ରାଜ୍ୟରେ ଅଂଶୁଘାତ ମୃତ୍ୟୁ: ସରକାର କହିଲେ ୩୦ଜଣ, ବେସରକାରୀରେ ୧୪୭ଜଣ

ଗତ ୨୪ଘଣ୍ଟା ମଧ୍ୟରେ ୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ଜିଲ୍ଲାପାଳମାନଙ୍କୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି ।

representation image

  • Published: Monday, 03 June 2024
  • , Updated: 03 June 2024, 09:41 PM IST

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜିସୁଦ୍ଧା ମୋଟ ୧୪୭ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାର ବେସରକାରୀ ଭାବେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଆଜି ସୁଦ୍ଧା ମାତ୍ର ୩୦ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ୱୀକାର କରିଛନ୍ତି ।

ଷ୍ଟେଟ୍ ଏମର୍ଜେନ୍ସୀ ଅପରେସନ୍ ସେଂଟର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ଗ୍ରୀଷ୍ମ ଋତୁରେ ମୋଟ ୧୪୭ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ୩୦ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ପ୍ରମାଣ ମିଳିଛି । ୨୦ଜଣଙ୍କର ମୃତ୍ୟୁ ଅଂଶୁଘାତଜନିତ ନୁହେଁ ବୋଲି ଜଣାପଡ଼ିଛି । ବାକି ୯୭ଜଣଙ୍କର ମୃତ୍ୟୁର କାରଣ ଏବେ ଜିଲ୍ଲାପାଳଙ୍କ ସ୍ତରରେ ତଦନ୍ତ ପରିସରଭୁକ୍ତ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ଜିଲ୍ଲାପାଳମାନଙ୍କୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି । ବକେୟା ଥିବା ଅଭିଯୋଗ ମଧ୍ୟରୁ ୧୨ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ନୁହେଁ ବୋଲି ଜଣାପଡ଼ିଛି ।

ସେହିପରି ଗତକାଲି ଅର୍ଥାତ୍ ଜୁନ୍ ୨ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୧୪୧ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳମାନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଡାକ୍ତରୀ ଯାଂଚ ପରେ ସ୍ପଷ୍ଟ ହୋଇଛି । ୮ଟି ମାମଲା ଅଂଶୁଘାତଜନିତ ନୁହେଁ ବୋଲି ଜଣାପଡ଼ିଛି । ପୂର୍ବର ଏହି ୮ଜଣ ଓ ୨୪ଘଣ୍ଟା ମଧ୍ୟରେ ୧୨ଜଣଙ୍କୁ ମିଶାଇ ମୋଟ ୨୦ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯଦିଓ ଏହି ୨୦ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଅଭିଯୋଗ ହୋଇଥିଲା।

Related story