Advertisment

ଏମ୍‌ସ ପ୍ରତିଷ୍ଠା ଦିବସରେ କାର୍ଯ୍ୟକ୍ଷମ ହେଲା ଧର୍ମଶାଳା

ଏମ୍‌ସ ଭୁବନେଶ୍ୱରରେ ବୃକକ୍ ପ୍ରତିରୋପଣ ସଫଳତାର ସହିତ ଆରମ୍ଭ ହୋଇସାରିଛି। ଶୀଘ୍ର ଏଠାରେ ଲିଭର ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି। ସେହିପରି ଏକାଧିକ ଜାତୀୟ ଅନୁଷ୍ଠାନ ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

author-image
Manoranjan Sial
AIIMS

AIIMS

ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଆଜି ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ୍‌ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଏମ୍‌ସରେ ପ୍ରାଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍‌ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍‌ ବ୍ୟବସ୍ଥା ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ଗତି ପ୍ରଦାନ କରିବ। ଯାହାକି ଏମ୍‌ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

Advertisment

ପ୍ରତିଷ୍ଠା ଦିବସରେ ଏମ୍‌ସ ଧର୍ମଶାଳା କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଧର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟ ଏହି ଧର୍ମଶାଳାର ସୁବିଧା ନେବାକୁ ହେଲେ ଧର୍ମଶାଳା କମିଟି କିମ୍ବା ଏମ୍‌ସ ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡ଼ିବ। ତେବେ ଏହି ସୁବିଧାର ସୁଯୋଗ ନେବାକୁ ହେଲେ ରୋଗୀଙ୍କୁ ଚିକିତ୍ସା କରୁଥିବା ସଂପୃକ୍ତ ଡାକ୍ତରଙ୍କ ନିକଟରୁ ଧାର୍ଯ୍ୟ ଫର୍ମରେ ଆବଶ୍ୟକ ଲେଖା ଆଣିବାକୁ ହେବ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ମୁଖ୍ୟ ଅତିଥି ଭାବରେ ଏମ୍‌ସ ପାଟ୍‌ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଗୋପାଳ କୃଷ୍ଣ ପାଲ ଅଭିଭାଷଣ ପ୍ରଦାନ କରି ଏନ୍‌ଆଇଆରଏଫ୍‌ ତାଲିକାରେ ଏମ୍‌ସ ଭୁବନେଶ୍ୱର ୨୬ରୁ ୧୭ତମ ସ୍ଥାନକୁ ଲମ୍ଫ ପ୍ରଦାନ କରି ଜାତୀୟସ୍ତରରେ ଗୌରବ ବୃଦ୍ଧି କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ଇଣ୍ଡିଆ ଟୁଡେରେ ମଧ୍ୟ ଏମ୍‌ସ ଭୁବନେଶ୍ୱର ୨୦ରୁ ୧୮ତମ ସ୍ଥାନକୁ ଉନ୍ନୀତ ହୋଇଛି। ଯାହାକି ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଡ. ପାଲ୍‌ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ପ୍ରାଣାୟମର ଉପଯୋଗିତା ସମ୍ପର୍କରେ ଯୁକ୍ତି ସମ୍ବଳିତ ମତ ଉପସ୍ଥାପନ କରିଥିଲେ। ଜଣେ ପ୍ରାଣାୟମ ମାଧ୍ୟମରେ ନିଜର ଶ୍ୱାସକ୍ରିୟା ଉପରେ ନିୟନ୍ତ୍ରଣ ରଖି ସ୍ୱାସ୍ଥ୍ୟବାନ ହେବା ସହିତ ଦୀର୍ଘଜୀବୀ ହୋଇପାରିବେ ବୋଲି ଡ. ପାଲ ଦୃଢ଼ ମତ ରଖିଥିଲେ।

Advertisment

ଏହି ସମାବେଶକୁ ସମ୍ବୋଧିତ କରି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମଣିଷ ଜୀବନରେ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

AIIMSପ୍ରତିଷ୍ଠା ଦିବସରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଏମ୍‌ସ ଭୁବନେଶ୍ୱରର ପ୍ରେସିଡେଣ୍ଟ୍‌ ପ୍ରଫେସର ଅକ୍ଷୟ କୁମାର ବିଶୋଇ କହିଥିଲେ ଯେ ରୋଗୀ ସେବା ହେଉ ଅଥବା ଗବେଷଣା କିମ୍ବା ଅନ୍ୟାନ୍ୟ ସାମାଜିକ କଲ୍ୟାଣକାରୀ କାର୍ଯ୍ୟ, ଏହି ଅନୁଷ୍ଠାନ ରାଜ୍ୟ ତଥା ପଡୋଶୀ ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ.ପ୍ରଶାନ୍ତ ରାଘବ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଜାତୀୟ ଅନୁଷ୍ଠାନ ହାସଲ କରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରରେ ବୃକକ୍ ପ୍ରତିରୋପଣ ସଫଳତାର ସହିତ ଆରମ୍ଭ ହୋଇସାରିଛି। ଶୀଘ୍ର ଏଠାରେ ଲିଭର ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି। ସେହିପରି ଏକାଧିକ ଜାତୀୟ ଅନୁଷ୍ଠାନ ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାର ନିମନ୍ତେ ଆଇଆଇଟି ଭୁବନେଶ୍ୱର ସହିତ ବୁଝାମଣା ହୋଇଛି। ସେହିପରି ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଗବେଷଣା ଓ ଶିକ୍ଷା କେନ୍ଦ୍ର(ଏସ୍‌ଭିନିର୍‌ତାର), କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍‌) ଓ ଜାତୀୟ ଆର୍ୟୁବେଦ ଅନୁସନ୍ଧାନ ପରିଷଦ (ସିସିଆର୍‌ଏଏସ୍‌) ସହିତ ମଧ୍ୟ ବୁଝାମଣା ହୋଇଛି।

ଏହି ଅବସରରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଡ. ଶ୍ୱେତା ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Odisha News AIIMS Bhubaneswar Aiims