ଚୀନ୍ ଭାଇରସ ଏଚଏମପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଭୟଭୀତ ହୁଅନ୍ତୁ ନାହିଁ । ଥଣ୍ଡାକାଶ ଥିଲେ ପରୀକ୍ଷା କରାଇ ନିଅନ୍ତୁ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ପରୀକ୍ଷା ପାଇଁ ପ୍ରସ୍ତୁତ ରଖାଯାଇଛି । ଆଜି ଏଭଳି କିଛି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଅନ୍ୟପକ୍ଷରେ ଏହି ଏଚଏମପିଭି ଭାଇରସ୍ ପୁରୁଣା, ଏହା ଏବେ ନୂଆ ରୂପରେ ଆସିଛି ଏବଂ କୋଭିଡଠାରୁ ଅଧିକ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା କହିଛନ୍ତି ।
ଦେଶର ୩ଟି ପ୍ରମୁଖ ସହର ବାଙ୍ଗାଲୁର,ଅହମ୍ମଦାବାଦ ଓ କୋଲକାତାରେ ଏଚଏମପିଭି ଭାଇରସ୍ ଚିହ୍ନଟ ହେବାପରେ ଓଡ଼ିଶାରେ ଏହାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । କର୍ଣ୍ଟାଟକର ବାଙ୍ଗାଲୁରୁରେ ଯେଉଁ ୨ଜଣ ପିଲାଙ୍କ ଦେହରେ ଏହି ଭାଇରସ୍ ଚିହ୍ନଟ ହୋଇଛି ସେଥିରେ ବିଦେଶ ପରିଭ୍ରମଣର ରିପୋର୍ଟ ନାହିଁ । ଏହି ଭାଇରସକୁ ନେଇ କିଛି ଡରିବାର ନାହିଁ । ଆମେ ପ୍ରସ୍ତୁତ ଅଛୁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା କରାଯାଇଛି । କେନ୍ଦ୍ରରୁ କେବଳ ପ୍ରେସ୍ ରିଲିଜ୍ ଆସିଛି । ୨୦୦୧ ମସିହାରୁ ଏହି ଭାଇରସ୍ ଅଛି । ଆମେ ଏନେଇ ସର୍ଭିଲାନ୍ସ ବଢ଼ାଇ ଦେଇଛୁ । ବେଶୀ କେସ୍ ହେଲେ ପଦକ୍ଷେପ ନିଆଯିବ । ପରୀକ୍ଷା କରାଯିବ । ଏବେ ପରୀକ୍ଷା ପାଇଁ ଏମସ୍ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି । ୬୫ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହା ଦେଖାଦିଏ । ସାଧାରଣ ଲୋକେ ସତର୍କ ରୁହନ୍ତୁ । ଥଣ୍ଡାକାଶ ହେଲେ ପରୀକ୍ଷା କରାଇ ନିଅନ୍ତୁ । ଯାହାକୁ ଥଣ୍ଡା ହୋଇଛି ତାଙ୍କ ସଂସ୍ପର୍ଶରେ କେହି ଆସନ୍ତୁ ନାହିଁ ବୋଲି ଡାକ୍ତର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ଅନ୍ୟପକ୍ଷରେ ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ । ଥଣ୍ଡା,କାଶ,କଫ, ଛାତି ଦରଜ, ନିଶ୍ୱାସ ନେବାରେ ସମସ୍ୟା ଅନୁଭୂତ ହେଲେ ଏହି ଭାଇରସର ପରୀକ୍ଷା କରାଇ ନେବା ଉଚିତ୍ । ବିଶେଷକରି ଏହି ଭାଇରସ୍ ସଂକ୍ରମିତ ହେଲେ ଶ୍ୱାସନଳୀରେ ସମସ୍ୟା ଦେଖାଦେଇଥାଏ । ଏହି ଭାଇରସ୍ ୨୦ବର୍ଷ ପୁରୁଣା । କିନ୍ତୁ ଏହା ଏବେ କିଭଳି ରୂପରେ ଆସିଛି ତାହା ଜଣାପଡ଼ିନି । କୋଭିଡରେ ମୃତ୍ୟୁ ହାର ୧୦ପ୍ରତିଶତ ମଧ୍ୟରେ ଥିବାବେଳେ ଏହି ରୋଗରେ ମୃତ୍ୟୁ ହାର ସଂକ୍ରମିତଙ୍କ ତୁଳନାରେ ଏକତୃତୀୟାଂଶ ରହୁଛି । ତେବେ ଏହି ଭାଇରସ୍ ମୁଖ୍ୟତଃ ପିଲାମାନଙ୍କୁ ସଂକ୍ରମିତ କରୁଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଆଉ ଦୁଇଦିନ ପରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ଭାଇରସକୁ ନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଗାଇଡଲାଇନ୍ ବା ଏସଓପି ଜାରି କରିନାହାନ୍ତି ।