Advertisment

ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ

ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

author-image
Debadatta Aryashrestha
HMPV Test

HMPV Test

ପୁଣି ଡରାଇଲା ଚୀନ୍ ଭାଇରସ୍। ଦେଶରେ ଆଜି ଗୋଟିଏ ଦିନରେ ତିନି ତିନିଟି ମାମଲା ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPVରେ ଆକ୍ରାନ୍ତ ହୋଇଛି। ବଡ଼ କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ବଢିଛି ଚିନ୍ତା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। ଏପଟେ ଯେକୌଣସି ସ୍ୱାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଭାରତରେ ଏଣ୍ଟ୍ରି କରିସାରିଛି ଚୀନରେ ବ୍ୟାପିଥିବା କରୋନା ଭଳି ନୂଆ ଭାଇରସ୍। ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମଆର। ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଚିକିତ୍ସାଧୀନ ରହିଛି। ସେପଟେ ଅହମ୍ମଦାବାଦରେ ଚିହ୍ନଟ ହୋଇଥିବା ୨ ମାସର ଶିଶୁର ଚିକିତ୍ସା ଜାରି ରହିଛି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ହେଉଛି ଯେ, ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। HMPV- ହ୍ୟୁମାନ୍ ମେଟାନିମୋ ଭାଇରସ। ୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ପାଇଁ ଠାବ ହୋଇଥିଲା। ଲକ୍ଷଣ ଠିକ୍ କରୋନା ଭଳି। କାଶ, ଛିଙ୍କ ସହ ପାଟି ଓ ନାକରୁ ନିର୍ଗତ ତରଳ କଣିକା ଦ୍ୱାରା ଏହା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ ଥଣ୍ଡା, କାଶ, ତଣ୍ଟିବ୍ୟଥା, ନାକ ବନ୍ଦ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ଏବଂ ଜ୍ୱର ଭଳି ଲକ୍ଷଣ ଦେଖାଯାଉଛି। କିଛି ଆକ୍ରାନ୍ତଙ୍କୁ ବ୍ରୋଙ୍କାଇଟିସ୍ ଓ ନିମୋନିଆ ବି ହେଉଛି। ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ସବୁ ବୟସର ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରୁଛି। କୋଭିଡ-୧୯ ଭୂତାଣୁରେ ଶିଶୁଙ୍କ ସଂକ୍ରମିତ ହେବା ଆଶଙ୍କା କମ୍ ଥିବାବେଳେ HMPVରେ କିନ୍ତୁ ୫ ବର୍ଷର ତଳକୁ ପିଲା ବେଶି ଆକ୍ରାନ୍ତ ହେଉଛନ୍ତି।

Advertisment

ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବାର ବାଟ ମଧ୍ୟ ଗୋଟିଏ। କୋଭିଡ୍ ଭଳି ଏହି ଭାଇରସରୁ ବଂଚିବା ଲାଗି ହାତକୁ ବାରମ୍ୱାର ସଫା କରନ୍ତୁ। ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧନ୍ତୁ। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏପଟେ ଯେକୌଣସି ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି ଯେ କେନ୍ଦ୍ରରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ। HMPV ପରୀକ୍ଷା ଲାଗି ଭୁବନେଶ୍ୱର AIIMS ଓ RMRCରେ ବ୍ୟବସ୍ଥା ଅଛି।

ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏଯାଏ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟି ଭାଇରାଲ ଥେରାପି କିମ୍ବା ଟିକା ତିଆରି ହୋଇନି। ତେଣୁ ସତର୍କତା ହିଁ ଏହି ଭୂତାଣୁ ସଂକ୍ରମଣରୁ ବଂଚିବାର ଏକମାତ୍ର ଉପାୟ।

Human Metapneumovirus HMPV Virus HMPV In India HMPV Guideline HMPV Symptoms