Advertisment

‘ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’

ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ ।

author-image
Jitendra Garnayak
Mukesh Mahalinga

Mukesh Mahalinga

ରାଜ୍ୟର ବିଜେପି ସରକାର ଖୁବଶୀଘ୍ର ଉଭୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସହ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକ୍ଷମ କରିବ।ଏଥିରେ ରାଜ୍ୟର ୧କୋଟି ପରିବାରର ସାଢ଼େ ୩କୋଟି ଲୋକଙ୍କୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଦେଶର ୨୭ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ସୁବିଧା ରାଜ୍ୟବାସୀଙ୍କୁ ମିଳିବ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ । ପ୍ରତି ରୋଗୀଙ୍କୁ ଏକକ ପରିଚୟ ପତ୍ର ଦିଆଯିବ । ଏଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ତଥ୍ୟ ରହିବ । ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମଧ୍ୟ ସଂଶ୍ଲୀଷ୍ଟ ରହିବ । ଫଳରେ ରୋଗୀମାନେ ଡାକ୍ତରଙ୍କ ପାଖକୁ ଯିବାବେଳେ ସେମାନଙ୍କର ସମସ୍ତ ସ୍ୱାସ୍ଥ୍ୟଗତ ତଥ୍ୟ ଡାକ୍ତର ଜାଣିପାରିବେ । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ହୋଇଛି । ଏବେ ଏନେଇ କାର୍ଯ୍ୟ ଚାଲିଛି । ଖୁବଶୀଘ୍ର ଏହା ପ୍ରଚଳନ କରାଯିବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଏବେ ବ୍ୟାକଏଣ୍ଡରେ ଡାଟା କାମ ଚାଲିଛି ।

ରାଜ୍ୟର ଏକ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାର୍ଡ । ଏହା ଏକ କମନ୍ କାର୍ଡ ହେବ । ଆୟୁଷ୍ମାନ ଭାରତ ଯୋଜନାରେ ୬୭ଲକ୍ଷ ପରିବାର ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୩୩ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଯିବ । ନୂଆ ସ୍ୱାସ୍ଥ୍ୟବୀମାରେ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ମିଳିବ । ପୁରୁଣା ସ୍ୱାସ୍ଥ୍ୟ କାର୍ଡରେ କେବଳ ୯୫୦ଟି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲାବେଳେ ନୂଆ ସ୍ୱାସ୍ଥ୍ୟ କାର୍ଡରେ ୨୭ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଦାଦନ ଶ୍ରମିକଙ୍କୁ ମଧ୍ୟ ଏହି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ସୁବିଧା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।

Advertisment

ତେବେ କେବେ ସୁଦ୍ଧା ଉଭୟ ସ୍ୱାସ୍ଥ୍ୟବୀମା ସୁବିଧା ରାଜ୍ୟବାସୀଙ୍କୁ ମିଳିବ ତା’ର ନିର୍ଦ୍ଦିଷ୍ଟ ସମୟସୀମା ସେ କହିନଥିବା ଜଣାପଡ଼ିଛି ।

Ayushman Bharat