/odisha-reporter/media/post_attachments/uploadimage/library/16_9/16_9_0/IMAGE_1730287424.jpg)
Kamala Harris
ରବି ଦାସ
ବିଶ୍ୱର ସବୁଠାରୁ ଆକର୍ଷଣୀୟ ଓ ପ୍ରଭାବଶାଳୀ ଗଣତନ୍ତ୍ର ସହିତ ସବୁ ଦୃଷ୍ଟିରୁ ବିଶ୍ୱରେ ଏକ ନମ୍ବର ରାଷ୍ଟ୍ରର ମର୍ଯ୍ୟାଦା ପାଇଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ୫ ଦିନ ବାକିଥିବା ବେଳେ ନିର୍ବାଚନରେ ଯେଉଁ ଧରଣର ଭାଷା ଓ ଆକ୍ଷେପ ସବୁ ଖୋଲାଖୋଲି ନିର୍ବାଚନ ସଭାରେ କରାଯାଉଛି ତାହାକୁ ଅନୁଧ୍ୟାନ କଲେ ଗଣତନ୍ତ୍ର ପ୍ରତି ସୃଷ୍ଟି ହୋଇଥିବା ପ୍ରକୃତ ବିପଦ ସମ୍ପର୍କରେ ଧାରଣା ଆସିବ। ନ୍ୟୁୟର୍କର ପ୍ରସିଦ୍ଧ ମାଡ଼ିସନ୍ ସ୍କୋୟାର୍ ପଡ଼ିଆରେ ଟ୍ରମ୍ପଙ୍କର ନିର୍ବାଚନ ସଭାରେ ସିଧାସଳଖ ତାଙ୍କର ପ୍ରତିଦ୍ୱନ୍ଦୀ ଡେମୋକ୍ରାଟିକ ଦଳର କମଳା ହାରିସଙ୍କୁ ଜଣେ ରାକ୍ଷସୀ ଓ ବେଶ୍ୟା ବୋଲି ଟ୍ରମ୍ପଙ୍କର ଜଣେ ସମର୍ଥକ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହି ଭାଷଣରେ ବର୍ଣ୍ଣବାଦ ଓ ଘୃଣାର ରୂପରେଖ ଅତି ନଗ୍ନ ଭାବରେ ଥିଲା। କମଳା ହାରିସଙ୍କ ପରି ଜଣେ କଳା ମହିଳା ଯାହାଙ୍କର ଜୀବନ ଓ କାର୍ଯ୍ୟକଳାପ ଆବର୍ଜନାପୂର୍ଣ୍ଣ ପରିବେଶରୁ ଆସିଛି ତାଙ୍କୁ ନେଇ ସଭାରେ ସମାଲୋଚନା କରାଯାଇଥିଲା। ଅବଶ୍ୟ ଡୋନାଲ୍ଡ ଟ୍ରମ୍ପ ପରେ ଏହି ମତଠାରୁ ନିଜକୁ ଦୂରେଇ ନେଇଥିଲେ, କିନ୍ତୁ ଆମେରିକା ପରି ଗଣତନ୍ତ୍ରରେ ନିର୍ବାଚନ ପ୍ରଚାରରେ ଗଣତନ୍ତ୍ର ଉପରେ କମ୍ ଗୁରୁତ୍ୱ ରଖି ସାଂପ୍ରଦାୟିକବାଦକୁ ଉତ୍ସାହିତ କରୁଥିବା ଜଣାପଡୁଛି।
ବିଶ୍ୱର ଅଧିକାଂଶ ଦେଶରେ ଓ ବିଶେଷ ଭାବରେ ପଶ୍ଚିମ ୟୁରୋପରେ ଗଣତନ୍ତ୍ରର ମୂଳାଧାର ଯେଉଁଥିରେ ନାଗରିକମାନଙ୍କର ଅଧିକାର ଓ ସ୍ୱାଧୀନତା ଗୁରୁତ୍ୱ ପାଇବା କଥା ତାହାକୁ ପଛରେ ପକାଇ ସାଂପ୍ରଦାୟିକବାଦ ନାମରେ ଅନୁପ୍ରବେଶକାରୀମାନଙ୍କ ବିରୋଧରେ ଘୃଣାଭାବ ସୃଷ୍ଟିକରି ଜନସମର୍ଥନ ହାସଲ କରିବା ପାଇଁ ଦଳମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ଏଥିରେ ଗଣତନ୍ତ୍ର, ମାନବିକ ଅଧିକାର ଓ ମାନବବାଦ ନ୍ୟୁନ ହେବା ସହିତ ମଣିଷ ମଣିଷ ଭିତରେ ଏକ ଘୃଣାର ଭାବନା ଆତ୍ମପ୍ରକାଶ କରୁଛି।
ସେଥିପାଇଁ ଏକବିଂଶ ଶତାବ୍ଦୀରେ ମଧ୍ୟପ୍ରାଚ୍ୟରେ ଯେଉଁସବୁ ଘଟଣା ଚାଲିଛି ଓ ଗାଜାରେ ଖୋଲାଖୋଲି ଭାବରେ ନରସଂହାର ଘଟୁଛି ତାହାକୁ ବିଶ୍ୱ ସମାଜ ରୋକିପାରୁନି। ଇସ୍ରାଏଲରେ ରହୁଥିବା ଜିୟୁମାନେ ବିଶ୍ୱ ଇତିହାସରେ ଓ ବିଶେଷ ଭାବରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ ଯେପରି ଭାବରେ ନରସଂହାରର ସମ୍ମୁଖୀନ ହୋଇଛନ୍ତି, ତାହା ଏବେ ବି ବିଶ୍ୱ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବରେ ରହିଛି। ସମ୍ଭବତଃ ଜିୟୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ନରସଂହାରକୁ ଦେଖି ଜାତିସଂଘ ଏମାନଙ୍କୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଦେବା ନିମନ୍ତେ ୧୯୪୭ରେ ବ୍ୟବସ୍ଥା ଗ୍ରହଣ କରିବା ପରେ ଇସ୍ରାଇଲ୍ ରାଷ୍ଟ୍ର ଗଠନ ହୋଇଥିଲା। ଜିୟୁମାନେ ନିଜର ପରିଚୟ ସୃଷ୍ଟି କରିବା ସହିତ ଓ ନିଜର ସୁରକ୍ଷା ପାଇଁ ସାମରିକ ଦୃଷ୍ଟିରୁ ନିଜକୁ ସୁଦୃଢ଼ କରିଛନ୍ତି।
ଇସ୍ରାଏଲ୍ ରାଷ୍ଟ୍ର ଗଠନ ସମୟରେ ପାଲେଷ୍ଟାଇନରେ ବସବାସ କରୁଥିବା ଲୋକମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ସ୍ୱୀକାର କରାଯିବ ବୋଲି ଜାତିସଂଘ ପ୍ରସ୍ତାବ ଗ୍ରହଣ କରିଥିଲା। ଭାରତ ପରି ଦେଶ ଯେଉଁମାନେ ସେତେବେଳେ ସ୍ୱାଧୀନତା ହାସଲ କରିଥିଲେ ସେମାନେ ଏହି ଦୁଇ ରାଷ୍ଟ୍ର ତତ୍ତ୍ୱକୁ ସମର୍ଥନ କରିଥିଲେ। ଏପରିକି ଗାନ୍ଧିଜୀ ମଧ୍ୟ ପାଲେଷ୍ଟାଇନ୍ ରାଷ୍ଟ୍ରର ସ୍ୱୀକୃତିକୁ ଗ୍ରହଣ କରି ସେମାନଙ୍କର ନିଜସ୍ୱ ରାଷ୍ଟ୍ର ଗଠନ ଦାବିକୁ ସମର୍ଥନ କରିଥିଲେ।
ୟା’ ଭିତରେ ୭୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବିଶ୍ୱ ସମାଜ ଏହି ସମସ୍ୟାର ସମାଧାନ କରିପାରି ନାହିଁ। ପାଲେଷ୍ଟିନୀୟମାନେ ଭାବୁଛନ୍ତି ଯେ, ବିଶ୍ୱ ସମାଜ ସେମାନଙ୍କୁ ଭୁଲିଯାଇଛି। ଏଣୁ ନିଜର ଉପସ୍ଥିତି ଜାହିର କରିବା ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ଇସ୍ରାଏଲ୍ ଉପରେ ହମାସ୍ ପକ୍ଷରୁ ଚଢ଼ଉ କରାଯାଇ ଅନେକଙ୍କୁ ମରାଯିବା ସହିତ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅପହରଣ କରି ନେଇଆସିବା ଘଟଣା ପରେ ବିଶ୍ୱ ଦୃଷ୍ଟିରେ ସେମାନେ ଆତଙ୍କବାଦୀ ବୋଲି ଚିତ୍ରିତ ହୋଇଛନ୍ତି। ଇସ୍ରାଏଲ୍ ସମ୍ପୂର୍ଣ୍ଣ ପ୍ରତିଶୋଧମୂଳକ ବ୍ୟବସ୍ଥା ସ୍ୱରୂପ ଗତ ଏକ ବର୍ଷ ହେଲା ଗାଜାରେ ଯେପରି ଆକ୍ରମଣ କରି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିବା ସହିତ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ବେଘର କରି ନରସଂହାର କାର୍ଯ୍ୟ ଚଳାଇଛି ତାହାକୁ ବିଶ୍ୱର ସଭ୍ୟ ସମାଜ ରୋକିପାରୁ ନାହିଁ। ଏବେ କାହାକୁ ଜଣାନାହିଁ ଏହି ଅବସ୍ଥା ମଧ୍ୟପ୍ରାଚ୍ୟକୁ କେଉଁଆଡ଼କୁ ନେବ। ବିଶ୍ୱର ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ଗାଜା ଉପରେ ହେଉଥିବା ନରସଂହାର ସହିତ ହମାସ୍ ଅପହରଣ କରି ନେଇଥିବା ନିରୀହ ଲୋକମାନଙ୍କୁ ଫେରାଇବା ଦିଗରେ କୌଣସି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରୁ ନାହାନ୍ତି। ବରଂ ଗାଜା ପରେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଇରାନ୍ ଆଡ଼କୁ ପ୍ରସାରିତ ହୋଇପାରେ ବୋଲି ପ୍ରତିଦିନ ସଂକେତ ମିଳୁଛି। ବିଶ୍ୱରେ ଯଦି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବବାଦ ମୁଖ୍ୟ ଭୂମିକାରେ ଥା’ନ୍ତା ତେବେ ଇସ୍ରାଏଲ୍ ଓ ଗାଜାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଅବସାନ ଦିଗରେ ସଫଳତା ମିଳନ୍ତା। ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଯିଏକି ବରାବର ସେହି ଅଂଚଳରେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ଗ୍ରହଣ କରିଆସୁଛି, ତଥାପି ଖୋଲାଖୋଲି ଭାବରେ ଏ ସମ୍ପର୍କରେ ସାଧାରଣରେ ମତ ପ୍ରକାଶ ପାଇପାରୁ ନାହିଁ।
ଭାରତରେ ବିଶ୍ୱର ଅନ୍ୟ ଦେଶ ପରି ଗଣତନ୍ତ୍ର ପ୍ରତି ଏକ ବିପଦ ସବୁସ୍ତରରେ ରହିଛି। ଭାରତରେ ଗଣତନ୍ତ୍ରକୁ ନିର୍ବାଚନରେ ରୂପାନ୍ତରିତ କରାଯାଇଛି। ନିର୍ବାଚନ ଜିତିବା ପାଇଁ ଗଣତନ୍ତ୍ର ଅପେକ୍ଷା ସଂଖ୍ୟାଗରିଷ୍ଠବାଦ ଅଧିକ ପ୍ରଭାବଶାଳୀ ବୋଲି ଧରିନିଆଯାଇଛି। ଗୋଟିଏ ପକ୍ଷରେ ଶାସନ କ୍ଷମତାରେ ଥିବା ଦଳ ଧାର୍ମିକ ଧ୍ରୁବୀକରଣ ଜରିଆରେ ରାଷ୍ଟ୍ରବାଦର ସ୍ଲୋଗାନ ଦେଉଥିବା ସମୟରେ ବିରୋଧୀ ପକ୍ଷ ଜାତିଗତ ଧ୍ରୁବୀକରଣ ପାଇଁ ସାମାଜିକ ନ୍ୟାୟ ଓ ଜାତି ଜନଗଣନା ଉପରେ ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ସମସ୍ତଙ୍କ ଏହି ଅଭିଳାଷ ପଛରେ ଗଣତନ୍ତ୍ରର ଦୃଢ଼ୀକରଣ ଅପେକ୍ଷା ସଂଖ୍ୟାଗରିଷ୍ଠ ସାଂପ୍ରଦାୟିକବାଦକୁ ଗୁରୁତ୍ୱ ଦିଆଯାଉଛି। ଗଣତନ୍ତ୍ରରେ ନାଗରିକ ଶକ୍ତିଶାଳୀ ହେବା ଦରକାର। ଭାରତର ସମ୍ବିଧାନରେ ଯେଉଁ ମୌଳିକ ଅଧିକାରଗୁଡ଼ିକ ପ୍ରଦାନ କରାଯାଇଛି ସେଗୁଡିକସବୁ ପ୍ରତ୍ୟେକ ନାଗରିକଙ୍କ ଅଧିକାର। ପ୍ରତ୍ୟେକ ନାଗରିକ ଏହି ଅଧିକାର ବିଷୟରେ ସଚେତନ ହେବା ପାଇଁ ଯେଉଁ ରାଜନୈତିକ ଅଭିଯାନ ଆବଶ୍ୟକ ତାହା ଦଳମାନେ କରିବାକୁ ପ୍ରସ୍ତୁତ ନୁହଁନ୍ତି। କେଉଁ ବାଟରେ ଗଣତନ୍ତ୍ର ଅପେକ୍ଷା ସଂଖ୍ୟାଗରିଷ୍ଠବାଦକୁ ପ୍ରାଧାନ୍ୟ ଦିଆଯାଇପାରିବ ସେହି ମର୍ମରେ ଅଧିକାଂଶ ରାଜନୈତିକ ଦଳ କାମ କରୁଛନ୍ତି।
ଧର୍ମଗତ ଧ୍ରୁବୀକରଣ ବିରୋଧରେ ଜାତି ଧ୍ରୁବୀକରଣ ଫଳପ୍ରଦ ହେବ ବୋଲି ଯାହା ବିଚାର କରାଯାଉଛି, ତାହା ଏକ ସ୍ଥାୟୀ ବ୍ୟବସ୍ଥା ନୁହେଁ। ଦେଶର ସଂଖ୍ୟାଲଘୁମାନଙ୍କ ଉପରେ ଓ ବିଶେଷ ଭାବରେ ମୁସଲମାନଙ୍କ ବିରୋଧରେ ଧ୍ରୁବୀକରଣର ପ୍ରଭାବ ପଡୁଥିବା ଯୋଗୁ ସେମାନଙ୍କ ସମର୍ଥନ ପାଇଁ ଯେଉଁ ଦଳମାନେ କାର୍ଯ୍ୟ କରୁଛନ୍ତି ସେମାନେ ଖୋଲାଖୋଲି ଭାବରେ ସେମାନଙ୍କ ସହିତ ଛିଡ଼ା ହେବାକୁ ସାହାସ କରୁନାହାନ୍ତି। କେହି ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ଯେ, ଭାରତରେ ଗଣତାନ୍ତ୍ରିକ ମନୋଭାବ ଓ ସମ୍ବିଧାନରେ ରଖାଯାଇଥିବା ମୌଳିକ ଲକ୍ଷ୍ୟ ହାସଲ ଦିଗରେ ଗତ ୭୭ ବର୍ଷ ଭିତରେ ଯେପରି କାମ ହେବା କଥା ତାହା କରାଯାଇ ନାହିଁ। ଭୋଟ୍ ହାସଲ ପାଇଁ ସଭ୍ୟତା, ସଂସ୍କୃତି, ଜାତି ଓ ଧର୍ମ ନାମରେ ସଂଖ୍ୟାଗରିଷ୍ଠବାଦର ଏକ ପରମ୍ପରା ପାଇଁ ଉଦ୍ୟମ ଅବ୍ୟାହତ ରହିଛି।
ସମ୍ବିଧାନରେ ପ୍ରତ୍ୟେକ ବ୍ୟକ୍ତିକୁ ଲିଙ୍ଗ, ଜାତି ଓ ଧର୍ମ ନିର୍ବିଶେଷରେ ସମାନ ଅଧିକାର ଦିଆଯାଇଛି। କିନ୍ତୁ ଅଧିକାଂଶ ଲୋକ ଏହି ଅଧିକାରରୁ ବଂଚିତ ହେଉଛନ୍ତି। ଅନେକ ଲୋକ ଏବେବି ଭେଦଭାବର ଶିକାର ହୋଇ ନିଜର ଅଧିକାରରୁ ବଂଚିତ ହେଉଛନ୍ତି। କାରଣ ଏତେ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥା ସତ୍ୱେ ସମସ୍ତଙ୍କ ପାଇଁ ତୁରନ୍ତ ନ୍ୟାୟର ଯେଉଁ ଆନୁଷ୍ଠାନିକ ବ୍ୟବସ୍ଥା କରାଯିବା କଥା ତାହା ସଂପୂର୍ଣ୍ଣ ହୋଇନାହିଁ। ମହିଳାମାନଙ୍କ ବିରୋଧରେ କ୍ରମାଗତ ଉଭୟ ଶାରୀରିକ ଓ ଆର୍ଥିକ ଅତ୍ୟାଚାର କରାଯାଉଛି। ବଡ଼ ଅଘଟଣ ଘଟିଗଲେ ସବୁ ଦଳ ଓ ନେତାମାନେ ବାହାରି ପୀଡ଼ିତାଙ୍କୁ ନ୍ୟାୟ ଦେବେ ବୋଲି ଗର୍ଜନ କରୁଛନ୍ତି।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ଲିଙ୍ଗଗତ ନିର୍ବିଶେଷରେ ସମାନ ଅଧିକାର ଦିଆଯାଇଛି, ସେ ଦେଶରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନେତା ଓ ମନ୍ତ୍ରୀ ପ୍ରତିଶ୍ରୁତି ଦେବାର କୌଣସି ଆବଶ୍ୟକତା ନାହିଁ। ନ୍ୟାୟ ଦେବା ପାଇଁ ବ୍ୟବସ୍ଥା ଏପରି ଦୃଢ଼ୀଭୂତ ହେବା ଦରକାର ଯେ, ଲୋକମାନେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କ ପ୍ରତି ଅନ୍ୟାୟ ହେବ ନାହିଁ ବୋଲି ବିଶ୍ୱାସ କରନ୍ତେ। କିନ୍ତୁ ଗଣତନ୍ତ୍ର ବାହାନାରେ କେବଳ ଭୋଟ ପାଇବା ପାଇଁ ସଂଖ୍ୟାଗରିଷ୍ଠବାଦକୁ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଦେଶ ଓ ଜାତି ପାଇଁ ସଭ୍ୟତା ଓ ସଂସ୍କୃତି ଜରୁରୀ ହେଲେ ମଧ୍ୟ ତାହାକୁ କୌଣସି ଦଳ ବା ବ୍ୟବସ୍ଥା କ୍ଷମତା ରାଜନୀତି ସହିତ ଆଦୌ ଯୋଡ଼ିବା ଉଚିତ୍ ନୁହେଁ। ବାସ୍ତବିକ ସଭ୍ୟତା ଓ ସଂସ୍କୃତି କ୍ଷମତାର ପରିପୂରକ। ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା କଥା ଆଲୋଚିତ ହୋଇଛି। କିନ୍ତୁ ଏହାକୁ କେହି କ୍ଷମତା ରାଜନୀତି ସହିତ ଯୋଡ଼ିବା ଆଦୌ ଠିକ୍ ନୁହେଁ। ସଭ୍ୟତା ସଂସ୍କୃତିକୁ କ୍ଷମତାଠାରୁ ଦୂରେଇ ରଖିଲେ ହିଁ ଗଣତନ୍ତ୍ର ଅର୍ଥାତ୍ ବ୍ୟକ୍ତି ଅଧିକାର ସୁଦୃଢ଼ ହେବ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
