ଗୋଆରେ ବାଜି ଛଡ଼େଇ ନେଲା ବିରୋଧୀଙ୍କ ଭୁଲ ରଣନୀତି

ସରଳ କୁମାର ଦାସ ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି। ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି। ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ। ତା’ […]

Goa

Debendra Prusty
  • Published: Thursday, 24 March 2022
  • , Updated: 24 March 2022, 03:20 PM IST

ସରଳ କୁମାର ଦାସ

ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି। ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି। ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ। ତା’ ଛଡ଼ା ବ୍ୟବସ୍ଥା ବିରୋଧୀ ଜନମତ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି କିପରି ଛଡ଼ାଇ ନେଇପାରେ ଜିତୁଥିବା ବାଜି, ତାହା ସମ୍ପ୍ରତି ଗୋଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ଜଣାପଡ଼େ।

ଗୋଆ ଏକ ଛୋଟ ରାଜ୍ୟ ଯାହାର ବିଧାନସଭାରେ ମାତ୍ର ୪୦ଟି ଆସନ ରହିଛି। ଚଳିତ ନିର୍ବାଚନରେ ସେଠାରେ ୭୯ ପ୍ରତିଶତ ମତଦାତା ଭୋଟ ଅଧିକାର ସାବ୍ୟସ୍ତ କରିବା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ମାତ୍ର ୯.୩୦ ଲକ୍ଷରେ ସୀମିତ ଥିଲା। ନିର୍ବାଚନ ମଣ୍ଡଳୀଗୁଡ଼ିକର ଆକାର ଛୋଟ ହୋଇଥିବାରୁ ସେଗୁଡ଼ିକରେ ସର୍ବନିମ୍ନ ପ୍ରାୟ ୧୬ ହଜାରରୁ ସର୍ବୋଚ୍ଚ ୩୦ ହଜାର ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ। ଫଳରେ ନବେଲିମ ଆସନରେ ବିଜୟୀ ପ୍ରାର୍ଥୀ ମାତ୍ର ୫୧୬୮ ଭୋଟ ପାଇଥିବା ବେଳେ ପୋରିଏମ ଆସନରୁ ବିଜୟୀ ପ୍ରାର୍ଥୀ ସର୍ବାଧିକ ୧୭,୮୧୬ ଭୋଟ ପାଇଥିଲେ।

ସ୍ୱାଭାବିକ ଭାବେ ଅନେକ ଆସନରେ ହାରଜିତର ଫଇସଲା ଅତି କମ ଭୋଟ ବ୍ୟବଧାନରେ ହୋଇଥିଲା। ନିର୍ବାଚନରେ ଭାଗ ନେଇଥିବା ପ୍ରମୁଖ ଦଳଗୁଡିକ ଥିଲେ, ବିଜେପି, ଗୋଆ ଫରୱାର୍ଡ ପାର୍ଟି ସହ ମେଣ୍ଟରେ କଂଗ୍ରେସ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ସହ ତୃଣମୂଳ କଂଗ୍ରେସ ଦଳର ମେଣ୍ଟ, ଆମ ଆଦମୀ ପାର୍ଟି, ରିଭଲ୍ୟୁସନାରୀ ଗୋଆନସ ପାର୍ଟି (ଆରଜିପି), ଏନସିପି ଓ ଶିବସେନା। ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ରାଜନୈତିକ ଦଳଗୁଡ଼ିକ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ବିରୁଦ୍ଧରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ।

ବିଜେପି ୩୩.୩୧ ପ୍ରତିଶତ ଭୋଟ ପାଇ ସର୍ବାଧିକ ୨୦ଟି ଆସନରେ ବିଜୟୀ ହୋଇ ପୁନଃ କ୍ଷମତାସୀନ ହେବାକୁ ସମର୍ଥ ହେଲା। ତନ୍ମଧ୍ୟରୁ ଯେଉଁ ୮ଟି ଆସନରେ ଦଳ ନିର୍ଣ୍ଣାୟକ ବିଜୟ ହାସଲ କଲା ସେଠାରେ ବିଜୟ ବ୍ୟବଧାନ ଥିଲା ୩ ହଜାରରୁ ୧୩,୫୦୦ ମଧ୍ୟରେ। କିନ୍ତୁ ଅନ୍ୟ ୧୨ଟି ଆସନରେ ହାରଜିତ ମଧ୍ୟରେ ଏତେ କମ ବ୍ୟବଧାନ ଥିଲା ଯେ ବିରୋଧୀ ଦଳଗୁଡ଼ିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କୌଶଳପୂର୍ଣ୍ଣ ଭାବେ ନିର୍ବାଚନ ରଣନୀତି ପରିଚାଳନା କରିଥିଲେ ସେଥିମଧ୍ୟରୁ ଅଧିକାଂଶ ଆସନରେ ବିଜେପିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥାଆନ୍ତା। ତନ୍ମଧ୍ୟରୁ ପୋଣ୍ଡା, ପ୍ରିଅଲ, ନବେଲିମ, ସାଙ୍କ୍ୱେଲିମ, କୁର୍କୋରେମ ଓ ପାନାଜୀ ପରି ୬ଟି ନିର୍ବାଚନ ମଣ୍ଡଳୀରେ ବିଜୟର ବ୍ୟବଧାନ ଥିଲା ଯଥାକ୍ରମେ ୭୭, ୨୧୩, ୪୩୦, ୬୬୬, ୬୭୨ ଓ ୭୧୬ ଅର୍ଥାତ୍ ୮୦୦ରୁ କମ।

୧୦୦୦ରୁ ୧୭୦୦ ଭୋଟ ବ୍ୟବଧାନରେ ସାଙ୍ଗ୍ୱେମ, ଡାବୋଲିମ ଓ ମାପୁସା ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା ବେଳେ ୨୦୦୦ରୁ ୨୨୦୦ ଭୋଟ ଅନ୍ତର ତଲେଇଗାଓ, ଟିଭିମ ଓ ସିରୋଡ଼ା ଆସନର ଫଳାଫଳ ନିର୍ଦ୍ଧାରଣ କରିଥିଲା। ଏହି ଆସନଗୁଡ଼ିକରେ ଦ୍ୱିତୀୟ ସ୍ଥାନର ପ୍ରାର୍ଥୀମାନଙ୍କ ମଧ୍ୟରେ କଂଗ୍ରେସ ଦଳର ୫ ଜଣ, ଏମଜିପି, ସ୍ୱାଧୀନ ପ୍ରାର୍ଥୀ ଓ ତୃଣମୂଳ କଂଗ୍ରେସର ୨ ଜଣ ଲେଖାଏଁ ଓ ଆପ ଦଳର ଜଣେ ପ୍ରାର୍ଥୀ ଥିଲେ। ଅର୍ଥାତ୍ ଏହି ଆସନଗୁଡିକରେ ବିଜେପି ବିରୋଧୀ ଭୋଟର ସଂଖ୍ୟା ବିଜେପି ପାଇଥିବା ଭୋଟ ଅପେକ୍ଷା ଅଧିକ ହୋଇଥିବାରୁ ସମନ୍ୱୟ ରକ୍ଷା ହୋଇ ରଣନୀତି ପ୍ରସ୍ତୁତ ହୋଇଥିଲେ ଏହି ସମସ୍ତ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଅଧିକ ଆସନରେ ଜିତି ପାରିଥାଆନ୍ତେ।

ଉଦାହରଣ ସ୍ୱରୂପ, ନଭେଲିମ ଆସନରେ ବିଜେପି ପ୍ରାର୍ଥୀ ୫୧୬୮ଟି ଭୋଟ ପାଇ ତାଙ୍କ ନିକଟତମ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪୩୦ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ ମଧ୍ୟ ସେହି ଆସନରେ ତୃଣମୂଳ କଂଗ୍ରେସ, କଂଗ୍ରେସ, ଏନସିପି ଓ ଆପ ଦଳ ଯଥାକ୍ରମେ ୪୭୩୮, ୩୮୦୬, ୨୬୨୨ ଓ ୨୩୨୭ ଭୋଟ ପାଇଥିଲେ। ଅର୍ଥାତ୍, ବିଜେପି ବିରୋଧୀ ଭୋଟ ସଂଖ୍ୟା ଥିଲା ୧୩,୪୯୩, ଅର୍ଥାତ ବିଜେପି ପାଇଥିବା ଭୋଟର ପ୍ରାୟ ଅଢ଼େଇ ଗୁଣରୁ ଅଧିକ।

ସେହିପରି କୁର୍କୋରେମ ଆସନରେ ବିଜେପି ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ମାତ୍ର ୬୭୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହେଲେ। ସେହି ଆସନରେ ଆପ ପ୍ରାର୍ଥୀ ପାଇଥିବା ୮୩୦ ଖଣ୍ଡ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିଲେ ହୁଏତ ସେହି ଆସନର ଫଳ ଭିନ୍ନ ହୋଇଥାଆନ୍ତା। ଅନ୍ୟ ପକ୍ଷରେ ସିରୋଡା ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ଆପ୍ ପ୍ରାର୍ଥୀଙ୍କ ସପକ୍ଷରେ କଂଗ୍ରେସ ଓ ଏନସିପି ପାଇଥିବା ଭୋଟ ଯାଇଥିଲେ ହୁଏତ ସେହି ଆସନରେ ଆପ୍ ପ୍ରାର୍ଥୀ ଜୟଯୁକ୍ତ ହୋଇପାରିଥାଆନ୍ତେ। ବିଜେପି ପରି ଶକ୍ତିଶାଳୀ ଦଳର ନିର୍ବାଚନୀ ରଥକୁ ଅଟକାଇବା ପାଇଁ ବିରୋଧୀ ଦଳମାନଙ୍କ ମଧ୍ୟରେ ମେଣ୍ଟ ଗଠନ ସମ୍ଭବ ହୋଇ ନଥିବାରୁ ବାସ୍ତବତାକୁ ଗ୍ରହଣ କରି କେତେକ ଆସନରେ ଅନ୍ତତଃ ସମନ୍ୱୟ ରକ୍ଷା ପୂର୍ବକ ନିର୍ବାଚନ ଲଢ଼ାଯାଇଥିଲେ, ବିଜେପିର ଆସନ ସଂଖ୍ୟା ୮କୁ ଖସି ଆସିଥାଆନ୍ତା। ଅନ୍ୟ ପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ବର୍ତ୍ତମାନର ୧୧ରୁ ବଢ଼ି ୧୬ ହୋଇପାରିଥାଆନ୍ତା।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଜିତିଥିବା ୧୧ଟି ଯାକ ଆସନରେ ଭୋଟ ବ୍ୟବଧାନ ସର୍ବନିମ୍ନ ୧୭୨୭ରୁ ସର୍ବାଧିକ ୭୭୯୪ ମଧ୍ୟରେ ରହି ଦଳ ନିର୍ଣ୍ଣାୟକ ଭାବେ ଜିତିଛି। ବିଜେପି ସବୁ ଆସନରେ ଲଢ଼ିଥିବା ବେଳେ ଜିତିଥିବା ଆସନଗୁଡିକୁ ବାଦ ଦେଲେ ଅବଶିଷ୍ଟ ୨୦ଟି ଆସନ ମଧ୍ୟରୁ ୧୪ଟିରେ ଦ୍ୱିତୀୟ ସ୍ଥାନରେ ଓ ଗୋଟିଏରେ ତୃତୀୟ ସ୍ଥାନରେ ରହିଛି। ବାକି ୫ଟି ଆସନରେ ଦଳକୁ ଅମାନତ ହରାଇବାକୁ ପଡ଼ିଛି। ଯଦି ମତଦାତା ବିଜେପିକୁ ‘ପ୍ରଚଣ୍ଡ ଜନମତ’ ପ୍ରଦାନ କରିଥିବା ବଖାଣଟିକୁ ଗ୍ରହଣ କରାଯାଏ ତେବେ ଦଳର ପ୍ରତି ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଅମାନତ ହରାଇବା ଆଦୌ ସମ୍ଭବ ହୋଇ ନ ଥାଆନ୍ତା।

ଉପରନ୍ତୁ, କୌଣସି ଦଳ ପାଇଥିବା ଭୋଟ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ତଦ୍ଦ୍ୱାରା ଅଧିକ ଆସନ ହାସଲ କରିବା ହୁଏତ ସବୁବେଳେ ସମ୍ଭବ ହୋଇ ନ ପାରେ। ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ଅଧିକ ଭୋଟ ପ୍ରତିଶତ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସମାନ ଭାବେ ପରିବ୍ୟାପ୍ତ କି ନୁହେଁ। ଉଦାହରଣ ସ୍ୱରୂପ, ଗୋଆରେ ମିଳିଥିବା ସମୁଦାୟ ପ୍ରାୟ ୯.୩୦ ଲକ୍ଷ ଭୋଟ ମଧ୍ୟରୁ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେଇ ସର୍ବାଧିକ ୩.୧୬ ଲକ୍ଷ ବା ୩୩ ପ୍ରତିଶତ ଭୋଟ ପାଇଛି। ତନ୍ମଧ୍ୟରୁ ଯେଉଁ ୮ଟି ଆସନରେ ବିଜେପିର ବିଜୟ ନିର୍ଣ୍ଣାୟକ ହୋଇଛି କେବଳ ସେହିଠାରେ ଦଳକୁ ସମୁଦାୟ ପ୍ରାୟ ୧ ଲକ୍ଷ ଭୋଟ ମିଳିଛି।

ଅନ୍ୟ ଆସନଗୁଡ଼ିକରେ ବିଜେପିକୁ ଅନ୍ୟ ଦଳଠାରୁ ଆନୁପାତିକ ଭାବେ ଅଧିକ ପ୍ରତିଶତ ଭୋଟ ମିଳି ନ ଥିବାରୁ ବିରୋଧୀ ଦଳଗୁଡ଼ିକ ତାକୁ ବିଚାରକୁ ନେଇ ରଣନୀତି ପ୍ରସ୍ତୁତ କରିପାରିଥାଆନ୍ତେ। କିଛି ଦଳର ଭୋଟ ପ୍ରତିଶତ କମ ହେଲେ ବି ସେମାନେ କେବଳ ସୁଦୃଢ ସ୍ଥିତି ଥିବା ନିର୍ଦ୍ଦିଷ୍ଟ କେତୋଟି ଆସନରେ ପ୍ରାର୍ଥୀ ଦେଇ ଜିତି ଥଆନ୍ତି। ଗୋଆ ଫରୱାର୍ଡ ପାର୍ଟି କେବଳ ୩ଟି ଆସନରେ ଲଢ଼ି ମାତ୍ର ୧.୮୪ ପ୍ରତିଶତ ଭୋଟ ପାଇଥିଲେ ବି ଗୋଟିଏ ଆସନରେ ବିଜୟୀ ହୋଇପାରିଛି।

ଏଥର ଗୋଆ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ଓ ବିଶ୍ଳେଷକଙ୍କୁ ଆଚମ୍ୱିତ କରିଛି ନିର୍ବାଚନର ମାତ୍ର ଦେଢ଼ ମାସ ଆଗରୁ ପଞ୍ଜିକୃତ ହୋଇଥିବା ଏକ ନୂଆ ଆଞ୍ଚଳିକ ଦଳ ରିଭଲ୍ୟୁସନାରୀ ଗୋଆନସ ପାର୍ଟି (ଆରଜିପି)ର ପ୍ରଦର୍ଶନ। ପୋଗୋ (ପିପୁଲସ ଅଫ ଗୋଆନ ଅରିଜିନ) ବା ‘ଗୋଆ ଅଧିବାସୀଙ୍କ ପାଇଁ ଗୋଆ’ ନୀତିରେ ବିଶ୍ୱାସ କରୁଥିବା କିଛି ସଂଖ୍ୟକ ତରୁଣମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଆଞ୍ଚଳିକ ଦଳ ଦ୍ୱାରା କଂଗ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଦଳ ଅନ୍ତତଃ ୬ଟି ଆସନରେ ବିଜେପି ବିରୋଧୀ ଭୋଟକୁ କଂଗ୍ରେସ ନିକଟରୁ ଛଡ଼ାଇ ଆଣିଥିବାରୁ ସେଠାରେ କଂଗ୍ରେସ ପରାଜିତ ହୋଇ ବିଜେପି ଜିତିଛି। ଏପରି କି ବିଜେପି ଓ ଏମଜିପି ଭଳି ସୁଦୃଢ ସଂଗଠନ ଥିବା ଦଳଗୁଡିକ ମଧ୍ୟ ତା’ ପ୍ରଭାବ ବଳୟରୁ ବର୍ତ୍ତି ନ ପାରି କ୍ଷତିଗ୍ରସ୍ତ ହୋଇଛନ୍ତି।

ଆରଜିପିର ଶକ୍ତିକୁ ଆକଳନ କରି ତା’ର ଅଗ୍ରଗତିକୁ ରୋକିବା ଲାଗି ଉଚିତ ପଦକ୍ଷେପ ନେବାରେ ବିଫଳ ହେଲା କଂଗ୍ରେସ। ୩୮ଟି ଆସନରେ ପ୍ରାର୍ଥୀ ଦେଇ ଗୋଟିଏ ଆସନରେ ଗୋଆର ସର୍ବକନିଷ୍ଠ ବିଧାୟକ ଭାବେ ୨୮ ବର୍ଷୀୟ ବୀରେଶ ବୋରକାରଙ୍କୁ ଜିତାଇବା ସହ ରାଜ୍ୟରେ ପ୍ରାୟ ୧୦ ପ୍ରତିଶତ ଭୋଟ ହାସଲ କରି ଏହି ଦଳ ଆପ୍ ଓ ତୃଣମୂଳ କଂଗ୍ରେସ ପରି ଦଳଙ୍କ ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରିଛି। ଆଗାମୀ ସମୟରେ ଗୋଆ ରାଜନୀତିରେ ଆରଜିପି ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇ ଗୋଆ ରାଜନୀତିରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବାକୁ ଯେ ସକ୍ଷମ ହେବ, ସେଥିରେ ସନ୍ଦେହ ନାହିଁ।

ଗୋଆ ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଏତେ ବେଶି ଯେ ଏଥର ନିର୍ବାଚନରେ ଜଣେ ଆଖି ଡାକ୍ତର, ଜଣେ ବ୍ୟବସାୟୀ ଓ  ଜଣେ ପୋଖତ ରାଜନେତା ଏହିପରି ୩ ଜଣ ସଦସ୍ୟ ସ୍ୱାଧୀନ ଭାବେ ନିର୍ବାଚିତ ହେବାକୁ ସମର୍ଥ ହୋଇଛନ୍ତି। ଏମାନଙ୍କ ଭିନ୍ନ ଅନ୍ୟ କେତେକ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି। ଗତ ଥର କଂଗ୍ରେସ ଟିକେଟରେ ନିର୍ବାଚିତ ହେଲା ପରେ ଦଳ ପରିବର୍ତ୍ତନ କରି ବିଜେପିକୁ ଯାଇଥିବା କିଛି ବିଧାୟକଙ୍କୁ ବିଜେପି ଟିକେଟ ନ ଦେବା ଓ ସେମାନଙ୍କୁ ଟିକେଟ ଦେଇ ଦଳକୁ ଫେରାଇ ଆଣିବା ଲାଗି କଂଗ୍ରେସ ତରଫରୁ ଆଗ୍ରହ ପ୍ରକାଶ ନ ପାଇବା ଦ୍ୱାରା ଗୋଆ ରାଜନୀତିରେ ଏକ ଭଲ ପରମ୍ପରାର ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ସ୍ୱାଧୀନ ଭାବେ ଲଢ଼ିବାକୁ ବାଧ୍ୟ ହୋଇଛନ୍ତି ଓ ପରାଜୟର ସ୍ୱାଦ ଚାଖିଛନ୍ତି।

ଗୋଆ ପରି ଛୋଟ ରାଜ୍ୟ ପ୍ରତି ଆପ୍ ଓ ତୃଣମୂଳ କଂଗ୍ରେସ ଭଳି ଦଳଗୁଡିକ ଆକୃଷ୍ଟ ହୋଇ ନିର୍ବାଚନ ଲଢ଼ିବା ପଛରେ ଦଳଗୁଡ଼ିକର ବିସ୍ତାର ଏକମାତ୍ର କାରଣ ହୋଇ ନ ପାରେ। ‘ଜାତୀୟ ଦଳ’ ମାନ୍ୟତା ପାଇବାର ଲୋଭ ମଧ୍ୟ ଏହାର ଅନ୍ୟତମ କାରଣ। ‘ଜାତୀୟ ଦଳ’ର ମାନ୍ୟତା ପାଇବା ଲାଗି ଗୋଟିଏ ରାଜନୈତିକ ଦଳକୁ ୪ଟି ବା ଅଧିକ ରାଜ୍ୟରେ ‘ରାଜ୍ୟ ଦଳ’ର ମାନ୍ୟତା ମିଳିଥିବା ଆବଶ୍ୟକ। ‘ରାଜ୍ୟ ଦଳ’ର ମାନ୍ୟତା ପାଇବା ଲାଗି ଅନ୍ୟାନ୍ୟ ଯୋଗ୍ୟତା ମଧ୍ୟରେ ଗୋଟିଏ ଦଳକୁ ସେହି ରାଜ୍ୟର ବିଧାନସଭା ନିର୍ବାଚନରେ ଅତି କମରେ ୬ ପ୍ରତିଶତ ଭୋଟ ସହ ୨ଟି ଆସନରେ ଜିତିବା ଆବଶ୍ୟକ ହୋଇଥାଏ ଅଥବା ବିଧାନସଭା କି ଲୋକସଭା ନିର୍ବାଚନରେ ୮ ପ୍ରତିଶତ ଭୋଟ ହାସଲ କରିବାକୁ ହୋଇଥାଏ। ଏଥିପାଇଁ ଗୋଆ ଭଳି ଛୋଟ ଛୋଟ ରାଜ୍ୟରେ ଅପେକ୍ଷାକୃତ କମ ସମ୍ୱଳ ପ୍ରୟୋଜନ ହେଉଥିବାରୁ ଅଧିକ ସଂଖ୍ୟକ ଦଳ ଏଠାରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇବା ସ୍ୱାଭାବିକ। ଏହି ନିର୍ବାଚନରେ  ଆପ୍ ଦଳ ୬.୭୭ ପ୍ରତିଶତ ଭୋଟ ସହ ୨ଟି ଆସନ ଜିତି ଥିବାରୁ ଗୋଆରେ ‘ରାଜ୍ୟ ଦଳ’ ଭାବେ ସ୍ୱୀକୃତି ପାଇ ଜାତୀୟ ଦଳର ମାନ୍ୟତା ପାଇବାର ନିକଟତର ହେଲା। ଅନ୍ୟ ପକ୍ଷରେ ୫.୨୧ ପ୍ରତିଶତ ଭୋଟ ପାଇ ତୃଣମୂଳ କଂଗ୍ରେସ ରାଜ୍ୟ ଦଳର ମାନ୍ୟତା ପାଇପାରି ନାହିଁ।

ପ୍ରତ୍ୟେକ ଦଳ ନିଜ ନିଜ ବିସ୍ତାର କଥା ଚିନ୍ତା କରିବା କିଛି ଅସ୍ୱାଭାବିକ ନୁହେଁ। କିନ୍ତୁ ଏକ ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ଦଳଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠିପାରୁ ନ ଥିବାରୁ ବିରୋଧୀ ଦଳମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢ଼ି ପାରୁନାହାନ୍ତି। ଶକ୍ତିଶାଳୀ ପ୍ରତିପକ୍ଷକୁ ହରାଇବା ମୂଳ ଲକ୍ଷ୍ୟ ହୋଇଥିଲେ ସେଥିପାଇଁ ସ୍ଥଳ ବିଶେଷରେ ନିଜେ ଜିତିବାର ଲୋଭକୁ ସମ୍ୱରଣ କରି ଜିତିବାର ନିକଟତର ଥିବା ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରୟାସ କରିବା ସଫଳ ରଣନୀତିର ଅଂଶବିଶେଷ ହୋଇପାରେ। ତାହା ହେଉ ନ ଥିବାରୁ ପରୋକ୍ଷରେ ତାହା ଶାସକ ଦଳକୁ ତା’ର ନିର୍ବାଚନୀ ସଫଳତାରେ ସାହାଯ୍ୟ କରୁଛି।

କୌଣସି ଦଳ ସପକ୍ଷରେ ସମୁଦାୟ ଜନପ୍ରିୟ ଭୋଟର ଅନ୍ତତଃ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲେ ତା’ ପଛରେ ଜନ ସମର୍ଥନ ଅଛି ବୋଲି ସ୍ପଷ୍ଟ ଭାବେ କହିହେବ, ଅନ୍ୟଥା ନୁହେଁ। ଚଳିତ ନିର୍ବାଚନରେ ବିଜେପି ଚାରିଟି ରାଜ୍ୟରେ ‘ନିର୍ବାଚନୀ ଶାସନାଦେଶ’ (ଇଲେକ୍ଟୋରାଲ ମ୍ୟାଣ୍ଡେଟ) ହାସଲ କରି କ୍ଷମତା ପୁନଃଦଖଲ କରିଥିଲେ ବି କୌଣସି ଗୋଟିଏ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ନ ଥିବାରୁ ତା’ ପଛରେ ‘ପ୍ରବଳ ଜନ ସମର୍ଥନ’ ରହିଛି ବୋଲି କହିବା ପ୍ରମାଦପୂର୍ଣ୍ଣ ହେବ। ବାସ୍ତବତା ହେଉଛି ଅର୍ଦ୍ଧାଧିକ ମତଦାତା ବ୍ୟବସ୍ଥା ସପକ୍ଷରେ ନୁହେଁ ବରଂ ବିରୁଦ୍ଧରେ ମତଦାନ କରିଛନ୍ତି। ବିରୋଧୀ ଦଳମାନଙ୍କ ବିଫଳତା ଯୋଗୁଁ ସମନ୍ୱୟ ଅଭାବରେ ଲୋକଙ୍କ ସେହି ରୋଷ କେନ୍ଦ୍ରୀଭୁତ ନ ହୋଇ ବିକ୍ଷିପ୍ତ ହୋଇଯାଇଥିବାରୁ ତାହା ଫଳାଫଳରେ ପ୍ରତିଫଳିତ ହୋଇପାରିନାହିଁ।

ଭାରତୀୟ ରାଜନୀତିରେ କୌଣସି ରାଜନୈତିକ ଦଳ ଅପରାଜେୟ ନୁହେଁ, କାରଣ ବହୁଦଳୀୟ ନିର୍ବାଚନୀ ବ୍ୟବସ୍ଥାରେ ପ୍ରାୟତଃ କୌଣସି ଦଳକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳି ନଥାଏ। କଂଗ୍ରେସ ଦଳ ଶକ୍ତିଶାଳୀ ଥିଲା ବେଳେ ସବୁ ବିରୋଧୀ ଦଳ ଏକଜୁଟ ହୋଇ ତାକୁ ହରାଇ ପାରୁଥିଲେ। ବିଜେପି ଭଳି ଶକ୍ତିଶାଳୀ ଦଳକୁ ପରାଜିତ କରିବା ପାଇଁ ସେହି ଏକା ରଣନୀତି ହିଁ ପ୍ରଯୁଜ୍ୟ। ଇଏ ବିଜେପି, କଂଗ୍ରେସ ବା ଅନ୍ୟ କେଉଁ ଦଳ ଜିତିବା ବା ହାରିବାର ପ୍ରଶ୍ନ ନୁହେଁ। କୌଣସି ଦଳକୁ ହରାଇ ହେବନାହିଁ ବୋଲି ଇଚ୍ଛାକୃତ ଭାବେ ଯେଉଁ ଏକ ବଖାଣ ପ୍ରସ୍ତୁତ କରାଯାଇଥାଏ ତାହା ତଥ୍ୟ ଆଧାରରେ ତର୍ଜମା କଲେ ଭ୍ରମାତ୍ମକ ବୋଲି ଜଣା ପଡ଼େ। ତାହାର ଏକମାତ୍ର ଉଦ୍ଦେଶ୍ୟ ଥାଏ ନିଜ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ବିରୋଧୀ ଦଳର କର୍ମୀମାନଙ୍କୁ ପରାଜୟବୋଧର ଗ୍ଲାନି ଭିତରୁ ବାହାରିବାକୁ ନ ଦେଇ ହତୋତ୍ସାହିତ କରି ରଖିବା। ଗୋଆ ନିର୍ବାଚନ ଫଳାଫଳର ବିଶ୍ଳେଷଣରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ତ୍ରୁଟିପୂର୍ଣ୍ଣ ନିର୍ବାଚନ ରଣନୀତି ପରିଚାଳନା ଯୋଗୁଁ ଜନମତର ବିପରୀତରେ ଯାଇ ବିରୋଧୀ ଦଳମାନେ ବିଜେପିକୁ କ୍ଷମତା ପୁନଃଦଖଲ ପାଇଁ ପରୋକ୍ଷରେ ସାହାଯ୍ୟ କରିଛନ୍ତି। ଭବିଷ୍ୟତରେ ସେହି ତ୍ରୁଟିର ପୁନରାବୃତ୍ତି ଯେ ନହେବ ତାହା କେହି କହିପାରିବେ ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story