ଓଡ଼ିଶାରେ ମଙ୍କିପକ୍ସ ସଂକ୍ରମିତ ନାହାନ୍ତି, ସ୍ପଷ୍ଟ କଲେ ରାଜ୍ୟ ସରକାର

ମଙ୍କିପକ୍ସ ରୋଗକୁ ନେଇ ରାଜ୍ୟବାସୀ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

Representational Image

  • Published: Saturday, 21 September 2024
  • , Updated: 21 September 2024, 09:27 PM IST

ଓଡ଼ିଶାରେ କୌଣସି ବ୍ୟକ୍ତି ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିବା ସହ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଏହାକୁ ନେଇ ଭୟଭୀତ ନହେବା ମଧ୍ୟ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ସମ୍ଭାବ୍ୟ ମଙ୍କିପକ୍ସର ସଂକ୍ରମଣକୁ ନେଇ ଆଜି ମୁଖ୍ୟ ସଚିବ ମନୋଜ ଆହୁଜା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭୂତାଣୁଜନିତ ମଙ୍କିପକ୍ସ ରୋଗକୁ ନେଇ ରାଜ୍ୟବାସୀ କୌଣସି ଆଶଙ୍କା ନକରିବା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଓଡ଼ିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେବି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି । ମଙ୍କିପକ୍ସ ସଂକ୍ରମିତ ୧୪ଟି ଦେଶକୁ ଓଡ଼ିଶାରୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନଥିବା ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ବିମାନ ବନ୍ଦର ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସଚେତନ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ବୈଠକରେ ସ୍ୱାସ୍ଥ୍ୟ ସଚିବ ଏସ୍ .ଅଶ୍ୱତୀ ସୂଚନା ଦେଇ କହିଥିଲେ ଯେ, ଭାରତରେ ୩ଜଣଙ୍କ ମଧ୍ୟରୁ କେରଳ ଓ ଦିଲ୍ଲୀରେ ଜଣେ ଲେଖାଁଏ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ରୋଗକୁ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକସ୍ତରରେ ଏକ ଜରୁରୀକାଳୀନ ଓ ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ଯୋଗୁ ଭାରତ ସରକାର ମଧ୍ୟ ସମସ୍ତ ରାଜ୍ୟକୁ ଏନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ଓଡ଼ିଶାରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ସମସ୍ତ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ଜାରି କରାଯାଇ ଆବଶ୍ୟକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ଏମସଠାରେ ଲ୍ୟାବ ଟେଷ୍ଟିଂ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ଏବଂ ପାରାଦୀପ,ଗୋପାଳପୁର ଓ ଧାମରା ବନ୍ଦରଠାରେ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ,ଗୋପାଳପୁର,ଧାମରା ବନ୍ଦରର କର୍ତ୍ତୃପକ୍ଷମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ମଙ୍କିପକ୍ସ ହେଉଛି ପଶୁଠାରୁ ସଂକ୍ରମିତ ହେଉଥିବା ରୋଗ । ଏହା ପଶୁଠାରୁ ମଣିଷକୁ ଓ ମଣିଷଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ ।

Related story