Advertisment

ଏସ୍‌ସିବିରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା।

author-image
Jitendra Garnayak
Doctors

Doctors

କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି। ନୟାଗଡ଼ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି। ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି। ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।

Advertisment

ପ୍ରଫେସର ଡାକ୍ତର ବାଲଚନ୍ଦ୍ରନ ମେନନଙ୍କ ନେତୃତ୍ୱରେ ଏଆଇଜି ହାଇଦ୍ରାବାଦରୁ ଆସିଥିବା ୪ ଜଣିଆ ଡାକ୍ତରୀ ଦଳଙ୍କ ସହ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ରାଜେଶ କୁମାର ଦୋରା, ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ପଲାଇ, ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ନିଦାନ ବିଭାଗର ପ୍ରଫେସର ଡାକ୍ତୀ କୌମୁଦୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଥିଲେ।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଯକୃତ ପ୍ରତିରୋପଣ ବିଭାଗର ଆଇସିୟୁରେ ରଖାଯାଇଛି।

Advertisment

ଏସସିବି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବାବେଳେ ଅତରିକ୍ତ ଅଧୀକ୍ଷକ ଡାକ୍ତର ମନୋଜ କୁମାର ପଟନାୟକ ଏବଂ କୁଳ ସଚିବ ଡାକ୍ତର ଅବିନାଶ ରାଉତ ସମସ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ।

ଯକୃତ ପ୍ରତିରୋପଣ କାର୍ଯ୍ୟରେ ହେପାଟୋଲୋଜି, ହେମାଟୋଲୋଜି, ରେଡ଼ିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ, ନିଶ୍ଚେତକ ବିଭାଗ ଏବଂ ସର୍ଜରୀ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା। ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସଫଳ ଅସ୍ତ୍ରୋପଚାର ହେଉଛି ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ। ଗତ ଏପ୍ରିଲ ୩ ତାରିଖରେ କଟକ ତିଗିରିଆ ଜଣେ ରୋଗୀଙ୍କଠାରେ ସଫଳତାର ସହିତ ଯକୃତ ପ୍ରତିରୋପଣ କରାଯାଇଥିଲା।

ରିପୋର୍ଟ- କଟକରୁ ଗୌତମ ପଣ୍ଡା

Scb Medical Liver Transplant