ସରଳ କୁମାର ଦାସ
ସଭ୍ୟ ସମାଜରେ ଇସ୍ତ୍ରୀ ହୋଇଥିବା ପୋଷାକ ପିନ୍ଧିବା ସଭ୍ୟ ମଣିଷଙ୍କ ପରିଚୟ ରୂପେ ପରିଗଣିତ ହୋଇଥାଏ। ଏଣିକି ଇସ୍ତ୍ରୀ ହୋଇ ନଥିଲେ ସାନଠାରୁ ବଡ଼ ପର୍ଯ୍ୟନ୍ତ କେହି ସେହି ଲୁଗା ପିନ୍ଧିବାକୁ ରାଜି ହେଉଥିବା ଦେଖାଯାଉନାହିଁ। ଏପରିକି ସାମାନ୍ୟ ଲୋଚାକୋଚା ହୋଇଥିବା ଲୁଗାକୁ ବି କାଢ଼ି ପକାଇ ଦେଉଛନ୍ତି। କିନ୍ତୁ ଅନେକ ହୁଏତ ଅନୁଭବ କରି ନ ଥିବେ ଯେ ସମାଜରେ ଇସ୍ତ୍ରୀ ପୋଷାକ ପିନ୍ଧିବାର ପ୍ରବୃତ୍ତି ବଢ଼ିବା କାରଣରୁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହୋଇ ବୈଶ୍ୱିକ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି।
ଏ କଥା ନୁହେଁ ଯେ ଭାରତୀୟମାନେ ପ୍ରଥମରୁ ଇସ୍ତ୍ରୀକରା ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ଥିଲେ। ଆଗରୁ ଭାରତୀୟମାନେ ସାର୍ଟ ପ୍ୟାଣ୍ଟ ପରି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନଥିଲେ। ସେତେବେଳେ ଭାରତୀୟ ପୁରୁଷମାନେ ପ୍ରାୟତଃ ଧୋତି, ଗାମୁଛା ଓ ମହିଳାମାନେ ଶାଢ଼ୀ ପିନ୍ଧୁଥିଲେ। ଲୋଚାକୋଚା ହେଲେ ବି ସେଗୁଡ଼ିକ ପିନ୍ଧିବାରେ ସେମାନଙ୍କର କୌଣସି କୁଣ୍ଠା ବା ଆପତ୍ତି ନ ଥିଲା। ଆଜି ବି ଗାଁଗଣ୍ଡାରେ ଲୋକେ ଲୋଚାକୋଚା ହୋଇଥିବା ଲୁଗା ପିନ୍ଧି ବେଶ୍ ସ୍ୱଚ୍ଛନ୍ଦରେ ଦୋକାନ ବଜାର, ବାହାର ଜାଗାକୁ ବୁଲିବାକୁ ଯାଇଥାନ୍ତି। ଅନେକ କ୍ଷେତ୍ରରେ ତ ଲୋଚାକୋଚା ପୋଷାକ ପିନ୍ଧିବା ଗର୍ବ ଓ ଆଭିଜାତ୍ୟର ବିଷୟ ଥିଲା। ସ୍ଥଳ ବିଶେଷରେ କିଛି ଭଲ ଲୁଗାକୁ ଠିକ୍ ରୂପେ ଚଉତାଇ ପେଡ଼ିରେ ରଖୁଥିଲେ ଯାହାକୁ ‘ପେଡ଼ି ସାଇତା’ ଲୁଗା କୁହାଯାଉଥିଲା। ଆଜି ମଧ୍ୟ ଗାଁମାନଙ୍କରେ ପେଡ଼ି ସାଇତା ଲୁଗାର ପ୍ରଚଳନ ଥିବା ଦେଖାଯାଏ। ଆଗ କାଳରେ ରେଶମ ଲୁଗାଗୁଡ଼ିକୁ ମଣ୍ଡ ଦିଆଯାଇ ଛାଟ କରି ଶୁଖାଇ ଦିଆଯାଉଥିଲା, ଯାହା ଶୁଖିଗଲା ପରେ ଟାଣ ହୋଇଯାଉଥିବାରୁ ପିନ୍ଧିବାରେ ଅସୁବିଧା ନଥିଲା। ତେଣୁ ଭାରତୀୟ ପୋଷାକ ପରିଚ୍ଛଦକୁ ଇସ୍ତ୍ରୀ କରିବାର ଆବଶ୍ୟକତା ଉପୁଜୁ ନଥିଲା।
‘ଇସ୍ତ୍ରୀ’ ଏକ ଭାରତୀୟ ଶବ୍ଦ ନୁହେଁ। ଭାରତୀୟ ଭାଷାଗୁଡ଼ିକରେ ‘ଇସ୍ତ୍ରୀ’ ଶବ୍ଦର ପ୍ରବେଶ ପଛରେ ଥିବା ଇତିହାସ ବି ବେଶ୍ ରୋଚକ। ପର୍ତ୍ତୁଗିଜ ନାବିକ ଭାସ୍କୋଡ଼ାଗାମା ୧୪୯୮ ମସିହାରେ ପ୍ରଥମେ ଭାରତର କାଲିକଟଠାରେ ଆସି ପହଞ୍ଚିଥିଲେ। ପର୍ତ୍ତୁଗିଜ ନାବିକମାନେ ସେମାନଙ୍କ ଲୋଚାକୋଚା ପୋଷାକରୁ ଅବାଞ୍ଛିତ ଭାଙ୍ଗଗୁଡ଼ିକୁ ଦୂର କରି ତାକୁ ଛାଟ କରିବା ପାଇଁ ଏକ ଉତ୍ତପ୍ତ ଲୁହା ପ୍ଲେଟର ବ୍ୟବହାର କରୁଥିଲେ। ଏହାକୁ ସେମାନେ ‘ଇସ୍ତିକାର’ ବୋଲି କହୁଥିଲେ, ଯାହାର ଆକ୍ଷରିକ ଅର୍ଥ ଛାଟ୍ (ଷ୍ଟ୍ରେଟନ୍) କରିବା। ସ୍ପେନୀୟ ଭାଷାରେ ଏହାକୁ ‘ଇସ୍ତିରାର’ ବୋଲି କୁହାଯାଉଥିଲା। ଭାରତୀୟମାନଙ୍କ ଦ୍ୱାରା ଏହା ଅପଭ୍ରଂଶ ହୋଇ ପ୍ରଥମେ ‘ଇସ୍ତରୀ’ ହେଲା, ଯାହା ସମୟକ୍ରମେ ‘ଇସ୍ତ୍ରୀ’ରେ ପରିଣତ ହୋଇଗଲା। ଅର୍ଥାତ୍ ଭାରତରେ ଇସ୍ତ୍ରୀର ପ୍ରଚଳନ ୟୁରୋପୀୟମାନଙ୍କ ଭାରତ ଆଗମନ ପରେ ହୋଇଛି। ତେଣୁ ୬୦୦ ବର୍ଷ ପୂର୍ବରୁ ଭାରତରେ ଇସ୍ତ୍ରୀର ପ୍ରଚଳନ ଥିବା ଜଣା ପଡ଼େନାହିଁ।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରୁ ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ପ୍ରାୟ ୨୦୦ ବର୍ଷ ଧରି ସାରା ଭାରତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବ୍ରିଟିଶ ଶାସନାଧୀନ ରହିଲା। ଏହି ସମୟରେ ପାଶ୍ଚାତ୍ୟ ପୋଷାକର ପ୍ରଭାବ ଭାରତୀୟ ପୋଷାକରେ ଦେଖିବାକୁ ମିଳିଲା। ଭାରତର ସମ୍ଭ୍ରାନ୍ତ ବର୍ଗ ଓ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ଇଂରେଜ ଲୋକଙ୍କ ସଂସ୍ପର୍ଶରେ ଅଧିକରୁ ଅଧିକ ଆସିବାକୁ ଲାଗିଲେ। ଇଂରେଜମାନଙ୍କ ପୋଷାକ ପରିଚ୍ଛଦ ଭାରତୀୟଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ସେଗୁଡ଼ିକ ପ୍ରାୟତଃ ସିଲେଇ ପୋଷାକ ଥିଲା। ସେଗୁଡ଼ିକୁ ଭଲ ଭାବେ ଇସ୍ତ୍ରୀ କରିବା ଦରକାର ପଡ଼ୁଥିଲା। ଇଂରେଜଙ୍କ ସଂସ୍ପର୍ଶରେ ଆସି ଭାରତୀୟମାନେ ବି ପ୍ୟାଣ୍ଟ୍, ସାର୍ଟ, ସୁଟ୍ ଆଦି ପିନ୍ଧିବା ଆରମ୍ଭ କରିଦେଲେ। ପାଶ୍ଚାତ୍ୟ ପ୍ରଭାବରେ ସମ୍ଭ୍ରାନ୍ତ ବର୍ଗ ଭାରତୀୟଙ୍କ ପୋଷାକରେ ‘ଅଚକନ୍’ ଓ ‘ଗଳାବନ୍ଦ କୋଟ୍’ର ପ୍ରଚଳନ ହେବାକୁ ଲାଗିଲା। କ୍ରମେ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ଆଭିଜାତ୍ୟର ଚିହ୍ନ ରୂପେ ବିବେଚିତ ହେବାକୁ ଲାଗିଲା। ଏଥି ସହିତ ସେହି ପୋଷାକକୁ ଇସ୍ତ୍ରୀ କରି ପିନ୍ଧିବାର ପ୍ରଥା ମଧ୍ୟ କ୍ରମେ ସାଧାରଣ ହେବାକୁ ଲାଗିଲା। ଭଲ ଭାବେ ଇସ୍ତ୍ରୀ ହୋଇଥିବା ଲୁଗାଟିଏ ପିନ୍ଧି କର୍ମକ୍ଷେତ୍ର ଓ ବାହାରକୁ ଗଲେ ଅନ୍ୟମାନଙ୍କ ଉପରେ ତା’ର ଭଲ ଛାପଟିଏ ପଡ଼ିଲା ଓ ତାହା ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ସହାୟକ ହେଲା। କ୍ରମେ ଜମିଦାର ଶ୍ରେଣୀର ଭାରତୀୟମାନେ ସେମାନଙ୍କର ପାରମ୍ପରିକ ପୋଷାକରେ ମଧ୍ୟ ବିଶେଷ ଭାବେ ଇସ୍ତ୍ରୀ ମାଧ୍ୟମରେ ସେମାନଙ୍କ ଆଭିଜାତ୍ୟ ପ୍ରଦର୍ଶନ କରିବାକୁ ପଛାଇଲେ ନାହିଁ। ପିନ୍ଧୁଥିବା ପଞ୍ଜାବୀର ହାତ ଦୁଇଟିକୁ ଏକ ସ୍ୱତନ୍ତ୍ର ଭାବେ ଇସ୍ତ୍ରୀ କରାଗଲା, ଯାହାକୁ ‘ଗିଲଦିଆ ଇସ୍ତ୍ରୀ’ ବୋଲି କୁହାଯାଉଥିଲା।
ଇସ୍ତ୍ରୀର ପ୍ରଥମ ବ୍ୟବହାର ପ୍ରାୟ ୨୦୦୦ ବର୍ଷ ତଳେ ଚୀନରେ ହୋଇଥିବା ଜଣାପଡ଼େ। ପ୍ରଥମ ଅବସ୍ଥାରେ ଇସ୍ତ୍ରୀର ଢାଙ୍କୁଣି ଖୋଲି ତା ଭିତରେ ଜଳନ୍ତା କୋଇଲା ରଖାଯାଇ ଇସ୍ତ୍ରୀର ଲୁହା ପ୍ଲେଟଟିକୁ ଉତ୍ତପ୍ତ କରି ପୋଷାକକୁ ଇସ୍ତ୍ରୀ କରାଯାଉଥିଲା। ସପ୍ତଦଶ ଶତାବ୍ଦୀରେ ଇସ୍ତ୍ରୀରେ ଏକ ମୋଟା କାଷ୍ଟ ଆଇରନ୍ ପ୍ଲେଟର ବ୍ୟବହାର ହେବାକୁ ଲାଗିଲା ଯାହାକୁ ‘ସେଡଆଇରନ’ କୁହାଯାଉଥିଲା। ଏହା ଯଥେଷ୍ଟ ଓଜନିଆ ଥିଲା। ପରେ ପରେ ଏହା ସ୍ଥାନରେ ଅପେକ୍ଷାକୃତ ପତଳା ‘ଫ୍ଲାଟ୍ ଆଇରନ’ର ପ୍ରଚଳନ ହେବାକୁ ଲାଗିଲା। ତେବେ ଊନବିଂଶ ଶତାବ୍ଦୀ ବେଳକୁ ଇସ୍ତ୍ରୀର ଲୁହା ପ୍ଲେଟକୁ ଗରମ କରିବା ଲାଗି କିରୋସିନ, ଇଥାନୋଲ, ତିମି ମାଛର ତେଲ, ପ୍ରାକୃତିକ ଗ୍ୟାସ, କାର୍ବାଇଡ, ଗ୍ୟାସୋଲିନ ଆଦି ଇନ୍ଧନର ମଧ୍ୟ ବ୍ୟବହାର ହେବାକୁ ଲାଗିଲା। ୧୮୮୨ ମସିହାରେ ବିଦ୍ୟୁତ ଶକ୍ତିର ଉପଯୋଗ କରି ଇସ୍ତ୍ରୀକୁ ଗରମ କରିବାରେ ପ୍ରଥମେ ଆମେରିକାର ବୈଜ୍ଞାନିକ ହେନରୀ ସିଲି ହ୍ୱାଇଟ ସଫଳତା ଅର୍ଜନ କରିଥିଲେ। ସେବେଠାରୁ ବିଦ୍ୟୁତ ଚାଳିତ ଇସ୍ତ୍ରୀରେ ଅନେକ ପରିବର୍ତ୍ତନ ଆସିସାରିଲାଣି। ଏଥିରେ କୋଇଲାର ସିଧାସଳଖ ବ୍ୟବହାର ହେଉ ନଥିଲେ ବି ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲାର ବ୍ୟବହାର ହେଉଥିବାରୁ ଏପ୍ରକାର ଇସ୍ତ୍ରୀର ବ୍ୟବହାର ମଧ୍ୟ ପରୋକ୍ଷରେ ଅଙ୍ଗାରକାମ୍ଳ ନିର୍ଗମନର କାରଣ ହୋଇ ବାୟୁମଣ୍ଡଳର କ୍ଷତିସାଧନ କରିଥାଏ।
କୋଇଲାଠାରୁ ଆରମ୍ଭ କରି ବିଦ୍ୟୁତ ଶକ୍ତି ଦ୍ୱାରା ଚାଳିତ ଇସ୍ତ୍ରୀ ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ ଇନ୍ଧନ ଯୋଗୁ ହେଉଥିବା ଶକ୍ତିର ଅପଚୟ ଅତିମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନର କାରଣ ପାଲଟିଥାଏ। ଏହା ସିଧାସଳଖ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ। ସିଏସଆଇଆର ସଂସ୍ଥାର ବୈଜ୍ଞାନିକଙ୍କ ଅନୁଯାୟୀ ଗୋଟିଏ ହଳ ପୋଷାକ ଇସ୍ତ୍ରୀ କଲେ ବାୟୁମଣ୍ଡଳକୁ ୨୦୦ ଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ଅର୍ଥାତ୍ ଦିନଟିଏ ଯଦି ଇସ୍ତ୍ରୀ ନ କରି ପୋଷାକ ପିନ୍ଧାଯାଏ ତେବେ ବାୟୁମଣ୍ଡଳ ସେହି ୨୦୦ ଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ଜନିତ ପ୍ରଦୂଷଣରୁ ରକ୍ଷା ପାଇଥାଏ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସିଏସଆଇଆର ଅଧୀନସ୍ଥ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ କମ୍ୟୁନିକେସନ ଆଣ୍ଡ ପଲିସି ରିସର୍ଚ୍ଚ ତରଫରୁ ‘ରିଙ୍କଲସ୍ ଅଚ୍ଛେ ହୈଁ’ (ଲୋଚାକୋଚା ପୋଷାକ ବି ଭଲ) ନାମକ ଏକ ଅଭିନବ ଅଭିଯାନ ଲାଗି ଆହ୍ୱାନ ଦିଆଯାଇଥିଲା। ଏହି ଅଭିଯାନରେ ସିଏସଆଇଆର ସଂସ୍ଥାରେ କାର୍ଯ୍ୟରତ ସମସ୍ତଙ୍କୁ ଅନୁରୋଧ କରାଗଲା ଯେ ସେମାନେ ପ୍ରତି ସୋମବାର ଦିନ ଇସ୍ତ୍ରୀ ହୋଇ ନ ଥିବା ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବେ। ସିଏସଆଇଆର ଦ୍ୱାରା କେବଳ ଏହି ଗୋଟିଏ ପଦକ୍ଷେପ କାର୍ଯ୍ୟକାରୀ ହେଲେ ପ୍ରତି ସୋମବାର ଦିନ ୧,୨୫,୦୦୦ କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନକୁ ପ୍ରତିହତ କରିହେବ। ଅବଶ୍ୟ ପରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସିଏସଆଇଆର ତରଫରୁ କୌଣସି ଆଦେଶ ଜାରି ହୋଇନାହିଁ ବୋଲି ସ୍ପଷ୍ଟୀକରଣ ଦିଆଗଲା। ତେବେ ଏହାକୁ ଯଦି ଗୋଟିଏ ଆନ୍ଦୋଳନର ସ୍ୱରୂପ ଦିଆଯାଇ ଦେଶବ୍ୟାପି ଲାଗୁ କରାଯାଆନ୍ତା ତେବେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ଅତିମାତ୍ରାରେ କମ ହୋଇ ଜଳବାୟୁ ଉତ୍ତାପ ହ୍ରାସ କରିବାରେ ଏହା ଏକ ବଡ଼ ଭୂମିକା ନିର୍ବାହ କରନ୍ତା।
ଏହାକୁ କାର୍ଯ୍ୟକାରୀ କରିବା ଦିଗରେ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରାଯାଇପାରେ। ଉଭୟ ଘରୋଇ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ସପ୍ତାହର ଅନ୍ତତଃ ଗୋଟିଏ ଦିନ ଇସ୍ତ୍ରୀ ହୋଇ ନ ଥିବା ପୋଷାକ ପିନ୍ଧି ଆସିବା ଅନିବାର୍ଯ୍ୟ କରାଯାଇପାରେ। ସ୍କୁଲଗୁଡ଼ିକରେ ପ୍ରତି ଶନିବାର ଦିନ ଛାତ୍ରଛାତ୍ରୀଙ୍କୁ ଏହିପରି ପୋଷାକ ପିନ୍ଧି ସ୍କୁଲକୁ ଆସିବାକୁ କୁହାଯାଇପାରେ। ସେ କ୍ଷେତ୍ରରେ ସେମାନେ ପ୍ୟାଣ୍ଟ ସାର୍ଟ ନ ପିନ୍ଧି ଆଞ୍ଚଳିକ ସଂସ୍କୃତି ଆଧାରରେ ପାରମ୍ପରିକ ହସ୍ତତନ୍ତ ପୋଷାକ (ଧୋତି, ଲୁଗା ଆଦି) ପିନ୍ଧିଲେ ଭଲ, କାରଣ ସେଗୁଡ଼ିକୁ ଇସ୍ତ୍ରୀ ନ କରି ମଧ୍ୟ ପିନ୍ଧି ହେବ। ତା’ଛଡ଼ା ଏ ଭଳି ପୋଷାକ ମଧ୍ୟ ପିଲାମାନଙ୍କୁ ସେମାନଙ୍କ ସଂସ୍କୃତି ସହ ଯୋଡ଼ି ରଖିବାର ସୁଯୋଗ ସୃଷ୍ଟି କରିବ।
କୋଭିଡ ପରେ ପରେ ସାରା ବିଶ୍ୱରେ ଇସ୍ତ୍ରୀ ହୋଇ ନ ଥିବା ଲୋଚାକୋଚା ପୋଷାକ (କ୍ରିଜେସ୍ ଆଣ୍ଡ ରିଙ୍କଲସ୍) ପିନ୍ଧିବା କ୍ରମଶଃ ଆଧୁନିକ ଫ୍ୟାସନରେ ପରିଣତ ହେବାକୁ ବସିଲାଣି। ବିଶ୍ୱ ଫ୍ୟାସନ୍ ଦୁନିଆର ରାଜଧାନୀ କୁହାଯାଉଥିବା ପ୍ୟାରିସରେ ନିକଟ ଅତୀତରେ ହୋଇଥିବା ଅଧିକାଂଶ ଫ୍ୟାସନ୍ ସୋ’ରେ ପ୍ରମୁଖ ଫ୍ୟାସନ୍ ଡିଜାଇନରମାନେ ଏହିଭଳି ପୋଷାକ ଡିଜାଇନ୍ କରିବା ଉପରେ ଗୁରୁତ୍ୱ ଦେଉଥିବା ଦେଖାଯାଉଛି। ସେଗୁଡ଼ିକର ଗ୍ରହଣୀୟତା ଓ ବ୍ୟବହାର ବି ବଢ଼ୁଥିବାର ଲକ୍ଷ୍ୟ କରାଯାଉଛି। ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଟ୍ରେଣ୍ଡ ନିର୍ଦ୍ଧାରଣ କରୁଥିବା ‘ପ୍ରଡ଼ା’ ବ୍ରାଣ୍ଡର ବିଭିନ୍ନ ପ୍ରକାର ଲୋଚାକୋଚା ପୋଷାକ (ରିଙ୍କଲଡ ଡ୍ରେସ)କୁ ବିବେଚନାକୁ ନିଆଯାଇପାରେ। ଭାରତର ଫ୍ୟାସନ୍ ଡିଜାଇନରମାନେ ମଧ୍ୟ ରିଙ୍କଲଡ୍ ଡ୍ରେସର ପ୍ରଭାବରୁ ମୁକ୍ତ ହୋଇପାରି ନଥିବାରୁ ଏଠାରେ ବି ଏ ପ୍ରକାର ପୋଷାକର ବହୁଳ ପ୍ରଚଳନ ହେବାକୁ ଲାଗିଲାଣି। ଫ୍ୟାସନ୍ କ୍ଷେତ୍ରରେ ଆସିଥିବା ଏହି ପରିବର୍ତ୍ତନ ବୈଶ୍ୱିକ ଉତ୍ତପ୍ତୀକରଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହୋଇଥାଉ କି ନ ଥାଉ ଏହି ଧରଣର ପୋଷାକକୁ ଇସ୍ତ୍ରୀ କରିବା ଦରକାର ହେଉ ନ ଥିବାରୁ, ଏହା ପରୋକ୍ଷରେ ସେହି ଉଦ୍ଦେଶ୍ୟକୁ ସାଧନ କରୁଛି କହିଲେ ଭୁଲ୍ ହେବନାହିଁ।
ଇତିମଧ୍ୟରେ ଇସ୍ତ୍ରୀର ବ୍ୟବହାରରୁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ସୌର ଇସ୍ତ୍ରୀର ପ୍ରଚଳନ ହେବା ଆରମ୍ଭ ହୋଇଥିଲେ ବି ତାହା ସାଧାରଣ ଲୋକଙ୍କଠାରେ ଆଦୃତି ଲାଭ କରିପାରିନାହିଁ। ତେବେ ତାମିଲନାଡ଼ୁର ଏକ ସ୍କୁଲର ୧୫ ବର୍ଷୀୟା ଛାତ୍ରୀ ବିନିଷା ଉମାଶଙ୍କର ଏକ ‘ସୌର ଚାଳିତ ଇସ୍ତ୍ରୀ ଠେଲାଗାଡ଼ି’ ପ୍ରସ୍ତୁତ କରି ଆନ୍ତର୍ଜାତୀୟ ସ୍ତରରେ ପରିବେଶବିଦମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଓ ସେମାନଙ୍କ ପ୍ରଶଂସା ସାଉଁଟିଛନ୍ତି। ଏହି ଠେଲାଗାଡ଼ିର ଛାତରେ ସୌର ପ୍ୟାନେଲମାନ ଖଚିତ ହୋଇଥାଏ। ସୂର୍ଯ୍ୟକିରଣରୁ ଆହରଣ ହେଉଥିବା ଶକ୍ତି ଏକ ବ୍ୟାଟେରୀରେ ଗଚ୍ଛିତ ରହେ, ଯାହାକୁ ବ୍ୟବହାର କରି ଷ୍ଟିମ୍ ଆଇରନ୍ କରାଯାଇପାରୁଛି। ଏଥିରେ କୋଇଲାର ବ୍ୟବହାର ହେଉ ନ ଥିବାରୁ ପ୍ରଦୂଷଣ ହ୍ରାସ ସହ ଠେଲା ଇସ୍ତ୍ରୀବାଲାଙ୍କର ଭଲ ଦୁଇ ପଇସା ଲାଭ ହୋଇପାରିବ। ହୁଏତ ଭବିଷ୍ୟତରେ ଏହି ଧରଣର ସୌରଚାଳିତ ଇସ୍ତ୍ରୀ ଠେଲାଗାଡ଼ି ଆଦୃତି ଲାଭ କରି ଏଗୁଡ଼ିକ ବହୁଳ ଭାବେ ରାସ୍ତାଘାଟରେ ଦେଖିବାକୁ ମିଳିପାରେ।
ଏମିତିରେ ଦେଖିବାକୁ ଗଲେ ‘ରିଙ୍କଲସ୍ ଅଚ୍ଛେ ହୈଁ’ ଭଳି ଇସ୍ତ୍ରୀ ନ କରି ପୋଷାକ ପିନ୍ଧିବାର ଅଭିଯାନଟି ଅତି ଛୋଟ ଓ ସାଧାରଣ ମନେ ହୋଇପାରେ। ତେବେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ବୈଶ୍ୱିକ ଉତ୍ତପ୍ତୀକରଣକୁ ନିୟନ୍ତ୍ରଣାଧୀନ କରିବାରେ ଏହାର ଯେଉଁ ଭୂମିକା ନିର୍ବାହ କରିବାର ସାମର୍ଥ୍ୟ ଅଛି, ତାହା ଚକିତ କଲା ଭଳି। ତେଣୁ ଏଭଳି ଅଭିଯାନଟିକୁ ଆଗକୁ ନେବାର ଆବଶ୍ୟକତା ଥିବାରୁ ଚାଲନ୍ତୁ ସମସ୍ତେ ସପ୍ତାହରେ ଅନ୍ତତଃ ଦିନଟିଏ ଇସ୍ତ୍ରୀ ନ କରି ପୋଷାକ ପିନ୍ଧିବା ଓ ଅନ୍ୟମାନଙ୍କୁ ସେ ଦିଗରେ ପ୍ରବର୍ତ୍ତାଇବା।
ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫