ଡଃ. ରୀନା ରାଉତରାୟ
ଆମେ ରାଜନୀତିରେ ରୁଚି ରଖୁ ନାହୁଁ କହି ନିଜର ଗୁରୁ ଦାୟିତ୍ଵରୁ ଦୂରେଇ ଯିବା ଭୀରୁତାର ପରିଚୟ ଦିଏ। ଆମର ରାଜନୀତିରେ ଆଗ୍ରହ ନ ଥାଇପାରେ, କିନ୍ତୁ ରାଜନୀତି ହିଁ ଆମର ରାଷ୍ଟ୍ରନୀତି ନିର୍ଦ୍ଧାରଣ କରେ ଓ ଏହା ଆମର ବିଶ୍ୱାସ ଓ ସହଯୋଗରେ ହିଁ ତିଷ୍ଠି ରହେ।
ଆମ ଦେଶରେ ୯୦ କୋଟି ଭୋଟର୍ ବା ମତଦାତାଙ୍କ ମଧ୍ୟରୁ ପାଖାପାଖି ୪୦ କୋଟି ମତଦାତା ହେଲେ ଯୁବ ଗୋଷ୍ଠୀର। ଦେଶର ସମୁଦାୟ ଜନସଂଖ୍ୟାର ଶତକଡା ୬୫ ଭାଗ ୩୫ ବର୍ଷରୁ କମ୍ ବୟସର ଅଟନ୍ତି। କିନ୍ତୁ ମତଦାନ ପ୍ରକ୍ରିୟାରେ ଏହି ବର୍ଗଙ୍କ ସକ୍ରିୟ ଯୋଗଦାନର ହାର ଅତ୍ୟନ୍ତ ନିରାଶଜନକ ଅଟେ।
ରାଜନୈତିକ ପ୍ରକ୍ରିୟା ପ୍ରତି ଯୁବ ବର୍ଗଙ୍କ ବିମୁଖତା ହେଉ ବା ମତଦାନରେ ସକ୍ରିୟ ଯୋଗଦାନରୁ ବିରତ ରହିବା, ଦୁଇଟିଯାକ କାରଣ ବର୍ତ୍ତମାନ ପରିସ୍ଥିତିରେ ଗଣତନ୍ତ୍ର ପାଇଁ ଉପୁଜିଥିବା ସଙ୍କଟର ଅନ୍ୟତମ ମୁଖ୍ୟ କାରଣ ଅଟେ।
ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦ୍ୱାରା ଅନେକ ଯୁବ ନେତୃତ୍ୱ ସୃଷ୍ଟି ହେଉଥିଲା। ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ର ଗଠନ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି। ଏହି ଦାୟିତ୍ୱବୋଧ ସେମାନଙ୍କୁ ଅନେକାଂଶରେ ଉତ୍ସାହିତ କରିଥାଏ। ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇ ଯୁବ ନେତୃତ୍ୱ ସୃଷ୍ଟି କରିବାର ସୁଯୋଗକୁ ପରୋକ୍ଷ ଭାବରେ ସଙ୍କୁଚିତ କରାଗଲ।।
ଜୀବନଜୀବିକା ପାଇଁ ପ୍ରବାସୀ ରାଜ୍ୟରେ ବାସ କରୁଥିବା ଯୁବକ ଯୁବତୀମାନେ ନିର୍ବାଚନ ସମୟରେ ନିଜ ରାଜ୍ୟର ନିର୍ବାଚନ ମଣ୍ଡଳୀକୁ ଆସି ମତଦାନ ସାବ୍ୟସ୍ତ କରିବା ସବୁ ସମୟରେ ସମ୍ଭବପର ହେଇ ପାରେ ନାହିଁ। କେବଳ ମତଦାନ କରିବାକୁ ଆସି ଅର୍ଥ ଓ ସମୟ ନଷ୍ଟ କରିବା ସମୁଚିତ ମନେ କରନ୍ତି ନାହିଁ।
ଏତଦ୍ ବ୍ୟତୀତ ଗ୍ରାମାଞ୍ଚଳରେ ବାସ କରୁଥିବା ବ୍ୟକ୍ତି ବିଶେଷ ରାଜନୈତିକ ପରିବର୍ତ୍ତନରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେଉଥିବାରୁ ସେମାନେ ସ୍ଥାନୀୟ ରାଜନୀତିରେ ବିଶେଷ ଆଗ୍ରହ ବା ରୁଚି ରଖନ୍ତି। କିନ୍ତୁ ସହରାଞ୍ଚଳ ବା ଅନ୍ୟ ରାଜ୍ୟରେ ବାସ କରୁଥିବା ବ୍ୟକ୍ତିମାନେ ତାଙ୍କର ବ୍ୟସ୍ତବହୁଳ ଜୀବନ ସହିତ ତାଙ୍କ ଅଞ୍ଚଳର ରାଜନୀତି ଦ୍ୱାରା ବିଶେଷ ଲାଭ ବା କ୍ଷତି ହେବାର ସମ୍ଭାବନା ନ ଥିବାର ଅନୁମାନ କରି ସେ ସମ୍ପର୍କରେ ଖବର ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ।
ବିଦେଶରେ ରହୁଥିବା ଭାରତୀୟ ନାଗରିକ, ସାମରିକ ବାହିନୀର କର୍ମଚାରୀ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବା ନାଗରିକମାନଙ୍କ ପାଇଁ ଯେପରି ଅନଲାଇନ୍ ଭୋଟ ଦେବାର ବ୍ୟବସ୍ଥା ରହିଛି ସେହିପରି ପ୍ରବାସୀ ରାଜ୍ୟରେ ବସବାସ କରୁଥିବା ଯୁବବର୍ଗଙ୍କ ପାଇଁ ଅନଲାଇନ୍ ଭୋଟ ଦେବାର ବ୍ୟବସ୍ଥା କରାଗଲେ ଅଧିକ ସଂଖ୍ୟାରେ ଯୁବ ବର୍ଗ ମତଦାନ ପ୍ରକ୍ରିୟାରେ ସାମିଲ ହୋଇ ପାରନ୍ତେ।
ମହାରାଷ୍ଟ୍ର ପରି ରାଜ୍ୟରେ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ମତଦାତା ୧୮-୧୯ ବର୍ଷ ବୟସର ହୋଇଥିଲେ ମଧ୍ୟ ରାଜ୍ୟରେ ସେହି ବର୍ଗର ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ଏକ ପ୍ରତିଶତରୁ ମଧ୍ୟ କମ୍ ଅଟେ। ସେହିପରି ଦେଶର ଶତକଡା ୬୫ ଭାଗ ଲୋକସଂଖ୍ୟା ୩୫ ବର୍ଷ ବୟସରୁ କମ୍। ମାତ୍ର ଚଳିତ ଲୋକସଭା ସଦସ୍ୟ ମାନଙ୍କର ହାରାହାରି ବୟସ ୫୪ ବର୍ଷ ହୋଇଥିବା ବେଳେ ଲୋକସଭାରେ ଯୁବବର୍ଗଙ୍କ (୪୦ ବର୍ଷରୁ କମ୍) ପ୍ରତିନିଧିତ୍ଵ ମାତ୍ର ୧୨% ଅଟେ।
ଅନେକ ସମୟରେ ଆମ ସମ୍ମୁଖରେ ଘଟୁଥିବା କିଛି ସମ୍ବେଦନଶୀଳ ଓ ଅଭାବନୀୟ ଘଟଣା ମନକୁ ବ୍ୟଥିତ କରେ। ଇଚ୍ଛା ହୁଏ, ଯଦି ମୋ ପାଖରେ ଯଦି ନୀତି ନିର୍ଦ୍ଧାରଣ କରିବାର କ୍ଷମତା ଥାଆନ୍ତା ତେବେ ମୁଁ କିଛି କରି ପାରିଥାଆନ୍ତି।
ଗାନ୍ଧିଜୀଙ୍କ ମତରେ, "ଆମେ ସମସ୍ତେ ଜଣେ ଜଣେ ରାଜନୈତିକ ବ୍ୟକ୍ତି। ଗଣତନ୍ତ୍ରରେ ରାଜନୀତି ଏକ ସାମାଜିକ କାର୍ଯ୍ୟ। କିନ୍ତୁ ରାଜନୀତି କେବଳ କ୍ଷମତା ପ୍ରାପ୍ତି ପାଇଁ ନୁହେଁ କିମ୍ଵା ରାଜନୈତିକ କ୍ଷମତା ଲୋକଙ୍କ ସେବା ପାଇଁ ଏକମାତ୍ର ବିକଳ୍ପ ନୁହେଁ।"
ତେଣୁ ଏବେ ସମୟ ଆସିଛି ଆମେ କିଛି କରିବାର। ତାହା ହେଲା ସଠିକ୍ ଭାବରେ ପ୍ରାର୍ଥୀ ଚୟନ କରି ଆମର ମତଦାନ ସାବ୍ୟସ୍ତ କରିବା।
ଅନେକଙ୍କ କ୍ଷୋଭ ରହିଛି ଯେ ଆବ୍ରାହମ୍ ଲିଙ୍କନଙ୍କ ଗଣତନ୍ତ୍ରର ସଂଜ୍ଞାର ରୂପାନ୍ତରିତ ହୋଇସାରିଛି। ମାଙ୍କଡ଼ ହାତରେ ଏବେ ଗଣତନ୍ତ୍ର। ଯିଏ ଯେମିତି ଚାହୁଁଛି ସେମିତି ନଚାଉଛି ବା ନାଚୁଛି। ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ, ତ୍ୟାଗ ବିହୀନ ଉପାସନା ପରି ସାତୋଟି ଭୟଙ୍କର ପାପରୁ ନିବୃତ୍ତ ରହିବା ପାଇଁ ଗାନ୍ଧୀ ସବୁବେଳେ କହୁଥିଲେ ଯାହା ସାଂପ୍ରତିକ ପରିସ୍ଥିତିରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ତାହା ଆମେ ସମସ୍ତେ ଅନୁଭବ କରୁଛୁ।
କିନ୍ତୁ ଏବେ ମଧ୍ୟ ଗଣତନ୍ତ୍ର ରାଷ୍ଟ୍ରରେ ଏକ ନାଗରିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଆମ ଭାଗ୍ୟ ଆମେ ନିର୍ଦ୍ଧାରଣ କରିବାର ସମୟ ଉପନୀତ। ଖାଲି ସମାଲୋଚନା ବା ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଲେ ଯେ ଏକ ସୁସ୍ଥ ସମାଜର ନାଗରିକର ଦାୟିତ୍ଵ,କର୍ତ୍ତବ୍ୟ ପାଳନ ହୋଇଯାଏ ତାହା ନୁହେଁ, ପ୍ରତି ନାଗରିକ ଯଦି ନିଜର ଭୂମିକା ନିର୍ବାହ ଦିଗରେ ସଚେତନ ହୁଏ ତେବେ ଗଣତନ୍ତ୍ରକୁ ଥିବା ଆସନ୍ନ ବିପଦରୁ ରକ୍ଷା କରି ପାରିବା।
ସାମ୍ପ୍ରତିକ ପରିସ୍ଥିତିରେ ଏହାର ଏକମାତ୍ର ଉପାୟ ହେଲା ମତଦାନ ପ୍ରକ୍ରିୟାରେ ନିଜର ସକ୍ରିୟ ଯୋଗଦାନ। ଅର୍ଥାତ୍ ନିର୍ଭୀକ ଓ ନିରପେକ୍ଷ ମତାମତ। ଆମ ରାଷ୍ଟ୍ରର ଭାଗ୍ୟ ଆମ ହାତରେ, ପରୋକ୍ଷ ଭାବରେ ଆମର ଉନ୍ନତି କିମ୍ଵା ଅବନତି ପାଇଁ ଆମେ ହିଁ ଦାୟୀ।
ଆମକୁ ମନେ ରଖିବାକୁ ପଡ଼ିବ - ସରକାର କହିଲେ କିଏ? "ସାମୂହିକ ମୁଁ" ହିଁ ସରକାର।
ବିଧିବ୍ୟବସ୍ଥା ନିୟମକାନୁନର ଏକ ବ୍ୟବସ୍ଥିତ ଶୃଙ୍ଖଳିତ ସମାଜ ସୃଷ୍ଟି କରିବା "ସାମୂହିକ ମୁଁ"(ଆମେ)ର ଉତ୍ତରଦାୟିତ୍ଵ ହୋଇଥଲା ବେଳେ ଯଦି ବ୍ୟକ୍ତିଗତ "ମୁଁ"ର ଆତ୍ମସମ୍ମାନ, ସ୍ୱାଭିମାନ,ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ସହିତ ନୈତିକ ମୂଲ୍ୟଯୁକ୍ତ ଦାୟିତ୍ଵ ଓ କର୍ତ୍ତବ୍ୟର ପାଳନ କରାଯାଇଥାଏ ତେବେ ଏକ ସୁସ୍ଥ ସମାଜ ଓ ଲୋକାଭିମୁଖୀ ସରକାର ଅବଶ୍ୟମ୍ଭାବୀ।
ସ୍ୱାଧୀନଚେତା ଭାବରେ ବଞ୍ଚିବା ଏକ ବ୍ୟକ୍ତିର ଜନ୍ମ ସିଦ୍ଧ ଅଧିକାର। ସ୍ୱାଧୀନଚେତା ହେବାକୁ ପଡ଼ିବ।
ବିଶିଷ୍ଟ ଐତିହାସିକ ଗେଟେଲଙ୍କ ମତରେ ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ରହିଛି। ଗଣତନ୍ତ୍ର ହେଉଛି ଜନମତ ସମର୍ଥିତ ଏକ ସରକାର। ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ମାନଙ୍କ ଉଦାସୀନତା ଯୋଗୁ ଗଣତନ୍ତ୍ର ଆଜି କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ସ୍ୱାର୍ଥକୁ ପୂରଣ କରିବାର ଏକ ମାଧ୍ୟମ ପାଲଟିଛି।
ଆମ ସମସ୍ତେ ନିଜର ଉତ୍ତରଦାୟିତ୍ଵ ପ୍ରତି ସଚେତନ ହେବା। ୧୮ ବର୍ଷରୁ ଉର୍ଦ୍ଧ୍ଵ ପ୍ରତ୍ୟେକ ବ୍ୟକ୍ତି ଭୋଟର ତାଲିକାରେ ନାମ ପଞ୍ଜୀକୃତ କରନ୍ତୁ। ନିଜ ନିଜର ମତଦାନ କେନ୍ଦ୍ରକୁ ଯାଇ ନିର୍ଭୀକ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତ ଦାନ କରନ୍ତୁ।
ବାହୁବଳ, ଅର୍ଥବଳ ବା କ୍ଷମତାର ସାମୟିକ ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରନ୍ତୁ। ସେହି ପ୍ରାର୍ଥୀ ଚୟନ କରନ୍ତୁ ଯିଏ ସବୁ ସମୟରେ ଆପଣଙ୍କ ସୁବିଧା ଅସୁବିଧାରେ ଆପଣଙ୍କ ନିକଟରେ ରହିବେ ବା ଯାହାଙ୍କ ପାଖରେ ଆପଣ ନିର୍ଦ୍ୱନ୍ଦରେ ପହଞ୍ଚି ପାରିବେ। ଯିଏ ଆପଣଙ୍କ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସକ୍ଷମ ଓ ଉତ୍ତରଦାୟୀ ହୋଇ ପାରିବେ ସେହିପରି ବ୍ୟକ୍ତିଙ୍କୁ ଚୟନ କରନ୍ତୁ।
ଏକ୍ଜିଟ ପୋଲ୍ ର ଏକ ସର୍ଭେ ଅନୁଯାୟୀ ଶତକଡା ୬୮ ଭାଗ ଯୁବବର୍ଗ ନୋଟା ସପକ୍ଷରେ ଅଟନ୍ତି। କିନ୍ତୁ ଭୋଟକେନ୍ଦ୍ରକୁ ଯାଇ ମତଦାନ କରିବା ପାଇଁ ଯାଆନ୍ତି ନାହିଁ। ତେଣୁ ଯଦି ଆପଣ ଉପଯୁକ୍ତ ପ୍ରାର୍ଥୀ ଭାବେ କାହାକୁ ବି ଚୟନ କରି ପାରୁ ନାହାନ୍ତି ତେବେ ସେହି ପରିସ୍ଥିତିରେ ମତଦାନ ପ୍ରକ୍ରିୟାରୁ ବିରତି ନ ନେଇ ନୋଟାରେ ମତଦାନ କରି ଆପଣଙ୍କ ପ୍ରତିବାଦକୁ ସାବ୍ୟସ୍ତ କରନ୍ତୁ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ, ନୈତିକତା, ମାନବିକତା ଓ ରାଷ୍ଟ୍ରୀୟତା ଏହି ତିନୋଟି ଥିଲା ମହତ୍ମାଙ୍କ ଶକ୍ତି, ଯାହା ପାଇଁ ସେ ଖୁବ୍ ନିର୍ଭୀକତାର ସହିତ ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ପାରୁଥିଲେ।
ଏକ ଗଣତନ୍ତ୍ର ରାଷ୍ଟ୍ରରେ ଆପଣଙ୍କ ପରି ଏକ ସଚେତନ ନାଗରିକ ବିଶେଷ କରି ଯୁବ ଗୋଷ୍ଠୀର ନିର୍ଭୀକ ଓ ନିରପେକ୍ଷ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସବୁବେଳେ ମନେ ରଖନ୍ତୁ: ଆପଣଙ୍କ ଗୋଟିଏ ଭୋଟ୍ ଅନେକ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ।
ଫୋ- ୯୪୩୮୨୭୨୧୫୨