/odisha-reporter/media/post_attachments/uploadimage/library/16_9/16_9_0/IMAGE_1702803859.jpg)
Capital Hospital
ରାଜଧାନୀ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍ପିଟାଲରେ MRI/CT ସ୍କାନ ପାଇଁ କଠୋର ହେଲା ନିୟମ। ଏଣିକି MRI ଓ CT scan ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସ୍କ୍ରିପସନ୍। ବିନା ଅନୁସନ୍ଧାନରେ ଡାକ୍ତର ଲେଖିପାରିବେ ନାହିଁ MRI/ CT scan। ଏନେଇ ଜାରି ହୋଇଛି ଏସଓପି।
କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଘରୋଇ ସ୍ତରରେ MRI/CT ବ୍ୟୟ ବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଏହାକୁ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି। ଏମିତିକି ଏହାକୁ ନେଇ ଦଲାଲ ମାତିଥିବା ଜଣାପଡ଼ିଛି । ତେଣୁ କେବଳ କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା PGIMERର ଡାକ୍ତର ମାନେ MRI / CT ସ୍କାନ୍ ପାଇଁ ପରାମର୍ଶ ଦେଇପାରିବେ। MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସକ୍ରିପସନ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ। ଅନ୍ୟପଟେ ଡାକ୍ତରମାନେ ଉକ୍ତ ପରୀକ୍ଷା ପାଇଁ ନିଜ ବିଭାଗ ସହିତ ଜଡ଼ିତ MRI/ CT ସ୍କାନ ପାଇଁ ପରାମର୍ଶ ଦେବେ।
ସେହିପରି ଅନେକ ସମୟରେ ଦେଖାଯାଇଛି ଯେ ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଏମଆରଆଇ ଏବଂ ସିଟି ସ୍କାନ ରୁମରେ ପ୍ରବେଶ କରୁଛନ୍ତି। ନିଜ ଇଚ୍ଛା ଅନୁଯାୟୀ ଏମଆରଆଇ ଏବଂ ସିଟି ସ୍କାନ କରିବା ପାଇଁ ଟେକ୍ନିସିଆନଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କ ଉପରେ କଡ଼ା ନଜର ରଖାଯିବ। ଏମଆରଆଇ ଏବଂ ସିଟି ସ୍କାନ ପାଇଁ କୌଣସି ସନ୍ଦେହଜନକ ପରିସ୍ଥିତି ଦେଖାଦିଏ, ତେବେ ଉକ୍ତ ଡାକ୍ତର କିମ୍ବା କର୍ତ୍ତୃପକ୍ଷଙ୍କ ଯାଞ୍ଚ ପରେ MRI/CT ସ୍କାନ୍ କରାଯିବ। ଯଦି କୌଣସି ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତର ବିଶୃଙ୍ଖଳା କରନ୍ତି, ତା’ହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
