Advertisment

ମନଇଚ୍ଛା ଆଣ୍ଟିବାୟୋଟିକ୍ ଲେଖିପାରିବେନି ଡାକ୍ତର, ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିବେ କାରଣ

ରୋଗର ଲକ୍ଷଣ, କାରଣ ଓ ଆଣ୍ଟିବାୟୋଟିକ୍ ପ୍ରୟୋଗର ଆବଶ୍ୟକତା କାହିଁକି ରହିଛି ତାହା ଲେଖିବେ ଡାକ୍ତର।

author-image
Jitendra Garnayak
ଅଦ୍ୟତନ ହୋଇଛି
Medicine

Medicine

ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ସ ଦେଲେ, ତା’ର କାରଣ ଦର୍ଶାଇବେ। କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)।

Advertisment

ରୋଗର ଲକ୍ଷଣ, କାରଣ ସହିତ ଆଣ୍ଟିବାୟୋଟିକ୍ସ ପ୍ରୟୋଗର ଆବଶ୍ୟକତା କାହିଁକି ରହିଛି, ତାହା ଲେଖିବେ ଡାକ୍ତର। ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସେହିପରି ରୋଗୀ ମଧ୍ୟ ଜାଣିବା ଦରକାର ସବୁ ରୋଗରେ ଆଣ୍ଟିବାୟୋଟିକ୍ସ ଦରକାର ନାହିଁ। ତେଣୁ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍‌ସ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ହୋଇଛି ଓ ଏଭଳି ପଦକ୍ଷେପ ନେଇଛି। 

Advertisment

ଡାକ୍ତର ସାମି ସଲିମ କହିଛନ୍ତି, ଏହା ଏକ ସୁନ୍ଦର ପଦକ୍ଷେପ। ଏହି ପଦକ୍ଷେପ ବହୁ ପୂର୍ବରୁ ନେବା କଥା। ତା’ର କାରଣ ହେଉଛି ଆମେ ଯେଉଁ ଆଣ୍ଟିବାୟୋଟିକ୍ସ ବ୍ୟବହାର କରୁଛନ୍ତି, ତା’ର ଏକ ସୀମା ରହିଛି। ୧୦୦-୨୦୦ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ନୂଆ ନୂଆ ଆଣ୍ଟିବାୟୋଟିକ୍ସ ସେତେ ମାତ୍ରାରେ ତିଆରି ହେଉ ନାହିଁ। ତେଣୁ ଯେତେବେଳେ ଆଣ୍ଟିବାୟୋଟିକ୍ସ ଦିଆଯାଉଛି, ଲୋକଙ୍କ ଦେହରେ ରେଜିଷ୍ଟାନ୍‌ସ ହେଉଛି। ରେଜିଷ୍ଟାନ୍‌ସ ହେଲା ପରେ ରୋଗୀ ଯେତେବେଳେ ଗୁରୁତର ଅବସ୍ଥାରେ ଆସୁଛି କୌଣସି ଅପରେସନ ହେବାକୁ ସେତେବେଳେ ଘା’ ଶୁଖେ ନାହିଁ। ଇନ୍‌ଫେକ୍ସନ ହୁଏ। ଏମିତିକି ସେପ୍‌ଟିସିମିଆ ହୋଇ ରୋଗୀର ମୃତ୍ୟୁ ହୋଇଯାଏ। ସାଧାରଣତଃ ଦେଖାଯାଏ, ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍‌ସରେ ରୋଗୀମାନଙ୍କର ସେପ୍‌ଟିସିମିଆ ହାର, ମୃତ୍ୟୁ ହାର ବହୁତ ଅଧିକ ରହୁଛି।

ସେ କହିଛନ୍ତି, ସାଧାରଣତଃ ଭାଇରାଲ ଇନ୍‌ଫେକ୍ସନ, ଥଣ୍ଡା, ଜ୍ୱର ଆଦି ହେଲେ ସମସ୍ତେ ଆଣ୍ଟିବାୟୋଟିକ୍ସ ଖାଆନ୍ତି। ଆଣ୍ଟିବାୟୋଟିକ୍ସ ଖାଇଲେ ଟିକେ ଜଲଦି ଦେହ ଭଲ ହୋଇଯାଏ। କୌଣସି ପ୍ରକାର ଜଟିଳତା ଦେଖାଯାଏ ନାହିଁ। କିନ୍ତୁ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ହେଉଛି। ଯେଉଁଠି ଦରକାର ନାହିଁ, ସେ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି। ବ୍ୟବସାୟିକ ଫାଇଦା ପାଇଁ ଆଣ୍ଟିବାୟୋଟିକ୍ସ ଲେଖିଦିଆଯାଏ। ସେହିପରି କ୍ୱାକ୍‌ମାନେ ରୋଗ କ’ଣ ଜାଣି ନାହାନ୍ତି, କିନ୍ତୁ ଆଣ୍ଟିବାୟୋଟିକ୍ସ ଲେଖି ଦିଅନ୍ତି। ତେଣୁ ଆବଶ୍ୟକ ସ୍ଥଳେ ପରବର୍ତ୍ତୀ ସମୟରେ ରୋଗୀଙ୍କୁ ଯେତେବେଳେ ଆଣ୍ଟିବାୟୋଟିକ୍ସ ଦିଆଯାଏ, ତାହା କାମ କରେ ନାହିଁ। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ଭଲ ପଦକ୍ଷେପ ନେଇଛନ୍ତି।

ତେବେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ଶତପ୍ରତିଶତ ସଫଳ ହେବା ଉପରେ ମଧ୍ୟ ଡାକ୍ତର ସାମି ସଲିମ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁ କମ୍ପାନୀଗୁଡ଼ିକ ଆଣ୍ଟିବାୟୋଟିକ୍ସ ତିଆରି କରୁଛନ୍ତି, ସେମାନେ ଚାହିଁବେ ସେଗୁଡ଼ିକର ବହୁତ ବିକ୍ରି ହେଉ। କୌଣସି କମ୍ପାନୀ ତା’ର ବିକ୍ରି ନହେଉ ବୋଲି ଚାହିଁବ ନାହିଁ। ସେମାନେ ଅଧିକରୁ ଅଧିକ ଆଣ୍ଟିବାୟୋଟିକ୍ସ ବିକ୍ରି କରିବା ପାଇଁ ଗାଁଗୁଡ଼ିକୁ ଟାର୍ଗେଟ କରନ୍ତି। ଗାଁରେ କ୍ୱାକ୍‌ମାନେ ଔଷଧ ଦେଉଛନ୍ତି, ଯେଉଁମାନେ କିଛି ଜାଣନ୍ତି ନାହିଁ। ଯେକୌଣସି ରୋଗୀ ଗଲେ ସେମାନେ ଯେକୌଣସି ଆଣ୍ଟିବାୟୋଟିକ୍ସ ଇଞ୍ଜେକ୍ସନ ଦେଇ ଦିଅନ୍ତି। କାରଣ ସେଥିରୁ ସେମାନେ ଅଧିକ ଲାଭ ପାଆନ୍ତି। ତେଣୁ ଏହାକୁ କେମିତି ରୋକା ଯିବ? ଯେଉଁ ପର୍ଯ୍ୟନ୍ତ ସପ୍ଲାଇ ଚେନ୍‌କୁ ରୋକା ନଯାଇଛି ଅର୍ଥାତ୍ ଯେଉଁମାନେ ଆଣ୍ଟିବାୟୋଟିକ୍ସ ତିଆରି କରି ବିକ୍ରି କରୁଛନ୍ତି, ସେମାନଙ୍କ ପାଇଁ କିଛି ଗାଇଡ୍‌ଲାଇନ୍ ଅଣାନଯାଏ, ସେତେ ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ (ଗାଁ ଗହଳିରେ) ଏହାକୁ ନିୟନ୍ତ୍ରଣ କରିବା କଠିନ ହୋଇଯିବ। 

Antibiotic Tablets DGHS