Advertisment

ICU ପାଇଁ ଘର ହୋଇଛି, ଲେଖାଯାଇଛି ଡେଙ୍ଗୁ ୱାର୍ଡ

ମହାମାରୀ କରୋନା ବେଳେ ଆଇସିୟୁର ଆବଶ୍ୟକତା ଦେଖି ରାଜ୍ୟ ସରକାର ୨୦୨୧ ଶେଷ ଆଡ଼କୁ ଆଇସିୟୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଘର ନିର୍ମାଣ କରାଯାଇଥିଲା। ଆଇସିୟୁ ପାଇଁ ସମସ୍ତ ଯନ୍ତ୍ରପାତି ଆସିଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ।

author-image
Manoranjan Sial
Ganjam

Ganjam

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ICU। କୋଭିଡ୍‌ ମହାମାରୀ ସମୟରେ ଆବଶ୍ୟକତା ଦେଖି ICU ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ସେଥିପାଇଁ ଘର ନିର୍ମାଣ କରିଥିଲା। ହେଲେ ସେହି ଘର ସମ୍ମୁଖରେ ଲେଖାଯାଇଛି, ଡେଙ୍ଗୁ ୱାର୍ଡ। ସ୍ୱାସ୍ଥ୍ୟ ବିଭାଗର ଏପରି ବିକଳ ଚିତ୍ର ଆସିଛି ଗଞ୍ଜାମରୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ICU ବ୍ୟବସ୍ଥା ନଥିବାରୁ ରୋଗୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment

ବ୍ରହ୍ମପୁର ସହରରେ ରହିଛି ଗଞ୍ଜାମ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଲୋକଙ୍କ ଜାଣତରେ ଏହା ହେଉଛି ‘ସିଟି ହସ୍ପିଟାଲ’। ଗଞ୍ଜାମ ଜିଲ୍ଲାବାସୀ ଏହା ଉପରେ ନିର୍ଭର କରନ୍ତି। ପ୍ରତିଦିନ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ ଭଳି ଏଠାରେ ମଧ୍ୟ ହଜାର ହଜାର ରୋଗୀଙ୍କ ଗହଳି ଲାଗି ରହିଥାଏ। ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ବଡ଼ ବଡ଼ କୋଠା। ତା’ସହ ଆହୁରି ଚାଲିଛି ନବୀକରଣ କାର୍ଯ୍ୟ। କିନ୍ତୁ ଏତେ ବଡ଼ ମେଡିକାଲରେ ନାହିଁ ଆଇସିୟୁଟିଏ।

ମହାମାରୀ କରୋନା ବେଳେ ଆଇସିୟୁର ଆବଶ୍ୟକତା ଦେଖି ରାଜ୍ୟ ସରକାର ୨୦୨୧ ଶେଷ ଆଡ଼କୁ ଆଇସିୟୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଘର ନିର୍ମାଣ କରାଯାଇଥିଲା। ଆଇସିୟୁ ପାଇଁ ସମସ୍ତ ଯନ୍ତ୍ରପାତି ଆସିଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ରୋଗୀ ଆଇସିୟୁ ସେବା ନପାଇ ଏମ୍‌କେସିଜି କିମ୍ୱା ପ୍ରାଇଭେଟ୍‌ ମେଡ଼ିକାଲ୍‌ ଉପରେ ନିର୍ଭର କରୁଛନ୍ତି। ସେପଟେ ଆଇସିୟୁ ପାଇଁ ହୋଇଥିବା ଘର ସମ୍ମୁଖରେ ପଡ଼ିଛି ତାଲା। ଆଉ ଲେଖାଯାଇଛି ଡେଙ୍ଗୁ ୱାର୍ଡ଼।

Advertisment

ବ୍ରହ୍ମପୁର ସହରର ବସନ୍ତ ବେହେରା। ୭ ମାସ ତଳେ ତାଙ୍କ ମାଆଙ୍କୁ ଝାଡ଼ାବାନ୍ତି ହୋଇଥିଲା। ତେଣୁ ସେ ତାଙ୍କ ମାଆଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ସ୍ଥିତି ଗୁରୁତର ହେବାରୁ ତାଙ୍କୁ ବାଧ୍ୟ ହୋଇ ଆଇସିୟୁରେ ଭର୍ତ୍ତି କରିବା ପାଇଁ ଡାକ୍ତର କହିଥିଲେ। ସେତେବେଳେ ଆଇସିୟୁରେ ବେଡ୍‌ ଖାଲିନଥିଲା। ବହୁତ କଷ୍ଟରେ ବିଭିନ୍ନ ଲୋକଙ୍କ କୁହାକୁହି ପରେ ତାଙ୍କୁ ୮ଘଣ୍ଟା ବିଳମ୍ବରେ ଆଇସିୟୁ ମିଳିଥିଲା। ତେବେ ବିଳମ୍ୱରେ ମିଳିଥିବାରୁ ବାସନ୍ତ ତାଙ୍କ ମାଆଙ୍କୁ ହରାଇଥିଲେ।

କେବଳ ବସନ୍ତଙ୍କ ମାଆ ନୁହେଁ, ଆଇସିୟୁ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଉଥିବାର ନଜିର ରହିଛି। ଯଦି ସିଟି ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା ଥାଆନ୍ତା, ତାହାହେଲେ ଲୋକଙ୍କ ଜୀବନ ବଞ୍ଚିଯାଆନ୍ତା ବୋଲି କହିଛନ୍ତି ଜଣେ ରୋଗୀ ସଂପର୍କୀୟ। ଅନ୍ୟପକ୍ଷରେ କରୋନା ପରେ ହସ୍ପିଟାଲରେ ଆଇସିୟୁ ନେଇ ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ସମସ୍ତ ଯନ୍ତ୍ରପାତି ଆସିଥିଲା। ୬ଟି ବେଡ୍‌ ଖୋଲିବା ପାଇଁ ପ୍ରସ୍ତାବ ରହିଥିଲା। ସେଥିପାଇଁ ଜଣେ ଡାକ୍ତରଙ୍କୁ ତାଲିମ ଦିଆଯାଇଥିଲା। ଆହୁରି ୩ ସ୍ପେଶାଲିଷ୍ଟ ଡାକ୍ତର, ୭ଟି ନର୍ସ ସହ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ସିଡିଏମ୍ଓଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ କହିଥିଲା। ଖୁବ୍‌ଶୀଘ୍ର ନୂଆ ପଦବୀ ପୂରଣ ହେଲେ ଆଇସିୟୁ କାର୍ଯ୍ୟକ୍ଷମ ହେବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam