Advertisment

ଆଣ୍ଟିବାୟୋଟିକ୍‌ ନାଁରେ ବିକ୍ରି ହେଉଛି ଚୂନ!

ବିଭିନ୍ନ ସ୍ଥାନରେ ଚଢାଉ କରି ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ସ ନିୟନ୍ତ୍ରଣ ପ୍ରଶାସନ (FDCA) ଏହି ରାକେଟର ପର୍ଦ୍ଦାଫାସ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଗୁଜରାଟରେ ଚାଲିଛି ନକଲି ଔଷଧ କାରବାରର ଏକ ବଡ଼ ରାକେଟ। ଗୁରୁତର ରୋଗ ସମସ୍ୟା ପାଇଁ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ ଟାବଲେଟ୍‌ରେ ମିଶ୍ରଣ କରାଯାଉଛି କ୍ୟାଲସିୟମ କାର୍ବୋନେଟ୍‌ ବା ଚୂନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ସ ନିୟନ୍ତ୍ରଣ ପ୍ରଶାସନ (FDCA) ଏହି ରାକେଟର ପର୍ଦ୍ଦାଫାସ କରିଛି। ଚଢ଼ାଉ କରି ପ୍ରାୟ ୧୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ଆଣ୍ଟିବାୟୋଟିକ୍‌ ଔଷଧ ଜବତ କରିଛି ତଦନ୍ତକାରୀ ସଂସ୍ଥା ଏଫଡିସିଏ।

Advertisment

ଗୁଜରାଟର ଏଫଡିସିଏ କମିଶନର ଏଚ୍ ଜି କୋଶିଆ କହିଛନ୍ତି, ଆମେ ଯେତେବେଳେ ଟାବଲେଟର ଫାର୍ମାକୋଲୋଜିକାଲ ପରୀକ୍ଷଣ କରିଥିଲୁ ସେତେବେଳେ ଅପମିଶ୍ରଣର ଏପରି ସାଙ୍ଘାତିକ ମାମଲା ସାମ୍ନାକୁ ଆସିଥିଲା। ଆଣ୍ଟିବାୟୋଟିକ ଟାବ୍‌ଲେଟ୍‌ରେ କେବଳ କ୍ୟାଲସିୟମ କାର୍ବୋନେଟ ବା ଚୂନ ମିଶ୍ରିତ କରାଯାଇଥିବା ଜାଣିବାକୁ ପାଇଥିଲୁ। ଜବତ ହୋଇଥିବା ସାମଗ୍ରୀର ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଇଛୁ ଏବଂ ଏପରି ନକଲି ଔଷଧରୁ ଦୂରେଇ ରହିବା ପାଇଁ ମାର୍କେଟିଂ ଏଜେନ୍ସିଗୁଡ଼ିକୁ ସଚେତନ କରାଇଛୁ ବୋଲି କମିଶନର କୋଶିଆ କହିଛନ୍ତି।

ଏଫ୍‌ଡିସିଏ ଏକ ବିବୃତ୍ତିରେ କହିଛି ଯେ, କିଛି ଅଭିଯୁକ୍ତ ‘ବେନାମୀ’ କମ୍ପାନୀର ମେଡିକାଲ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ସେମାନେ ଏହିପରି ନକଲି ଔଷଧକୁ ଡାକ୍ତରଙ୍କ ନିକଟରେ ପହଞ୍ଚାଉଥିଲେ। ନଦିଆଦ୍, ସୁରଟ, ଅହମ୍ମଦାବାଦ ଏବଂ ରାଜକୋଟରେ ଏହି ଚଢ଼ାଉ କରାଯାଇଥିଲା। ଏସବୁ ଔଷଧ ଗୁରୁତର ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ।

Advertisment

ବିବୃତ୍ତିରେ ଆହୁରି କୁହାଯାଇଛି, ଗତକାଲି ଏଫଡିସିଏ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ଚାରି ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ପଚରାଉଚରା ସମୟରେ ହିମାଚଳ ପ୍ରଦେଶର ଏକ କମ୍ପାନୀ ନାଁରେ ଔଷଧ ପ୍ରସ୍ତୁତ କରୁଥିବା କହିଥିଲେ। କିନ୍ତୁ ତଦନ୍ତକାରୀ ସଂସ୍ଥା ଯେତେବେଳେ ହିମାଚଳ ପ୍ରଦେଶର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ ଏପରି ନାଁରେ କୌଣସି ଅନୁଦାନ ପ୍ରାପ୍ତ କମ୍ପାନୀ ନଥିବା କହିଥିଲେ। 

ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଅହମ୍ମଦାବାଦର ଇସାନପୁର ପୁଲିସକୁ ହସ୍ତାନ୍ତର କରାଯାଇଛି। ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ,୧୯୪୦ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଏ ଉପରେ ଅଧିକ ତଦନ୍ତ ଜାରି ରହିଥିବା ଏଫଡିସିଏ କହିଛି। 

Antibiotic Tablets Duplicate Tablets Drugs Smuggling FDCA