Advertisment

ପୁରୁଷର ପାପ, ନାରୀର ଯନ୍ତ୍ରଣା

ଦେବେନ୍ଦ୍ର ପୃଷ୍ଟି ସେମାନେ ୨୦୦୩ ମସିହାରୁ ବାହା ହେଲେଣି। ସ୍ୱାମୀ ଜଣେ ବ୍ୟବସାୟୀ। ସ୍ତ୍ରୀ ଗୃହିଣୀ। ମୁମ୍ବାଇରେ ରହନ୍ତି। ସ୍ତ୍ରୀ ଏବେ ଦୁଇଟି ସନ୍ତାନର ଜନନୀ। ୨୦୧୭ ଜୁନ ୧୫ ତାରିଖରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନେଇ ତାଙ୍କର ଜଣେ ସାଙ୍ଗ ଓ ସାଙ୍ଗ ପତ୍ନୀଙ୍କ ସହିତ ରାତ୍ରି ଭୋଜନ କରିବାକୁ ହୋଟେଲ ଗଲେ। ସେଠାରୁ ଫେରିବାବେଳେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ କାର୍‌ର ଆଗ ସିଟିରେ ଜୋରଜବରଦସ୍ତ ବସାଇ ନିଜେ ପଛ ସିଟ୍‌ରେ ବସିଲେ। ପଛରେ ବସିଥିଲେ […]

ପୁରୁଷର ପାପ, ନାରୀର ଯନ୍ତ୍ରଣା

55-210

Advertisment

ଦେବେନ୍ଦ୍ର ପୃଷ୍ଟି

ସେମାନେ ୨୦୦୩ ମସିହାରୁ ବାହା ହେଲେଣି। ସ୍ୱାମୀ ଜଣେ ବ୍ୟବସାୟୀ। ସ୍ତ୍ରୀ ଗୃହିଣୀ। ମୁମ୍ବାଇରେ ରହନ୍ତି। ସ୍ତ୍ରୀ ଏବେ ଦୁଇଟି ସନ୍ତାନର ଜନନୀ। ୨୦୧୭ ଜୁନ ୧୫ ତାରିଖରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନେଇ ତାଙ୍କର ଜଣେ ସାଙ୍ଗ ଓ ସାଙ୍ଗ ପତ୍ନୀଙ୍କ ସହିତ ରାତ୍ରି ଭୋଜନ କରିବାକୁ ହୋଟେଲ ଗଲେ। ସେଠାରୁ ଫେରିବାବେଳେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ କାର୍‌ର ଆଗ ସିଟିରେ ଜୋରଜବରଦସ୍ତ ବସାଇ ନିଜେ ପଛ ସିଟ୍‌ରେ ବସିଲେ। ପଛରେ ବସିଥିଲେ ସାଙ୍ଗଙ୍କ ସ୍ତ୍ରୀ। ଗାଡ଼ି ଚଳାଉଥିଲେ ସାଙ୍ଗ। ବାଟରେ ଗାଡ଼ି ଚଳାଉଥିବା ସମୟରେ ସ୍ୱାମୀଙ୍କ ସାଙ୍ଗ ଆଗରେ ବସିଥିବା ମହିଳାଙ୍କୁ ଅସଦାଚରଣ କଲେ। ସ୍ତ୍ରୀ ପାଟି କଲେ। ପଛରେ ବସିଥିବା ସ୍ୱାମୀ କହିଲେ କିଛି ହେଇନି। ସେ ବି ପଛ ସିଟ୍‌ରେ ବସି ତାଙ୍କ ସାଙ୍ଗଙ୍କ ସ୍ତ୍ରୀ ସହିତ ସେପରି କରୁଥିଲେ। ରାତି ୧୧.୩୦ଟା ସମୟରେ ସେମାନେ ଗୋଟେ ଫ୍ଲାଟ୍‌କୁ ଗଲେ। ସେଠି ସ୍ତ୍ରୀଙ୍କ ସହିତ ସାଙ୍ଗ ଜୋରଜବରଦସ୍ତି କଲେ। ଆର ଘରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ସହିତ ସେପରି କରୁଥିଲେ। ସ୍ତ୍ରୀଙ୍କୁ ଯେତେବେଳେ ମୁକ୍ତି ମିଳିଲା ସେ ଏନେଇ ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କଲେ। ଘରକୁ ଫେରି କଳିକଜିଆ କଲେ। ସ୍ୱାମୀ ଭୁଲ ମାଗିଲେ। ଆଉ ଏପରି ହେବନି ବୋଲି ପ୍ରତିଶ୍ରୁତି ଦେଲେ। କିନ୍ତୁ ପରେ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହିତ ସ୍ତ୍ରୀଙ୍କୁ ଏହିପରି କରାଇଲେ। ଗୋଟିଏ ଘଟଣାର ଭିଡ଼ିଓ ଚିତ୍ର ଉଠାଇଲେ। ଏକଥା କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ୍‌ ଦେଲେ। ସ୍ୱାମୀଙ୍କର ଏଭଳି ନିର୍ଯାତନା ସହି ନପାରି ସ୍ତ୍ରୀ ବାପ ଘରକୁ ପଳାଇଲେ ଓ ପୁଲିସରେ ଅଭିଯୋଗ କଲେ। ସ୍ୱାମୀ ଏବେ ଗିରଫ ହୋଇ ଜେଲ୍‌ରେ। ମାମଲା ବିଚାରାଧୀନ।

Advertisment

ଏ ଖବର ପ୍ରକାଶ ପାଇଛି ଜାତୀୟ ସ୍ତରର ଏକ ଇଂରାଜୀ ଖବରକାଗଜର ୱେବପୋର୍ଟାଲରେ। ସେହି ସମାନ ପୋର୍ଟାଲରେ ସେହି ଏକା ଦିନ ଆଉ ଗୋଟିଏ ଖବର ପ୍ରକାଶ ପାଇଛି। ତାହା ଅହମଦାବାଦ ଡେଟ୍‌ଲାଇନ୍‌ରେ। ଗୁଜରାଟର ଗୋମତିପୁରର ନିଖିଳ ପାର୍ମାର ନାମକ ଜଣେ ଯୁବକ ୨୦୧୮ ଅକ୍ଟୋବର ମାସରେ ବାସନାର ଜଣେ ବ୍ୟବସାୟୀଙ୍କ ନିକଟରେ ଚାକିରି କଲେ। ସେହି ବ୍ୟବସାୟୀ ବାହାଘର ସାଜସଜା ପାଇଁ ସରଞ୍ଜାମ ଯୋଗାଇଥାନ୍ତି। ଚାକିରିର ୧୦ ମାସ ଭିତରେ କ’ଣ ହେଲା କେଜାଣି ପୁଅ ନିଖିଳ ତାଙ୍କ ବାପା ଅଶୋକଙ୍କୁ କହିଲେ ସେହି ଚାକିରି ସେ ଛାଡ଼ିଦେବେ, ସେମାନେ ଭଲ ଲୋକ ନୁହନ୍ତି। ବାପା କହିଲେ, ଛାଡ଼ିଦେ। ନିଖିଳ ଚାକିରି ଛାଡ଼ିବ ବୋଲି କହିବା ପରେ ୨୦୧୯ ଜୁଲାଇ ୧୪ ତାରିଖରେ ତାଙ୍କ ଘରକୁ ଯାଇ ଦରମା ଟଙ୍କା ନେଇଯିବାକୁ ଡାକିଲେ ମାଲିକ ବ୍ୟବସାୟୀ। ନିଖିଳ ମାଲିକଙ୍କ ଘରକୁ ଗଲା। ଜୁଲାଇ ୧୫ ତାରିଖରେ ସେଠାରୁ ସେ ବାପାଙ୍କୁ ଫୋନ କରି କହିଲା ଯେ ମାଲିକ ତାଙ୍କୁ ରାଜସ୍ଥାନ ବୁଲାଇ ନେଉଛନ୍ତି। ଜୁଲାଇ ୨୦ ତାରିଖରେ ମାଲିକ ନିଖିଳଙ୍କ ବାପାଙ୍କୁ ଫୋନ୍‌ କରି କହିଲେ ତାଙ୍କ ପୁଅ ଆତ୍ମହତ୍ୟା କରିଛି। ବାପା ଅଶୋକ ବାସନାରେ ପହଂଚି ଦେଖିଲେ ମାଲିକଙ୍କ ଗୋଦାମରେ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏହାର ପ୍ରାୟ ୫ ମାସ ପରେ ନିଖିଳର ସାନ ଭାଇ ଓ ଭଉଣୀ ତା’ର ମୋବାଇଲ୍‌ ଫୋନ୍‌ରୁ କିଛି ପୁରୁଣା ମେସେଜ୍‌ ପଢ଼ିବାକୁ ପାଇଲେ। ଗୋଟିଏ ମେସେଜ୍‌ରେ ନିଖିଳ ତା’ର ମାଲିକଙ୍କୁ ଲେଖିଥିଲା, ଆପଣ କହିବାରୁ ମୁଁ ଆପଣଙ୍କ ସ୍ତ୍ରୀଙ୍କୁ ପ୍ରେମ କଲି। ଏମିତି ପ୍ରେମ କରୁକରୁ ଆମ ଭିତରେ ଅନୈତିକ ସଂପର୍କ ସୃଷ୍ଟି ହେଲା। ଏବେ ଆପଣ କହୁଛନ୍ତି, ସଂପର୍କ କାଟିବାକୁ। ଏକଥା ମୁଁ ଆପଣଙ୍କ ସ୍ତ୍ରୀଙ୍କୁ କହିବାରୁ ସେ ମୋ ଉପରେ ଗାଳି କରୁଛନ୍ତି, ସଂପର୍କ ଅତୁଟ ରଖିବାକୁ ଜୋରଜବରଦସ୍ତ କରୁଛନ୍ତି। ମୁଁ କ’ଣ ଆପଣଙ୍କ କ୍ରୀତଦାସ? ମୋ ଉପରେ ଦୟା କରନ୍ତୁ, ମୋ ଦରମା ଟଙ୍କା ଦେଇଦିଅନ୍ତୁ। ଏ ମେସେଜ ପଢ଼ିବା ପରେ ନିଖିଳଙ୍କ ପରିବାର ପୁଲିସରେ ଅଭିଯୋଗ କଲେ। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଲା ଯେ ୪୫ ବର୍ଷ ବୟସ୍କ ବ୍ୟବସାୟୀ ତାଙ୍କର ୨୫ ବର୍ଷ ବୟସ୍କା ପତ୍ନୀଙ୍କ ସହିତ ନିଖିଳଙ୍କୁ ପରିଚିତ କରାଇବା ସହିତ ତାଙ୍କୁ ଭଲ ପାଇବାକୁ ପ୍ରବର୍ତ୍ତାଇଥିଲେ। ତାହା ଥିଲା ଏକ ପ୍ରକାର ନିର୍ଦ୍ଦେଶ। କିଛି ଦିନ ପରେ ଏ ଭଲ ପାଇବା ବନ୍ଦ କରିବାକୁ ବ୍ୟବସାୟୀ ନିର୍ଦ୍ଦେଶ ଦେଲେ। ନିଖିଳ ଏହା ମାଲିକଙ୍କ ସ୍ତ୍ରୀଙ୍କୁ କହିବାରୁ ସେ ଗାଳି କରିଥିଲେ। ସଂପର୍କ କାଟିବା ସର୍ତ୍ତରେ ମାଲିକ ବି କେଇ ମାସର ଦରମା ଅଟକାଇ ଦେଇଥିଲେ। ମାଲିକ ମାଲିକାଣୀଙ୍କ ଏହି ତାଡ଼ନା ଭିତରେ ଅଳ୍ପ ବୟସର ଯୁବକ ନିଖିଳ ମାନସିକ ଭାରସାମ୍ୟ ହରେଇ ଆତ୍ମହତ୍ୟା କରିଥିଲେ।

ଏ ଦୁଇଟି ଘଟଣା ଭାରତୀୟ ସମାଜର କି ପ୍ରକାର ବିକାଶର ସୂଚନା ଦିଏ? ଏଥିରେ ବାସ୍ତବରେ କାହାର ଦୋଷ? କିଏ ପାପୀ? ସ୍ୱାମୀ ନା ସ୍ତ୍ରୀ? ଯେଉଁମାନେ ପ୍ରାୟ ସବୁ ଧର୍ଷଣ ପାଇଁ ମହିଳାମାନଙ୍କୁ ଦୋଷ ଦିଅନ୍ତି, ସେମାନଙ୍କ ଫେସନ୍‌ ଓ ପ୍ରସାଧନ କଥା ଉଠାନ୍ତି, ସେମାନେ କ’ଣ କହିବେ? ଯେଉଁ ସ୍ୱାମୀ ସାତ ଜନ୍ମ ଯାଏଁ ପତ୍ନୀର ହାତ ଧରିଥାନ୍ତି, ତାଙ୍କ ସତୀତ୍ୱର ସୁରକ୍ଷା ପାଇଁ ସଂକଳ୍ପ ଗ୍ରହଣ କରିଥାନ୍ତି ସେ ଯଦି ଏପରି ବ୍ୟବହାର କରିବେ, ନିଜର ଓ ନିଜ ସାଙ୍ଗଙ୍କ ବିକୃତ ଯୌନ ପିପାସା ପୂରଣ କରିବାକୁ ପତ୍ନୀ ବଦଳ କରନ୍ତି ତେବେ ତାଙ୍କୁ କ’ଣ ସ୍ୱାମୀ ହେବାକୁ ଯୋଗ୍ୟ ବୋଲି କୁହାଯିବ? ତାଙ୍କୁ କ’ଣ ସାଧାରଣ ଯୌନ ଅପରାଧୀ ଭାବେ ଗ୍ରହଣ କରାଯିବ? କୋର୍ଟ ତାଙ୍କୁ ଅଧିକ କଠୋର ଆଇନ ଅନୁସାରେ ଦଣ୍ଡ ଦେବା ଉଚିତ ନୁହେଁ କି? ସେହିପରି ଯେଉଁ ପ୍ରୌଢ଼ ସ୍ୱାମୀ ନିଜଠୁଁ ୨୦ ବର୍ଷ ସାନ ପତ୍ନୀ ଗ୍ରହଣ କରନ୍ତି କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିନପାରି ନିଜ କର୍ମଚାରୀଙ୍କୁ ସେ କାର୍ଯ୍ୟରେ ଲଗାଇ ଦିଅନ୍ତି ତାଙ୍କୁ କ’ଣ କୁହାଯିବ? ସେପରି ସ୍ୱାମୀଙ୍କ ପାଇଁ କି ଦଣ୍ଡ ବିଧାନ କରିବ ଭାରତୀୟ ପିଙ୍ଗଳ କୋଡ଼? ନ୍ୟାୟାଳୟ ଏପରି ମାମଲାକୁ କି ଅପରାଧ ଭାବେ ଗ୍ରହଣ କରିବେ?

Advertisment

ବସ୍ତୁବାଦୀ ବିକାଶର ଅଗ୍ରଗତି ସହିତ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି। କେଇ ବର୍ଷ ତଳେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ବୋହୂ ଥାନାରେ ଏପରି ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଅନ୍ୟ ପୁରୁଷଙ୍କ ସହିତ ଯୌନକ୍ରିୟା କରିବାକୁ ବାଧ୍ୟ କରୁଥିଲେ ବୋଲି ସେହି ମହିଳା ଅଭିଯୋଗ କରିଥିଲେ। ଏ ଖବର ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କିନ୍ତୁ ଏଯାଏଁ ସେହି ମାମଲାର ରହସ୍ୟ ସଂପୂର୍ଣ୍ଣ ଖୋଲିନାହିଁ କି କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସେହିପରି ଅନ୍ୟ ଏକ ପ୍ରତିଷ୍ଠିତ ପରିବାରର ଶିକ୍ଷିତ ବୋହୂ ଅଭିଯୋଗ କରିଥିଲେ ଯେ ତାଙ୍କ ଅଜାଣତରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କ ଶୋଇବା ଘର ଓ ଗାଧୁଆ ଘରେ ସିସିଟିଭି କ୍ୟାମେରା ଖଂଜିଛନ୍ତି। ସେମାନେ ତାଙ୍କୁ ଅନୈତିକ କାର୍ଯ୍ୟରେ ସହଯୋଗ କରିବାକୁ ବାଧ୍ୟ କରୁଛନ୍ତି। ସେହି ମାମଲା ମଧ୍ୟ ପୁଲିସ ଫାଇଲ୍‌ ତଳେ ଚାପି ହୋଇ ରହିଛି। ଏଇ ନିକଟରେ ଯାଜପୁର ଜିଲ୍ଲାର ଏହିପରି ଏକ ଅପରାଧ ସାମ୍ନାକୁ ଆସିଛି। ମଦ ନିଶାରେ ଜଣେ ବାପ ତା’ ଝିଅ ଉପରେ ବଳାତ୍କାର କରିଛି। ପର ଦିନ ମଧ୍ୟ ସେ ସେହି ପାପ କରିଛି। ମା’ ତାଙ୍କ ବାପଘରୁ ଫେରିବା ପରେ ଝିଅ ଏକଥା ତାଙ୍କ ପାଖରେ କହିଛି ଓ ମା’ ଝିଅ ଦୁହେଁ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ବାପା ଗିରଫ ହୋଇଛି। ଏ ଘଟଣା ଅବଶ୍ୟ ଧନୀ ଘରର ଖବର ନୁହେଁ। ଏହା ଘଟିଛି ସମାଜର ନିମ୍ନ ସ୍ତରରେ, ଏକ ଗରୀବ ଶ୍ରମିକ ପରିବାରେ।

କାହିଁକି ଏପରି ଘଟୁଛି? ବସ୍ତୁବାଦୀ ବିକାଶ, ନୈତିକ ଶିକ୍ଷାର ଅଭାବ, ଯୌନସୁଖ-ପ୍ରଧାନ ମାନସିକତା- କାହାର ପ୍ରଭାବରେ ଏପରି ଘଟେ? ଏହା ପଛରେ ସିନେମା, ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମର ଭୂମିକା କ’ଣ? ଏପରି ସାମାଜିକ ଓ ନୈତିକ ସ୍ଖଳନ ପଛରେ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟର୍ନେଟ୍‌ର କିଛି ଭୂମିକା ଅଛି କି? ସାମଗ୍ରିକ ଭାବେ ଦେଖିଲେ ଏଭଳି ବିକୃତ ଯୌନାଚାର ପଛରେ ବର୍ତ୍ତମାନର ବିକାଶ ଧାରା, ଅର୍ଥ ଓ ସଂପତ୍ତି ସର୍ବସ୍ୱ ଜୀବନ ଦୌଡ଼, ‘ଉପଭୋଗ ହିଁ ଆନନ୍ଦ’ ମାନସିକତାର ଭୂମିକା କ’ଣ? ଏହା ଉପରେ ମଧ୍ୟ ଜାତୀୟ ବିତର୍କ ହେବା ଉଚିତ। ଦେଶପ୍ରେମ, ନାଗରିକତା, ଅଖଣ୍ଡ ଭାରତ ପରି ବିଷୟ ଉପରେ ଆଲୋଚନା ଯେପରି ଆବଶ୍ୟକ ସେହିପରି ଭାରତୀୟ ସମାଜର ମୌଳିକ ଚରିତ୍ର ଓ ଚିନ୍ତାଧାରାରେ ହେଉଥିବା ଅବକ୍ଷୟ ଉପରେ ମଧ୍ୟ ସେହିପରି ବିତର୍କର ଆବଶ୍ୟକତା ରହିଛି। ନହେଲେ ଦେଶ ବଦଳିବ, ବଦଳି ବଦଳି ଭାରତ ଆମେରିକା ହୋଇଯିବ, ଯେଉଁଠି କିଏ କାହା ସହ ସଂସାର କରିଥିଲା ତାହା ମନେ ରଖିବାକୁ ରେକର୍ଡ଼ପତ୍ରର ଆବଶ୍ୟକ ହୋଇପାରେ। ବୈବାହିକ ସଂପର୍କ ସେକ୍ସ ଭିଡ଼ିଓରେ ପରିଣତ ହୋଇପାରେ ଏବଂ ବିବାହ ବନ୍ଧନ ଦେହ ବ୍ୟବସାୟରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe