୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

Representational image

  • Published: Wednesday, 20 November 2024
  • , Updated: 20 November 2024, 09:48 PM IST

ରୋଗୀଙ୍କ ସୁବିଧା ପାଇଁ ରାଜ୍ୟର ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋର ୨୪ଘଣ୍ଟା ଖୋଲା ରହିବ। ଏହି ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରାମୟ ମେଡିସିନ୍ ଷ୍ଟୋରରେ ପର୍ଯାପ୍ତ ପରିମାଣର ଆବଶ୍ୟକୀୟ ଔଷଧ ଗଚ୍ଛିତ ରହୁଛି କି ନାହିଁ। ଏସବୁ ପାଇଁ ସ୍କ୍ୱାର୍ଡ ଗଠନ କରାଯାଇଛି ଓ ସେମାନେ ଏହା ତଦାରଖ କରିବେ। ରାଜ୍ୟ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମର ସମୀକ୍ଷାବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ଓଡ଼ିଶା ଔଷଧ ନିଗମର ସମୀକ୍ଷାବେଳେ ମନ୍ତ୍ରୀ ଶ୍ରୀ ମହାପାତ୍ର ରୋଗୀଙ୍କୁ ସମସ୍ତ ନିରାମୟ କେନ୍ଦ୍ରରେ ୨୪ଘଣ୍ଟିଆ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ଠିକ୍ ସମୟରେ ଅତ୍ୟାବଶ୍ୟକ ଔଷଧ ଓ ମେଡିକାଲ ଉପକରଣ ଯୋଗାଇବାକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ ତାଗିଦ୍ କରିଛନ୍ତି। ନିରାମୟ ମେଡିସିନ୍ ଷ୍ଟୋରଗୁଡ଼ିକ ୨୪ଘଣ୍ଟା ଖୋଲା ରହୁଛି କି ନାହିଁ ତାହା ତଦାରଖ କରିବାକୁ ସ୍କ୍ୱାର୍ଡ ଗଠନ କରାଯାଇଛି। ଏହି ନିର୍ଦ୍ଦେଶର ଉଲ୍ଲଘଂନ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରାମୟ କେନ୍ଦ୍ରଗୁଡ଼ିକୁ ଠିକ୍ ସମୟରେ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ପହଂଚୁଛି କି ନାହିଁ ତାହା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ପୁମା ଟୁଡ଼ୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story