/odisha-reporter/media/post_attachments/uploadimage/library/16_9/16_9_0/IMAGE_1690727814.jpg)
Gynecomastia
ଗାଇନାକୋମାଷ୍ଟିଆ। ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ। ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା। ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି। କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ହେଳାରେ ରହିଯାଉଛି। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ। ତେବେ ଏହି ରୋଗର କାରଣ କଣ ଜାଣିଛନ୍ତି? ଫାଷ୍ଟଫୁଡ୍ ଓ ମୋଟାପା।
କିଶୋରାବସ୍ଥାରେ ପୁଅଙ୍କ ଛାତିରେ ପରିବର୍ତ୍ତନ ଦେଖାଦେଉଥିଲେ, ଅସ୍ୱାଭାବିକ ଭାବେ ପୁଅପିଲାଙ୍କ ସ୍ତନର ଆକାର ବୃଦ୍ଧି ପାଉଥିଲେ ସଂକୋଚ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। କାରଣ ଇଏ ଏକ ରୋଗ ବି ହୋଇପାରେ। ଯାହାର ନାଁ- ଗାଇନାକୋମାଷ୍ଟିଆ। ଯଦିଓ ଏହି ସମସ୍ୟା ଯେକୌଣସି ବୟସର ପୁରୁଷଙ୍କ ଠାରେ ଦେଖାଦେଇପାରେ; ତଥାପି 'ଟିନ-ଏଜର୍'ଙ୍କ ଠାରେ ଏବେ ଅଧିକ ମାତ୍ରାରେ ପ୍ୟୁବର୍ଟାଲ୍ ଗାଇନାକୋମାଷ୍ଟିଆ ଦେଖାଯାଉଛି।
ଯେଉଁଥିରେ ୧୨ରୁ ୧୮ ବର୍ଷର ବୟସର ପୁଅପିଲାଙ୍କ ସ୍ତନର ଆକାର ବଢ଼ିଯାଏ, ତାହା ଫୁଲିଯାଏ, ସେଠାରେ ଦରଜ ମଧ୍ୟ ରହେ। ଯଦିଓ ଅଧିକାଂଶ କ୍ଷେତ୍ରରେ ଏହା ଆପେ ଆପେ ଭଲ ହୋଇଯାଏ ଏବଂ ଛାତି ମଧ୍ୟ ସ୍ୱାଭାବିକ ହୋଇଯାଏ, ତଥାପି କିଛି ପିଲାଙ୍କ ଠାରେ ସେଭଳି ହୁଏନି । ଚିକିତ୍ସା ଦରକାର ପଡ଼େ।
ଖାସ୍ କରି, ସ୍ତନର ଆକାର ବୃଦ୍ଧି ଆରମ୍ଭ ହେବାର ୬ ମାସରୁ ବର୍ଷେ ଭିତରେ, ଯେଉଁ ସମୟରେ ଦରଜ ଥାଏ, ସେହି ସମୟରେ ଔଷଧ ଦ୍ୱାରା ଏହାକୁ ଭଲ କରିହେବ। ନଚେତ୍ ସମସ୍ୟା ପୁରୁଣା ହୋଇଗଲେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିବ ବୋଲି ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
କିଶୋରାବସ୍ଥାରେ ଗାଇନାକୋମାଷ୍ଟିଆ ବା ପୁଅ ପିଲାଙ୍କ ସ୍ତନବୃଦ୍ଧିର କାରଣ କଣ? କଣ କଲେ ଦେଖାଦେବନି ଏଭଳି ସମସ୍ୟା? ଡାକ୍ତରଙ୍କ କହିବା କଥା, ପିଲାଟି ଯେତେବେଳେ ଯୁବାବସ୍ଥା ଆଡ଼କୁ ଗତି କରୁଥାଏ, ତା ଶରୀରରେ ଅନେକ ହରମୋନଗତ ପରିବର୍ତ୍ତନ ଘଟେ। ତେବେ ପୁଅ ପିଲାଟି ଯଦି ମେଦବହୁଳତା ବା ମୋଟାପାର ଶିକାର ହୁଏ, ତେବେ ତା ଶରୀରରେ ଟେଷ୍ଟଷ୍ଟିରନ ପରିବର୍ତ୍ତେ ଇଷ୍ଟୋଜେନ୍ ହରମୋନର ମାତ୍ରା ବୃଦ୍ଧିପାଏ, ଯାହାକି ଝିଅଙ୍କ ହରମୋନ୍।
ତେଣୁ ମୋଟାପଣ ସୃଷ୍ଟି କରୁଥିବା ଖାଦ୍ୟ ଯଥା- ଫାଷ୍ଟଫୁଡ୍, ପ୍ରୋସେସ୍ଡ ଫୁଡ୍, ପ୍ରୋସେସ୍ଡ ଚିକେନ୍ ଆଦି ଖାଇଲେ, ଖେଳକୁଦ ନକଲେ, ଶାରିରୀକ ବ୍ୟାୟାମ ନକଲେ ଗାଇନାକୋମାଷ୍ଟିଆ ଦେଖାଦେବାର ଆଶଙ୍କା ଥାଏ। ଆଉ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ହରମୋନ କିମ୍ବା ଯକୃତ ବା ଲିଭର୍ ଜନିତ ସମସ୍ୟା ଯୋଗୁଁ ବି ଏଭଳି ଘଟିଥାଏ।
କେବଳ କିଶୋରାବସ୍ଥାରେ ନୁହେଁ, ଯେକୌଣସି ବୟସରେ ଏପରିକି ବୃଦ୍ଧାବସ୍ଥାରେ ବି ଗାଇନାକୋମାଷ୍ଟିଆ ବା ପୁରୁଷଙ୍କ ସ୍ତନବୃଦ୍ଧି ଘଟେ। ମଦ୍ୟପାନ କରୁଥିବା ଏବଂ ଲିଭର୍ ସମସ୍ୟା ଥିବା ଲୋକଙ୍କ ଠାରେ ଏହା ଅଧିକ ମାତ୍ରାରେ ଦେଖାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
