Advertisment

ଆଗକୁ ଆସୁଛି ଆଉ ଏକ ମହାମାରୀ! ଯାଇପାରେ ୫ କୋଟି ଜୀବନ!

ବୈଜ୍ଞାନିକଙ୍କ ଚେତାବନୀ। ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ତୁଳନାରେ ହୋଇପାରେ ସାତଗୁଣରୁ ଅଧିକ ମାରାତ୍ମକ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ। ଏହି ଅଜଣା ରୋଗକୁ ସେମାନେ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।

Advertisment

ରିପୋର୍ଟ ମୁତାବକ, ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବା ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ପାଣ୍ଡାମିକରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସମ୍ଭାବ୍ୟ ମହାମାରୀକୁ "ଡିଜିଜ୍ X" ବୋଲି କହିବା ସହ ଏହା ପାଣ୍ଡାମିକ ସ୍ଥିତିରେ ଥିବା କହିଛି।

WHO ତଥ୍ୟ ଅନୁଯାୟୀ, ୨୦୧୯ରେ ସୃଷ୍ଟି ହୋଇଥିବା କୋଭିଡ-୧୯ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। "ଡିଜିଜ୍ X" COVID-19 ତୁଳନାରେ ସାତଗୁଣରୁ ଅଧିକ ମାରାତ୍ମକ ହୋଇପାରେ ବୋଲି ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପରବର୍ତ୍ତୀ ମହାମାରୀ ଏକ ବିଦ୍ୟମାନ ଭୂତାଣୁରୁ ଆସିପାରେ। ଅର୍ଥାତ୍ ବର୍ତ୍ତମାନ ସମୟରେ ଥିବା କିଛି ଭୂତାଣୁରୁ ସୃଷ୍ଟି ହୋଇପାରେ ଏହି ଏକ୍ସ ମହାମାରୀ।

Advertisment

୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ପାଣ୍ଡାମିକରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି। 

ଡେଲି ମେଲକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏପରି ମହାମାରୀ ସମସ୍ତଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଅନ୍ତି ନାହିଁ। କିନ୍ତୁ ଏଥିରେ ନିଶ୍ଚିତ ରୂପେ ଅନେକଙ୍କର କ୍ଷତି ଘଟେ। ବୈଜ୍ଞାନିକମାନେ ୨୫ଟି ଭୂତାଣୁ ଫ୍ୟାମିଲି(ପରିବାର) ଉପରେ ନଜର ରଖିଛନ୍ତି, ପ୍ରତ୍ୟେକରେ ହଜାରେରୁ ଅଧିକ ବ୍ୟକ୍ତିଗତ ଭୂତାଣୁ ଅଛନ୍ତି, ଯାହା ମଧ୍ୟରୁ କୌଣସି ଭୟଙ୍କର ମହାମାରୀର ରୂପ ନେଇପାରନ୍ତି। ଏହି ନୀରିକ୍ଷଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଥିବା ଭୂତାଣୁ ଉପରେ କରାଯାଏ ନାହିଁ ବୋଲି ସେ କହିଛନ୍ତି।

ଡେମ କେଟ୍ କହିଛନ୍ତି, "କୋଭିଡରେ ଅନେକ ଲୋକ ସୁସ୍ଥ ହୋଇଥିଲେ। କିନ୍ତୁ ଡିଜିଜ୍ X ମିଳିମିଳା ଭଳି ସଂକ୍ରାମକ ଏବଂ ଇବୋଲା ଭଳି ୬୭% ମୃତ୍ୟୁହାର କରାଇପାରେ। ବିଶ୍ୱର କୌଣସି ସ୍ଥାନରେ ଏହା ଶୀଘ୍ର କିମ୍ବା ବିଳମ୍ବରେ ଆସିପାରେ, ଧୀରେ ଧୀରେ ଏଥିରେ ଲୋକେ ଅସୁସ୍ଥ ଅନୁଭବ କରିବେ।

ସେପଟେ, ବ୍ରିଟେନର ବୈଜ୍ଞାନିକମାନେ ଏହି ଅଜ୍ଞାତ 'ଡିଜିଜ୍ X' କୁ ଟାର୍ଗେଟ କରି ଟିକା ବିକାଶ ପ୍ରୟାସ ଆରମ୍ଭ କରିସାରିଛନ୍ତି। ୱିଲଟସାୟାରର ଉଚ୍ଚ-ସୁରକ୍ଷା ପୋର୍ଟନ୍ ଡାଉନ୍ ଲାବୋରେଟୋରୀ କମ୍ପ୍ଲେକ୍ସରେ କରାଯାଇଥିବା ଏହି ଅନୁସନ୍ଧାନରେ ୨୦୦ରୁ ଅଧିକ ବୈଜ୍ଞାନିକ ସାମିଲ ହୋଇଛନ୍ତି। ସେମାନେ ପଶୁ ଭୂତାଣୁ ସହ ମଣିଷକୁ ସଂକ୍ରମିତ କରୁଥିବା ଏବଂ ଦ୍ରୁତଗତିରେ ବ୍ୟାପୁଥିବା ଭୂତାଣୁ ଉପରେ ଅନୁଧ୍ୟାନ କରିଛନ୍ତି। ଅନୁସନ୍ଧାନରେ ଥିବା ପାଥୋଜେନ ମଧ୍ୟରେ ବାର୍ଡ ଫ୍ଲୁ, ମଙ୍କିପକ୍ସ ଏବଂ ହାଣ୍ଟାଭାଇରସ୍ ଅଛି, ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୁଏ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA)ର ମୁଖ୍ୟ ପ୍ରଫେସର ଡେମ ଜେନି ହ୍ୟାରି କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟାରେ ପରିବର୍ତ୍ତନ ଭଳି କାରଣ ଭବିଷ୍ୟତରେ ମହାମାରୀ ହେବାର ସମ୍ଭାବନା ବଢାଉଛି। ତେଣୁ ଆଗୁଆ ପଦକ୍ଷେପଗୁଡିକ ଉପରେ ଦୃଷ୍ଟି ଦିଆଯିବା ଜରୁରୀ।