Advertisment

ମାରି ଦେଉଛି ରହସ୍ୟମୟ ରୋଗ

ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି।

author-image
Hemant Lenka
ଅଦ୍ୟତନ ହୋଇଛି
Jammu

Jammu

ଆତଙ୍କ ଖେଳାଇବାରେ ଲାଗିଛି ରହସ୍ୟମୟ ରୋଗ। ନେଲାଣି ୧୭ ଜଣଙ୍କ ଜୀବନ। ଏତେ ଲୋକ ପ୍ରାଣ ହରାଇଥିଲେ ହେଁ ରୋଗ ସମ୍ପର୍କରେ ଟେର ପାଉନାହାନ୍ତି ଡାକ୍ତର କିମ୍ବା ପ୍ରଶାସନ। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବଧାଲ ନାମକ ଗାଁରେ ରହସ୍ୟମୟ ରୋଗ କୋକୁଆ ଭୟ ସୃଷ୍ଟି କରିଛି। ଗାଁରେ ୧୭ ଜଣ ପ୍ରାଣ ହରାଇ ସାରିଥିଲେ ହେଁ ଏହାର କାରଣ ସମ୍ପର୍କରେ ଏଯାଏ ଜଣାପଡ଼ିନି।

Advertisment

ରହସ୍ୟମୟ ରୋଗ ସମ୍ପର୍କରେ ପ୍ରଥମେ ଗତବର୍ଷ ଡିସେମ୍ବର ୭ରେ ସୂଚନା ମିଳିଥିଲା। ଡିସେମ୍ବର ୭ରେ ବିନା କାରଣରେ ବଧାଲ ଗାଁରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଆଉ ୧୨ ଜଣ ଅଜଣା ରୋଗରେ ଆଖି ବୁଜିଛନ୍ତି। ଏହି ଅଜଣା ରୋଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗାଁର ମହମ୍ମଦ ଅସଲାମ। ସେ ନିଜର ବାପା ମା’ଙ୍କ ସମେତ ନିଜର ସମସ୍ତ ୬ ପିଲାଙ୍କୁ ହରାଇଛନ୍ତି।

ରହସ୍ୟମୟ ରୋଗ ଦିନକୁ ଦିନ ଭୟଙ୍କର ସ୍ଥିତି ସୃଷ୍ଟି କରୁଥିବାରୁ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ମୃତ୍ୟୁର କାରଣ ଖୋଜିବ। କମିଟିର ସଦସ୍ୟମାନେ ରବିବାର ଠାରୁ ରଜୌରୀରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ଜସ୍ମିନ ନାମକ ଜଣେ ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଏସଏମଜିଏସ୍‌ ହସ୍ପିଟାଲରେ ଆଖି ବୁଜିଛନ୍ତି। ଅସୁସ୍ଥତା କାରଣରୁ ସେ ବେଶ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ରବିବାର ସେ ପରପାରିକୁ ଚାଲି ଯାଇଛନ୍ତି।

Advertisment

କମିଟିର ସଦସ୍ୟମାନେ ରଜୌରୀର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନେ ଗାଁରେ ସୃଷ୍ଟି ହୋଇଥିବା ସଙ୍କଟ ସମ୍ପର୍କରେ ସେମାନଙ୍କୁ ଜଣାଇଛନ୍ତି। ସୋମବାର କମିଟି ପ୍ରଭାବିତ ବଧାଲ ଗାଁକୁ ଯାଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେବଳ କେନ୍ଦ୍ର ଗଠନ କରିଥିବା କମିଟି ଯେ ରହସ୍ୟମୟ ମୃତ୍ୟୁର ତଦନ୍ତ କରୁନାହିଁ, ବରଂ ଜମ୍ମୁ-କଶ୍ମୀର ପୁଲିସ୍‌ର ଏସଆଇଟି ମଧ୍ୟ ଘଟଣାର ଯାଞ୍ଚ କରୁଛି। ଏସଆଇଟି ଅପରାଧିକ ଷଡ଼ଯନ୍ତ୍ରର ଯାଞ୍ଚ କରୁଥିବା ବେଳେ ସନ୍ଧିଗ୍ଧ ମାନଙ୍କୁ ଜେରା କରୁଛି ଓ ସେମାନଙ୍କ ମୋବାଇଲକୁ ଯାଞ୍ଚ କରିଛି। କିନ୍ତୁ ଏଯାଏ ହୋଇଥିବା ତଦନ୍ତରୁ କୌଣସି ପ୍ରକାରର ଲିଡ୍‌ ମିଳିପାରି ନାହିଁ।

ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, “ଜମ୍ମୁ-କଶ୍ମୀର ପ୍ରଶାସନର ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗଗୁଡ଼ିକ ଏହି ମାମଲାର ତଦନ୍ତ କରୁଛନ୍ତି। କିନ୍ତୁ ରହସ୍ୟମୟ ରୋଗ/ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି। ସ୍ୱରାଷ୍ଟ୍ର ମନ୍ତ୍ରୀ ଗଠନ କରିଥିବା ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ରଜୌରୀରେ ପହଞ୍ଚିଛନ୍ତି। ମୋର ଆଶା ମୃତ୍ୟୁର କାରଣ ଖୁବଶୀଘ୍ର ଜଣାପଡ଼ିଯିବ। ପୁଲିସ୍‌ ମଧ୍ୟ ଏହି ମୃତ୍ୟୁ ପଛରେ ଥିବା ଅଲଗା ଦିଗର ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରିଛି।”

ଜମ୍ମୁ-କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଶନିବାର ବିଧାଲ ଗାଁକୁ ଯାଇ ଅଜଣା ରୋଗରେ ପ୍ରଭାବିତ ଲୋକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ମୃତ୍ୟୁର କାରଣ ଜାଣିବା ପାଇଁ ସରକାର କୌଣସି ପ୍ରକାରର ଅବହେଳା କରିବେ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିବା ବାୱଲି ନାମକ ଝରଣାକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ଝରଣା ପାଣିର ନମୁନାରୁ ବିଷାକ୍ତ କୀଟନାଶକ ମିଳିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବଧାଲ ଗାଁର ଝରଣା ବାୱଲିରୁ ନିଆଯାଇଥିବା ନମୁନାରୁ ବିଷାକ୍ତ କୀଟନାଶକ ମିଳିଛି। ଏଥିପାଇଁ ବାୱଲିକୁ ରଜୌରୀ ପିଏଚଇ(ଜଲ ଶକ୍ତି) ଡିଭିଜନ ପକ୍ଷରୁ ବନ୍ଦ କରାଯାଇଛି।

ମାଜିଷ୍ଟ୍ରେଟ ଏହାକୁ ସିଲ କରିଛନ୍ତି। ଗାଁରେ ରହୁଥିବା ଆଦିବାସୀ ସଂପ୍ରଦାୟର ଲୋକ ଏହି ଝରଣା ପାଣିକୁ ସଂଗ୍ରହଣ କରିବାର ଆଶଙ୍କା ରହିଛି। ତେଣୁ ଏହାକୁ ସିଲ କରାଯାଇଛି। ଏଥିସହ ସମସ୍ତଙ୍କୁ ଏହାର ବ୍ୟବହାର କରିବାକୁ ବାରଣ କରାଯାଇଛି।

ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପିଜିଆଇ ଚଣ୍ଡିଗଡ଼, ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ରଜୌରୀରେ ପ୍ରଭାବିତ ଗାଁକୁ ଆସିବା ସହ ବିଭିନ୍ନ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି ନେଇଥିଲେ। ବିଭିନ୍ନ ପରୀକ୍ଷା ଓ ଗବେଷଣାରୁ ବିଶେଷଜ୍ଞମାନେ କିଛି ନ୍ୟୁରୋଟକ୍ସିନ ପୀଡ଼ିତଙ୍କ ଶରୀରରୁ ପାଇଛନ୍ତି। କିନ୍ତୁ କୌଣସି ଭାଇରାଲ କିମ୍ବା ବ୍ୟାକ୍ଟେରିଆଲ ସଂକ୍ରମଣ ଠାବ ହୋଇପାରିନି।

ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି। କିନ୍ତୁ ପ୍ରକୃତିରେ ଏହା କାହିଁକି ହେଉଛି, ସେକଥା ଏଯାଏ କେହି ଜାଣି ପାରୁ ନାହାନ୍ତି।

Jammu Kashmir Viral Disease Mysterious Illness