Advertisment

ଟିବି ଯନ୍ତ୍ରଣାରୁ ମୁକୁଳିବାକୁ ପେଟରେ ଚେଙ୍କ ନେଲେ ବୃଦ୍ଧ, ମେଡିକାଲ ବେଡରେ ଛଟପଟ

ଅନ୍ୟୋନପାୟ ହୋଇ ଗୁଣିଆଙ୍କ ଶରଣାପନ୍ନ ହୋଇ ପେଟରେ ଚେଙ୍କ ନେବାକୁ ପଛାଇଲେ ନାହିଁ। ଆଉ ଏହାପରେ ଅବସ୍ଥା ଗୁରୁତର ହେବାରୁ ଏବେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ବୃଦ୍ଧ।

author-image
Niharika Rout
Patient

Patient

ଚିକିତ୍ସା ବିଜ୍ଞାନ ଉପରେ ଭାରି ପଡ଼ିଲା ଅନ୍ଧବିଶ୍ୱାସ । ଟିବିରେ ଛଟପଟ ରୋଗୀ ମେଡିକାଲରୁ ମେଡିସିନ ନେଇ ଖାଇବା ବଦଳରେ ଖାଇଲେ ଚେରମୂଳି। ଆଉ ଯନ୍ତ୍ରଣା ଅସହ୍ୟ ହେବାରୁ ଏଥିରୁ ମୁକୁଳିବାକୁ ପେଟରେ ଚେଙ୍କ ନେବାକୁ ପଛାଇଲେ ନାହିଁ। ଟିବି ଯନ୍ତ୍ରଣାକୁ ଚେଙ୍କ ଯନ୍ତ୍ରଣା ବଳି ଯିବାରୁ ବୃଦ୍ଧଜଣକ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବୃଦ୍ଧଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ପରିବାର ଲୋକେ ତାଙ୍କ କଷ୍ଟ ସହି ପାରୁ ନାହାନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଘଟିଛି।

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଆଦିବାସୀବହୁଳ ଗୁଲୁବା ପଞ୍ଚାୟତ ୪ ନଂ ୱାର୍ଡର ଯୁନଶ କନ୍ଧ ନାମକ ବୃଦ୍ଧ ଗତ କିଛି ବର୍ଷ ହେଲା ରୋଗାକ୍ରାନ୍ତ ହୋଇ ପଡ଼ିଥିଲେ। ରୋଗରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ପ୍ରକାର ଗୁଣି ଗାରେଡ଼ି ଓ ଚେର ମୁଳି ଚିକିତ୍ସା କରି ଆସୁଥିଲେ ।

ହେଲେ ଅବସ୍ଥାରେ ସୁଧାର ନ ଆସିବାରୁ ବ୍ରହ୍ମପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ସେ ଟିବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ହେଲେ ଜୁନଶ କନ୍ଧ ଟିବି ରୋଗର ମେଡିସିନ ନ ଖାଇ ଭଲ ହେବା ପାଇଁ ଚେରମୂଳି ଖାଇଥିଲେ। ଏହାପରେ ବି ରୋଗର ଯନ୍ତ୍ରଣା କମି ନ ଥିଲା। ଏହା ଅସହ୍ୟ ହେବାରୁ ତିନି ଦିନ ପୂର୍ବରୁ ଜୁନଶ କନ୍ଧ ଗାଁର ଜଣେ ଗୁଣିଆଙ୍କ ନିକଟକୁ ଯାଇ ପେଟରେ ଚେଙ୍କ ନେଇଥିଲେ।

Advertisment

ଗୁରୁତର ଅବସ୍ଥାରେ ଗତକାଲି ସନ୍ଧ୍ୟା ସମୟରେ ସ୍ଥାନୀୟ ସରପଞ୍ଚ ପରିବାର ଲୋକଙ୍କ ସହାୟତାରେ ଯୁନସକୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ରାତିରେ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଟିବିରେ ଦୀର୍ଘ ଦିନ ହେବ ଆକ୍ରାନ୍ତ ହୋଇ ପଡ଼ିଥିବା ବେଳେ ବୃଦ୍ଧଜଣକ ଚିକିତ୍ସିତ ହେଉ ନ ଥିଲେ। ଏହାପରେ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚେଙ୍କ ନେଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ମୋହନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି। 

Ganjam Patient