Advertisment

ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ହେଲେ କୋଭିଡ୍ କେସ୍ ଆସିନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି।

author-image
Biswajit Samal
Dr. Niranjan Mishra.

Dr. Niranjan Mishra.

ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି। ୫ଟି ରାଜ୍ୟରୁ ୯୮% ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮ ପ୍ରତିଶତ କେବଳ କେରଳରୁ। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି। କିନ୍ତୁ ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ। ଅର୍ଥାତ୍ ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ସେ କହିଛନ୍ତି, ନୂଆକେସ ଆସିନଥିଲେ ବି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି। କେସ ବଢିବାର ସମ୍ଭାବନା ରହିଛି। ଏଣୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ ଓ ଫିଭର୍ କ୍ଲିନିକ୍ ଚଲାଇବାକୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି। କୋଭିଡ୍ କେସ ଯଦି ବଢେ ତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ଠାରୁ କରି ରଖିବେ। ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍ , ଇକୋ ସିଷ୍ଟମ ସହ ଯାହା ଆବଶ୍ୟକ ଜିନିଷ ରଖିବେ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ଲୋକଙ୍କୁ ନିବେଦନ ରହିବ କୋଭିଡ ନିୟମ ଅନୁପାଳନ କରିବାକୁ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ବୟସ୍କ ଓ ଜଟିଳ ରୋଗରେ ଆକ୍ରାନ୍ତ ଲୋକ ମାନେ ମାସ୍କ ବ୍ୟବହାର କରନ୍ତୁ ବୋଲି ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ସାରା ଦେଶରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ କେରଳରୁ ୩୦୦ ଜଣ ଅଛନ୍ତି।

COVID-19 Covid Hospital