Advertisment

ଓଡ଼ିଶାରେ ପ୍ରଥମ: ଏମ୍‌ସରେ ପଙ୍ଗୁପ୍ରାୟ ରୋଗୀଙ୍କ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ର ସଫଳ ପ୍ରତିରୋପଣ

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ରହୁଥିଲେ।

author-image
Hemant Lenka
AIIMS Bhubaneswar

AIIMS Bhubaneswar

ଏମ୍‌ସ ଭୁବନେଶ୍ୱରର ସ୍ୱର୍ଣ୍ଣିମ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏମ୍ସରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌(ନିତମ୍ବ ଗଣ୍ଠି)ର ସଫଳ ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳ। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ।

Advertisment

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ରହୁଥିଲେ। ସ୍ୱାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ଆରମ୍ଭ କରିଥିଲେ। ସେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ସହ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ।

ଯନ୍ତ୍ରଣା ବଢ଼ିବାରୁ ସେ ଏମ୍‌ସର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ଅସ୍ଥିଶଲ୍ୟ ଡାକ୍ତରମାନେ କହିଥିଲେ।

Advertisment

ତେବେ ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ର ପ୍ରତିରୋପଣ କରିବା ଡାକ୍ତରୀ ଦଳ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ଅତ୍ୟନ୍ତ ସତର୍କତାର ସହିତ ଡାକ୍ତରୀ ଦଳ ପ୍ରଥମେ ମହିଳାଜଣଙ୍କର ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ କରିଥିଲେ। ଏହାପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା।

ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଓ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍‌ସ ଭୁବନେଶ୍ୱରର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଓ ଡାକ୍ତର ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ଶେଷ କରିଛନ୍ତି। ଡାକ୍ତର ଶ୍ରୀତମ ସ୍ୱରୂପ ଜେନା ନିଶ୍ଚେତକ ବିଭାଗର ନେତୃତ୍ୱ ନେଇଥିବା ବେଳେ ଡାକ୍ତର ସ୍ୱାଗତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ରୋଗୀଙ୍କୁ ଆଇସିୟୁ ସୁବିଧା ଯୋଗାଇ ଦିଆଯାଇଥିଲା। ପ୍ରତିରୋପଣ ଓ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ କରାଯାଇଛି।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡାକ୍ତରୀ ଦଳକୁ ଡାକ୍ତର ବିଶ୍ୱାସ ଅଭିନନ୍ଦନ ଜଣାଇଛନ୍ତି।

ଏଭଳି ଅସ୍ତ୍ରୋପଚାର ବିରଳ ଓ ଅତ୍ୟଧିକ ସତର୍କତାର ସହିତ କରାଯିବାର ଆବଶ୍ୟକ ରହିଥିଲା। ଏମ୍‌ସ ଭୁବନେଶ୍ୱରରେ ଏପରି ପ୍ରତିରୋପଣ ଜନସେବା ପ୍ରତି ଥିବା ଏହି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଡାକ୍ତର ବିଶ୍ୱାସ କହିଛନ୍ତି। ଏପରି ପ୍ରତିରୋପଣ ଜଣେ ବ୍ୟକ୍ତିର ଜୀବନଚଳନୀରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ତେଣୁ ଏପରି ସଫଳତା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା।

ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍‌ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର ହୋଇଥିଲା। ଏମ୍‌ସ ଭୁବନେଶ୍ୱରରେ ହୋଇଥିବା ଏହି ପ୍ରତିରୋପଣ କିନ୍ତୁ ଓଡ଼ିଶାରେ ପ୍ରଥମ ହେବା ସହିତ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଘଟଣା।

Odisha Health AIIMS