Advertisment

ବିଶ୍ୱପ୍ରସିଦ୍ଧ ଦଳାଚକଟା-ରଥଯାତ୍ରା!

କିଛି ଲୋକ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଦିନ ତିନିରଥକୁ ଜାଣିଶୁଣି ମଝିରାସ୍ତାରେ ଅଟକାଇ ଦିଆଯାଇଥିଲା; ଯାହା ଫଳରେ ଆଦାନୀଙ୍କୁ ପରଦିନ ସକାଳେ ରଥ ଟାଣିବାର ସୁଯୋଗ ଦିଆଯାଇପାରିବ। ପୂର୍ବରୁ ସନ୍ଧ୍ୟା ପରେ ଅନେକ ବର୍ଷ ରଥଟଣା ହୋଇଥିବା ସତ୍ତ୍ୱେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବା କଥାରୁ ସନ୍ଦେହ ହେବା ସ୍ୱାଭାବିକ ଯେ ରଥଗୁଡ଼ିକୁ କେବଳ ଆଦାନୀଙ୍କ ପାଇଁ ଅଟକାଯାଇଥିଲା।

author-image
Debendra Prusty
Jagannath Ratha Yatra At Puri

Jagannath Ratha Yatra At Puri

ଜାନକୀଶ ବଡ଼ପଣ୍ଡା

ରବିବାର, ଜୁନ୍ ୨୯ ତାରିଖ ପ୍ରତ୍ୟୁଷରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହେଲା ଏବଂ ଅନେକ ଆହତ ହେଲେ। ଏହି ଦୁର୍ଘଟଣା ପାଇଁ ପ୍ରଶାସନିକ ଅବହେଳା ଏବଂ ବିଫଳତାକୁ ଦାୟୀ କରାଯାଇ ପାରିବ। ଯଦିଓ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥିବାରୁ ରଥ ଟାଣିବା ସମୟରେ ଦଳାଚକଟାରେ ଲୋକଙ୍କ ମୃତ୍ୟୁ ହେବାର ଅନେକ ଘଟଣା ପୂର୍ବରୁ ଘଟିଛି, କିନ୍ତୁ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶରଧାବାଲିରେ ଦଳାଚକଟା ହେବା ଏହା ଥିଲା ପ୍ରଥମ ଘଟଣା।

Advertisment

ଦୁର୍ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ତତ୍କାଳ ପୁରୀର ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକଙ୍କୁ ବଦଳି କରିଦେଇଥିଲେ ଏବଂ ଦୁଇ ଜଣ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରିଦେଇଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିଥିଲା ବୋଲି ସ୍ୱୀକାର କରିଥିଲେ। ସେଦିନ ଅପରାହ୍ନରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ହଟାଇ ଦିଆଯାଇଛି ଏବଂ ଖୋର୍ଧାରେ ଜିଲ୍ଲାପାଳ ଥିବା ଚଞ୍ଚଲ ରାଣାଙ୍କୁ ପୁରୀର ନୂତନ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି, ଏସପି ବିନୀତ ଅଗ୍ରୱାଲଙ୍କୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନୂତନ ଏସପି ଭାବରେ ନିଯୁକ୍ତ କରାଯାଇଛି। ପିନାକ ମିଶ୍ର ପୂର୍ବରୁ ମଧ୍ୟ ପୁରୀର ଏସପି ରହିସାରିଛନ୍ତି। ଏହା ବ୍ୟତୀତ, ପୁରୀର ପୂର୍ବତନ ଜିଲ୍ଲାପାଳ ଏବଂ ବର୍ତ୍ତମାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କର୍ମରତ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଥିଲା। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାର ଦାୟିତ୍ୱ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଥିଲା। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଦୁର୍ଘଟଣାର ପ୍ରଶାସନିକ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହା ସହିତ, ରାଜ୍ୟ ସରକାର ତିନି ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁର୍ଘଟଣାରେ ମୃତ୍ୟୁ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ, ‘ଏହି ଅବହେଳା ଅକ୍ଷମଣୀୟ। ସୁରକ୍ଷାରେ ତ୍ରୁଟିର ତୁରନ୍ତ ତଦନ୍ତ ହେବ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।’

Advertisment

ପୂର୍ବରୁ, ବିରୋଧୀ ଦଳର ନେତା, ବିଜେଡି ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରି ‘ଏକ୍ସ’ରେ ଲେଖିଥିଲେ ଯେ, ‘ରଥଯାତ୍ରା ଦିନ ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ 'ମହାପ୍ରଭୁଙ୍କ ଇଚ୍ଛା' ବୋଲି କହିବା ଏକ ଲଜ୍ଜାଜନକ ବାହାନା ଏବଂ ପ୍ରଶାସନର ଦାୟିତ୍ୱ ଏଡାଇବାକୁ ଏକ ପ୍ରୟାସ।’

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରଥାରୂଢ଼ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପହଡ଼ ଭୋର ପ୍ରାୟ ୪:୨୦ରେ ଉଠିବା ପରେ ଦର୍ଶନ ପାଇଁ ସମବେତ ଭକ୍ତଙ୍କ ଭିଡ଼ ହେବା ସମୟରେ କୌଣସି ପୂର୍ବ ସୂଚନା ବିନା 'ଚାରମାଳ' ବୋଝେଇ ଦୁଇଟି ଟ୍ରକ ଗହଳି ଭିତରେ ପ୍ରବେଶ କରିଥିଲା। ଏହା ଫଳରେ ଦଳାଚକଟା ହୋଇଥିଲା। ଅନେକ ଲୋକ ତଳେ ପଡ଼ିଯାଇଥିଲେ ଏବଂ ଅନ୍ୟମାନେ ସେମାନଙ୍କ ଉପରେ ଚଢ଼ି ଯାଇଥିଲେ।

ଅନେକ ଲୋକ କହିଛନ୍ତି ଯେ, ‘ସେଠାରେ ପ୍ରାୟ ୩୦-୪୦ ହଜାର ଲୋକ ଥିଲେ, କିନ୍ତୁ ପୋଲିସର ଉପସ୍ଥିତି ନଗଣ୍ୟ ଥିଲା। ଟ୍ରକ୍ ଆସିବା ମାତ୍ରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ସେଠାରେ ଯେଉଁକିଛି ପୋଲିସ କର୍ମଚାରୀ ଥିଲେ ସେମାନେ ଭିଡ଼ ନିୟନ୍ତ୍ରଣ କରିବେ କ’ଣ, ନିଜ ଜୀବନ ବଞ୍ଚାଇବା ପାଇଁ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ।’ ସେମାନେ କହିଛନ୍ତି ଯେ ଗୁରୁତର ଆହତ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ ତଥା ଅନ୍ୟମାନେ ଅଧକିଲୋମିଟର ଦୂରରେ ଥୁଆ ହୋଇଥିବା ଆମ୍ବୁଲାନ୍ସ ଯାଏଁ ବୋହି ନେଇଯାଇଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଆଉଜଣେ କହିଛନ୍ତି ଯେ ଭିଡ଼ ଭିତରେ ଦଳାଚକଟା ସମୟରେ ତାଙ୍କ ମାଆ ତଳେ ପଡ଼ି ଯାଇଥିଲେ ଏବଂ ପ୍ରାୟ ୫୦୦ ଜଣ ଲୋକ ତାଙ୍କ ଉପରେ ଚଢ଼ି ଯାଇଥିଲେ।

ଜଣେ ଆହତ କହିଥିଲେ ଯେ, ‘ମୁଁ ତଳେ ପଡ଼ିଗଲି ଏବଂ ଅନେକ ଲୋକ ମୋ ଉପରେ ପଡ଼ିଗଲେ। କେହି ସାହାଯ୍ୟ କଲେ ନାହିଁ। ଅଳ୍ପ କିଛି ପୋଲିସ ଏବଂ ଜଣେ ଡାକ୍ତର ସେଠାରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିଲା। ଆମକୁ ନିଜ ଗାଡ଼ିରେ ପ୍ରାଥମିକ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାକୁ ଯିବାକୁ ପଡିଥିଲା।’ ଅନେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦୁର୍ଘଟଣା ସ୍ଥଳରେ ପଲିଥିନ୍ ବିଛାଯାଇଥିଲା, ଯାହା ଉପରେ ବର୍ଷା ଜଳ ପଡ଼ି ଖସଡା ରହିଥିଲା। ପଲିଥିନ୍ ତଳେ ବାଲି ଥିବାରୁ ସେଠାରେ ପାଦ ଖସିବା ସ୍ୱାଭାବିକ। ଏହି ପଲିଥିନ୍ ଯୋଗୁଁ ଅନେକ ଲୋକ ପଡ଼ିଗଲେ, ଯାହା ଦଳାଚକଟା ସୃଷ୍ଟିରେ ସହାୟକ ହେଲା। ଏସବୁ ଅଭିଯୋଗକୁ ତତ୍କାଳୀନ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅସ୍ୱୀକାର କରି କହିଥିଲେ ଯେ, ‘ସେଠାରେ ପୋଲିସ ମୁତୟନ କରାଯାଇଥିଲା। ଏହା ସତ୍ତ୍ୱେ ଦଳାଚକଟା କିପରି ଘଟିଲା ତାହାର ତଦନ୍ତ କରାଯିବ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଆଡ଼ପ ଦର୍ଶନ ବ୍ୟବସ୍ଥା କରିବା।’

ରଥଯାତ୍ରା କାଳରେ ଦଳାଚକଟାକୁ ନେଇ ପ୍ରଶାସନ ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କରେ ବହୁପୂର୍ବରୁ ଅଭିଯୋଗ କରାଯାଇ ଆସୁଥିଲା। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବିବୃତ୍ତି ଜାରି କରି କହିଥିଲେ ଯେ, ‘ମୁଁ ଅନୁରୋଧ କରୁଛି ଯେ, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଉପରେ କେହି ରାଜନୀତି ନକରନ୍ତୁ।’ ଅବଶ୍ୟ ରାଜ୍ୟ ସରକାର ସ୍ୱୀକାର କରିଥିଲେ ଯେ ରଥଯାତ୍ରା ଦିନ ପ୍ରବଳ ଭିଡ଼ ଯୋଗୁଁ ଶହ ଶହ ଲୋକ ନିଶ୍ୱାସ ନେବାରେ ଅସୁବିଧା ଭୋଗ କରିଥିଲେ, ଯେଉଁମାନଙ୍କୁ ପ୍ରାଥମିକ ଚିକିତ୍ସା ଦେବାପରେ ଛଡ଼ାଯାଇଥିଲା।

ରଥଯାତ୍ରା ସମୟରେ ପ୍ରବଳ ଭିଡ଼ ଏବଂ ସୁରକ୍ଷା ବଳୟ ମଧ୍ୟରେ ବହୁ ସଂଖ୍ୟକ ପାସଧାରୀ ଭିଆଇପିଙ୍କ ଉପସ୍ଥିତି ଯୋଗୁଁ ନାନାଦି ଅସୁବିଧା ସୃଷ୍ଟି ହୋଇଥିଲା ଏବଂ ପରିଣାମ ସ୍ୱରୂପ ତିନୋଟି ରଥ ଠିକ୍ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନଥିଲା। ପରଦିନ, ଶନିବାର ସକାଳେ ରଥଗୁଡ଼ିକୁ ପୁଣି ଟଣାଯାଇଥିଲା ଏବଂ ଅପରାହ୍ନ ପ୍ରାୟ ୧ଟାରେ ଶରଧାବାଲି ପରିସରକୁ ଅଣାଯାଇ ଥିଲା। ହଜାର ହଜାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କର୍ଡନ ପାସ୍ ବଣ୍ଟନ କରାଯିବା ଫଳରେ ଗୋଟିଏ ଦିନରେ ତିନିରଥ ସିଂହଦ୍ୱାରଠାରୁ ଯାତ୍ରା ଆରମ୍ଭ କରି ଗୁଣ୍ଡିଚାମନ୍ଦିର ସାମ୍ନାରେ ଲାଗିପାରିଲା ନାହିଁ ବୋଲି ଅଭିଯୋଗ ଆସିଛି I କର୍ଡନ ଖାଲି କରିବାକୁ ସମୟ ଲାଗିଥିଲା। ଅଭିଯୋଗ ଆସିଥିଲା ଯେ ମନ୍ତ୍ରୀ, ସରକାରୀ ଦଳର ନେତା ଏବଂ ଅନ୍ୟାନ୍ୟ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା, ଯାହା ସାଧାରଣ ଭକ୍ତମାନଙ୍କୁ ଅସୁବିଧାର ସମ୍ମୁଖୀନ କରିଥିଲା ଏବଂ ରଥଟଣା ବିଳମ୍ବିତ ହୋଇଥିଲା।

ରଥଯାତ୍ରା ଦିନ ବିଶୃଙ୍ଖଳା ଏବଂ ବିଳମ୍ବିତ ରଥଟଣା କାରଣରୁ ତିନିରଥ ବଡଦାଣ୍ଡରେ ଅଟକି ରହିବା ଭକ୍ତମାନଙ୍କୁ ଉତକ୍ଷିପ୍ତ କରିଥିବା ବେଳେ ପରଦିନ ଶନିବାର ସକାଳେ ଆଦାନୀ ଶିଳ୍ପ ଗୋଷ୍ଠୀର ଅଧ୍ୟକ୍ଷ ଗୌତମ ଆଦାନୀ ଓ ତାଙ୍କ ପରିବାରବର୍ଗଙ୍କୁ ରଥଟାଣିବାର ସୁଯୋଗ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାର ଅଭିଯୋଗ ଆସିଥିଲା। ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ପୁରୀବାସୀ ଅଭିଯୋଗ କରିଥିଲେ ଯେ ଗୌତମ ଆଦାନୀଙ୍କୁ ବିନା ବାଧାରେ ରଥ ଟାଣିବାର ସୁଯୋଗ ଦେବା ପାଇଁ ନନ୍ଦିଘୋଷ ରଥକୁ ଟଣାନଯାଇ ସିଂହଦ୍ୱାର ପାଖରେ ହିଁ ରଖାଯାଇଥିଲା। କିଛି ଲୋକ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଦିନ ତିନିରଥକୁ ଜାଣିଶୁଣି ମଝିରାସ୍ତାରେ ଅଟକାଇ ଦିଆଯାଇଥିଲା; ଯାହା ଫଳରେ ଆଦାନୀଙ୍କୁ ପରଦିନ ସକାଳେ ରଥ ଟାଣିବାର ସୁଯୋଗ ଦିଆଯାଇପାରିବ। ପୂର୍ବରୁ ସନ୍ଧ୍ୟା ପରେ ଅନେକ ବର୍ଷ ରଥଟଣା ହୋଇଥିବା ସତ୍ତ୍ୱେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବା କଥାରୁ ସନ୍ଦେହ ହେବା ସ୍ୱାଭାବିକ ଯେ ରଥଗୁଡ଼ିକୁ କେବଳ ଆଦାନୀଙ୍କ ପାଇଁ ଅଟକାଯାଇଥିଲା।

ଏହି ଘଟଣାସମୂହ 'ଭିଆଇପି ସଂସ୍କୃତି' ବିଷୟରେ ଏକ ଉଷ୍ମ ବିତର୍କ ସୃଷ୍ଟି କରିଛି। ଦର୍ଶନାର୍ଥୀ ଭକ୍ତ ଏବଂ ସାଧାରଣ ନାଗରିକଗଣ ସାମାଜିକ ଗଣମାଧ୍ୟମ ଏବଂ ସାର୍ବଜନୀନ ସ୍ଥାନମାନଙ୍କରେ ଏକତ୍ର ହୋଇ ଆଜି ବି ସେମାନଙ୍କର କ୍ରୋଧ ପ୍ରକାଶ କରୁଛନ୍ତି। କିଛି ବହିରାଗତ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ଯେ, ‘ଆମକୁ ଦର୍ଶନ କରିବାରୁ ଅଟକା ଯାଇଥିଲା ଏବଂ ଟଙ୍କା ଦାବି କରାଯାଇଥିଲା।’ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ତୁ ସ୍ପଷ୍ଟ କରାଯାଇଛି ଯେ ସେଦିନ ପ୍ରତ୍ୟୁଷରେ ଘଟିଥିବା ଦଳାଚକଟା ସମୟରେ କୌଣସି ଭିଆଇପି ଉପସ୍ଥିତ ନଥିଲେ। ସେଥିପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଅନାବଶ୍ୟକ ଥିଲା। ତେଣୁ 'ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା' କରାଯାଇଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି କହି ପ୍ରଶାସନକୁ ଦାୟୀ କରାଯିବା ଅନୁଚିତ। ତଥାପି, ସେଦିନ ପୁରୀ ଶରଧାବାଲିରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ଏବଂ ପୋଲିସର ଭୂମିକା ଉପରେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେଦିନ ଭକ୍ତଙ୍କ ଅଧିକ ଭିଡ଼ ହେବାର ଆଶଙ୍କା ସତ୍ତ୍ୱେ ପୋଲିସ ଏବଂ ପ୍ରଶାସନ କାହିଁକି ପର୍ଯ୍ୟାପ୍ତ ପ୍ରସ୍ତୁତି କରିନଥିଲେ? ରାତି ୪ଟା ସମୟରେ ଘଟଣାସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ କାହିଁକି ଉପସ୍ଥିତ ନଥିଲେ?

ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଯେ ଯେତେବେଳେ ହଜାର ହଜାର ଲୋକ ଶ୍ରୀ ଗୁଣ୍ଡିଚାମନ୍ଦିର ଆଗରେ ଉପସ୍ଥିତ ଥିଲେ, ସେତେବେଳେ 'ଚାରମାଳ' ବୋଝେଇ ଦୁଇଟି ଟ୍ରକକୁ ସେହି ଭିଡ଼ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଇଥିଲା? ଏବଂ ଟ୍ରକଗୁଡ଼ିକ ଆସିବା ପୂର୍ବରୁ ସେଠାରୁ ଲୋକମାନଙ୍କୁ ହଟାଇବା ପାଇଁ କାହିଁକି କୌଣସି ବ୍ୟବସ୍ଥା କରାଯାଇ ନଥିଲା? କୁମ୍ଭମେଳା ସମୟରେ ଦଳାଚକଟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ, ପ୍ରଶାସନ ଏପରି ପରିସ୍ଥିତିର ମୁକାବିଲା ପାଇଁ କୌଣସି ସତର୍କତା ଏବଂ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ବିକଶିତ କରିବାରେ ବିଫଳ ହେଲା କାହିଁକି? କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ କ୍ୟାମେରା, କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କାହିଁକି ବିଫଳ ହେଲା? ସତରେ କ’ଣ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ଥିଲା ନା ଏସବୁ ଥିଲା ମିଛ ପ୍ରଚାର? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ତଦନ୍ତ ଏହି ପ୍ରସଙ୍ଗଗୁଡ଼ିକର ମୂଳ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରିବା ବ୍ୟତିତ ଆମପାଇଁ ଅନ୍ୟ ବିକଳ୍ପ ପ୍ରାୟ ନାହିଁ।

ଆଶ୍ଚର୍ଯ୍ୟଜନକ ତଥା ଆଶ୍ୱାସନାର କଥା ଯେ ଦୁର୍ଘଟଣା ସତ୍ତ୍ୱେ ଭକ୍ତଙ୍କ ବିଶ୍ୱାସ ଏବଂ ଉତ୍ସାହରେ ଭଟ୍ଟା ପଡ଼ିନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ବାହାର ରାଜ୍ୟରୁ ହଜାର ହଜାର ଲୋକ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଆଡପ ମଣ୍ଡପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଦର୍ଶନ କରିଛନ୍ତି। ଏପରିକି, ବାହୁଡ଼ା ଯାତ୍ରା, ସୁନାବେଶ ଦେଖିବାକୁ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ର। ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତଜନଙ୍କ ଭାବାବେଗର ଲହଡ଼ିକୁ ମାପିବାକୁ ଏଆଇ କ୍ୟାମେରା ସମର୍ଥ ନୁହେଁ, ବରଂ ଜଗବନ୍ଧୁଙ୍କୁ ଏକମାତ୍ର ସାମନ୍ତ ମନେକରି ନିଜକୁ ସାଧାରଣ ସେବକ ଭାବୁଥିବା ଶାସକ ଓ ପ୍ରଶାସକ ହିଁ ସମର୍ଥ। ଏଣୁ କର୍ତ୍ତବ୍ୟ ପାଳନ କରିବାରେ ନିଷ୍ଠା ଏବଂ ଉତ୍ତରଦାୟିତ୍ୱ ନେବାର ମାନସିକତା ସହିତ ମାନବ ସେବାକୁ ମାଧବ ସେବା ଭାବି ଶାସକ ଓ ପ୍ରଶାସକମାନେ, ଆବଶ୍ୟକତା ଅନୁଯାୟୀ ଦୃଢ଼ ପ୍ରଶାସନିକ ନିଷ୍ପତି ଗ୍ରହଣ କରିବାର ସାହସ କଲେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଭାବମୟ ତଥା ଦଳାଚକଟାମୁକ୍ତ ହୋଇପାରିବ।

ଫୋ- ୯୪୩୮୨୯୯୦୩୭

Ratha Yatra Puri Shreemandir Lord Jagannath Stampede