ICMRର ଚିନ୍ତାଜନକ ରିପୋର୍ଟ: UTI, ଟାଇଫଏଡ ଓ ନିମୋନିଆ ଉପରେ କାମ କରୁନି ଆଣ୍ଟିବାୟୋଟିକ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି।

ପ୍ରତିକାତ୍ମକ ଚିତ୍ର

  • Published: Monday, 23 September 2024
  • , Updated: 23 September 2024, 04:26 PM IST

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏକଥା ଆମେ କହୁନୁ, ଭାରତର ମେଡିକାଲ ଗବେଷଣା ସଂସ୍ଥା ଆଇସିଏମଆରର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। 

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ ସର୍ଭେଲାନ୍ସ ନେଟୱାର୍କ (AMRSN) କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକର ପ୍ରତିରୋଧତା ଉପରେ ପରୀକ୍ଷଣ କରିଥିଲା। ଯେଉଁଥିରେ ନିମୋନିଆ, ସେପସିସ୍, ରେସ୍ପିଟୋରୀ(ଶ୍ୱାସକ୍ରିୟା) ସଂକ୍ରମଣ ଉପରେ ସାଧାରଣ ଆଣ୍ଟିବାୟୋଟିକ କେତେ ପ୍ରଭାବ ପକାଉଛି ତା ଉପରେ ପରୀକ୍ଷଣ କରାଯାଇଥିଲା।

ଏଥିପାଇଁ ଜାନୁଆରୀ ୧, ୨୦୨୩ରୁ ଡିସେମ୍ବର ୩୧, ୨୦୨୩ ଅର୍ଥାତ୍ ପୂରା ଗୋଟିଏ ବର୍ଷର ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟ ଉଭୟ ରୋଗୀ ଏବଂ ICUରେ ଭର୍ତ୍ତି ହୋଇଥିବା ସମସ୍ତ ଡାକ୍ତରଖାନା ଏବଂ କ୍ଲିନିକର ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିପାଇଁ ମୋଟ ୯୯,୪୯୨ ନମୁନା ନିଆଯାଇଥିଲା। 

ପରୀକ୍ଷଣରେ ଇଶ୍ଚେରିଆ କୋଲି, କ୍ଲେବସିଏଲା ନିମୋନିଆ (Klebsiella pneumoniae), ସ୍ୟୁଡୋମାନସ୍ ଏରୁଗିନୋସା (Pseudomonas aeruginosa) ଏବଂ ଷ୍ଟାଫିଲୋକୋକସ୍ ଅରିଅସ୍ (Staphylococcus aureus) ଭଳି ବ୍ୟାକ୍ଟିରିଆ ଉପରେ ଆଣ୍ଟିବାୟୋଟିକର ପ୍ରଭାବ ପରୀକ୍ଷଣ କରାଯାଇଥିଲା।

ଏହି ବ୍ୟାକ୍ଟେରିଆଗୁଡିକ ଶରୀରର ବିଭିନ୍ନ ଅଙ୍ଗ ଯେପରିକି ରକ୍ତ, ମୂତ୍ର, ଶ୍ୱାସକ୍ରିୟା ଏବଂ ସଂକ୍ରମଣରୁ ମିଳିଥାଏ। ପରୀକ୍ଷଣରୁ ଜଣାପଡ଼ିଲା ଯେ, କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ ଏସବୁ ବ୍ୟାକ୍ଟେରିଆ ଉପରେ କାମ କରୁନାହିଁ। ବିଶେଷ କରି ଇଶ୍ଚେରିଆ କୋଲି ବ୍ୟାକ୍ଟିରିଆ, ଯାହା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ଚିହ୍ନଟ ହୋଇଥାଏ, ଏଥିରେ ଆଣ୍ଟିବାୟୋଟିକର ପ୍ରଭାବ ଖୁବ୍ କମ୍। 

ଭାରତର ବଜାରରେ ଉପଲବ୍ଧ ଥିବା ସେଫୋଟାକ୍ସାଇମ୍ (cefotaxime), ସେଫ୍ଟାଜାଇଡିମ୍ (ceftazidime), ସିପ୍ରୋଫ୍ଲୋକ୍ସାସିନ୍ (ciprofloxacin), ଏବଂ ଲେଭୋଫ୍ଲୋକ୍ସାସିନ୍ ( levofloxacin) ଆଣ୍ଟିବାୟୋଟିକ ଇଶ୍ଚେରିଆ କୋଲି ଉପରେ ୨୦%ରୁ କମ୍ ପ୍ରଭାବ ପକଉଛି।

ସେହିଭଳି, କ୍ଲେବସିଏଲା ନିମୋନିଆ ଏବଂ ସିଉଡୋମାନାସ୍ ଏରୁଗିନୋସା ବ୍ୟାକ୍ଟେରିଆ ପାଇଁ ଦିଆଯାଉଥିବା ପାଇପେରାସିଲିନ୍-ତାଜୋବ୍ୟାକ୍ଟାମ (piperacillin-tazobactam), ଇମିପେନେମ (imipenem) ଏବଂ ମେରୋପେନେମ (meropenem) ପ୍ରଭାବ ପକାଉ ନାହିଁ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ସମୟ ସହିତ ଅନେକ ଆଣ୍ଟିବାୟୋଟିକର ପ୍ରଭାବ ହ୍ରାସ ପାଉଛି। ଉଦାହରଣ ସ୍ୱରୂପ, ପାଇପେରାସିଲିନ୍-ତାଜୋବ୍ୟାକ୍ଟମ୍ ୨୦୧୭ରେ ୫୬.୮% ପ୍ରଭାବ ଦେଖା ଦେଉଥିଲା। ମାତ୍ର ୨୦୨୩ରେ ଏହା ୪୨.୪%କୁ ଖସି ଆସିଛି। ଏପରିକି ସାଧାରଣତଃ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ ଯେପରିକି ଆମିକାସିନ୍ ଏବଂ ମେରୋପେନେମ୍ ମଧ୍ୟ ସଂକ୍ରମଣ ସହ ମୁକାବିଲା କରିବାର କ୍ଷମତା ହରାଉଛି।

ଆଇସିଏମଆର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ସାଲମୋନେଲା ଟାଇଫ ପରି ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ବିରୁଦ୍ଧରେ ଫ୍ଲୋରୋକୁଇନୋଲୋନ୍ସ ୯୫%ରୁ ଅଧିକ ପ୍ରଭାବ ପକାଉଛି। ଏହି ଆଣ୍ଟିବାୟୋଟିକ ସାଧାରଣତଃ ଗୁରୁତର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର ହୁଏ।

ଏହି ପରୀକ୍ଷଣ ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥାଏ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ତେଣୁ ଏହାକୁ ଦୂର କରିବା ପାଇଁ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ରିପୋର୍ଟରେ ଦର୍ଶାଯାଇଛି। ଏହି ଅଧ୍ୟୟନ ମଧ୍ୟ କୃଷି କ୍ଷେତ୍ରରେ ସାଙ୍ଘାତିକ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି।

କୃଷି କ୍ଷେତ୍ରରେ କ୍ରିଟିକାଲ ଆଣ୍ଟିବାୟୋଟିକର ଅପବ୍ୟବହାର କାରଣରୁ ମାନବ ଶରୀରରେ ପ୍ରତିରୋଧତା କ୍ଷମତା ହ୍ରାସ ପାଉଛି। ଫଳରେ ଆଣ୍ଟିବାୟୋଟିକ କାମ କରୁନାହିଁ। ତେଣୁ ମାନବ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ଉପରେ ଅତ୍ୟାବଶ୍ୟକ ଆଣ୍ଟିବାୟୋଟିକ୍ସର ପ୍ରଭାବକୁ ବଳବତ୍ତର ରଖିବା ପାଇଁ ଦୃଢ ପଦକ୍ଷେପ ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।

Related story