/odisha-reporter/media/post_attachments/uploadimage/library/16_9/16_9_0/Wine_1746091533.jpg)
Wine
- ଦେବ ରଞ୍ଜନ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନମତରା ପଞ୍ଚାୟତର ନମତରା ଗ୍ରାମ। ମହିଳାମାନେ ଏକ ମଦ ଦୋକାନ ଖୋଲିବାକୁ ନେଇ ମହିଳା ଦିବସରେ ଏକାଠି ହୋଇ ବିରୋଧ କରିଥିଲେ। ତାହା ଥିଲା ମାର୍ଚ୍ଚ ୮, ୨୦୧୫ ତାରିଖ। ସେହି ଦିନ ୯ ଜଣ ମହିଳାଙ୍କ ଦେହରେ ଗୁଳି ବାଜିଥିଲା। ଏ ସେହି ଘଟଣା ଯେଉଁଠି ମହିଳା ଦିବସ ଦିନ, ମହିଳାଙ୍କ ଉପରେ ଓଡ଼ିଶା ପୁଲିସର ବର୍ବୋରଚିତ ଗୁଳି ଚାଳନା ହୋଇଥିଲା।୨୦୨୫ ମସିହା ବେଳକୁ ନମତରା ଘଟଣାକୁ ଦଶ ବର୍ଷ ପୁରିଗଲା।
ବଜାରର ମଦ ଗ୍ରାମୀଣ ଅର୍ଥନୀତିର ଏକ ଅନ୍ଧାରୁଆ କୂଅ। ଏହି ଅନ୍ଧାରୁଆ କୂଅ ମଧ୍ୟରେ ପଡି ଅନେକ ପରିବାର ଧ୍ଵଂସ ହୋଇଛି। ସରକାରଙ୍କ ଯୁକ୍ତି ଯେ ମଦର ମୂଲ୍ୟ ଅଧିକ ହେଲେ କମ ଲୋକ ଉତ୍ସାହିତ ହେବେ। କିନ୍ତୁ ଫଳ ଓଲଟା ହେଉଛି। ଲୋକଙ୍କର ସ୍ୱଳ୍ପ ଆୟର ବଡ଼ ଭାଗ ମଦରେ ଚାଲିଯାଉଛି। ଘରର ମୁଖିଆଙ୍କ ସାରାଦିନର ପରିଶ୍ରମ ପରେ ବି ପରିବାରର ସଦସ୍ୟମାନେ ଖାଦ୍ୟ ଅଭାବରୁ ଅର୍ଦ୍ଧମୃତ ଅବସ୍ଥାରେ ରହିଛନ୍ତି। ପିଲାଙ୍କ ଦେହରେ କପଡା ନାହିଁ କି ସ୍କୁଲରେ ଫିସ ଦେବାଲାଗି ଅର୍ଥ ନାହିଁ। ଆମର ପୁରୁଷ ପ୍ରଧାନ ସମାଜରେ ଘରର ପୁରୁଷକୁ ଖର୍ଚ୍ଚର ହିସାବ ମାଗିବା ପୁରୁଷ ଦ୍ରୁଷ୍ଟିରେ ବଡ ଅପରାଧ।
ନବେ ଦଶକର ପରବର୍ତ୍ତୀ ସମୟର କଥା। ସେହି ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗାଁ ଗହଳିରେ ତିଆରି ହୋଇଥାଏ। ଏହା ସହିତ ସେମାନେ ମହିଳାଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାରର ଯୌନ ନିର୍ଯାତନା, ଯୌତୁକ ଲାଗି ଆକ୍ରମଣ,ଯୌନ ହିଂସା ବିରୁଦ୍ଧରେ ଗାଁ ଓ ଅଞ୍ଚଳରେ ସଂଗଠିତ ହୋଇ ପ୍ରତିବାଦ କରୁଥାନ୍ତି। ସେହିଭଳି ଏକ ସ୍ଥାନ ଥିଲା କପ୍ତାପାଲି।
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କପ୍ତାପାଲି ପଞ୍ଚାୟତର କେରସଙ୍ଗା, ଗୋଡକବାରୀ,କପ୍ତାପାଲି ଗ୍ରାମର କୂଟିଆ କନ୍ଧ ଆଦିବାସୀ ମହିଳାମାନେ ସ୍ଵୟଂ ସହାୟକ ଗୋଷ୍ଠୀ ତିଆରି କରିଥିଲେ। ଏହି ଗୋଷ୍ଠୀ ମାଧ୍ୟମରେ ସେମାନେ ମଦ ବିରୋଧୀ ଆନ୍ଦୋଳନ ସାଙ୍ଗକୁ ଜଙ୍ଗଲ ସୁରକ୍ଷାର କାମ ମଧ୍ୟ କରୁଥିଲେ।
ଆଦିବାସୀମାନେ ନିଜର ପର୍ବ ପର୍ବାଣୀରେ ମଦ ଓ ମାଂସକୁ ପ୍ରମୁଖ ପୂଜାସାମଗ୍ରୀ ଭାବରେ ବ୍ୟବହାର କରିଥାନ୍ତି। ଏହା ଆଦିବାସୀ ପରମ୍ପରା। ମଦକୁ ବର୍ଷର ସବୁ ସମୟରେ ଉପଲବ୍ଧ କରିବା ଲାଗି ଅର୍ଥାତ ଏହାରବ୍ୟବସାୟୀକରଣ ପାଇଁ ବ୍ୟବସାୟୀମାନେ ଅଧିକ ସଂଖ୍ୟାରେ ଆଦିବାସୀ ଗ୍ରାମ ନିକଟରେ ପହଞ୍ଚିଗଲେ। ଏହା ନବେ ଦଶକର କଥା। କାରଣ ରାଜ୍ୟ ସରକାରଙ୍କ ସରକାରଙ୍କ ଆଇଟିଡ଼ିଏ (ସମନ୍ଵିତ ଆଦିବାସୀ ବିକାଶ ଯୋଜନା), ଆଇଏଫଏଡ଼ି ରେ କିଛି କାର୍ଯ୍ୟକ୍ରମ ଚାଲିବା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଆଦିବାସୀ ଅଞ୍ଚଳରେ ବଦଳ ଅର୍ଥନୀତି (ବାର୍ଟର ସିଷ୍ଟମ) ପ୍ରାୟତଃ ଚାଲୁଥିଲା।
ରାଜ୍ୟ ସରକାର ଠିକ ଏହି ସମୟରେ (୧୯୯୯) ଅବକାରୀ ବିଭାଗକୁ ରେଭେନ୍ୟୁ ବିଭାଗ ଠାରୁ ଅଲଗା କରିଦେଲେ। ମଦରୁ ଅଧିକ ଆୟ କରିବା ଲାଗି ଉତ୍ପାଦନ ଓ ବିକ୍ରି ପାଇଁ ରାଜ୍ୟ ସରକାର ରାଜ୍ୟରେ ନୂତନ ଲାଇସେନ୍ସ ଦେବା ଆରମ୍ଭ କରିଦେଲେ। କଙ୍କଡ଼ାକୁ ଗୋଳି ପାଣି ସୁହାଇଲା। ଆଦିବାସୀ ଅଞ୍ଚଳରେ ମଜୁରୀ ମାଧ୍ୟମରେ ଲୋକଙ୍କ ହାତକୁ ଟଙ୍କା ଆସିଲା। ଏହା ସହିତ ଅବକାରୀ ବିଭାଗମଦ ବ୍ୟବସାୟୀଙ୍କୁ ସହଯୋଗ କରିବା ଆରମ୍ଭ କରିଦେଲେ।
ଏଥିରେ ଆଦିବାସୀ ପୁରୁଷ ନିଜ ଘରର ସମସ୍ତ ମଜୁରୀ ଓ ଫସଲକୁ ବ୍ୟବସାୟୀ ପାଖରେ ଦେଇ ମଦ ପିଇଲେ। ସେହି ଭିତରେ ଘରର ଫସଲ ତ ଗଲା, ସରକାରୀ କାମରୁ ମିଳୁଥିବା ମଜୁରୀ ଗଲା। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଅବଗତ ଥିଲା। ମହିଳାମାନେ ସଂଗଠିତ ଭାବରେ ଏହାର ପ୍ରତିବାଦ କରିବା ଲାଗି ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ। ସେମାନେ ମଦ ବିକ୍ରିକୁ ବନ୍ଦ କରିବା ଲାଗି ଲାଗିପଡ଼ିଲେ। ମଦ ବିରୋଧୀ ଆନ୍ଦୋଳନ ଆଦିବାସୀ ଅଞ୍ଚଳରେ ସକ୍ରିୟ ହେଲା। ସେହି ଭିତରେ ସୁନ୍ଦରଗଡ଼ର ମଦ ବିରୋଧୀ ଆନ୍ଦୋଳନର କର୍ମୀ ଦିଲେଶ୍ଵର ଦଣ୍ଡସେନା ଓ ପ୍ରମିଳାଙ୍କୁ ମଦ ବ୍ୟବସାୟୀମାନେ ହତ୍ୟା କରିଥିଲେ। ତଥାପି ଏହି ଆନ୍ଦୋଳନ ଦବି ନଥିଲା।
ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନର ଲହର ଭିତରେ ନୟାଗଡ ଜିଲ୍ଲା କପ୍ତାପାଲିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ୧୯୯୯ – ୨୦୦୦ ମସିହା ଆଡକୁ ନିଷ୍ପତ୍ତି ନେଲେ ଯେ କୌଣସି ଗ୍ରାମବାସୀ ମଦ ପିଇବେ ନାହିଁ। କାହାରିକୁ ମଦ ବିକ୍ରି କରିବା ଅଥବା ପ୍ରସ୍ତୁତ କରିବା ଲାଗି ଅନୁମତି ଦିଆଯିବ ନାହିଁ। କେବଳ ପର୍ବ ସମୟରେ ଯେଉଁ ପରିବାର ମଦ ପ୍ରସ୍ତୁତ କରିବେ ସେମାନଙ୍କୁ ଗ୍ରାମ କମିଟି ତରଫରୁ ଅନୁମତି ନେବାକୁ ପଡିବ। ଏତଦବ୍ୟତୀତ, ଯଦି କୌଣସି ଗ୍ରାମବାସୀ ଉକ୍ତ ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ୫୫୧ ଟଙ୍କା ପ୍ରତି ଥର ଲାଗି ଦଣ୍ଡିତ କରାଯିବ। ଏଥିଲାଗି ଗ୍ରାମରେ କମିଟି ସ୍ଵତନ୍ତ୍ର ତିଆରି ହେଲା। ମହିଳା ସଦସ୍ୟ ସେଥିରେ ଅଧିକ ରହିଲେ। କମିଟି ବେଶ କିଛି ବର୍ଷ ସକ୍ରିୟ ରହିଲା। ସେହି କମିଟି ଉତ୍ସାହିତ ହୋଇ ନିଜ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦିଗରେ ମଧ୍ୟ କାମ କଲା ଓ ଏକ ବିଶାଳ ଜଙ୍ଗଲ ମଧ୍ୟ ତିଆରି କରିପାରିଲା। କିନ୍ତୁ ଅଧିକ ଦିନ ଏହି କମିଟି ସକ୍ରିୟ ହୋଇପାରିଲା ନାହିଁ। ଏହା ୨୦୦୦ ମସିହାର ପୂର୍ବର କଥା।
୨୦୦୦ ମସିହାରେ ରାଜ୍ୟରେ କଂଗ୍ରେସ ପାର୍ଟିକୁ କ୍ଷମତାଚ୍ୟୁତ କରି ବିଜୁ ଜନତା ଦଳ ସରକାର ରାଜ୍ୟରେ ପଦାର୍ପଣ କରିଥିଲା। ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ବୋଲି ପ୍ରଚାର କଲା ଏହି ଦଳ। ବିଜୁ ପଟ୍ଟନାୟକ ନିଜର ମୁଖ୍ୟମନ୍ତ୍ରୀତ୍ଵ ସମୟରେ (୧୯୯୦ – ୧୯୯୫) ରାୟଗଡା ଜିଲା କାଶୀପୁର ବ୍ଲକର ଦୁଇ ଆଦିବାସୀ ମହିଳା ସୁମତି ଝୋଡିଆ ଓ ସୁମନି ଝୋଡିଆଙ୍କୁ ଅଞ୍ଚଳରେ ମଦ ବନ୍ଦ କରିବା ଲାଗି ଅବକାରୀ ପୁଲିସର କ୍ଷମତା ରାଜ୍ୟ ସରକାରଙ୍କ ତରଫରୁ ଦେଇଥିଲେ।ଏହାକୁ ବିଜେଡ଼ି ନିଜର ପ୍ରଚାରର ଅସ୍ତ୍ର ମଧ୍ୟ କରିଥିଲା। ସେଥିଲାଗି ଆଦିବାସୀ ଅଞ୍ଚଳରେ କଂଗ୍ରେସ ବଦଳରେ ବିଜେଡ଼ି ଅଧିକ ସିଟ ଅକ୍ତିଆର କରିଥିଲା।
ପୂର୍ବରୁ ଆଦିବାସୀ, ଦଳିତ ବର୍ଗ ତଥା ମହିଳାମାନେ ଥିଲେ କଂଗ୍ରେସର ଏକ ଦୃଢ ଭୋଟ ବ୍ଯାଙ୍କ । ନିଜର ଭୋଟ ବ୍ଯାଙ୍କ ବଢାଇବା ଲାଗି ରାଜ୍ୟ ସରକାର ମହିଳାଙ୍କ ନିଜସ୍ଵ ଉଦ୍ୟମକୁ ସଂପୂର୍ଣ୍ଣ ଭାବରେ ଆନୁଷ୍ଠାନିକରଣ କଲେ। ଗ୍ରାମୀଣ ମହିଳାଙ୍କୁ ‘ରୋଜଗାରକ୍ଷମ’ କରିବା ଉଦ୍ଦେଶ୍ୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ‘ମଶନ ଶକ୍ତି’ମାଧ୍ୟମରେ ନିୟମିତ ଋଣ, ଆର୍ଥିକ ସହାୟତା, ପୁରସ୍କାର, ରୁଣ ଛାଡର ପ୍ରତିଶୃତି ଦେଲେ। ପ୍ରତି ବର୍ଷ କିଛି ଶୃଙ୍ଖଳିତ ମହିଳା ସଂଗଠନଙ୍କୁ ‘ଭଲକାମ’ ଲାଗି ପ୍ରୋସ୍ଛାହିତ ମଧ୍ୟ କରାଗଲା।
ଏହା ସହିତ ଏକ ଅଲିଖିତ ସର୍ତ୍ତ ଥିଲା ଯେ ରାଜ୍ୟ ସରକାରଙ୍କ କୌଣସି ନିଷ୍ପତ୍ତି ଅଥବା ଅମନଯୋଗୀତାକୁ ବିରୋଧ କରିବାର ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହେବା। ଏ ଭଳି ସନ୍ଦେଶ ବ୍ୟାଙ୍କ ମାଧ୍ୟମରେ ଏସଏଚଜିମାନଙ୍କୁ ସୂଚିତ କରିଦିଆଗଲା। ସରକାରଙ୍କ ସହିତ ତାଳ ଦେଇ ଅନେକ ସ୍ଵେଚ୍ଛାସେବୀ ସଂଗଠନ ଉକ୍ତ ଏସଏଚଜି ମାନଙ୍କୁ ସକ୍ରିୟ କରିବା ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟ ବୋଲି ଭାବିଲେ। ଫଳରେ,ନାରୀମାନଙ୍କ ସଂଗଠିତ ସ୍ଵର ଗ୍ରାମାଞ୍ଚଳରେ କ୍ଷୀଣରୁ କ୍ଷୀଣତର ହେଲା।
ନୟାଗଡ଼ ଜିଲ୍ଲାର କପ୍ତାପଲି ଗ୍ରାମର ଆଦିବାସୀଙ୍କ ଲାଗି ଏକ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ସଂସ୍ଥା ବା ଏନଜିଓ ୨୦୦୦ ମସିହା ପରେ କାମ ଆରମ୍ଭ କରିଥିଲା। କ୍ରମଶଃ ଗ୍ରାମୀଣ ମହିଳା ନିଜର ସଂଗଠିତ ହୋଇ କରୁଥିବା ମଦ ବିରୋଧୀ ଆନ୍ଦୋଳନ ଓ ନାରୀ ଅଧିକାର ସୁରକ୍ଷା କାର୍ଯ୍ୟକୁ ଛାଡ଼ି ଦେଇ ରୁଣ କାରବାରରେ ସମ୍ପୃକ୍ତ ହୋଇଗଲେ। ଏହା କେବଳ କପ୍ତାପଲି ନୁହେଁ ରାଜ୍ୟର ଅନେକ ଏସଏଚଜିର ସ୍ଥିତି। ସେମାନଙ୍କ ଲାଗି ରୁଣ କାରବାରର ମୁଖ୍ୟ କାର୍ଯ୍ୟ ହୋଇଗଲା।
କପ୍ତାପଲି ଗ୍ରାମରେ କାମ କରୁଥିବା ଉକ୍ତ ଏନଜିଓର କାର୍ଯ୍ୟ ରିପୋର୍ଟ ଅନୁସାରେ ମହିଳା ସଂଗଠନ ଆଉ କେବେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇନାହିଁ। ଏହା କେବଳ “ଅର୍ଥନୈତିକ କାର୍ଯ୍ୟ” ରେ ସମ୍ପୃକ୍ତ ରହିଛି। ରାଜ୍ୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯେଉଁଭଳି ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନରେ ସକ୍ରିୟ ହେବା ସହିତ ଗ୍ରାମୀଣ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା, ପାରିବାରିକ ହିଂସା, ସରକାରୀ କର୍ମଚାରୀଙ୍କ ଦମନ, ସ୍କୁଲରେ ଶିକ୍ଷକଙ୍କ ଉପସ୍ଥାନ ଇତ୍ଯାଦି ପ୍ରସଙ୍ଗରେ ମିଳିତ ପ୍ରତିବାଦ କରୁଥିଲେ ତାହା ସଂପୂର୍ଣ୍ଣ ବନ୍ଦ ହୋଇଗଲା।
ମଦ ବିରୋଧୀ ଆନ୍ଦୋଳନର ବିଶେଷତ୍ଵ ଥିଲା ଯେ ଆମ ସମାଜର ନିମ୍ନଆୟ ବର୍ଗ ପରିବାରର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ମହିଳାମାନଙ୍କୁ ଏହା ଏକାଠି କରିପାରିଥିଲା। ଆଦିବାସୀ ଆନ୍ଦୋଳନ ଓ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଠାରୁ ମଦ ବିରୋଧୀ ଆଂଦୋଳନରେ ମହିଳାଙ୍କ ଯୋଗଦାନ ବେଶ ଅଧିକ ରହୁଥିଲା। ସେମାନେ ରାଜ୍ୟ ସାରା ଯେଉଁ ସାହାସର ସହିତ ମଦଭାଟି ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ବା ସରକାରୀ ଅଧିକାରୀଙ୍କୁ ବାଧ୍ୟ କରିପାରୁଥିଲେ ତାହା ହୁଏତ ଅନ୍ୟ ଆନ୍ଦୋଳନରେ କ୍ଵଚିତ ଦେଖାଯାଉଥିଲା। କିନ୍ତୁ ଏହାର ମେରୁଦଣ୍ଡକୁ ନଷ୍ଟ କରିବା ଲାଗି ବିଜୁ ଜନତା ଦଳ ସରକାର ମହିଳା ଗୋଷ୍ଠୀଙ୍କୁ ରୁଣ କାରବାରରେ ଫସାଇଦେଲେ।
ବ୍ୟାଙ୍କ ଦେଉଥିବା ଋଣ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ “ସ୍ୱାବଲମ୍ବୀ” ଓ “ଆତ୍ମନିର୍ଭରଶୀଳ”ହେବେ ବୋଲି ସ୍ଵପ୍ନ ଦେଖାଯାଇଥିଲା। ବାସ୍ତବରେ କିନ୍ତୁ ଗ୍ରାମାଞ୍ଚଳର ନିମ୍ନ ମଧ୍ୟବିତ୍ତ ପରିବାରର ଉକ୍ତ ସଦସ୍ୟାମାନେ ବ୍ୟବସାୟ ଲାଗି ନେଇଥିବା ରୁଣକୁ ନିଜର ଅଭାବ ପୂରଣ ଲାଗି ବାଧ୍ୟବାଧକତାର ସହିତ ପରିବାରର କାର୍ଯ୍ୟରେ ଖର୍ଚ୍ଚ କରିଦେଲେ। ଏଥିପାଇଁ ସେମାନେ ବ୍ୟାଙ୍କରୁ ଆଣିଥିବା ଋଣକୁ ଶୁଝିବା ଲାଗି ହାତ ଉଧାରୀ ରୁଣ କରିଚାଲିଲେ। ଫଳରେ, ରୁଣର ଜନ୍ତାରେ ସେମାନେ ଫସିଗଲେ। ଅବଶ୍ୟ ଏ ସମ୍ପର୍କରେ ପୃଥକ ଆଲୋଚନା ଜରୁରୀ।
କିନ୍ତୁ ରାଜ୍ୟ ସରକାର ୧୯୯୯ ମସିହାରେ ଅବକାରୀ ବିଭାଗରେ ଆଣିଥିବା ପରିବର୍ତ୍ତନ ସରକାରଙ୍କୁ ଉତ୍ତମ ଫଳ ଦେବା ଆରମ୍ଭ କରିଦେଲା। ୨୦୦୩ ମସିହାରେ ଅବକାରୀ ବିଭାଗର ଆୟ ୨୫୬ କୋଟି ଟଙ୍କା ଥିଲା। ଏଥିରେ ବୃଦ୍ଧି ଘଟି ୨୦୧୧ – ୧୨ ମସିହାରେ ଏହା ୧୩୬୦ କୋଟି ଟଙ୍କା ଓ ୨୦୧୪-୧୫ ବେଳକୁ ଏହା ୨୦୩୮ କୋଟି ଟଙ୍କାରେ ପହଞ୍ଚିଥିଲା। ତଥାପି ୨୦୧୨ ମସିହାରେ କଟକ – ଭୁବନେଶ୍ବର ମଦ ମୃତ୍ୟୁ ଘଟଣା ପୁଣି ମଦ ବିରୋଧୀ ଆନ୍ଦୋଳନକୁ ସକ୍ରିୟ କରିଥିଲା। ଏହି ଘଟଣାରେ ୪୧ ଜଣ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିଲେ। ଏହା ପୂର୍ବରୁ ପୁରୀରେ (୨୦୦୧) ୨୦ ଜଣ, ଗଞ୍ଜାମରେ (୨୦୦୬) ୧୯ ଜଣ ଓ ବଲାଙ୍ଗୀର (୨୦୦୯) ରେ ୭ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିଲେ।
କଟକ-ଭୁବନେଶ୍ବର ମଦମୃତ୍ୟୁ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିଲା। ଗାନ୍ଧୀବାଦୀ ନେତା ପଦ୍ମଚରଣ ନାୟକଙ୍କ ନେତୃତ୍ଵରେ ଚାଲିଥିବା ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ସହିତ ଅନେକ ବୁଦ୍ଧିଜୀବୀ, ଛାତ୍ର, ଲେଖକ, ସଂଗଠକ ଓ ଗାନ୍ଧୀବାଦୀ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ସାଇକେଲ ଯାତ୍ରା କରି ଲୋକଙ୍କୁ ମଦ ବିରୁଦ୍ଧରେ ସଚେତନ କରୁଥିଲେ। ଅନେକ ମହିଳା ଏଥିରେ ସାମିଲ ହେଉଥିଲେ।
ଆନ୍ଦୋଳନ ଏଥର ଉପକୂଳ ଓଡିଶାରେ ସକ୍ରିୟ ହେଲା। ସରକାର ଲାଇସେନ୍ସ ଦେଉଥିବା ଦୋକାନକୁ ଗ୍ରାମବାସୀ ଖୋଲିବାକୁ ଦେଉନଥିଲେ। ଏଥିରେ ଆଗରେ ଥିଲେ ମହିଳାମାନେ। ଆନ୍ଦୋଳନ ଯେବେ ଶୀର୍ଷରେ ଥିଲା ଓଡିଶା ସରକାର ନିଜର ପୋଲିସ ବାହିନୀ ନେଇ ଆନ୍ଦୋଳନକୁ ଏକ ଶିକ୍ଷା ଦେବା ଉଚିତ ମନେକଲେ। ୨୦୧୫ ମସିହା ମାର୍ଚ୍ଚ ୮ ମହିଳା ଦିବସ ଦିନ ନମତରା ଠାରେ ମହିଳାମାନେ ମଦ ଦୋକାନକୁ ବନ୍ଦ କରିବାକୁ ଆସିବା ସମୟରେ ପୋଲିସ ଗୁଳିର ଶିକାର ହୋଇଥିଲେ।
ନମତରା ଗୁଳିକାଣ୍ଡର କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କ ଦ୍ଵାରା ଘଟଣାର ତଦନ୍ତ ରିପୋର୍ଟ ଏବେ ବି ଅପ୍ରକାଶିତ। ଗୁଳି କରିଥିବା ପୋଲିସ ଅଧିକାରୀମାନେ ଏବେ ବି ନିଜ ଚାକିରିରେ ଅବସ୍ଥାପିତ। କୌଣସି ଦଣ୍ଡବିଧାନ କାହାରିକୁ ହୋଇନାହିଁ। ଗୁଳି ଖାଇଥବା ଆଠ ଜଣ ଦଳିତ ମହିଳା ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେଲେ। ସସ୍ମିତା ଜେନା (ଆଜି ତାଙ୍କୁ ୪୦ ବର୍ଷ ହେବ) ଙ୍କ ଅଣ୍ଟାରେ କିନ୍ତୁ ଗୁଳି ଏବେ ବି ରହିଛି। ଏହାର ଅପରେସନ କରିବା ଅର୍ଥ ସେ ମୃତ୍ୟୁବରଣ କରିବା ଡାକ୍ତର କହିବା କାରଣରୁ ସେ ଗୁଳି ବିଦ୍ଧ ଶରୀର ନେଇ ଏବେ ବି ଚାଲିଛନ୍ତି। ଜଣେ ବନ୍ଧୁଙ୍କ ସୂଚନା ଅନୁସାରେ ଏବେ ସେ ସଂପୂର୍ଣ୍ଣ ଶଯ୍ୟାଶାୟୀ।
୨୦୨୪ ମସିହାର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ମଦକୁ ଏକ ପ୍ରସଙ୍ଗ କରିଥିଲା।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଠାରେ “ଆମେ ସରକାରକୁ ଆସିଲେ ମଦ ସଂପୂର୍ଣ୍ଣ ବନ୍ଦ” କରିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଦଳର ଆଭିମୁଖ୍ୟ ଭିନ୍ନ, ଠିକ ବିଜେଡ଼ି ଭଳି। ବିଜେଡ଼ି କ୍ଷମତାରୁ ଯିବା ସମୟରେ ୨୦୨୩-୨୪ ବେଳକୁ ଏହା ୭୨୧୬ କୋଟି ଟଙ୍କାରେ ପହଞ୍ଚିଥିଲା। ଏଭଳି ଏକ ଲାଭଜନକ କ୍ଷେତ୍ରକୁ ବିଜେପି ସରକାର ହାତଛଡା କରିବାକୁ ଚାହିଁଲେ ନାହିଁ। ୨୦୨୫ – ୨୬ର ବଜେଟରେ ଅବକାରୀ ବିଭାଗରୁ ୯୭୫୩ କୋଟି ଟଙ୍କା ଆସିବାର ଲକ୍ଷ୍ୟ ରଖାଯାଇଛି। ଏହା ରାଜ୍ୟର ସମୁଦାୟ ରେଭେନ୍ୟୁର ୧୫% ହେବ।
ଏହିଭଳି ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟର ବିରାଟ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନକୁ କେବେ ରୁଣ ଦେବାର ଆଗ୍ରହ ଦେଖାଇ ତ ପୁଣି କେବେ ମିଥ୍ୟା ଆଶ୍ଵାସନା ଦେଇ, କେବେ ଦମନ କରି ତ ପୁଣି ରାଜ୍ୟର ବିକାଶ ନାମରେ ଆଜି ନିଷ୍କ୍ରିୟ କରିଦେଲେ। ଏହା ସହିତ ମହିଳାଙ୍କ ନିଜ ଅଧିକାର ଲାଗି ଚାଲିଥିବା ସଂଗଠିତ ଉଦ୍ୟମ ମଧ୍ୟ ବନ୍ଦ ହୋଇଗଲା। ଏହା କଦାପି କୌଣସି ବି ସଂବେଦନଶୀଳ ସରକାର ଚାହିଁବ ନାହିଁ ଯେ ରାଜ୍ୟର ରେଭେନ୍ୟୁ ଲାଗି ରାଜ୍ୟବାସୀ ରୋଗାକ୍ରାନ୍ତ ହୁଅନ୍ତୁ। ମଦର ବଜାରୀକରଣ ଶୀଘ୍ର ବନ୍ଦ ହେବା ଜରୁରୀ। ନମତରାର ସସ୍ମିତ ଜେନା ନିଜର ଶଯ୍ୟା ଉପରେ ପଡି ଦେଖୁଥିବା ସ୍ଵପ୍ନ ତାଙ୍କର କେବେ ସାକାର ହେବ?
ମୋବାଇଲ: ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
