Advertisment

୧୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ୧୧ଟି ଜିଲ୍ଲା ହସ୍ପିଟାଲରେ ମିଳିବ ଉନ୍ନତ କ୍ୟାନସର ଚିକିତ୍ସା ସେବା, ଏକହଜାର କୋଟି ବରାଦ

ରାଜ୍ୟରେ ଉନ୍ନତମାନର କ୍ୟାନସର ଚିିକିତ୍ସା ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମୋଟ ୧୦୦୧.୧୪କୋଟି ଟଙ୍କାର ବ୍ୟୟବରାଦକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
CS Pradeep Jena

CS Pradeep Jena

ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏଥିପାଇଁ ୧୦୦୧.୧୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ପ୍ରେସ୍ ରିଲିଜ୍ ଅନୁସାରେ ରାଜ୍ୟରେ ଉନ୍ନତମାନର କ୍ୟାନସର ଚିିକିତ୍ସା ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମୋଟ ୧୦୦୧.୧୪କୋଟି ଟଙ୍କାର ବ୍ୟୟବରାଦକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ଆସନ୍ତା ୨ବର୍ଷ ମଧ୍ୟରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲାର ଭିମସାର,କୋରାପୁଟସ୍ଥିତ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ-କୋରାପୁଟ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରର ଏଫଏମ ମେଡିକାଲ କଲେଜ ଓ ହସ୍ପିଟାଲ, ତାଳଚେର ସରକାରୀ ମେଡିକାଲ କଲେଜ ସମେତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏହି କମ୍ପ୍ରେନସିଭ୍ କ୍ୟାନସର କେୟାର ୟୁନିଟ୍ ସ୍ଥାପନ କରାଯିବ । ଏଠାରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଯାହାଫଳରେ ରାଜ୍ୟର ଲୋକମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହା ନିଶ୍ଚିତ ଭାବେ କ୍ୟାନସର ପୀଡ଼ିତ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିଜସ୍ୱ ଖର୍ଚ୍ଚ ହ୍ରାସ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏସବୁ ମେଡିକାଲରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲେଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଓ ପାଲିଏଟିଭ୍ କେୟାର ସେବାକୁ ସୁବ୍ୟବସ୍ଥିତ କରାଯିବ । ପ୍ରତ୍ୟେକ ଅନୁଷ୍ଠାନରେ ଅପରେସନ୍ ଥିଏଟର, ଆଇସିୟୁ, କେମୋଥେରାପି, ରେଡିଓଥେରାପି ଓ ପାଲିଏଟିଭ୍ କେୟାର ୟୁନିଟ୍ ସମେତ ୫୦ରୁ ୧୦୦ବେଡ ସୁବିଧା କରାଯିବ । ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟ ସରକାରଙ୍କ ଅଧୀନରେ ନିୟମିତ କ୍ୟାଡ଼ର ସ୍ପେଶାଲିଷ୍ଟ, ସୁପର ସ୍ପେଶାଲିଷ୍ଟ ଓ ବୈଷୟିକ କର୍ମଚାରୀଙ୍କ ପଦବୀ ସୃଷ୍ଟି କରାଯାଇ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ଏହା ବ୍ୟତୀତ, ବଜେଟ ଘୋଷଣା ଅନୁସାରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ କାର୍ଯ୍ୟକାରୀ କରି ୫ବର୍ଷରେ ୫୨୮.୫୫କୋଟି ଟଙ୍କା ବ୍ୟୟରେ ୨ଲକ୍ଷ କମ୍ୟୁନିିଟି ସର୍ପୋଟ ଷ୍ଟାଫ ଓ ଏସଏଚଜି ମହାସଂଘ କାର୍ଯ୍ୟନିର୍ବାହୀ ସଦସ୍ୟାମାନଙ୍କୁ ସ୍କୁଟି କିଣିବା ପାଇଁ ସୁଧ ରିହାତି ଦେବା , ମାର୍କଫେଡ୍ ପାଇଁ ୫ବର୍ଷ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ପାଣ୍ଠି, ଚାଷୀଙ୍କୁ ଫସଲ ଋଣ ବାବଦରେ ସମବାୟ ବ୍ୟାଙ୍କ ଓ ସମବାୟ ସମିତିକୁ ୫ବର୍ଷ ପାଇଁ ୫୭୦୦କୋଟି ଟଙ୍କାର ସୁଧ ରିହାତି, ମାର୍ଶାଘାଇ-ଜମ୍ବୁ ରାସ୍ତା ସମ୍ପ୍ରସାରଣ, ବନ ସୁରକ୍ଷା ସମିତି ପାଇଁ ୧୦ହଜାର କୋଠା ଘର ନିର୍ମାଣ, ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଚିପ୍ ନିର୍ମାଣ ପାଇଁ ନୂଆ ନୀତି, ଓଡ଼ିଶା ଲୋକସେବା ଆୟୋଗରେ ଦୁଇଜଣ ନୂଆ ସଦସ୍ୟ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁଙ୍କ ନିଯୁକ୍ତି, ଓଏଇଏସ୍ କ୍ୟାଡ଼ର, ଓଡ଼ିଶା ପର୍ଯ୍ୟଟନ ସେବା କ୍ୟାଡ଼ରରେ ସଂଶୋଧନ, ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ-୨୦୨୨ ଆଦିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Odisha Cabinate Meeting Cancer