ରାଜ୍ୟରେ ଖାଲି ପଡ଼ିଛି ୧୭୩୫୮ ନର୍ସିଂ ଅଫିସର ପଦବୀ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି ।

Representative image

  • Published: Monday, 25 September 2023
  • , Updated: 25 September 2023, 10:05 PM IST

ରାଜ୍ୟରେ ବିଶ୍ୱସ୍ତରର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯାଉଛି ବୋଲି କହି ରାଜ୍ୟ ସରକାର ବାହାବା ନେଉଥିବାବେଳେ ବାସ୍ତବରେ ରାଜ୍ୟରେ କେମିତି ସ୍ୱାସ୍ଥ୍ୟ ସେବା ଚାଲିଛି ତାହା ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଦେଇଥିବା ବୟାନରୁ ସ୍ପଷ୍ଟ ହୋଇଛି । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପ୍ରାୟ ୬୧ ପ୍ରତିଶତ ନର୍ସିଂ ଅଫିସର ପଦବୀ ଅର୍ଥାତ ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ସେହିପରି ୭୨୭୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଛି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ନର୍ସିଂ ଅଫିସର ପଦବୀ ଖାଲି ପଡ଼ିଛି । ସେହିପରି ମଞ୍ଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ୩୪୯୦ଟି ମଧ୍ୟରୁ ଏବେ ୨୪୯୨ଟି ପଦବୀରେ କାର୍ଯ୍ୟରତ ଅଛନ୍ତି ଓ ବାକି ୯୯୮ଟି ପଦବୀ ଖାଲି ପଡ଼ିଛି । ଲାବ୍ରୋଟୋରୀ ଟେକନିସିଆନରେ ମଞ୍ଜୁରୀପ୍ରାପ୍ତ ୨୨୩୫ଟି ପଦବୀ ମଧ୍ୟରୁ ୯୧୫ଟି ଖାଲି ପଡ଼ିଛି । ତେବେ ୯୨୧ଟି ଟେକନିସିଆନ୍ ପଦବୀ ପୂରଣ ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ୭୪୮୩ଟି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଆଉ ୮୫୩୧ଟି ନର୍ସିଂ ଅଫିସର ପଦବୀ ଚୟନ ନିମନ୍ତେ ଆୟୋଗଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି । ଏଭଳି ଭାବେ ମୋଟ ୧୫୯୧୪ଟି ନର୍ସିଂ ଅଫିସର ପଦବୀ ପୂରଣ ହୋଇପାରିବ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟରେ ମୋଟ ୧୫୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ରହିଛି । ନିକଟ ଅତୀତରେ ୫ହଜାର କନିଷ୍ଠ ବର୍ଗର ଡାକ୍ତରୀ ପଦବୀ ସୃଷ୍ଟି ହୋଇଛି । ପୂର୍ବରୁ ଥିବା ୧୦୭୭୪ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୪୫୪ଟି ପଦବୀ ଖାଲିପଡ଼ିଛି । ତେଣୁ ଏବେ ସରକାରଙ୍କ ସୁପାରିଶରେ ଖାଲିପଡ଼ିଥିବା ୭୨୭୬ଟି ଡାକ୍ତରୀ ପଦବୀକୁ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଅନୁରୂପ ଭାବେ ରାଜ୍ୟରେ ଏବେ ମୋଟ ମଞ୍ଜୁରୀପ୍ରାପ୍ତ ୫୯୫ଟି ହୋମିଓପ୍ୟାଥି ଡାକ୍ତର ପଦବୀ ଥିବାବେଳେ ସେଥିଣୁ ୧୦୫ଟି ଡାକ୍ତରୀ ପଦବୀ ଖାଲି ପଡ଼ିଛି । ଏହି ପଦବୀ ପୂରଣ ପାଇଁ ଏବେ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

Related story