ଡେଙ୍ଗୁ ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗର ଚିଠି

ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Representation image

  • Published: Tuesday, 09 July 2024
  • , Updated: 09 July 2024, 01:22 PM IST

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି। ଜିଲ୍ଲା ଓ ମହାନଗର ନିଗମସ୍ତରରେ ସବୁ ଅଂଶୀଦାରଙ୍କ ସହ ମିଶି ଯୁଗ୍ମ ଆକ୍ସନ୍ ପ୍ଲାନ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।

ସେହିପରି ଜନସଚେତନତା ସହ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ ଉପରେ ଗୁରୁତ୍ୱାରୋପ କରାଯାଇଛି। ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତରଖିବାକୁ କୁହାଯାଇଛି। ଏଥିସହ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ସାପ୍ତାହିକ ଡ୍ରାଏ ଡେ' ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।

Related story