ପ୍ରତିବର୍ଷ ଡିସେମ୍ବରରେ କାହିଁକି ଆସୁଛି କରୋନାର ନୂଆ ଭାରିଏଣ୍ଟ?

ବର୍ଷ ୨୦୧୯ ଡିସେମ୍ବର ମାସ। ସାରା ବିଶ୍ୱ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ମସଗୁଲ ଥିବାବେଳେ ଚୀନ୍‌ରେ ପ୍ରଥମେ କରୋନା ମାମଲା ସାମ୍ନାକୁ ଆସିଥିଲା। ଚଳିତ ବର୍ଷ ଡିସେମ୍ବର ମାସରେ କରୋନାର ନୂଆ ରୂପ ଜେଏନ୍‌.୧ ସାମ୍ନାକୁ ଆସିଛି।

Representational Image

  • Published: Monday, 25 December 2023
  • , Updated: 25 December 2023, 02:27 PM IST

ସାରା ବିଶ୍ୱରେ ପୁଣିଥରେ ନୂଆ ରୂପରେ ଫେରିଛି କରୋନା। କରୋନାର ସବ୍‌-ଭାରିଏଣ୍ଟ ଜେଏନ୍‌.୧ ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଛି। ଭାରତ ମଧ୍ୟ ଏଥିରୁ ବାଦ୍ ପଡିନି। ତେବେ ପ୍ରତି ବର୍ଷ ଡିସେମ୍ବର ମାସରେ ହିଁ କାହିଁକି କରୋନାର ନୂଆ ରୂପ ତଥା ଭାରିଏଣ୍ଟ ସାମ୍ନାକୁ ଆସୁଛି। ଏନେଇ ଏକ ରିପୋର୍ଟରୁ ଖୁଲାସା ହୋଇଛି।

ବର୍ଷ ୨୦୧୯ ଡିସେମ୍ବର ମାସ। ସାରା ବିଶ୍ୱ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ମସଗୁଲ ଥିବାବେଳେ ଚୀନ୍‌ରେ ପ୍ରଥମେ କରୋନା ମାମଲା ସାମ୍ନାକୁ ଆସିଥିଲା। ଦେଖୁ ଦେଖୁ ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। ତେବେ ଏହି ମହାମାରୀକୁ ଚାରି ବର୍ଷ ବିତିଗଲାଣି। ଏବେ କରୋନାର ପ୍ରକୋପ କମିଯାଇଛି ସତ କିନ୍ତୁ ଏହି ଭାଇରସ ଏବେବି ଆମ ଚାରିପଟେ ମହଜୁଦ ରହିଛି। ଏହା ଲଗାରତ ନିଜ ରୂପ ବଦଳାଇ ଚାଲିଛି।

ଚଳିତ ବର୍ଷ ଡିସେମ୍ବର ମାସରେ କରୋନାର ନୂଆ ରୂପ ଜେଏନ୍‌.୧ ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ସାରା ବିଶ୍ୱରେ ପୁଣି ହଇଚଇ ସୃଷ୍ଟି ହୋଇଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ଲୋକଙ୍କୁ ସତର୍କ କରାଇଛି। ଏହାକୁ ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ କ୍ୟାଟେଗୋରୀରେ ରଖାଯାଇଛି। ତେବେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା କମ୍‌ ବିପଦ ଯୁକ୍ତ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଡିସେମ୍ବର ୨୦୨୦ରେ କରୋନାର ତିନୋଟି ବଡ ନୂଆ ରୂପ ସାମ୍ନାକୁ ଆସିଥିଲା। ଆଲ୍ଫା, ବିଟା ଓ ଗାମା। ଏହାର ଠିକ୍‌ ଏକ ବର୍ଷ ପରେ ଡିସେମ୍ବର ୨୦୨୧ରେ ଓମିକ୍ରନ୍ ଭାରିଏଣ୍ଟ ଲୋକଙ୍କୁ ଘରେ ବନ୍ଦ ରହିବା ପାଇଁ ବାଧ୍ୟ କରିଦେଇଥିଲା। ତେବେ ୨୦୨୨ରେ କାରୋନାର କୌଣସି ନୂଆ ବଡ ଭାରିଏଣ୍ଟ ସାମ୍ନାକୁ ଆସିନଥିଲେ ମଧ୍ୟ ଏହାର ସବ୍‌-ଭାରିଏଣ୍ଟ BA.2 ଓ BA.5 ବିଭିନ୍ନ ଦେଶରେ ଚିହ୍ନଟ ହୋଇଥିଲା। ଏବେ ୨୦୨୩ରେ ଜେଏନ୍‌.୧ ଭାରିଏଣ୍ଟ ସାମ୍ନାକୁ ଆସିଛି, ଯାହା ଓମିକ୍ରନ୍‌ର ହିଁ ସବ୍‌-ଭାରିଏଣ୍ଟ ବୋଲି କୁହାଯାଉଛି।

ଜେଏନ୍‌.୧ କ'ଣ?

ଜେଏନ୍‌.୧ ହେଉଛି ଓମିକ୍ରନ୍‌ ବି.୨.୮୬ର ସବ୍‌-ଭାରିଏଣ୍ଟ। ଏଥିରେ ସ୍ପାଇକ୍‌ ପ୍ରୋଟିନ୍‌ରେ ଅତିରିକ୍ତ ପରିବର୍ତ୍ତନ ରହିଛି। ଡାକ୍ତରଙ୍କ କହିବାକୁ ମୁତାବକ, ଜେଏନ୍‌.୧ରେ ସଂକ୍ରମିତ ରୋଗୀଙ୍କ ଠାରେ ସାମାନ୍ୟ ଜ୍ୱର, ଗଳାରେ ଯନ୍ତ୍ରଣା କାଶ, ମୁଣ୍ଡା ବିନ୍ଧା ଆଦି ଲକ୍ଷଣ ଦେଖିବାକୁ ମିଳିଛୁ। ତେବେ ଦୁର୍ବଳ ଥିବା ଲୋକେ ଯେପରିକି ବୟସ୍କ, ମୋଟା ଓ ଶ୍ୱାସ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ମଧୁମେହ ଓ କ୍ୟାନ୍‌ସରରେ ପୀଡିତ ଲୋକଙ୍କ ପାଇଁ ଏହା ମାରାତ୍ମକ ହୋଇପାରେ।

ଡିସେମ୍ବରରେ ହିଁ କାହିଁକି ଆସୁଛି କରୋନାର ନୂଆ ରୂପ?

କରୋନାର ନୂଆ ରୂପ ଡିସେମ୍ବରରେ ଆସିବା ନେଇ ଅନେକ କାରଣ ଥାଇପାରେ। ଅଧ୍ୟୟନ ମୁତାବକ, ଅତ୍ୟଧିକ ଥଣ୍ଡା ଓ ଶୁଖିଲା ପାଗ କରୋନା ବ୍ୟାପିବାରେ ସହାଯ୍ୟ କରିଥାଏ। ଏଥିସହ ଡିସେମ୍ବର ମାସରେ ପର୍ଯ୍ୟଟନ ଓ ସାମାଜିକ ମିଳାମିଶା ବଢ଼େ। ଏଥିଯୋଗୁ ଭାଇରସ ଅତି ସହଜରେ ବ୍ୟାପିଥାଏ। ଗତବର୍ଷ ଚୀନ୍‌ରେ ଲୁନାର ନୂଆ ବର୍ଷ ଯୋଗୁ ସଂକ୍ରମଣ ବ୍ୟାପିଥିଲା। ଚଳିତ ବର୍ଷ ମଧ୍ୟ ଛୁଟି ପାଗରେ ଜେନ୍‌ଏନ୍‌.୧ ବ୍ୟାପିଛୁ। ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସତର୍କ ରହି ମାସ୍କ ପିନ୍ଧିବା, ଭିଡ ସ୍ଥାନକୁ ନଯିବା ଓ ଟିକା ନେବା ଦ୍ୱାରା ଭାଇରାସ ଠାରୁ ଦୂରେଇ ରହି ପାରିବା ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related story