ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍‌

ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।

Representational Image

  • Published: Saturday, 16 September 2023
  • , Updated: 16 September 2023, 12:13 PM IST

ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସ୍ୱାସ୍ଥ୍ୟ ବିଭାଗ । ଭିମସାରରୁ ଏକ ମେଡିକାଲ ଟିମ୍ ବରଗଡ଼ ଜିଲ୍ଲା ଗସ୍ତ କରିବ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।

ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପୁଥିବାରୁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ବରଗଡ଼ ଗସ୍ତ କରିବାକୁ ଥିବା ଟିମ୍‌ରେ କମ୍ୟୁନିଟି ମେଡିସିନ, ମେଡିସିନ ଓ ମାଇକ୍ରୋ ବାୟୋଲୋଜିର ଡାକ୍ତର ଅଛନ୍ତି । ଏମାନେ ଘଟଣାର ଅନୁଧ୍ୟାନ କରି ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେବେ । ଏହି ରିପୋର୍ଟ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ।

ଏନେଇ ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି, ସ୍କ୍ରବ ଟାଇଫସ୍‌ ରୋଗର ପ୍ରକୋପ ବଢ଼ି ଚାଲିଥିବାରୁ ଏହା ଉପରେ ଅଧିକ ଅନୁଧ୍ୟାନ କରି ପ୍ରତିକାର ଖୋଜି ବାହାର କରିବା ପାଇଁ ଭୀମସାର ଏକ ଟିମ୍‌ ବରଗସ୍ତ ଗସ୍ତ କରିବ । ଗ୍ରାଉଣ୍ଡ ଜିରୋକୁ ଯାଇ ଆମେ ସ୍ଥିତି ପରଖିବୁ । ସେଠାରେ ଲୋକଙ୍କ ସହ ତଥା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କଥା ହେବୁ। ଲୋକଙ୍କ ଅସୁବିଧା କ’ଣ ହେଉଛି ବୁଝିବୁ । ଏହାପରେ ଏ ନେଇ ରିପୋର୍ଟ ପ୍ରଦାନ କରିବୁ ।

ଏନେଇ ଭିମସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି, ଭୀମସାରରୁ ୩ ଜଣିଆ ଟିମ୍‌ ଅନୁଧ୍ୟାନ ପାଇଁ ବରଗଡ଼ ଯାଉଛନ୍ତି। ସେମାନେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ସିଡିଏମ୍‌ଓ ବରଗଡ଼ଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ପାଇଁ ପରାମର୍ଶ ଦେବୁ ।

ସୂଚନାଯୋଗ୍ୟ, ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍‌ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ସ୍କ୍ରବ ସାଇଫଲ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Related story