Advertisment

ହଟହଟା ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ; ଏସ୍‌ସିବିରେ ଘେରିଲେ ଠିକା କର୍ମଚାରୀ

ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୀ ରୋଗୀ ସେବା ପ୍ରଭାବିତ ହୋଇଛି। ସ୍ଥିତି ଅଣାୟତ ହେବା ପୂର୍ବରୁ ହସ୍ପିଟାଲର ପ୍ରଶାସନିକ ଅଧିକାରୀମାନେ ଠିକା କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଠିକା କର୍ମଚାରୀମାନେ ନିଜ ଜିଦ୍‌ ଅଟଳ ରହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
SCB

SCB

ହଟହଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ହୋଇଥିବା ବୈଠକରେ ଯୋଗଦେଇ ବାହାରୁଥିବା ବେଳେ ଘେରିଥିଲେ ଠିକା କର୍ମଚାରୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୫ରୁ ୨୦ ମିନିଟ୍‌ ଧରି ଠିକା କର୍ମଚାରୀମାନେ ଘେରି ରଖିଥିଲେ। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ବାହାର କରିଥିଲେ।

Advertisment

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଜେନେରାଲ ବଡ଼ି ବୈଠକ ବସିଥିଲା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇଥିଲେ। ବୈଠକ ପରେ ସ୍ୱସ୍ଥ୍ୟ ମନ୍ତ୍ରୀ ବାହାରକୁ ଆସିଥିଲେ। ଠିକ୍‌ ସେହି ସମୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଠିକା କର୍ମଚାରୀମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରିଥିଲେ। ତାଙ୍କ ଗାଡ଼ିକୁ ଆଗକୁ ଯିବା ପାଇଁ ଦେଇନଥିଲେ। ୧୫ରୁ ୨୦ ମିନିଟ୍‌ ଧରି କର୍ମଚାରୀମାନେ ମନ୍ତ୍ରୀଙ୍କୁ ଅଟକାଇ ରଖିଥିଲେ। ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପୁଲିସ୍‌ ଓ ସିକ୍ୟୁରିଟି ଗାର୍ଡମାନେ ସୁରକ୍ଷା ବଳୟ ଭିତରେ ମନ୍ତ୍ରୀଙ୍କୁ ବାହାର କରିଥିଲେ। ଏହା ପରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଧାରଣାରେ ବସିଥିଲେ।

ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ହସ୍ପିଟାଲର ପ୍ରଶାସନିକ ଅଧିକାରୀମାନେ ଠିକା କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଠିକା କର୍ମଚାରୀମାନେ ନିଜ ଜିଦ୍‌ ଅଟଳ ରହିଥିଲେ। କୌଣସି ମିଛ ପ୍ରତିଶ୍ରୁତିକୁ ଗ୍ରହଣ କରିନଥିଲେ। ନିୟମିତ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଠିକା କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

Advertisment

ଆନ୍ଦୋଳନ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ କହିଛନ୍ତି, ଆନ୍ଦୋଳନ ଯୋଗୁ ରୋଗୀମାନେ ହଇରାଣ ହେଉଛନ୍ତି। ସେଥିପାଇଁ ଆମକୁ ଦୁଃଖ ଲାଗୁଛି। ଆମେ ଚାହୁଁନୁ ରୋଗୀମାନେ ହଇରାଣ ହୁଅନ୍ତୁ। ତେବେ ଭାବନ୍ତୁ ସମଗ୍ର ଓଡ଼ିଶା ପାଇଁ ଗୋଟିଏ ନିୟମ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ଆଉ ଗୋଟିଏ ନିୟମ କେମିତି ହେଉଛି? ୩ ବର୍ଷ ଚାକିରି କରିଲା ପରେ ମଧ୍ୟ ନିୟମିତ ହୋଇପାରିଲୁ ନାହିଁ। ତେଣୁ ନ୍ୟାୟ ପାଇଁ ଧାରଣାରେ ବସିଛୁ ବୋଲି ଠିକା କର୍ମଚାରୀ ଜଣକ କହିଛନ୍ତି।

ସୂଚନାରୁ ପ୍ରକାଶ, ଗତବର୍ଷ ଅକ୍ଟୋବର ମାସରେ ପ୍ରାୟ ୫୭ ହଜାର ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ କରିଥିଲେ। ହେଲେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟରତ ୧୯୧ ଠିକା କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ନିୟମିତ କଲେନାହିଁ। ସେଥିରେ ନର୍ସ, ଫାର୍ମାସିଷ୍ଟ ଓ ପାରାମେଡ଼ିକାଲ୍‌ ଷ୍ଟାଫ୍‌ ଅଛନ୍ତି। ଦୀର୍ଘ ଦିନ ହେଲା ରୋଗୀଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ନିୟମିତ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

BjD Health Cuttack Scb Medical