/odisha-reporter/media/post_attachments/uploadimage/library/16_9/16_9_0/Corona_1747903149.jpg)
Corona
ପୁଣି ଥରେ ଡରେଇବା ଆରମ୍ଭ କଲାଣି ମହାମାରୀ କରୋନା। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ସଚିବ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ କେରଳରେ କରୋନା ସଂକ୍ରମଣ ଘାଇଁଘାଇଁ ହୋଇ ବଢ଼ିଚାଲିଛି। ଚଳତି ମାସରେ ଅର୍ଥାତ ମେ’ ୧ରୁ ୨୨ ମଧ୍ୟରେ କେରଳରୁ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ୁଥିବାରୁ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
କରୋନା ମୁକାବିଲା ପାଇଁ କେରଳର ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା କହିଛନ୍ତି ଯେ ହଂକଂ ଓ ସିଙ୍ଗାପୁର ଭଳି ସ୍ଥିତି ସୃଷ୍ଟି ହୋଇନାହିଁ। ସେଠାରେ ଓମିକ୍ରନ ଜେଏନ ୧ ସବ ଭାରିଏଣ୍ଟ୍ସ ଏଲଏଫ.୭ ଓ ଏନବି.୧.୮ ଚିହ୍ନଟ ହୋଇଛି। ଏହା ସଂକ୍ରମଣକୁ ଦ୍ରୁତ ଗତିରେ ବୃଦ୍ଧି କରିବାକୁ ସକ୍ଷମ।
ହେଲେ କେରଳରେ ସେମିତି ସ୍ଥିତି ନାହିଁ। ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକରେ ସଂକ୍ରମଣ ବଢ଼ୁଥିବା ଖବର ମିଳିଛି। କେରଳରେ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଯଦିଓ ଏହା ଚିନ୍ତାଜନକ ନୁହେଁ ଓ ସଂକ୍ରମଣ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁ ନାହିଁ, ତଥାପି ଆତ୍ମରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ମେ’ ୧ରୁ ୨୨ ମଧ୍ୟରେ କେରଳରେ ୧୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଟ୍ଟାୟମରେ ସର୍ବାଧିକ ୫୭ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏର୍ଣ୍ଣାକୁଲମରେ ୩୪ ଜଣ ଓ ଥିରୁଅନନ୍ତପୁରମରେ ୩୦ ଜଣଙ୍କ ଠାରେ କରୋନା ଭାଇରସ ଚିହ୍ନ କରାଯାଇଛି। ବାକି ମାମଲା ଅନ୍ୟାନ୍ୟ ଜିଲ୍ଲାରୁ ସାମ୍ନାକୁ ଆସିଛି।
ସରକାରଙ୍କ ପଦକ୍ଷେପ ଓ ପରାମର୍ଶ
ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କହିବା କଥା ଯେ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ରାପିଡ ରେସପନ୍ସ ଟିମ ବା ଆରଆରଟି ସହ ଗୋଟିଏ ସୀମକ୍ଷା ବୈଠକ କରାଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯେ ଲକ୍ଷଣ ଥିବା ଲୋକଙ୍କ କୋଭିଡ -୧୯ ପରୀକ୍ଷାକୁ ବୃଦ୍ଧି କରାଯିବ। ହସ୍ପିଟାଲ ଗୁଡ଼ିକୁ ଆବଶ୍ୟକ ପରିମାଣର ଆରଟିପିସିଆର କିଟ ରଖିବାକୁ କୁହାଯାଇଛି। ହସ୍ପିଟାଲରେ ମାସ୍କ ଏଣିକି ବାଧ୍ୟତାମୂଳକ। ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସବୁବେଳେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୀଣା କହିଛନ୍ତି।
ଲୋକଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ “ଥଣ୍ଡା, କାଶ, କଫ ଓ ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣ ଥିବା ଲୋକମାନେ ମାସ୍କ ପରିଧାନ କରନ୍ତୁ। ଯାତ୍ରା କରିବା ବେଳେ କିମ୍ବା ସର୍ବସାଧାଣ ସ୍ଥାନରେ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡ଼ିତ ଲୋକମାନେ ମାସ୍କ ପିନ୍ଧା ଭଲ। ଆବଶ୍ୟନ ନଥିଲେ କେହି ହସ୍ପିଟାଲ ଯାଆନ୍ତୁ ନାହିଁ। ହାତକୁ ଭଲ ଭାବେ ଧୁଅନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
