ଗର ମହିଳା ରାଜ୍ୟର ପ୍ରତ୍ୟେକ କୋଣରେ ଏକାଠି ହେଉଛନ୍ତି।
ଅକ୍ଟୋବର ୦୭, ୨୦୨୩ରେ ଜିନ୍ଦଲ ଷ୍ଟିଲ ପ୍ଳାଣ୍ଟ ବିରୁଦ୍ଧରେ ସଂଗଠିତ ଜନ ଆୟୋଗରେ ସବୁଠାରୁ ଅଧିକ ମହିଳା ନିଜ ଉପରେ ବିତିଥିବା ପୁଲିସର ଅତ୍ୟାଚାର, ସେମାନଙ୍କ ପାନ ବରଜ ଭାଙ୍ଗିଦେବା ଓ ଗାଁରେ ଘେରାବନ୍ଦୀ କରି ରଖିବା ସମ୍ପର୍କରେ କହୁଥିଲେ। ଜନ ଆୟୋଗ ସାମ୍ନାରେ ଢିଙ୍କିଆ ଅଞ୍ଚଳର ମହିଳା ଶାନ୍ତି ଦାସ କହିଲେ, ‘୨୦୨୧ ମସିହା ଜାନୁଆରୀ ୧୪ ତାରିଖ ଦିନ ସକାଳେ ଆମକୁ ଏମିତି ପୁଲିସ ମାରିଲା ତାହାକୁ ବର୍ଣ୍ଣନା କରିପାରିବି ନାହିଁ। ଆମେ ଶହ ଶହ ଲୋକ ନଦୀ, ଜଙ୍ଗଲ, ବାଲିକୁଦା, କିଆ ବଣ ଡେଇଁ କୁଆଡ଼େ କୁଆଡ଼େ ଗଲୁ। ଆମମାନଙ୍କ ଘରକୁ ପ୍ରତିଦିନ ଦୁଇ ଥର ପୁଲିସ ଆସିଲା। ଆଠ ମାସ ଲୁଚିଲା ପରେ ପୁଲିସ ମୋତେ ଓ ପୁଅକୁ ଗିରଫ କଲା। ଥରେ ଜାମିନରେ ଆସିଲି ତ ପୁଣି ଥରେ ଗିରଫ କଲା।’
ଶାନ୍ତି ଦାସ ପୁଣି କହୁଥିଲେ, ‘ମୁଁ ପୁଲିସକୁ ପଚାରିଲି ଯେ ଆମେ କ’ଣ ମଣିଷ ମାରିଛୁ ନା ଚୋରୀ କରିଛୁ ଯେ ଆମ ଘରକୁ ଆସି ଗିରଫ କରୁଛ। ପୁଲିସର ବଡ଼ ଅଫିସର କହିଲା ଶାନ୍ତି ଦାସ ତୋତେ ମୁଁ ସର୍ବହରା କରିଦେବି। କ’ଣ ସର୍ବହରା କରିବ, ମୁଁ ପଚାରିଲି। ଏହି ଜମିରେ ତିନି ପୁରୁଷ ଚାଷ କରିଛୁ। ଏହା ପରେ ବି ଚାଷ କରି ରହିବୁ। ମୁଁ ଭାଙ୍ଗିଯିବି ପଛେ ନଇଁବି ନାହିଁ।’
ଢିଙ୍କିଆର ସୁକାନ୍ତି ଦାସ ଚାରି ଥର ଗିରଫ ହୋଇସାରିଥିବା କଥା ଆୟୋଗ ସାମ୍ନାରେ କହୁଥିଲେ। ଉଭୟ ଶାନ୍ତି ଦାସ ଓ ସୁକାନ୍ତି ଦାସ ଦଳିତ ବର୍ଗର ମହିଳା, ଭୂମିହୀନ, ପରିବାରର ସମସ୍ତେ ମିଶି ଭାଗଚାଷ କରନ୍ତି। ସମସ୍ତଙ୍କ ପାନ ବରଜକୁ ଭାଙ୍ଗିଦିଆଯାଇଛି। ଲଢ଼େଇ ହେତୁ ତାଙ୍କର ରେସନ ସାମଗ୍ରୀ ବନ୍ଦ କରିଦିଆଯାଇଛି। ଜାତି ସାର୍ଟିଫିକେଟ ନଥିବାରୁ ପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ତଥାପି ସେମାନେ ଲଢ଼େଇ ଜାରିରଖିଛନ୍ତି। ଏହାକୁ ମହିଳା ସଶକ୍ତିକରଣ ନୁହେଁ ବରଂ ନ୍ୟାୟ ପାଇଁ ଲଢ଼େଇ କୁହାଯିବ। ସୁନ୍ଦରଗଡ଼ଠାରୁ କୋରାପୁଟ ପର୍ଯ୍ୟନ୍ତ ଅନେକ ମହିଳା ନିଜ ଜୀବନ ଜୀବିକାର ଲଢ଼େଇରେ ସାମିଲ ଅଛନ୍ତି।
ଜିନ୍ଦଲ ଅଞ୍ଚଳ କେବଳ ଏକ ଉଦାହରଣ। ସେହି ସମାନ ଅନୁଭୂତି ମଧ୍ୟ ଦେଇ ଆଜି ଶହେ ପ୍ରତିଶତ ଗ୍ରାମୀଣ ମହିଳା ଯାଉଛନ୍ତି। ସେମାନଙ୍କ ସ୍ଵର ପଛରେ କିଛି ଟ୍ରେନିଂ ନାହିଁ। ସେମାନଙ୍କ ସ୍ଵର ସେମାନଙ୍କ ପେଟର, ସେମାନଙ୍କ ମାଟିର, ସେମାନଙ୍କ ପୂର୍ବ ପୁରୁଷର।
ଏହି ଜନଆୟୋଗକୁ ଅଧ୍ୟକ୍ଷତା କରିବା ଲାଗି ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଲୋକୁର, ମେଧା ପାଟକର ଓ କୃଷକ ସଂଘର୍ଷ ମୋର୍ଚ୍ଚାରେ ଆବାହକ ହନ୍ନାନ ମୋଲ୍ଲା, ପ୍ରଫେସର ନନ୍ଦିନୀ ସୁନ୍ଦର, ପ୍ରଫେସର ମନୋରଞ୍ଜନ ମହାନ୍ତି ଓ ସୁପ୍ରିମ କୋର୍ଟ ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଭୁବନେଶ୍ଵର ଆସିଥିଲେ।
ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନରେ ମହିଳାମାନେ ହିଁ ନେତୃତ୍ଵ ନେଉଛନ୍ତି। ସେହିମାନେ ଦୀର୍ଘ ବର୍ଷ ହେଲା ଏହି ଆନ୍ଦୋଳନକୁ ଚଳାଇ ରଖିଛନ୍ତି। ସେହିଭଳି ଜଙ୍ଗଲ ଅଧିକାର ସାବ୍ୟସ୍ତ କରିବା ଓ ଜଙ୍ଗଲ ଜମି ପଟ୍ଟା ପାଇବାଠାରୁ ସହରରେ ବସ୍ତି ଆନ୍ଦୋଳନରେ ଘର ପଟ୍ଟା ପାଇବା ପର୍ଯ୍ୟନ୍ତ ସବୁଠାରେ ମହିଳା ପ୍ରମୁଖ ଭୂମିକା ନେଉଛନ୍ତି।
ରାଜ୍ୟ ସରକାରଙ୍କ ‘ମହିଳା ସଶକ୍ତିକରଣ’ ତାଲିକାରେ କିନ୍ତୁ ନିଜ ଅଧିକାର ପାଇଁ ଲଢ଼େଇ କରୁଥିବା ମହିଳାଙ୍କ ଦାବି ଓ ସ୍ଵର ଶୁଣାଯାଏ ନାହିଁ। ସରକାରଙ୍କ ତଥାକଥିତ ବିକାଶ ନୀତିକୁ ସେମାନେ ବିରୋଧ କରୁଥିବା ଓ ସରକାରଙ୍କ ନିକଟରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି ସଂଗଠିତ ହେଉଥିବା କାରଣରୁ ରାଜ୍ୟ ସରକାର ସେମାନଙ୍କୁ ‘ଅପରାଧୀ ତାଲିକାଭୁକ୍ତ’ କରିଦେଇଛନ୍ତି।
ମୋବାଇଲ - ୯୪୩୭୭୬୨୨୭୨