Advertisment

ILSକୁ ମିଳିଲା ବଡ଼ ସଫଳତା; ଚିହ୍ନଟ ହେଲା ସ୍ତନ କର୍କଟ ବଢ଼ାଉଥିବା ନୂଆ ମଲିକୁଲ୍‌

ILS ଭୁବନେଶ୍ୱରରେ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ସ୍ତନ କର୍କଟ ଉପରେ ଗବେଷଣା ଚଳାଇଥିବା ବରିଷ୍ଠ ବୈଜ୍ଞାନିକ ସନ୍ଦୀପ କେ. ମିଶ୍ରଙ୍କ ଅଧୀନରେ ରିସର୍ଚ୍ଚ କରୁଥିବା ମୋନାଲିସା ପରିଜା ପ୍ରଥମେ ଏହି ମଲିକୁଲକୁ ଚିହ୍ନଟ କରିଥିଲେ।

Breast cancer

Breast cancer

Advertisment

ଜୀବ ବିଜ୍ଞାନ ପ୍ରତିଷ୍ଠାନ (ILS) ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ଚିହ୍ନଟ ହୋଇଛି ସ୍ତନ କର୍କଟ ବଢ଼ାଉଥିବା ନୂଆ ମଲିକୁଲ୍‌ 'ଜି ପ୍ରୋଟିନ୍‌ କପଲଡ ରିସେପ୍ଟର 141' (GPR 141)। କୌଣସି ବ୍ୟକ୍ତିଙ୍କ ଶରୀରରେ GPR 141 ମାତ୍ରା ଅଧିକ ରହିଲେ, ତାହା ସ୍ତନ କର୍କଟକୁ ବଢ଼ାଉଥିବା ପ୍ରମାଣ ମିଳିଛି।

Advertisment

ILS ଭୁବନେଶ୍ୱରରେ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ସ୍ତନ କର୍କଟ ଉପରେ ଗବେଷଣା ଚଳାଇଥିବା ବରିଷ୍ଠ ବୈଜ୍ଞାନିକ ସନ୍ଦୀପ କେ. ମିଶ୍ରଙ୍କ ଅଧୀନରେ ରିସର୍ଚ୍ଚ କରୁଥିବା ମୋନାଲିସା ପରିଜା ପ୍ରଥମେ ଏହି ମଲିକୁଲକୁ ଚିହ୍ନଟ କରିଥିଲେ। ଏହାପରେ ଡକ୍ଟର ମିଶ୍ର ଲ୍ୟାବରେ ଟିସୁ କଲଚର ତଥା ମୂଷା ଶରୀରରେ ଏହାକୁ ପରୀକ୍ଷଣ କରି ପ୍ରମାଣିତ କରିଛନ୍ତି। ତେବେ ଆଶ୍ୱାସନାର ବିଷୟ ହେଉଛି, ଯଦି GPR 141କୁ କୌଣସି ମତେ ନିଷ୍କ୍ରିୟ କରାଯାଇପାରୁଛି। ତାହାହେଲେ ସ୍ତନ କର୍କଟ ଭଲ ହୋଇପାରୁଛି। ଏନେଇ ଲ୍ୟାବ ତଥା ମୂଷା ଶରୀରରେ ପରୀକ୍ଷଣ ପରେ ପ୍ରମାଣ ମିଳିଛି। ଏବେ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ GPR 141କୁ ନିଷ୍କ୍ରିୟ କରିପାରୁଥିବା ଇନ୍‌ହିବିଟର ଉପରେ ଗବେଷଣା ଜାରି ରଖିଛି ILS ଭୁବନେଶ୍ୱର। ଯଦି ଏହା ସଫଳ ହେବ, ତେବେ ସ୍ତନ କର୍କଟ ନେଇ ଔଷଧ ବାହାର କରିବାର ବାଟ ଫିଟିବ ବୋଲି କହିଛନ୍ତି ILS ଭୁବନେଶ୍ୱର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ କେ. ମିଶ୍ର ଓ ରିସର୍ଚ୍ଚ ଫେଲୋ ମୋନାଲିସା ପରିଜା।

ଏଣେ ୨୦୧୮ ମସିହାରେ ଡକ୍ଟର ମିଶ୍ର ସ୍ତନ କର୍କଟ ରୋଗ ଲାଗି ଆବିଷ୍କାର କରିଥିବା ୱାଣ୍ଡର ଡ୍ରଗ DZNEP-A (ଡିଜିନେପ୍-ଏ) ଇନହିବିଟର ବ୍ୟବହାର କରି ଔଷଧ ପ୍ରସ୍ତୁତି ଲାଗି ପ୍ରି-କ୍ଲିନିକାଲ ଟ୍ରାଏଲ ପାଇଁ ନିକଟରେ ILS ଭୁବନେଶ୍ୱରକୁ ମିଳିଛି ଆର୍ଥିକ ଅନୁଦାନ। ଏହାପରେ ପ୍ରି-କ୍ଲିନିକାଲ ଟ୍ରାଏଲ ଲାଗି ଏମ୍ସ ଭୁବନେଶ୍ୱର ଓ ଅନ୍ୟ କିଛି ସଂସ୍ଥା ସହବନ୍ଧିତ ହୋଇଛି ଜୀବ ବିଜ୍ଞାନ ପ୍ରତିଷ୍ଠାନ। ଯଦି ପ୍ରି-କ୍ଲିନିକାଲ ଟ୍ରାଏଲ ସଫଳ ହୁଏ, ଆଗାମୀ ୨ ବର୍ଷ ମଧ୍ୟରେ ସ୍ତନ କର୍କଟ ରୋଗ ଲାଗି ସଞ୍ଜୀବନୀ ନେଇ ବିଶ୍ୱକୁ ମିଳିବ ଖୁସି ଖବର।

Advertisment

ସୂଚନା ଅନୁସାରେ ଦେଶର ମୋଟ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ସ୍ତନ କର୍କଟରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏବେ ସମସ୍ତଙ୍କ ନଜର, ଡିଜିନେପ୍-ଏ ପ୍ରି-କ୍ଲିନିକାଲ ଟ୍ରାଏଲ ଉପରେ। କାରଣ ପ୍ରି-କ୍ଲିନିକାଲ ଟ୍ରାଏଲ ସଫଳ ହେଲେ ଆରମ୍ଭ ହେବ ମାନବ ଟ୍ରାଏଲ୍। ଆଉ ତା’ପରେ ବର୍ଷ ବର୍ଷ ଧରି ଚାଲିଥିବା ସ୍ତନ କର୍କଟ ଚିକିତ୍ସା ଗବେଷଣାରେ ଲେଖାହେବ ନୂଆ ଅଧ୍ୟାୟ।

ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ

Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe