Advertisment

ପୁଣି ଡରାଇଲାଣି କରୋନା: ନୂଆ ଭାରିଏଣ୍ଟ ‘ଇରିସ’ ବ୍ୟାପୁଛି

ପ୍ରତି ୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ନମୁନାରୁ EG.5.1 ଠାବ ହେଉଛି। ମୋଟ କରୋନା କେସ୍‌ ମଧ୍ୟରୁ ଏହାର ଭାଗ ୧୪.୬% ରହିଛି।

author-image
Hemant Lenka
Corona

Corona

ପୁଣିଥରେ ଖବରକୁ ଫେରିଛି ମହାମାରୀ କରୋନା। ଏହାର ନୂଆ ଭାରିଏଣ୍ଟ EG.5.1 ଏବେ ବ୍ରିଟେନରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଓମିକ୍ରନ ପ୍ରଜାତିର ଏହି ଭାରିଏଣ୍ଟ ଦ୍ରୁତ ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚୁ ଥିବାରୁ ବ୍ରିଟେନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଚିନ୍ତା ବଢ଼ି ଯାଇଛି। ଭାରିଏଣ୍ଟ EG.5.1ର ପରିଚିତ ନାଁ ହେଲା ଇରିସ। ଗତ ମାସରେ ଏହାକୁ ପ୍ରଥମେ ବ୍ରିଟେନରେ ଠାବ କରାଯାଇଥିଲା। ଏବେ ଏହା ପୂରା ଦେଶରେ ବ୍ୟାପି ସାରିଲାଣି।

Advertisment

ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA) କହିଛି, ପ୍ରତି ୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ନମୁନାରୁ EG.5.1 ଠାବ ହେଉଛି। ମୋଟ କରୋନା କେସ୍‌ ମଧ୍ୟରୁ ଏହାର ଭାଗ ୧୪.୬% ରହିଛି। ପୂର୍ବାପେକ୍ଷା ଚଳିତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

୪,୩୯୬ ଜଣ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫.୪% ଲୋକଙ୍କ ଶରୀରରୁ କରୋନା ମିଳିଛି। ଗତ ସପ୍ତାହରେ ଏହା ୩.୭% ରହିଥିଲା। ଜୁଲାଇ ୩୧ରେ ପ୍ରଥମେ ଇରିସକୁ ଠାବ କରାଯାଇଥିଲା। ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବ୍ରିଟେନ ସରକାର ଜୁଲାଇ ୩ରୁ ସ୍କାନିଂ ଆରମ୍ଭ କରିଥିଲେ।

Advertisment

ବିଶେଷ କରି ଏସିଆରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିଲା। ଏହାପରେ ଜୁଲାଇ ୩୧ରେ ପ୍ରଥମ ଇରିସ କେସ୍‌ ଠାବ କରାଯାଇଥିଲା। ଏବେ ଧୀରେଧୀରେ ଇରିସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଏବେ ହସ୍ପିଟାଲରେ ଅଧିକ ସଂଖ୍ୟକ ଲୋକ ଭର୍ତ୍ତି ହେଉଛନ୍ତି।

ଏମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ତଥାପି ଆଡମିସନ ସଂଖ୍ୟା ଅପେକ୍ଷାକୃତ କମ ରହିଛି। ସେହିପରି ଆଇସିୟୁର ଆବଶ୍ୟକତା ମଧ୍ୟ ପଡ଼ିନି। କିନ୍ତୁ ସ୍ୱାସ୍ଥ୍ୟାଧିକାରୀମାନେ ପୂରା ସ୍ଥିତି ଉପରେ ନଜର ରଖିଥିବା ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି କହିଛି।

ଦୁଇ ସପ୍ତାହ ତଳେ ଭାରିଏଣ୍ଟ EG.5.1କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟ୍ରାକ କରିବା ଆରମ୍ଭ କରିଥିଲା। ଏହି ସମୟରେ ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଥିଲେ ଯେ ଟିକା ଆମକୁ ଭାଇରସରୁ ଭଲ ସୁରକ୍ଷା ଦେଇଛି। କିନ୍ତୁ ଦେଶଗୁଡ଼ିକ କରୋନା ବିରୋଧରେ ନିଜର ସୁରକ୍ଷା କବଚକୁ ଆଦୌ ଢିଲା କରନ୍ତୁ ନାହିଁ। ଏବେ ସତକୁ ସତ ଇରିସ ବ୍ରିଟେନରେ ସଂକ୍ରମିତ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି।

New Coronavirus Strain Coronavirus Britain