/odisha-reporter/media/post_attachments/uploadimage/library/16_9/16_9_0/Corona_1748853800.jpg)
Corona
ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଆ ଆରମ୍ଭ ହୋଇଛି। ସୋମବାର ସକାଳ ସୁଦ୍ଧା ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧ରେ ପହଞ୍ଚି ଯାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ ଜଣ ନୂଆ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସଂକ୍ରମଣ ବଢ଼ିଥିବା ବେଳେ ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନା ଜନିତି ମୃତ୍ୟୁ ସଂଖ୍ୟା ଚଳିତ ଲହରରେ ୪ରେ ପହଞ୍ଚି ଯାଇଛି। ସେହିପରି ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୩ ଛୁଇଁଛି।
ବର୍ତ୍ତମାନ ସୁଦ୍ଧା କେରଳ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୪୩୫ ଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ପଶ୍ଚିମବଙ୍ଗରେ ୩୩୯ ଓ ଗୁଜରାଟରେ ୩୩୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି।
ଦିଲ୍ଲୀ ବ୍ୟତୀତ ଗତ ୨୪ ଘଣ୍ଟାରେ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରରେ ମଧ୍ୟ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ପ୍ରାଣ ହରାଇ ୨୨ ବର୍ଷୀ ମହିଳା ଜଣଙ୍କ ପୂର୍ବରୁ ଫୁସଫୁସ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ। ତାମିଲନାଡୁରେ ଜଣେ ୨୫ ବର୍ଷୀୟ ଯୁବକ ଓ ମହାରାଷ୍ଟ୍ରରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା। କିନ୍ତୁ କେରଳରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବିସ୍ତୃତ ତଥ୍ୟ ଆସିନାହିଁ।
ସରକାରୀ ସୂତ୍ର ଅନୁଯାୟୀ, ଦେଶର କରୋନା ସ୍ଥିତି ଉପରେ ବରିଷ୍ଠ ଅଧିକାରୀମାନଙ୍କ ନଜର ରହିଛି। ସଂକ୍ରମଣ ଗୁରୁତର ସ୍ଥିତି ସୃଷ୍ଟି କରୁନାହିଁ। ଅଧିକାଂଶ ଲୋକ ଘରେ ସଙ୍ଗରୋଧରେ ରହି କରୋନାରୁ ସୁସ୍ଥ ହେଉଛି। ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ।
ଆଇସିଏମଆର ମହା ନିର୍ଦ୍ଦେଶକ ଡାକ୍ତର ରାଜୀବ ବାହଲ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନମୁନାର ଜେନୋମ ସିକ୍ୱନ୍ସିଂ କରାଯାଇଥିଲା। ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରାନର ସବ ଭାରିଏଣ୍ଟ ରହିଥିବା ପରୀକ୍ଷାର ସ୍ପଷ୍ଟ ହୋଇଛି। କିନ୍ତୁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁ ନଥିବା ସେ କହିଛନ୍ତି। ଓମିକ୍ରାନର ୪ଟି ସବ ଭାରିଏଣ୍ଟ- ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଓ ଏନବି.୧.୮.୧ ବର୍ତ୍ତମାନ ସୁଦ୍ଧା ଦେଶରୁ ଠାବ ହୋଇଛି। ଏହି ସବ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
