Youth
- ଡ ରୀନା ରାଉତରାୟ
ଯେଉଁ ଦେଶ ବା ଜାତିର ଯୁବବର୍ଗ ଯେତେ ଶୃଙ୍ଖଳିତ ସେ ଜାତି ସେତେ ସମୃଦ୍ଧ।ଶୃଙ୍ଖଳା ଯୁବଶକ୍ତିର ସର୍ବଶ୍ରେଷ୍ଠ ଅଳଙ୍କାର।
ମନୁଷ୍ୟ ଜୀବନରେ ଶୃଙ୍ଖଳ ଓ ଶୃଙ୍ଖଳା ଏହି ଦୁଇଟି ଶବ୍ଦର ଅର୍ଥ ଓ ପ୍ରଭାବ ସମ୍ପୂର୍ଣ୍ଣ ଭିନ୍ନ। ଶୃଙ୍ଖଳ ଅର୍ଥ ବନ୍ଧନ, ବାଧ୍ୟତା, ଜୋର ଜବରଦସ୍ତି, ଭୟ , ଅପରିପକ୍ଵ ମାନସିକତା ଯାହା ମନୁଷ୍ୟର ସ୍ୱାଧୀନତାକୁ ଛଡେଇ ନିଏ। ମଣିଷର ଭାବନା, ସୃଜନଶୀଳତା ଓ ସ୍ଵପ୍ନକୁ ହତ୍ୟା କରାଯାଏ।
ଅପରପକ୍ଷେ ଶୃଙ୍ଖଳା ହେଉଛି ସୁନିୟୋଜିତ ନୀତି, ନିୟମ, ଆଚରଣ, ଯାହା ସ୍ଵାଧୀନତାକୁ ରକ୍ଷା କରିଥାଏ ଓ ସମାଜରେ ଶାନ୍ତି, ସୁରକ୍ଷା ଓ ସାମଗ୍ରିକ ବିକାଶର ମାର୍ଗ ହୋଇଥାଏ।
ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପୁରାଣ ଯୁଗରେ ପାଣ୍ଡବମାନଙ୍କ ଶୃଙ୍ଖଳା ତାଙ୍କୁ କୁରୁକ୍ଷେତ୍ରରେ ବିଜୟୀ କରିଥିଲା।
ଶ୍ରୀରାମଙ୍କ ନୀତିପରାୟଣ ଓ ଶୃଙ୍ଖଳିତ ଜୀବନ ରାମ ରାଜ୍ଯ ସ୍ଥାପନ କରି ଉଦାହରଣ ସୃଷ୍ଟି କରିଥିଲା। ଆଚାର୍ଯ୍ୟ ଚାଣକ୍ୟଙ୍କ ଶୃଙ୍ଖଳିତ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭାରତକୁ ଏକତ୍ର କରିଥିଲେ।
ସେହିପରି ମଧ୍ୟକାଳୀନ ଯୁଗରେ, ମହାରାଣା ପ୍ରତାପ ଓ ଛତ୍ରପତି ଶିବାଜୀଙ୍କ ଶୃଙ୍ଖଳା ଦ୍ୱାରା ହିଁ ରାଜ୍ୟର ସୁରକ୍ଷା ହୋଇ ପାରିଥିଲା।
ଆଧୁନିକ ଯୁଗରେ, ଭଗତ ସିଂହ, ସୁଭାଷଚନ୍ଦ୍ର ବୋଷ, ସୁଖଦେବ, ରାଜଗୁରୁଙ୍କ ଶୃଙ୍ଖଳିତ ଜୀବନ ଓ ଲକ୍ଷ୍ୟପ୍ରତି କଠୋର ସଙ୍କଳ୍ପ ଦେଶପାଇଁ ସ୍ୱାଧୀନତା ଆଣିଦେଲା।
ଡ଼. ଏ.ପି.ଜେ. ଅବୁଲ୍ କଲାମଙ୍କ ଶୃଙ୍ଖଳିତ, ସମୟାନୁବର୍ତ୍ତିତା ଓ ମୂଲ୍ୟଭିତ୍ତିକ ଜୀବନ ଆଜି ଅଗଣିତ ଯୁବବର୍ଗଙ୍କ ପ୍ରେରଣା।
ଆଜିର ଯୁଗରେ, ଆମେ ଅନେକ ବନ୍ଧନରୁ ମୁକ୍ତ ହୋଇଛୁ, ଜାତି, ଲିଙ୍ଗ, ଧର୍ମ, ଭୂମିକା ସମ୍ପର୍କୀୟ ପୁରୁଣା ଶୃଙ୍ଖଳଗୁଡ଼ିକୁ ଭାଙ୍ଗି ସ୍ଵାଧୀନ ହୋଇଛୁ। କିନ୍ତୁ ସେଇ ସ୍ୱାଧୀନତାର ସୁରକ୍ଷା ପାଇଁ ଶୃଙ୍ଖଳା ଆବଶ୍ୟକ। ଯଦି ଶୃଙ୍ଖଳା ନଥାଏ, ତେବେ ସ୍ୱାଧୀନତା ଉତ୍ସୃଙ୍ଖଳତାରେ ପରିଣତ ହୋଇ ସମାଜକୁ ଅସ୍ଥିର କରିଦିଏ।
ଶୃଙ୍ଖଳାରେ ରହିବାମାନେ ସ୍ୱାଧୀନତାକୁ ସୀମିତ କରିବା ନୁହେଁ, ବରଂ ତାହାକୁ ନିରାପଦ କରିବା। ଯେପରିକି ରାସ୍ତାରେ ଯାତାୟାତ ନିୟମ, ବିଦ୍ୟାଳୟର ଶିକ୍ଷାନୀତି, କାର୍ଯ୍ୟାଳୟର ଶୃଙ୍ଖଳା, ଏସବୁ ବାଧା ନୁହେଁ ଏହା ସମୂହ ସୁରକ୍ଷାର ରକ୍ଷାକବଚ।
ଏକ ସୁରକ୍ଷିତ ସମାଜ ପାଇଁ ଆମେ ସମସ୍ତେ ଶୃଙ୍ଖଳରୁ ମୁକ୍ତ ହେବା ଉଚିତ। ଭୟ, ଅନ୍ୟାୟ, ଅସମାନତା, ଉପେକ୍ଷାରୁ। କିନ୍ତୁ ସେଇ ସ୍ୱାଧୀନତାକୁ ଅତୁଟ ରଖିବା ପାଇଁ ନୀତି, ସମ୍ମାନ, ଦାୟିତ୍ୱ, ନୈତିକତା ଏବଂ ସହିଷ୍ଣୁତାର ଶୃଙ୍ଖଳାରେ ବଞ୍ଚିବା ଆବଶ୍ୟକ।
ସ୍ୱାଧୀନତାର ରାସ୍ତାରେ ଆଗେଇବାକୁ ହେଲେ ଶୃଙ୍ଖଳାର ସହଚରିତାକୁ ଗ୍ରହଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ। କାରଣ, ଶୃଙ୍ଖଳା ବିନା ସ୍ୱାଧୀନତା, ଓ ସ୍ୱାଧୀନତା ବିନା ଶୃଙ୍ଖଳା ଏ ଦୁଇଟିରୁ କୌଣସି ଗୋଟିଏରେ ସୁରକ୍ଷିତ ଓ ଉନ୍ନତ ସମାଜ ଗଢା ଯାଇ ପାରିବନି।
ଶୃଙ୍ଖଳା କେବଳ କିଛି ନିୟମ ପାଳନର ନାମ ନୁହେଁ; ଏହା ହେଉଛି ଜୀବନର ଏକ ମୂଲ୍ୟ, ଯାହା ଆମକୁ ଲକ୍ଷ୍ୟପ୍ରତି କେନ୍ଦ୍ରିତ କରେ, ସମୟର ସଦୁପଯୋଗ କରିବା ଶିଖାଏ , ଓ ଦାୟିତ୍ୱବାନ କରେ।
ଶୃଙ୍ଖଳ ଭାଙ୍ଗିବା, ନିରାପତ୍ତାର ପ୍ରଥମ ସୋପାନ।
ଶୃଙ୍ଖଳ ହେଉଛି ଭୟ, ଅସମାନତା, ଲିଙ୍ଗଭେଦ, ଅପମାନ, ହିଂସା।
ମହିଳାଙ୍କୁ ରାତିରେ ବାହାରେ କାମ କରିବାରେ ଭୟ, ସାର୍ବଜନୀନ ସ୍ଥାନରେ ଅସୁରକ୍ଷିତ , ଅପମାନିତ, ଦୁଷ୍କର୍ମ ଓ ଅଶ୍ଳୀଳ ଇଙ୍ଗିତର ସମ୍ମୁଖୀନ ହେବା ଏବଂ ପୁରୁଷମାନଙ୍କ ପ୍ରତି ଅନ୍ୟାୟିକ ଅଭିଯୋଗ, କାର୍ଯ୍ୟସ୍ଥଳରେ ଅପମାନ, ପାରିବାରିକ ହିଂସାର ଶିକାର ହୋଇଥିଲେ ମଧ୍ୟ ସମାଜରେ ତାହାକୁ ଅଣଦେଖା କରାଯିବା।
ସୁରକ୍ଷା କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ ସମାନ ଆବଶ୍ୟକ। ଆମ ସମସ୍ତେ ଶୃଙ୍ଖଳ ଓ ଶୃଙ୍ଖଳା ମଧ୍ୟରେ ପାର୍ଥକ୍ୟ ବୁଝିଲେ ଏକ ଭୟରହିତ ସମାଜ ଗଢ଼ି ପାରିବା।
ଲିଙ୍ଗଗତ ଭେଦଭାବ ନିର୍ବିଶେଷରେ ଭୟ ଓ ସାଲିସବିହୀନ ଜୀବନ କାହିଁକି ଆବଶ୍ୟକ?
୨୦୨୩ର ନ୍ୟାସନାଲ କ୍ରାଇମ୍ ବ୍ୟୁରୋ ର ରିପୋର୍ଟ (NCRB)ତଥ୍ୟ ଅନୁସାରେ, ଭାରତରେ ପ୍ରତିଦିନ ସର୍ବମୋଟ ୯୦ ମହିଳାଙ୍କୁ ନିର୍ଯାତନା ଓ ୧୦୦ ପୁରୁଷଙ୍କୁ ଶାରୀରିକ ଆକ୍ରମଣ ଘଟୁଛି।
ଓଡ଼ିଶା ପୋଲିସ କ୍ରାଇମ୍ ତଥ୍ଯ ୨୦୨୪ ଅନୁସାରେ, ୩୦% ମାମଲାରେ ପୁରୁଷମାନେ ମଧ୍ୟ ହିଂସା ଓ ଅପମାନର ଶିକାର ହେଉଛନ୍ତି। ଭୟ ସହିତ ସାଲିସ ( Fear Compromise) ମାନେ, ଭୟରେ ମାମଲା ହଟାଇଦେବା କିମ୍ବା ସମ୍ମତିରେ ସମାଧାନ କରିଦେବା। ଯଦ୍ୱାରା ଅପରାଧୀ ଦଣ୍ଡମୁକ୍ତ ହୋଇଯାଏ, ଏବଂ ସମାଜରେ ଆହୁରି ଅଧିକ ବିପଦ ସୃଷ୍ଟି ହୁଏ।
ଏହି ସବୁ ଶୃଙ୍ଖଳ ଭାଙ୍ଗିବାରେ ଆଇନି ସଚେତନତା, ସାମାଜିକ ସହଯୋଗ, ଓ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ।
ଶୃଙ୍ଖଳାରେ ବଞ୍ଚିବାର ଅର୍ଥ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ, ଯାହା କେବଳ ଆଇନରୁ ନୁହେଁ, ନିଜର ଆଚରଣରୁ ଆରମ୍ଭ କରିବା ମହିଳା ଓ ପୁରୁଷ, ଉଭୟଙ୍କ ପ୍ରତି ସମାନ ସମ୍ମାନ। ଅପରାଧ ଦେଖିଲେ ଚୁପ୍ ନ ରହି ପୀଡ଼ିତଙ୍କୁ ସାହାଯ୍ୟ କରିବାର ନୈତିକ ଦାୟିତ୍ବ। ଲିଙ୍ଗ, ଜାତି, ଧର୍ମ, ପେଶା ଏସବୁ ପ୍ରତି ସହିଷ୍ଣୁତା ପ୍ରଦର୍ଶନ। ସମୟ ପ୍ରତି ସଚେତନ ହେବା, ଦୈନିକ ଜୀବନରେ ନୀତି ଓ ମୂଲ୍ୟବୋଧକୁ ଅନୁସରଣ କରିବା, ଲକ୍ଷ୍ୟ ହାସଲ ପାଇଁ ପାଇଁ ନିୟମିତ ପ୍ରୟାସ କରିବା, ସମାଜ ପାଇଁ ଦାୟିତ୍ୱ ନିର୍ବାହ କରିବା।
ପ୍ରିୟ ଯୁବବର୍ଗ ,ତୁମେମାନେ ଦେଶର ଭବିଷ୍ୟତ। ଯଦି ଆମେ ସମୟର ସତ୍ ବ୍ୟବହାର କରିବା, ଅନୁଶାସନ ପାଳନ କରିବା, ଓ ଲକ୍ଷ୍ୟପ୍ରତି ଅବିଚଳ ଓ ସ୍ଥିର ରହିବା, ତେବେ ଆମେ ଏକ ସଶକ୍ତ, ସମୃଦ୍ଧ ଓ ଗୌରବମୟ ରାଷ୍ଟ୍ର ଗଢ଼ିପାରିବା।
"ନୀତି, ଅନୁଶାସନ ଓ ପରିଶ୍ରମ ଯୁବଶକ୍ତିର ତିନି ସ୍ତମ୍ଭ।"
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Youth__1754988652.jpg)