Advertisment

ଚାଲିଛି ଟିକାକରଣ, ଡିପ୍‌ଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜଣେ ଗୁରୁତର ଅଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Diphtheria

Diphtheria

ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମାଡ଼ିଥିବା ଡେପଥେରିଆକୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। ଏଥିସହ ସଂକ୍ରମଣର କାରଣ ଖୋଜିବାକୁ ମଧ୍ୟ ଚେଷ୍ଟା କରାଯାଉଛି। 

Advertisment

ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜଣେ ଗୁରୁତର ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଡିପ୍‌ଥେରିଆ ଚିହ୍ନଟ ହୋଇଛନ୍ତି।

ଧୀରେଧୀରେ ସଂକ୍ରମଣ ବ୍ୟାପୁଥିବାରୁ ଆଜିଠାରୁ ରାୟଗଡ଼ା କାଶୀପୁର ବ୍ଲକରେ ଆରମ୍ଭ ହୋଇଛି ଡିପଥେରିଆ ବୁଷ୍ଟର ଡୋଜ ଟିକାକରଣ। ମୁନୁଷପଦର ସମେତ ଅନ୍ୟ ୫ଟି ଗାଁରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଟିକାକରଣ କରୁଛି। ଆଦୌ ଡିପଥେରିଆ ଟିକା ନେଇ ନଥିବା ଶିଶୁଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବା ସହ ଅନ୍ୟ ବର୍ଗ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି।

Advertisment

ସନ୍ଧ୍ୟା ସୁଦ୍ଧା ଏସବୁ ଗାଁରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସଂପୂର୍ଣ୍ଣ କାଶୀପୁର ବ୍ଲକରେ ଏହି ବୁଷ୍ଟର ଡୋଜ ଟିକାକରଣ କରାଯିବ। ସ୍ଵତନ୍ତ୍ର ଟିମ ଜରିଆରେ ଟିକାକରଣ ତ୍ୱରାନ୍ୱିତ ପାଇଁ ଯୋଜନା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛି।

ଗୋଟିଏ ପଟେ ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁବା ଆରମ୍ଭ କରିଛି ସ୍ଵାସ୍ଥ୍ୟ ବିଭାଗ। ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ଯୋଗୁ ସଂକ୍ରମଣ ବ୍ୟାପିଲା, ତା’ର କାରଣ ଜାଣିବାକୁ ଉଦ୍ୟମ ହେଉଛି। ଏଥିପାଇଁ ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ଵାସ୍ଥ୍ୟ ବିଭାଗ।

ଆଣ୍ଟି ବଡି ବା ରୋଗ ପ୍ରତିରୋଧ ଶକ୍ତିର ପରୀକ୍ଷା ପାଇଁ ରୋଗୀଙ୍କ ନମୁନା ଲ୍ୟାବକୁ ପଠାଯାଇଥିବା ବେଳେ ଜିନମ୍ ସିକ୍ୱେନସିଂ ପାଇଁ ILS କିମ୍ବା ICMR କୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ସେ କହିଛନ୍ତି, ଏବେ ରାଜ୍ୟରେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି। ନୂଆ ମାମଲା ସାମ୍ନାକୁ ଆସିନି। ପୂର୍ବଦିନ ଭଳି ସେହି ୨୧ଟି ମାମଲା ରହିଛି।

ରାୟଗଡା ହସ୍ପିଟାଲରେ କେହି ରୋଗୀ ନାହାନ୍ତି। ସମସ୍ତେ ସୁସ୍ଥ ହୋଇ ଘରକୁ ଗଲେଣି। ଭବାନୀପାଟଣାରେ ଯେଉଁ ୫ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ କାଶୀପୁର ଯାଇଛନ୍ତି।

ଡାକ୍ତରଖାନାରେ ଭର୍ତ୍ତି ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡିପଥେରିଆ ରୋଗୀ। ବାକି ୨ ଜଣ ସାଧାରଣ ଥଣ୍ଡା ଜ୍ୱରରେ ପୀଡ଼ିତ। ସଂକ୍ରମିତ ଜିଲ୍ଲାର ଆଖପାଖ ଜିଲ୍ଲାରେ ମଧ୍ୟ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ବନ୍ଧୁଗାଁର ରୋଗୀ MKCG ମେଡିକାଲରେ ଭେଣ୍ଟିଲେଟରରେ ଅଛନ୍ତି। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

Odisha Vaccine Rayagada Kashipur Diphtheria Diphtheria Symptoms