Advertisment

୭୬୫ଟି ଘରୋଇ ହସ୍ପିଟାଲରେ ମିଳୁଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା

ସ୍ୱାସ୍ଥ୍ୟ ସଚିବ ତଥା ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟି ଅଧ୍ୟକ୍ଷ ଶାଳିନୀ ପଣ୍ଡିତ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ଯେଭଳି ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ସୁବିଧା ମିଳିବ ତାହା ଦୈନିକ ତଦାରଖ କରିବାକୁ ନୋଡାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

author-image
Ordigital Desk
Biju Health Card

Biju Health Card

୭୬୫ଟି ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ରାଜ୍ୟ ସରକାରଙ୍କ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଶର ୧୬ଟି ରାଜ୍ୟର ୧୫୫ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ରାଜ୍ୟ ଭିତରର ୬୧୦ଟି ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛି । ଏହି କାର୍ଡ ମାଧ୍ୟମରେ ହିତାଧିକାରୀଙ୍କୁ ବର୍ଷକୁ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

Advertisment

ସ୍ୱାସ୍ଥ୍ୟ ସଚିବ ତଥା ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟି ଅଧ୍ୟକ୍ଷ ଶାଳିନୀ ପଣ୍ଡିତ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ଯେଭଳି ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ସୁବିଧା ମିଳିବ ତାହା ଦୈନିକ ତଦାରଖ କରିବାକୁ ନୋଡାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲଗୁଡ଼ିକ ଦ୍ୱାରା ଯେତିକି ଚିକିତ୍ସା ଖର୍ଚ୍ଚ ଦାବି ହେଉଛି ତାହା ବାସ୍ତବରେ ରୋଗୀଙ୍କୁ ଯୋଗାଇ ଦିଆଯାଇଛି ନା ନାହିଁ ତାହା ତଦାରଖ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହସ୍ପିଟାଲ ବିଲ୍ ପ୍ରଦାନ କରିବାକୁ କହିଛନ୍ତି ।

ଆଜି ଏହି ଯୋଜନାର ସମୀକ୍ଷାବେଳେ ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ହରିଆଣା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ଟି ରାଜ୍ୟରେ ଥିବା ୧୫୫ଟି ଘରୋଇ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲଗୁଡ଼ିକରେ ବିଜୁ କାର୍ଡଧାରୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁଛି ବୋଲି ଜଣାପଡ଼ିଛି । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମୋଟ ୬୧୦ଟି ହସ୍ପିଟାଲ ଏହି ଯୋଜନା ସହ ଅନୁବନ୍ଧିତ ରହିଛନ୍ତି ।

Advertisment

ଭୋଲୋରସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ କଲେଜ, ବାଙ୍ଗାଲୁରୁର ଶ୍ରୀଶଙ୍କର କ୍ୟାନସର ଫାଉଣ୍ଡେସନ, କୋଲକାତାର ଟାଟା ମେଡିକାଲ ସେଂଟର, ଭାଇଜାକର ହୋମିଭାବା କ୍ୟାନସର ହସ୍ପିଟାଲ, ମୁମ୍ବାଇର ଟାଟା ମୋମୋରିଆଲ , ବାରାଣାସୀର ଏଚବି କ୍ୟାନସର ହସ୍ପିଟାଲ ସମେତ ଫର୍ଟିସ ଗ୍ରୁପ ଅଫ ହସ୍ପିଟାଲର ବିଭିନ୍ନ ରାଜ୍ୟରେ ଥିବା ୨୪ଟି କେନ୍ଦ୍ର , ନାରାୟଣ ହୃଦୟାଳୟ ଗ୍ରୁପର ୭ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ଦେଶର ଅନ୍ୟ ପ୍ରମୁଖ ହସ୍ପିଟାଲକୁ ବିଏସକେୱାଇ ସହ ଅନୁବନ୍ଧିତ କରାଯାଇଛି । ରାୟପୁର, ସୁରଟରେ ଥିବା ବହୁ ପ୍ରମୁଖ ହସ୍ପିଟାଲଗୁଡ଼ିକ ମଧ୍ୟ ଏହି ଯୋଜନାରେ ଅନୁବନ୍ଧିତ ହୋଇଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରିତାର ତଦାରଖ ପାଇଁ ୫୪ଜଣ ଜିଲ୍ଲା ସଂଯୋଜକ ନିଯୁକ୍ତି ପାଇଛନ୍ତି । ଯେଉଁମାନେ ଅନୁବନ୍ଧିତ ହସ୍ପିଟାଲକୁ ଗସ୍ତ କରି ରୋଗୀକେନ୍ଦ୍ରିକ ସେବା ଉପରେ ନଜର ରଖୁଛନ୍ତି । ଏହାସହିତ ହସ୍ପିଟାଲଗୁଡ଼ିକରେ ସରକାର ୭୭୩ ଜଣ ସ୍ୱାସ୍ଥ୍ୟମିତ୍ରଙ୍କୁ ନିୟୋଜିତ କରିଛନ୍ତି। ଏହି ଅନୁବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକରେ କାର୍ଡଧାରୀ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସେବା,ଖର୍ଚ୍ଚ ଆଦିର ଦୈନିକ ତଦାରଖ ପାଇଁ ପ୍ରାୟ ୧୪୦ଜଣ ଅଭିଜ୍ଞ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Health Card