Advertisment

ସଇଁତଳାକୁ ଯିବ ରାଜ୍ୟସ୍ତରୀୟ ଟିମ୍‌, ଖୋଜିବ ଡେଙ୍ଗୁର କାରଣ

ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।

Dengue Mosquito

Dengue Mosquito

Advertisment

ବର୍ଷାଦିନ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ। ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଡେଙ୍ଗୁ ଆତଙ୍କ ଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ସଇଁତଳାରେ ଜଣଙ୍କମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସଇଁତଳାରେ ଡେଙ୍ଗୁ ବ୍ୟାପିବାର କାରଣ ଖୋଜିବ ରାଜ୍ୟସ୍ତରୀୟ ଟିମ୍‌। ଆଜି ଏହି ଟିମ୍‌ ସଇଁତଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

୧୮ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଇତି ମଧ୍ୟରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡାକ୍ତରୀ ଟିମ୍ ସହରର ବିଭିନ୍ନ ସାହିକୁ ବୁଲି ଅନୁଧ୍ୟାନ କରିଛନ୍ତି। ଏପରିକି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ଚିହ୍ନଟ ବ୍ୟକ୍ତିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଉଛନ୍ତି।

ତେବେ ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Advertisment

ସଇଁତଳାରେ ୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇସାରିଲେଣି। ଅବଶିଷ୍ଟ ୬ ଜଣ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୩୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି ।

ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ କଟକ, ଭୁବନେଶ୍ୱରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗକୁ ବି ବର୍ଷା ଅଛି, ଏଣୁ ଅଧିକ ସତର୍କ ରହିବା ସହ ଅଧିକ ସଚେତନ କରିବାକୁ ପଦକ୍ଷେପ ମଧ୍ୟ ନିଆଯାଉଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଯେହେତୁ ଟେଷ୍ଟ ସଂଖ୍ୟା ବଢାଯାଇଛି, ଏଣୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe